ଆସାମ: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଶୁକ୍ରବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପ୍ରାୟ ୨୦ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।
ପୁଲିସର ସୂଚନା ଅନୁଯାୟୀ, କୋହୋରା ରେଞ୍ଜ ଅନ୍ତର୍ଗତ ଜାତୀୟ ରାଜପଥ-୭୧୫ର ରୋଙ୍ଗାଜନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବୋକାଖତରୁ ନାଗାଓଁ ଯାଉଥିବା ବସ୍ଟି ଏକ କଣ୍ଟେନର ଟ୍ରକ୍ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଦ୍ରୁତଗତିରେ ଯାଉଥିବା ବସ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।