ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ଓଡ଼ିଶାକୁ ମିଳିବ ଆଉ ୪୦୦ଟି ଇଲେକ୍ଟ୍ରିକ୍ ବସ୍। ‘ପିଏମ୍ ଇ-ବସ୍ ସେବା’ ଯୋଜନାରେ ଏହି ବସ୍ଗୁଡ଼ିକ ରାଜ୍ୟର ପାଞ୍ଚଟି ପ୍ରମୁଖ ସହରରେ ଚଳାଚଳ କରିବ। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଏହି ବସ୍ଗୁଡ଼ିକ ଚଳାଚଳ କରିବ। ରାଉରକେଲା ଓ ସମ୍ବଲପୁରରେ ୨୦୨୭ ମସିହାରେ ଇ-ବସ୍ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି। ସେହିପରି ବ୍ରହ୍ମପୁରରେ ନଭେମ୍ବର ୨୦୨୭ ସୁଦ୍ଧା ଏହି ସେବା ଆରମ୍ଭ ହେବ।
ଏହାବ୍ୟତୀତ ବାଲେଶ୍ୱର ସହରରେ ଗୋଟିଏ ଡିପୋରୁ ୬ଟି ନିର୍ଦ୍ଧାରିତ ରୁଟ୍ରେ ୩୫ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାର ଯୋଜନା ରହିଛି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ମାଧ୍ୟମରେ ସହରାଞ୍ଚଳରେ ସାର୍ବଜନୀନ ପରିବହନକୁ ସୁଦୃଢ଼ କରିବା ସହ ପ୍ରଦୂଷଣ ହ୍ରାସ ଓ ସ୍ୱଚ୍ଛ ଯାତାୟାତକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ।