ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ
ନ୍ୟୁଜ୍ ବ୍ୟୁରୋ: ଲୋୟି ଇନ୍ଷ୍ଟିଚ୍ୟୁଟ୍ର ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୬’ରେ ଭାରତ ଏସିଆର ତୃତୀୟ ପ୍ରମୁଖ ଶକ୍ତି ଭାବେ ନିଜ ସ୍ଥାନ ବଜାୟ ରଖିଛି। ଏହି ସୂଚକାଙ୍କରେ ଭାରତର ପାୱାର ସ୍କୋର ୦.୫ ପଏଣ୍ଟ ବୃଦ୍ଧି ପାଇ ୪୦.୫ରେ ପହଞ୍ଚିଛି। ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ପରେ ଏସିଆର ଦ୍ୱିତୀୟ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ଆକଳନ କରାଯାଇଛି। ୨୦୨୬ ସୂଚକାଙ୍କରେ ଆମେରିକା ୭୮.୯ ଏବଂ ଚୀନ୍ ୭୩.୬ ପଏଣ୍ଟ ସହ ଏସିଆର ଦୁଇ ପ୍ରମୁଖ ଶକ୍ତି ଭାବେ ସ୍ଥାନ ପାଇଛନ୍ତି। ଉଭୟ ଦେଶ ମଧ୍ୟରେ ପାୱାର ସ୍କୋର ବ୍ୟବଧାନ ୫.୩ ପଏଣ୍ଟକୁ ହ୍ରାସ ପାଇଛି। ଭାରତ ଓ ଚୀନ୍ ମଧ୍ୟରେ ପାୱାର ସ୍କୋର ବ୍ୟବଧାନ ମଧ୍ୟ ୨୦୧୮ ପରଠାରୁ ସବୁଠୁ କମ୍ ରହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ଭାରତର ପ୍ରତିରକ୍ଷା ନେଟ୍ୱର୍କ ଓ ଆଞ୍ଚଳିକ ସମ୍ପୃକ୍ତି ବୃଦ୍ଧି ଏହାର ପ୍ରଭାବକୁ ମଜବୁତ କରିଛି। ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି ଏବଂ ପ୍ରତିରକ୍ଷା ସହଯୋଗ ଏହି କ୍ଷେତ୍ରରେ ସହାୟକ ହୋଇଛି। ସେହିପରି ସ୍ଥିର ବାଣିଜ୍ୟ ଓ ନିବେଶ ସମ୍ପର୍କ ଯୋଗୁ ଭାରତର ଅର୍ଥନୈତିକ ସମ୍ପର୍କ ମଧ୍ୟ ତୁଳନାତ୍ମକ ଭାବେ ସୁଦୃଢ଼ ରହିଛି।
ସୂଚକାଙ୍କ ଅନୁଯାୟୀ, ଭାରତ ସାଂସ୍କୃତିକ ପ୍ରଭାବ କ୍ଷେତ୍ରରେ ୨.୩ ପଏଣ୍ଟ ହାସଲ କରିଥିବାବେଳେ ଆର୍ଥିକ ସାମର୍ଥ୍ୟରେ ୦.୭ ପଏଣ୍ଟ ହରାଇଛି। ପ୍ରତିରକ୍ଷା ନେଟ୍ୱର୍କରେ ୨.୧ ଏବଂ ସାମରିକ ସାମର୍ଥ୍ୟରେ ୦.୫ ପଏଣ୍ଟ ବୃଦ୍ଧି ହୋଇଛି। ଏସିଆର ୨୭ଟି ଦେଶ ଓ ଅଞ୍ଚଳକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି।