ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମିଜୋରାମ ଗସ୍ତ ପୂର୍ବରୁ ରାଜ୍ୟରେ ସୁରକ୍ଷା ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ନଭେମ୍ବର ୨୮ରୁ ୩୦ ତାରିଖ ଯାଏଁ ରାଷ୍ଟ୍ରପତି ରାଜ୍ୟରେ ରହିବେ। ଏହି ଅବସରରେ ସେ ଆଇଜଲ ଉପକଣ୍ଠ ତାନ୍ହ୍ରିଲ୍ସ୍ଥିତ ମିଜୋରାମ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ନଭେମ୍ବର ୨୮ରେ ମିଜୋରାମରେ ପହଞ୍ଚିବା ପରେ ୩୦ ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିବେ। ୨୯ ତାରିଖରେ ତାଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ନାହିଁ।
ଗସ୍ତର ସୁପରିଚାଳନା ପାଇଁ ମୁଖ୍ୟ ସଚିବ ଖିଲ୍ଲି ରାମ ମୀନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ସୁରକ୍ଷା, ପ୍ରୋଟୋକଲ୍, ଯାତାୟାତ, ସ୍ୱାସ୍ଥ୍ୟସେବା, ଯୋଗାଯୋଗ ଓ ଭିତ୍ତିଭୂମି ସମେତ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇ ତୁରନ୍ତ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ, ରାଷ୍ଟ୍ରପତିଙ୍କ କାରକେଡ୍ର ନିରବଚ୍ଛିନ୍ନ ଯାତାୟାତ ପାଇଁ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ହୋଇଛି। ନଭେମ୍ବର ୨୮ରୁ ୩୦ ମଧ୍ୟରେ ଜେନେରାଲ୍ ପୋଷ୍ଟ ଅଫିସ୍, ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟ, ଆଇସିଟି/ଆଇଜଲ ଭେନ୍ବୁକ୍ କାଉଟ୍ ଏବଂ ଟେନିସ୍ କୋର୍ଟ ଅଞ୍ଚଳରେ ରାସ୍ତାକଡ଼ରେ ଉଠାଦୋକାନ ଖୋଲିବା ଉପରେ କଟକଣା ଲାଗିଛି। ନଭେମ୍ବର ୨୮ରେ ଏହି ଅଞ୍ଚଳର ବ୍ୟବସାୟୀଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।