ଭୁବନେଶ୍ୱର, ଅକ୍ଟୋବର ୧୧: ଆଇଆଇଟି (ବିଏଚୟୁ) ବାରଣାସୀ ଦ୍ୱାରା ଆୟୋଜିତ ବାର୍ଷିକ କ୍ରୀଡା ମହୋତ୍ସବ ‘ସ୍ପର୍ଦ୍ଧା ୨୦୨୬’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମହିଳା ବିଭାଗ ଉଭୟ କବାଡି ଓ ବାସ୍କେଟବଲରେ ସୋଆ ଦଳ ଚମ୍ପିଅନ ହୋଇଛନ୍ତି । ମହିଳା କବାଡି, ବାସ୍କେଟବଲ ଦଳ ଚମ୍ପିଅନ, ପୁରୁଷ ଖୋ ଖୋ, କବାଡି ଦଳ ରନର୍ସଅପ୍, ମହିଳା ଖୋ ଖୋ ଦଳ ତୃତୀୟ ହୋଇଥିବା ବେଳେ ଉନ୍ନତ ପ୍ରଦର୍ଶନ ପାଇଁ ସୋଆକୁ ‘ବେଷ୍ଟ ଆଉଟ୍ଷ୍ଟେସନ’ ଦଳ ପୁରସ୍କାର ପ୍ରଦାନ କରାଯାଇଛି।
ଛାତ୍ରଛାତ୍ରୀଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦ ବ୍ୟକ୍ତ କରିଛନ୍ତି ଓ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବାରଣାସୀରୁ ଫେରିବା ପରେ ଛାତ୍ରଛାତ୍ରୀମାନେ ଗୁରୁବାର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଚଳିତ ଅକ୍ଟୋବର୯ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦ୍ଯାପିତ ହୋଇଥିଲା। ‘କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଂଟନ, ଖୋ ଖୋ, କବାଡି ଓ ବାସ୍କେଟବଲ ପ୍ରଭୃତି କ୍ରୀଡାରେ ସୋଆ ବିଶ୍ୱବିଦ୍ୟାଳୟରୁ ୧୪୦ ଜଣ ଖେଳାଳି ଓ ୧୦ଜଣ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।