ତାମିଲନାଡୁ: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏକ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। ଅଭିନୟ ଜୀବନରେ ବିଭିନ୍ନ ଚରିତ୍ରରେ ଦେଖା ଦେଇଥିବା ବିଜୟ ଏଥର ଏକ ବସ୍ରେ କଣ୍ଡକ୍ଟର ଭୂମିକା ତୁଲାଇଛନ୍ତି। ସେ ନିଜେ ମହିଳା ଯାତ୍ରୀଙ୍କୁ ମାଗଣା ବସ୍ ଟିକେଟ୍ ବାଣ୍ଟିଥିଲେ।
ମୁଖ୍ୟମନ୍ତ୍ରୀ ବିଜୟ ‘ଭେଟ୍ରି ପୟନମ ଥିଟ୍ଟମ’ ଯୋଜନାର ସମ୍ପ୍ରସାରଣର ଶୁଭାରମ୍ଭ କରିବା ସହ ଚେନ୍ନାଇରେ ବସ୍ ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ସେ ବସ୍ରେ ଥିବା ଯାତ୍ରୀଙ୍କ ସହ ଆଲୋଚନା କରିବା ସହ ମହିଳାଙ୍କୁ ମାଗଣା ଟିକେଟ୍ ପ୍ରଦାନ କରିଥିଲେ। ଏହି ଯୋଜନାରେ ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ନିଃଶୁଳ୍କ ବସ୍ ଯାତ୍ରା ସୁବିଧାକୁ ଆହୁରି ବ୍ୟାପକ କରାଯାଇଛି। ବସ୍ରେ ଯାତ୍ରା କରୁଥିବା କଲେଜ ଛାତ୍ରଛାତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଚକୋଲେଟ୍ ବାଣ୍ଟିଥିବା ଦେଖାଯାଇଥିଲା। ବିଜୟଙ୍କ କଣ୍ଡକ୍ଟର ଭୂମିକାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।