ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଏହି ଟାବ୍ଲେଟ୍ ପ୍ରଦାନ କରାଯାଇଛି। ଏଥିରେ ଗୋରଖପୁରର ୩୫ ହଜାର, ଦେଓରିଆ, କୁଶୀନଗର ଓ ମହାରାଜଗଞ୍ଜର ୫ ହଜାର ଲେଖାଏଁ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ ପୂର୍ବ ସରକାର ଓ ସମାଜବାଦୀ ପାର୍ଟିକୁ ସମାଲୋଚନା କରିଥିଲେ। ୧୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଯୁବପିଢ଼ି ପରିଚୟ ସଙ୍କଟ, ବେକାରି ଓ ନିଯୁକ୍ତି କ୍ଷେତ୍ରରେ ଅନିଶ୍ଚିତତାର ସମ୍ମୁଖୀନ ହେଉଥିଲେ ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟକୁ ଗଲେ ଉତ୍ତରପ୍ରଦେଶର ଯୁବକଙ୍କୁ ଘର ଭଡ଼ା କିମ୍ବା ରହିବା ପାଇଁ ସ୍ଥାନ ମିଳୁ ନଥିବା ସେ ଅଭିଯୋଗ କରିଥିଲେ।
ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ନକଲ ମାଫିଆଙ୍କ ପ୍ରଭାବ ରହିଥିବା ମଧ୍ୟ ଯୋଗୀ ଅଭିଯୋଗ କରିଥିଲେ। ଏଥିସହ ଦଙ୍ଗା, ଅପରାଧ, ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଘେରିଥିଲେ। ନିଜ ସରକାରଙ୍କ ସଫଳତା ବଖାଣି ଯୋଗୀ କହିଥିଲେ, ଗତ ସାଢ଼େ ୯ ବର୍ଷରେ ପ୍ରାୟ ୯.୫ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ମିଳିଛି। ଏବେ ନିଯୁକ୍ତିରେ ଟଙ୍କା କିମ୍ବା ସମ୍ପର୍କ ବଦଳରେ ଯୋଗ୍ୟତା ଓ ପ୍ରତିଭାକୁ ପ୍ରାଥମିକତା ଦିଆଯାଉଥିବା ସେ ଦାବି କରିଥିଲେ।