ବଦଳିବ ବିବାହ-ଉତ୍ତରାଧିକାର ନିୟମ
ନୂଆଦିଲ୍ଲୀ: ଗୁଜରାଟ ୟୁନିଫର୍ମ ସିଭିଲ୍ କୋଡ୍ (UCC), ୨୦୨୬ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏହା ପରେ ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ କରିବାର ଆଇନଗତ ପ୍ରକ୍ରିୟା ଆହୁରି ଆଗକୁ ବଢ଼ିଛି। ରାଜ୍ୟ ବିଧାନସଭା ମାର୍ଚ୍ଚ ୨୪ରେ ବିଲ୍ଟି ପାରିତ କରିଥିଲା। ଏହି ଆଇନରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ଲିଭ୍-ଇନ୍ ସମ୍ପର୍କ ପାଇଁ ଧର୍ମନିରପେକ୍ଷ ସମାନ ନିୟମର ବ୍ୟବସ୍ଥା ରହିଛି। ସମସ୍ତ ଧର୍ମର ବିବାହକୁ ୬୦ ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ନକଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ତେବେ କେବଳ ପଞ୍ଜୀକରଣ ନକରିବା ଯୋଗୁ ବିବାହ ଅବୈଧ ହେବ ନାହିଁ।
ଆଇନରେ ଏକାଧିକ ବିବାହ ଉପରେ ନିଷେଧ ରହିଛି। ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ମଧ୍ୟ ୩୦ ଦିନ ମଧ୍ୟରେ କରିବାକୁ ପଡ଼ିବ। ଏପରି ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କୁ ଆଇନଗତ ସୁରକ୍ଷା ଓ ଅଧିକାର ଦିଆଯାଇଛି। ପୈତୃକ ସମ୍ପତ୍ତିରେ ପୁଅ ଓ ଝିଅଙ୍କ ସମାନ ଅଧିକାର ସହ ଉତ୍ତରାଧିକାର ବ୍ୟବସ୍ଥାରେ ମଧ୍ୟ ସମାନତା ଆଣିବାକୁ ପ୍ରାବଧାନ ରହିଛି। ଛାଡ଼ପତ୍ର କ୍ଷେତ୍ରରେ କୋର୍ଟଙ୍କ ମାଧ୍ୟମରେ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପଡ଼ିବ। ରାଜ୍ୟର ଅନୁସୂଚିତ ଜନଜାତିଙ୍କୁ ଏହି ଆଇନର ପରିସରରୁ ବାଦ୍ ଦିଆଯାଇଛି। ଆଇନଟି ଗୁଜରାଟରେ ଲାଗୁ ହେବା ସହ ରାଜ୍ୟର ସ୍ଥାୟୀ ବାସିନ୍ଦାମାନେ ରାଜ୍ୟ ବାହାରେ ରହିଲେ ମଧ୍ୟ ଏହାର କିଛି ବ୍ୟବସ୍ଥା ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ରାଜ୍ୟ ସରକାରଙ୍କ ନିୟମାବଳୀ ଓ କାର୍ଯ୍ୟକାରୀ ଅଧିସୂଚନା ପରେ ଏହାର ପୂର୍ଣ୍ଣ ରୂପେ ଅମଲ ହେବ।