ଭୁବନେଶ୍ୱର, ୧୩/୧୧: ସୋଆ ବିଶ୍ୱବିଦ୍ୟାଳୟର ପାକ୍ଷିକ ବକ୍ତୃତା କାର୍ଯ୍ୟକ୍ରମ ‘ସୋଫଲ’ର ସଂକଳନ ‘ସୋଫଲମାଳା’ର ୫ମ ଖଣ୍ଡକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିବା ଅବସରରେ ଏହାକୁ ଦିବଙ୍ଗତ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପବିତ୍ର ସ୍କୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ପ୍ରଫେସର (ଡାକ୍ତର) ମହାପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏହି ବକ୍ତୃତାମାଳାକୁ ପ୍ରଫେସର ନାୟକ ଉନ୍ମୋଚନ କରିଛନ୍ତି।
୨୦୨୧ ମସିହା ଫେବୃଆରୀ ମାସରେ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ବକୃତାମାଳା (ସୋଫଲ) ସ୍ୱର୍ଗତ ପ୍ରଫେସର ମହାପାତ୍ରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା। ଏହା ଷଷ୍ଠ ବର୍ଷରେ ପହଂଚିଥିବା ବେଳେ ପ୍ରତ୍ୟେକ ବର୍ଷ ୨୫ଟି ବତ୍କୃତାର ସଂକଳନ ସୋଆ ପକ୍ଷରୁ ପ୍ରକାଶିତ କରାଯାଇଥାଏ । ଏହାର ୫ମ ଖଣ୍ଡଟି ଲୀଳାବତୀଙ୍କ ଶହେ କନ୍ୟା ପୁସ୍ତକରେ ସ୍ଥାନୀତ ଭାରତର ପ୍ରଖ୍ୟାତ ମହିଳା ବିଜ୍ଞାନୀଙ୍କ ଦ୍ୱାରା ପ୍ରଦତ ବକ୍ତୃତାର ଏକ ସଙ୍କଳନ ଭାବେ ପ୍ରକାଶିତ ହୋଇଛି।
ଏହି ଉନ୍ମୋଚନ ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ପ୍ରଫେସର ପି. କେ. ପାତ୍ର, ଯୁଗ୍ମ କୁଳସଚିବ ଡକ୍ଟର ଶଶାଙ୍କ ମିଶ୍ର ଏବଂ ପୁସ୍ତକର ସଂପାଦକ ତଥା ଅନ୍ତର୍ଜାତୀକ ସଂପର୍କ ଓ ବିଶ୍ୱବିଦ୍ୟାଳୟ ସଂପ୍ରସାରଣ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ।
ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ପ୍ରଫେସର (ଡାକ୍ତର) ମହାପାତ୍ରଙ୍କର ଅମୂଲ୍ୟ ଅବଦାନ, ଦୂରଦୃଷ୍ଟି ଓ ଶିକ୍ଷାକ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ କାର୍ଯ୍ୟଧାରାକୁ ଏହି ପ୍ରକାଶନ ମାଧ୍ୟମରେ ଶ୍ରଦ୍ଧାପୂର୍ଣ୍ଣ ସ୍ମରଣ କରାଯାଇଛି।