ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସେବାରେ ବୈଷୟିକ ତ୍ରୁଟି ଯୋଗୁଁ ଭାରତରେ ବିମାନ ଚଳାଚଳ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି କାରଣରୁ ସ୍ପାଇସଜେଟ୍ ଦିଲ୍ଲୀରୁ ଯାଉଥିବା ୩ଟି ବିମାନର ଉଡ଼ାଣ ବାତିଲ କରିଛି। ଏଥିସହ ଆଉ ଦୁଇଟି ବିମାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି। ବାତିଲ ହୋଇଥିବା ବିମାନ ମଧ୍ୟରେ ଦିଲ୍ଲୀ-ପୁଣେ, ଦିଲ୍ଲୀ-ଲେହ ଓ ଦିଲ୍ଲୀ-ମୁମ୍ବାଇ ରୁଟ୍ର ବିମାନ ରହିଛି। ସେହିପରି ଦିଲ୍ଲୀ-ଦରଭଙ୍ଗା ଓ ଦିଲ୍ଲୀ-ମୁମ୍ବାଇ ରୁଟ୍ର ଅନ୍ୟ ଦୁଇଟି ବିମାନ ବିଳମ୍ବିତ ହୋଇଛି।
ତେବେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ମାଇକ୍ରୋସଫ୍ଟ ସେବାରେ ବିଭ୍ରାଟ ସତ୍ତ୍ୱେ ଏହାର ବିମାନ ଚଳାଚଳ ସ୍ୱାଭାବିକ ରହିଛି। ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଇଣ୍ଡିଗୋ ଓ ଆକାସା ଏୟାର ସମେତ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ବିମାନବନ୍ଦର ଯିବା ପୂର୍ବରୁ ନିଜ ଉଡ଼ାଣର ସ୍ଥିତି ଯାଞ୍ଚ କରିନେବାକୁ କୁହାଯାଇଛି।