ନ୍ୟୁଜ୍ ବ୍ୟୁରୋ: ସାଉଦି ଆରବର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୬ ଜଣ ଆହତ ହୋଇଛନ୍ତି। ରିୟାଦସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର ଓ ଆଭା ଆନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି ଡ୍ରୋନ୍ ଓ ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଥିବା ହୁତି ପକ୍ଷରୁ ଦାବି କରାଯାଇଛି।
ସାଉଦି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁସାରେ, ଆଭା ବିମାନବନ୍ଦରରେ ଆକ୍ରମଣ ଯୋଗୁଁ ଦୁଇ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି। ରିୟାଦ ବିମାନବନ୍ଦରରେ ଜଣେ ସୁଦାନୀୟ ନାଗରିକଙ୍କ ମୃତ୍ୟୁ ସହ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସାଉଦି ସମେତ ଫିଲିପାଇନ୍ସ, ବାଂଲାଦେଶ ଓ ମିଶରର ନାଗରିକ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରିଙ୍କ କହିବାନୁସାରେ, ବିମାନବନ୍ଦରଗୁଡ଼ିକର ସାମରିକ ଓ ବିମାନ ଚଳାଚଳ ସେବାକୁ ଠପ୍ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଛି। ଆକ୍ରମଣ ପରେ ରିୟାଦ ଓ ଆଖପାଖ ଅଞ୍ଚଳରେ କିଛି ସମୟ ପାଇଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।
ଅନ୍ୟପକ୍ଷରେ, ସାଉଦି ନେତୃତ୍ୱାଧୀନ ସେନା ମେଣ୍ଟ ରିୟାଦ ଆଡ଼କୁ ଆସୁଥିବା ଏକ ବାଲିଷ୍ଟିକ୍ ମିସାଇଲକୁ ଆକାଶରେ ଧ୍ୱଂସ କରିଥିବା ଦାବି କରିଛି। ଏହାସହ ୟେମେନର ସାନାରେ ଥିବା ହୁତିଙ୍କ ମିସାଇଲ ଲଞ୍ଚପ୍ୟାଡ୍ ଧ୍ୱଂସ କରାଯାଇଥିବା କୁହାଯାଇଛି। ଘଟଣା ପରେ ସାଉଦି କର୍ତ୍ତୃପକ୍ଷ ବିମାନବନ୍ଦରଗୁଡ଼ିକର ସୁରକ୍ଷା କଡ଼ାକଡ଼ି କରିଛନ୍ତି।