ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବାତ୍ୟା ‘ ଅକ୍ୱାନ ‘ ଉତ୍ତର – ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପରେ ପରିଣତ ହେବ ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟା ରୂପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହି ସିଷ୍ଟମ୍ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦ ତାରିଖ ମଧ୍ୟାହ୍ନ ବେଳକୁ ଆନ୍ଧ୍ରପ୍ରଦେଶ ଓ ୟେନମ୍ ଉପକୂଳ ନେଲୋର ଓ ବିଶାଖାପାଟଣା ମଝିରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହି ସିଷ୍ଟମ୍ ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲି ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଏବଂ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଏହି ସମୟରେ ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୯-୨୧ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘାଚ୍ଛନ୍ନ ରହିବା ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମା ,ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ,ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି) ବର୍ଷା ସମ୍ଭାବନା ରହିଛି। ସେହିପରି ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେଉଁଝର, ଯାଜପୁର, ଭଦ୍ରକ, ବାଲେଶ୍ଵର , ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା (୭-୧୧ ସେମି)ସମ୍ଭାବନା ଅଛି। ୨୧-୨୨ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି।
ସେହିପରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହି ସମୟରେ ପାଗ କୋହଲା ରହିବା ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି ଓ ବେଳେବେଳେ ଝଟକା ପବନ ଘଣ୍ଟା ପ୍ରତି ପ୍ରାୟ ୭୦ କିମି ରହିପାରେ। ତେଣୁ ଏହି ସମୟରେ ସମୁଦ୍ରକୁ ଯିବା ବାରଣ।
ପୂର୍ବାନୁମାନ- ସାର୍ଥକ ମିଶ୍ର (ଅଧ୍ୟାପକ)