ନୂଆ ଦିଲ୍ଲୀ: ଦିଲ୍ଲୀର ଐତିହାସିକ ପ୍ରତିବାଦ ସ୍ଥଳ ଯନ୍ତରମନ୍ତରରୁ ଆନ୍ଦୋଳନକୁ ହଟାଇବା ନିଷ୍ପତ୍ତିକୁ ନେଇ ଆଇନଗତ ଲଢ଼େଇ ଜୋର୍ ଧରିଛି। ଏହି ସ୍ଥାନକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି। ଏହା ସହ ଉଭୟ ପକ୍ଷଙ୍କଠାରୁ ଜବାବ ତଲବ କରାଯାଇଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ପ୍ରଥମେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛନ୍ତି। ସରକାରଙ୍କ ଜବାବରେ ଅଦାଲତ ସନ୍ତୁଷ୍ଟ ନହେଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବ।
ଏହି ମାମଲାରେ ପ୍ରତିବାଦ ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ, ଓକିଲ ଓ ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ହଇରାଣ କରାଯିବା ନେଇ ଆବେଦନରେ ଅଭିଯୋଗ ଉଠାଯାଇଛି। ଅନ୍ୟପକ୍ଷରେ, ପ୍ରତିବାଦ ଓ ବିରୋଧୀ ରାଲି ଯୋଗୁଁ ଉତ୍ସବ ଋତୁରେ ଦୋକାନୀଙ୍କ ବ୍ୟବସାୟ ପ୍ରଭାବିତ ହେଉଥିବା ନେଇ ମଧ୍ୟ ଅଦାଲତରେ ଯୁକ୍ତି ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିସ ଆଧାରରେ ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବା ନିଷ୍ପତ୍ତି ନିଆଯାଇଥିଲା। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ, ନାଗରିକଙ୍କ ପ୍ରତିବାଦ ଅଧିକାରକୁ ସମ୍ମାନ ଦେବା ସହ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବା ପାଇଁ କମିଟି ଗଠନ କରାଯାଇଥିଲା।