ସମ୍ବଲପୁର:ପାଣିପାଗ ଆକଳନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ବଢ଼ିଛି। ସମ୍ବଲପୁର ଜମାଦାରପାଲିଠାରେ ଅତ୍ୟାଧୁନିକ ସି-ବ୍ୟାଣ୍ଡ ଡପଲର ୱେଦର ରାଡାର ସିଷ୍ଟମ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଏହି ରାଡାର କେନ୍ଦ୍ରର ଉଦ୍ଘାଟନ କରିଛନ୍ତି।
ଜମାଦାରପାଲିଠାରେ ୫ ମହଲା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଠା ନିର୍ମାଣ କରାଯାଇ ତା’ ଉପରେ ରାଡାର ଡୋମ୍ ସ୍ଥାପନ କରାଯାଇଛି। ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପାଣିପାଗର ଗତିବିଧି ଉପରେ ଏହି ରାଡାର ନଜର ରଖିପାରିବ। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ। ବଜ୍ରପାତ, କାଳବୈଶାଖୀ, ପ୍ରବଳ ବର୍ଷା ଓ ଝଡ଼ତୋଫାନ ଭଳି ପାଣିପାଗଜନିତ ବିପଦର ଆଗୁଆ ଓ ଅଧିକ ସଠିକ ଆକଳନ କରିବାରେ ଏହି ଅତ୍ୟାଧୁନିକ ରାଡାର ସହାୟକ ହେବ। ଏଥିସହ ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ବର୍ଷାର ପରିମାଣ ଆକଳନ କରିବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଫଳରେ ହୀରାକୁଦର ଜଳ ପରିଚାଳନା ସହ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ।