ନୂଆଦିଲ୍ଲୀ: ପ୍ୟାକେଟ୍ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀରେ ଅଧିକ ଚିନି, ଲୁଣ ଓ ଚର୍ବି ରହିଥିଲେ ଏଣିକି ଗ୍ରାହକଙ୍କୁ ମିଳିବ ସ୍ପଷ୍ଟ ସତର୍କ ସୂଚନା। ଏଥିପାଇଁ ଖାଦ୍ୟ ପ୍ୟାକେଟ୍ର ସମ୍ମୁଖ ଭାଗରେ ଲାଲ୍ ରଙ୍ଗର ଷଡ଼ଭୁଜାକାର ଚେତାବନୀ ଚିହ୍ନ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି, ଅଧିକ ଚିନି, ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟ ପାଇଁ ପୃଥକ୍ ପୃଥକ୍ ଚେତାବନୀ ଚିହ୍ନ ରହିବ। ଏଥିରେ ‘ଅଧିକ ଚିନି’, ‘ଅଧିକ ଲୁଣ’ ଓ ‘ଅଧିକ ଚର୍ବି’ ଲେଖା ସହ ସମ୍ପୃକ୍ତ ଉପାଦାନର ଚିତ୍ର ମଧ୍ୟ ରହିବ। ପ୍ୟାକେଟ୍ର ସମ୍ମୁଖ ଭାଗରେ ଏହି ଚିହ୍ନଗୁଡ଼ିକ ସ୍ପଷ୍ଟ ଦେଖାଯିବା ଭଳି ଆକାର ଓ ଅକ୍ଷରର ଆକୃତି ନିର୍ଦ୍ଧାରଣ କରିବାକୁ କୋର୍ଟ କହିଛନ୍ତି। ଚିନିର ପରିମାଣ ଆକଳନ ପାଇଁ ମୋଟ ଚିନି ଏବଂ ଚର୍ବି ନିର୍ଦ୍ଧାରଣ ପାଇଁ ସାଚୁରେଟେଡ୍ ଫ୍ୟାଟ୍କୁ ଆଧାର କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୀମା ନିର୍ଦ୍ଧାରଣ ବୈଜ୍ଞାନିକ ଗବେଷଣା ଓ ପ୍ରମାଣ ଆଧାରରେ କରିବାକୁ FSSAIକୁ କୁହାଯାଇଛି। ‘୩ଏସ୍’ ଏବଂ ‘ଆମ ସ୍ୱାସ୍ଥ୍ୟ ସମାଜ’ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଆସିଛି। ଖାଦ୍ୟ ପ୍ୟାକେଟ୍ର ସମ୍ମୁଖ ଭାଗରେ ପୁଷ୍ଟିକର ସୂଚନା ପ୍ରଦାନ କରିବାର ବ୍ୟବସ୍ଥାକୁ ଫ୍ରଣ୍ଟ-ଅଫ୍-ପ୍ୟାକେଜ୍ ନ୍ୟୁଟ୍ରିସନ୍ ଲେବଲିଂ (FOPNL) କୁହାଯାଏ। ଏହାଦ୍ୱାରା ଗ୍ରାହକମାନେ ଖାଦ୍ୟରେ ଥିବା ଚିନି, ଲୁଣ ଓ ଚର୍ବିର ପରିମାଣ ଜାଣି ସଚେତନ ଭାବେ ଖାଦ୍ୟ ସାମଗ୍ରୀ ବାଛିପାରିବେ।
ଏହି ବ୍ୟବସ୍ଥା ଲାଗୁ କରିବା ନେଇ FSSAI ପୂର୍ବରୁ ବିଭିନ୍ନ ପ୍ରସ୍ତାବ ଦେଇଥିଲା। ପ୍ରଥମେ ଦୁଇ ପର୍ଯ୍ୟାୟରେ ଚେତାବନୀ ଲେବଲ୍ ଲଗାଇବାର ଯୋଜନା ହୋଇଥିବା ବେଳେ ପରେ କାନାଡାର ମଡେଲ ଆଧାରରେ ନୂଆ ପ୍ରସ୍ତାବ ଆସିଥିଲା। ଏଥିରେ ଯେକୌଣସି ଗୋଟିଏ ପୋଷକ ତତ୍ତ୍ୱ ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ ଚେତାବନୀ ଚିହ୍ନ ଲଗାଇବାର ବ୍ୟବସ୍ଥା ରହିଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପ୍ୟାକେଟ୍ ଖାଦ୍ୟ ଓ ଏଫ୍ଏମ୍ସିଜି ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ। ଏହାଦ୍ୱାରା ଖାଦ୍ୟର ପୁଷ୍ଟିଗତ ଗୁଣ ସମ୍ପର୍କରେ ଗ୍ରାହକଙ୍କ ସଚେତନତା ବଢ଼ିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରିବା ସହଜ ହେବ।