ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

0

ସମାନ ଯୋଗ୍ୟତା ଓ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ

ସମୟବଦ୍ଧ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ବାର୍ଷିକ ରିକ୍ରୁଟ୍‌ମେଣ୍ଟ ପ୍ରକ୍ରିୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ ସମାନ ଯୋଗ୍ୟତା, ବିଷୟ ତଥା ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ଗୁଡ଼ିକରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ ଏକ ସୁବ୍ୟବସ୍ଥିତ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ପରୀକ୍ଷା- ସ୍କୁଲ ବୋର୍ଡ ଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ ଆଦି ପ୍ରବେଶିକା ପରୀକ୍ଷା ଓ ବିଭିନ୍ନ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ପରୀକ୍ଷା ସମ୍ପର୍କିତ ସଂସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଟାସ୍କଫୋର୍ସର ପ୍ରତିନିଧିମାନେ ଆଜି ଓଡ଼ିଶା ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଛନ୍ତି। ଟାସ୍କଫୋର୍ସର ଏହି ସଦସ୍ୟମାନେ ହେଉଛନ୍ତି ଶ୍ରୀ ତପନ କୁମାର ଡେକା, ଅନୀତା କର୍‌ୱାଲ, ପ୍ରଫେସର ଭି. କାମକୋଟି ଏବଂ ସାଳିନୀ ମହାଜନ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଛାତ୍ର ଓ ଯୁବକମାନଙ୍କ ପାଇଁ ଏକ ନିଷ୍ପକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ରିକ୍ରୁଟମେଣ୍ଟ ପ୍ରକ୍ରିୟା ପ୍ରଦାନ କରିବା । ତେଣୁ, ସମସ୍ତ ପରୀକ୍ଷା ଗୁଡ଼ିକୁ ସମୟବଦ୍ଧ ଭାବେ ଏବଂ ସ୍ୱଚ୍ଛତାର ସହିତ ଆୟୋଜିତ କରିବା ଏବଂ ଫଳାଫଳକୁ ତୁରନ୍ତ ଘୋଷଣା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଓଡ଼ିଶାରେ ୨୦୨୪ ଜୁନ ମାସରେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ରାଜ୍ୟ ସରକାର ବିଭିନ୍ନ ନିଯୁକ୍ତି ପରୀକ୍ଷା ସ୍ୱଚ୍ଛତାର ସହ ଆୟୋଜିତ କରି ୫୨, ୫୧୪ ଟି ନିଯୁକ୍ତି ପ୍ରଦାନ କରିଛନ୍ତି । ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସରଳ କରିବା ପାଇଁ ରାଜ୍ୟ ସରକାର କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର Odisha Public Examinations (Prevention of Unfair Means) Act, ୨୦୨୪ ଲାଗୁ କରିଛନ୍ତି । ସରକାରୀ ଚାକିରୀରେ ସର୍ବୋଚ୍ଚ ବୟସସୀମାକୁ ୪୨କୁ ବୃଦ୍ଧି କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଦେବାପାଇଁ ପ୍ରୟାସର ସଂଖ୍ୟାକୁ ଉଠାଇ ଦିଆଯାଇଛି ଏବଂ ୟୁନିଫର୍ମ୍‌ଡ ସର୍ଭିସ ପାଇଁ ସ୍ୱତନ୍ତ୍ର ଷ୍ଟାଫ୍‌ ସିଲେକ୍ସନ୍ କମିଶନ କରାଯାଇଛି ବୋଲି ସେ କହିଥିଲେ।

ଏହାସହିତ ପ୍ରଶାସନିକ ବ୍ୟବସ୍ଥା, ନିୟମ ଓ ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ରାଜ୍ୟ ସରକାର ‘କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍‌ସ ରିଫର୍ମ୍‌ସ’ ଗଠନ କରିଛନ୍ତି ବୋଲି ସେ କହିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ୱାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀ ଏସ୍.ଏନ୍ ଗିରୀଶ୍, ଉଚ୍ଚଶିକ୍ଷା ବିଭାଗର ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଡା. ଏନ୍. ତିରୁମାଲା ନାଏକ ପ୍ରମୁଖ ପରୀକ୍ଷା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ଓଡ଼ିଶାର ଅଭିଜ୍ଞତାକୁ ନେଇ ମତାମତ ରଖିଥିଲେ

Leave A Reply

Your email address will not be published.