ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ବିଜେଡି ପାଇଁ ଆଗକୁ ଆସୁଛି ବିପଦ!

0
  • ବିହାରରେ ବିଜେପି ଗୋଟିଚାଳନା ପରେ ରାଜନୈତିକ ପଣ୍ଡିତ ଆରମ୍ଭ କଲେଣି ଅଙ୍କକଷା
  • କଂଗ୍ରେସକୁ ରୋକିବାରେ ସଫଳ ହୋଇଥିବା ଆଞ୍ଚଳିକ ଦଳ ଉପରେ ଏବେ ବିଜେପିର ଆଖି
  • ବିଜେଡି, ତୃଣମୂଳ କଂଗ୍ରେସ, ଟିଡିପି, ଟିଆର୍‌ଏସ୍, ଏନ୍‌ସିପିରେ କେବେ ବି ଧସେଇ ପଶିପାରେ
  • ସରକାରରେ କ୍ଷମତାଶାଳୀ ଗୋଷ୍ଠୀ ଦୈନନ୍ଦିନ କାମରେ ମାତିଛି, ନେତାମାନେ ଗୋଷ୍ଠୀରେ
  • ୨୦୦୨ କ୍ଷତିରୁ କିଛି ଶିଖିନାହାନ୍ତି ନେତୃତ୍ବ,, ବିରୋଧୀ ନୁହେଁ, ନିଜ ଲୋକ ଦେଇପାରନ୍ତି ଧୋକା

ଭୁବନେଶ୍ବର: ଓଡ଼ିଶା ରାଜନୀତି ପାଣିପାଗକୁ ଯେ କୌଣସି ସମୟରେ ବାଦଲ ଖଣ୍ଡ ଢାଙ୍କି ପାରନ୍ତି। ବିଜେଡିକୁ କ୍ଷମତାଚ୍ୟୁତ କରିବାଲାଗି ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ରଚନା କରାଯାଇପାରେ। କେବଳ ସେତିକି ନୁହେଁ, ଏଥିପାଇଁ ବିଜେଡି ବିରୋଧୀ ସବୁ ଶକ୍ତି ଓ ଦଳର ଲାଭଖୋର ଗୋଷ୍ଠୀ ହାତ ମିଳାଇବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ରାଜନୈତିକ ପଣ୍ଡିତମାନେ ଏବେ ଓଡ଼ିଶାର ରାଜନୀତିକୁ ନିରେଖି ଦେଖିବା ପରେ ଏଭଳି ପୂର୍ବାନୁମାନ ଆରମ୍ଭ କଲେଣି। କେବଳ ଓଡ଼ିଶାରେ ଯେ ଏଭଳି ପରିସ୍ଥିତି ସୃଷ୍ଟି ହେବ ତା ନୁହେଁ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ଅଞ୍ଚଳରେ ମୁଣ୍ଡ ଟେକିଥିବା ଆଞ୍ଚଳିକ ଶକ୍ତି ଉପରେ କିଛି ବର୍ଷ ମଧ୍ୟରେ ଏଭଳି ପ୍ରଚଣ୍ଡ ଆଘାତ ପଡ଼ିପାରେ।

ଆଞ୍ଚଳିକ ଦଳକୁ ଆୟୁଧ କରି କଂଗ୍ରେସ ମୁକ୍ତ ଭାରତ ଗଠନରେ ଆପାତତଃ ସଫଳ ହେବା ପରେ ଭାରତୀୟ ଜନତା ପାର୍ଟି ଏବେ ସମଗ୍ର ଦେଶରେ ନିଜର ପ୍ରତିପତି ଜାହିର ଲକ୍ଷ୍ୟରେ ରହିଛି। ଏବେ କଂଗ୍ରେସ ଜାତୀୟସ୍ତରରେଏକାଧିକ ଗୋଷ୍ଠୀରେ ପରିଣତ ହେବା ସହିତ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି କିଛି ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡିଛି। କ୍ଷମତାସୀନ ଦଳର ନିକଟବର୍ତୀ ଥିବା କାରଣରୁ ପରିସ୍ଥିତିର ସୁଯୋଗ ନେବା ଲାଗି ବିଜେପି ଶୀର୍ଷ ନେତୃତ୍ବ ଗୋଟିଚାଳନା କରିବାର ସମ୍ଭାବନା ବଢ଼ିଯାଇଛି। ସମାନ୍ତରାଳ ଭାବେ ଭାରତରୁ ଆଞ୍ଚଳିକ ଦଳକୁ ବିଲୋପ ନ କରିବା ଯାଏ ବିଜେପି ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରିବ ନାହିଁ। କେଉଁଠି ନା କେଉଁଠି ଦଳ ଏଭଳି ମାନସିକତାର ଆଭାସ ମିଳିଲାଣି।

ବିହାରରେ ହଠାତ୍ ନୀତିଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ଓ ନଭେମ୍ବର ୨୯ ତାରିଖ ପୂର୍ବରୁ ନିର୍ବାଚନ ପାଇଁ ବାଟ ଖୋଲିଦେବା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ବର ରାଜନୈତିକ କୌଶଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଏହି ମହଲର ମତ ହେଉଛି, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣାର ବିଫଳତାକୁ ବିଜେପି ଗୁରୁତ୍ବର ସହିତ ଗ୍ରହଣ କରିଛି। ସେମାନେ ନୀତିଶଙ୍କୁ ଦୂରେଇ ୨୦୧୫ ଭଳି ମୋଦୀଙ୍କ ବିରୋଧରେ ଏକ ବଡ ରାଜନୈତିକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ବରଂ ନୀତିଶଙ୍କୁ ଅସ୍ତ୍ର କରି ବିହାରରେ ଲାଲୁ ଯାଦବଙ୍କ ଆର୍‌ଜେଡିକୁ ନିଷ୍ପ୍ରଭ ବା ନଷ୍ଟ ଭ୍ରଷ୍ଟ କରାଯାଇପାରେ। ତେବେ ଯାଇ ବିଜେପି ସେଠାରେ ଏକ ଲମ୍ବା ଇଂନିସ ଖେଳିପାରିବ। ନୀତିଶଙ୍କ ବିନା ତାଙ୍କ ଦଳରେ ଆଉ କୌଣସି କ୍ଷମତା କେନ୍ଦ୍ର ନଥିବା ପରିପ୍ରେକ୍ଷୀରେ ନିର୍ବାଚନ ପରବର୍ତୀ ପରିସ୍ଥିତିରେ ସରକାର ହାତକୁ ନେବା ବେଶୀ କଷ୍ଟସାଧ୍ୟ ହେବ ନାହିଁ।

ଅନୁରୂପ ଫର୍ମୁଲା ଓଡ଼ିଶାରେ ବିଜେପି ପ୍ରୟୋଗ କରିସାରିଛି। ଯଦିଓ ମେଣ୍ଟ ଭାଙ୍ଗିବା ପରଠାରୁ ବିଜେପି କେବେ ବି ବିଜେଡିର ଶିରି ଦେଖିପାରୁନାହିଁ, ତଥାପି ବୃହତ୍ ରାଜନୈତିକ ସ୍ବାର୍ଥରେ ଦଳର ଶୀର୍ଷ ନେତୃତ୍ବ ଅର୍ଥାତ୍ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ସରକାରଙ୍କ ସହିତ ବୁଝାମଣା ଭିତ୍ତିକ ରାଜନୀତି କରୁଛନ୍ତି। ପୁଣି ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିବା କାରଣରୁ ନିର୍ବାଚନର ଅଳ୍ପ କେଇ ଘଣ୍ଟା ପରେ ପୂର୍ବର ସମସ୍ତ ବାଦ ବିବାଦକୁ ଭୁଲି ଉଭୟ ବନ୍ଧୁତ୍ବର ଆଚରଣ ଦେଖାଇ ଆସୁଛନ୍ତି, ଯଦିଓ ପରସ୍ପର ଭିତରେ ଛକାପଞ୍ଝା ରାଜନୀତି ଆଜି ବି ବଳବତ୍ତର ରହିଛି।

ବିଜେପି ଲକ୍ଷ୍ୟ କରୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରା ଆଗରେ ସେମାନଙ୍କ ରଣ କୌଶଳ ଆଦୌ ପ୍ରଭାବୀ ସାବ୍ୟସ୍ତ ହୋଇପାରିବ ନାହିଁ। ଏମିତିରେ ବି ବିଜେଡି ଏ ପର୍ଯ୍ୟନ୍ତ ଦ୍ବିତୀୟ ଶକ୍ତି କେନ୍ଦ୍ର ସୃଷ୍ଟି କରିପାରିନାହିଁ, ଯିଏ ଦଳକୁ ଆଗକୁ ନେଇଯାଇପାରିବ। ଏଣୁ ବିଜେପି ଏକ ଭଲ ସମୟକୁ ଅପେକ୍ଷା କରୁଛି। ସରକାର ବିରୋଧରେ ସାମାନ୍ୟ ଅସନ୍ତୋଷ ବଢିଲେ, ସେମାନେ ଏଥିରୁ ବଡ଼ ଫାଇଦା ନେବା ସମ୍ଭାବନାକୁ ଆଦୌ ଏଡ଼ାଇ ଦେଇ ହେବନାହିଁ। ଏଣୁ ଆଗକୁ ବିଜେଡିରେ ଯେଉଁମାନେ ଶକ୍ତିକେନ୍ଦ୍ର ଭାବେ ଉଭା ହେବେ, ସେମାନଙ୍କ ଉପରେ ବିଜେପି ପ୍ରହାର ପଡ଼ିବ ହିଁ ପଡ଼ିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେବଳ ସରକାର ପରିଚାଳନାରେ ବିଜେଡି ଏଯାଏ ମନୋନିବେଶ କରି ରହିଛି। ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ କ୍ଷମତାଶାଳୀ ଗୋଷ୍ଠୀ ଲିପ୍ତ ରହିଛନ୍ତି। ଦଳରେ ସମସ୍ତଙ୍କୁ ଭିଡି ଧରିବା ଲାଗି ଯେଉଁ କସରତ ହେବା କଥା, ସମସ୍ତଙ୍କ ଉପରେ ପ୍ରଭାବ ସୃଷ୍ଟି କରିବା ଲାଗି ଗଣମାଧ୍ୟମକୁ ଯେଭଳି ବ୍ୟବହାର କରାଯିବା କଥା,ତାହା ଆଦୌ ପରିଦୃଷ୍ଟ ହେଉନାହିଁ। ବରଂ ଏୟା ହୋଇଛି, ସରକାର କାର୍ଯ୍ୟର ଭଲ ମନ୍ଦରେ ଗଣମାଧ୍ୟମକୁ ସୀମିତ ରଖି ବିଜେଡି ନିଜ ପାଇଁ ନିଜେ ଅଡୁଆ ପରିସ୍ଥିତି ସୃଷ୍ଟି କରି ଚାଲିଛି।

ସେହିଭଳି ବିଜେଡିର ଭବିଷ୍ୟତ ନେଇ ନା ନବୀନ ପଟ୍ଟନାୟକ ନା ଦଳର ଶୀର୍ଷନେତୃତ୍ବ କୌଣସି ରାଜନୈତିକ କାର୍ଡ ଖେଳିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଅବସ୍ଥାରେ ନାହାନ୍ତି। ଦଳର ପୁରୁଖା ନେତାମାନେ ଭାବମୂର୍ତି ସଙ୍କଟ ଭିତରେ ଠିଆ ହୋଇଥିବା ବେଳେ ଯୁବ ନେତାମାନେ ଅର୍ଥସର୍ବସ୍ବ ରାଜନୀତି ଓ ଆଭ୍ୟନ୍ତରୀଣ ଗୋଷ୍ଠୀ ସଂଖ୍ୟା ବୃଦ୍ଧିରେ ଲାଗିରହିଥିବା କାରଣରୁ ବିଜେଡି ସଂଗଠିତ ଭାବେ କାର୍ଯ୍ୟ କରିବା ବା କୌଣସି ଜଣେ ନେତା ରାଜ୍ୟସ୍ତରରେ ନିଜକୁ ଅତି ପ୍ରଭାବୀ ବୋଲି ସାବ୍ୟସ୍ତ କରିବା କାଠିକର ପାଠ ହୋଇପଡିଛି। ବରଂ ନେତାମାନେ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ ନିଜ ଭିତରେ ପତିଆରା ଲଢେଇରେ ମାତିଛନ୍ତି।ଏହା ପରୋକ୍ଷରେ ବିଜେପିର ରଣନୀତି ସହିତ ମିଶିଯାଉଛି। ଏସବୁ କାରଣରୁ ଯେ କୌଣସି ଗୋଟିଏ ଦୁଇଟି ବଡ଼ ଗୋଷ୍ଠୀ ଶତ୍ରୁପକ୍ଷ ସହିତ ହାତ ମିଳାଇ ବିଭାଜନର ମଞ୍ଜି ବୁଣିପାରନ୍ତି।

ଏମିତିରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ରାଜନୈତିକ ଉତ୍ତରାଧିକାରୀ ସଂପର୍କରେ ନିଷ୍ପତ୍ତି ରାଜ୍ୟବାସୀଙ୍କ ହାତରେ ଛାଡିଛନ୍ତି। ଏଣୁ ଏହା ଏକ ବଡ଼ ଶୂନ୍ୟତା ସୃଷ୍ଟି କରି ରଖିଛି ଓ ଅନେକଙ୍କୁ ମୁଖ୍ୟମନ୍ତ୍ରୀ ବଟିକା ଖୁଆଇ ଦେଇସାରିଲାଣି। ସମସ୍ତଙ୍କ ଅଲକ୍ଷ୍ୟରେ ଏହି ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧି କରିବା ସହିତ ଅଧିକରୁ ଅଧିକ ବିଧାୟକଙ୍କ ସହିତ ସେମାନଙ୍କର ଘନିଷ୍ଠତା ବଢାଇବାରେ ଲାଗିଛନ୍ତି। ୨୦୦୨ରେ ବିଜେଡି ଝଟ୍‌କା ଖାଇବା ପରେ ବି କିଛି ଶିଖିନାହିଁ। ସେବେ ରାଜ୍ୟସଭାରେ ଦଳର ପ୍ରାର୍ଥୀ ହାରିଥିଲେ ଓ ସମସ୍ତଙ୍କୁ ଚକ୍‌ମା ଦେଇ ଦିଲ୍ଲୀପ ରାୟ ରାଜ୍ୟସଭାକୁ ଯାଇଥିଲେ। ଏହା ଆଉ କୌଣସି ବିରୋଧୀ ଶକ୍ତି ଦ୍ବାରା ହୋଇଥିଲା ତା ନୁହେଁ, ଆଜି ବିଜେଡିର ଥିବା ଅନେକ ନେତା ଏହାର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାଗୀଦାର ଥିଲେ।

ଏପଟେ ବର୍ତମାନ ବିଜେଡି ପରିଚାଳନା କରୁଥିବା ଗୋଷ୍ଠୀ ନୂଆ ଢଙ୍ଗରେ ରାଜନୈତିକ ଗୋଟିଚାଳନା ଦିଗରେ ଅଧିକ ମନୋନିବେଶ କରିବା ପରିବର୍ତ୍ତେ ସରକାରଙ୍କର ଦୈନନ୍ଦିନ ରୀତିନୀତି ଭିତରେ ବୁଡି ରହୁଥିବା କାରଣରୁ ବିଜେଡି ଭିତରେ ସୃଷ୍ଟି ହୋଇଥିବା ଶୂନ୍ୟତା କ୍ରମଶଃ ବିଶାଳ ରୂପ ଧାରଣ କରୁଛି। ଯାହା ପରୋକ୍ଷରେ ବିଜେପି ଭଳି ରାଜନୈତିକ ଶକ୍ତିକୁ ବଳଦେବାରେ ଲାଗିଛି।

Leave A Reply

Your email address will not be published.