ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏବେ ବାତ୍ୟା ଆସିବ କି?

0

ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ ଋତୁ ଅର୍ଥାତ୍ ମୌସୁମୀ ଆସିବା ପୂର୍ବରୁ (ଏପ୍ରିଲ- ମେ)। ଆଉ ଗୋଟିଏ ପୋଷ୍ଟ ମୌସୁମୀ ଋତୁ ଅର୍ଥାତ୍ ମୌସୁମୀ ଯିବା ପରେ (ଅକ୍ଟୋବର- ଡିସେମ୍ବର)।

ଜୁନ୍ ମାସରୁ ଭାରତରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପ୍ରବେଶ କରିଥାଏ ଓ ପରେ ସମଗ୍ର ଭାରତ ଭୂଖଣ୍ଡକୁ ପ୍ରବେଶ କରିଥାଏ। ଏହାର ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମାସ ଯାଏ ଭାରତରେ ବର୍ଷା ହୋଇଥାଏ। ଏହି ସମୟରେ ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ମାନେ ସୃଷ୍ଟି ହୋଇଥାନ୍ତି। କିନ୍ତୁ ମୌସୁମୀ ବାୟୁର ଉପସ୍ଥିତି ହେତୁ ଏମାନେ ଅଧିକ ସକ୍ରିୟ ବା ଘନୀଭୂତ ହୋଇପାରନ୍ତି ନାହିଁ। ହେଲେ ଅକ୍ଟୋବର ମାସ ବେଳକୁ ଭାରତ ଭୂଖଣ୍ଡରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଫେରିବା ଆରମ୍ଭ ହୋଇଯାଇଥାଏ। ଏହି ସମୟରେ ମଧ୍ୟ ଉଭୟ ବଙ୍ଗୋପସାଗର ଓ ଆରବ ସାଗର ସମୁଦ୍ର ପୃଷ୍ଠର ତାପମାତ୍ରା ଅଧିକ ରହିଥାଏ।

ଏଠାରେ ସୂଚନା ଯୋଗ୍ୟ ଯେ, ଆରବସାଗର ଠାରୁ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। କାରଣ ବଙ୍ଗୋପସାଗରର ତାପମାତ୍ରା ଆରବସାଗର ଠାରୁ ଅଧିକ ରହିଥାଏ। ଏହା ସହିତ ପଶ୍ଚିମ ପ୍ରଶାନ୍ତ ମହାସାଗରର ଟାଇଫୁନ୍ ମାନେ ସ୍ଥଳ ଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଆଣ୍ଡମାନ ସାଗର ଦେଇ ବଙ୍ଗୋପସାଗରରେ ପ୍ରବେଶ କରନ୍ତି। ବଙ୍ଗୋପସାଗରରେ ପୁଣି ଶକ୍ତିଶାଳୀ ହୋଇ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଥାନ୍ତି। ଏହି ବାତ୍ୟା ମାନେ ମୁଖ୍ୟତଃ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଭାରତର ପୂର୍ବ ଉପକୂଳ ରାଜ୍ୟ ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ କ୍ଷୟକ୍ଷତି କରିଥାନ୍ତି।

ପ୍ରତି ୫ଟି ବାତ୍ୟା ରୁ ୨-୩ ଟି ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଥାନ୍ତି। ତେବେ ବିଭିନ୍ନ କାରଣ ଯୋଗୁ ବାତ୍ୟାର ଗତିପଥ ଭିନ୍ନ ଭିନ୍ନ ହୋଇଥାଏ। କେତେବେଳେ ଉତ୍ତର ପଶ୍ଚିମ , ପୁଣି କେବେ ପଶ୍ଚିମ ଉତ୍ତର ପଶ୍ଚିମ , ପୁଣି କେବେ ଉତ୍ତର ଉତ୍ତର ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ବାତ୍ୟାର ଗତି ରହିଥାଏ। ଅକ୍ଟୋବର ମାସରେ ଓଡ଼ିଶା, ପଶ୍ଚିମବଙ୍ଗ ପ୍ରତି ବାତ୍ୟା ବିପଦ ଅଧିକ ଥିବା ବେଳେ ନଭେମ୍ବରରେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପ୍ରତି ଅଧିକ ବିପଦ ରହିଥାଏ। ଡିସେମ୍ବର ରେ ସୃଷ୍ଟି ହେଉଥିବା ବାତ୍ୟାରେ ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଅଧିକ ପ୍ରଭାବିତ ହୋଇଥାଏ। ସେହିପରି ଆରବସାଗର ରେ ସୃଷ୍ଟ ବାତ୍ୟା ମାନେ ଗୁଜରାଟ, ମହାରାଷ୍ଟ୍ର ଉପକୂଳ କୁ ପ୍ରଭାବିତ କରିଥାନ୍ତି।

୧୯୯୯ ର ପ୍ରଳୟଙ୍କରୀ ମହାବାତ୍ୟା ହେଉଛି ଉତ୍ତର ଭାରତ ମହାସାଗର ଓ ବଙ୍ଗୋପସାଗରର ସବୁଠାରୁ ବଡ ବାତ୍ୟା; ଯାହା ଅକ୍ଟୋବର ୨୯-୩୧ ମଧ୍ୟରେ ଓଡ଼ିଶା ଉପକୂଳରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ଘଟାଇଥିଲା। ୨୦୧୩ରେ ଫାଇଲିନ , ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତିଲି , ୨୦୧୯ରେ ବୁଲବୁଲ ଅକ୍ଟୋବରମାସ ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

୨୦୧୮ ରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ୭ଟି ବାତ୍ୟା ସୃଷ୍ଟି ହୋଇଥିଲା ବେଳେ ୨୦୧୯ ରେ ୮ଟି ବାତ୍ୟା ସୃଷ୍ଟି ହୋଇଥିଲା। ଏହାମଧ୍ୟ ରୁ ୬ଟି ଭୀଷଣ ବାତ୍ୟା ରୂପ ନେଇଥିଲା ବେଳେ ୩ଟି ଅତି ଭୀଷଣ ବାତ୍ୟା ଓ ଗୋଟିଏ ମହା ବାତ୍ୟାର ରୂପ ନେଇଥିଲା। ଅବଶ୍ୟ ଏଥର ମୌସୁମୀ ପୂର୍ବରୁ ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ଫନି ମେ’୩ରେ ପୁରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା।

ବାତ୍ୟାର ତୀବ୍ରତାକୁ ନେଇ ଏହାକୁ ଭାରତୀୟ ପାଣିପାଗ ବିଭାଗ ଶ୍ରେଣୀ ବିଭାଗ କରିଛି। ସମୁଦ୍ରରେ ପ୍ରଥମେ ଲଘୁଚାପ ପରେ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ରୂପ ନିଏ।। କିନ୍ତୁ ଯେତେବେଳେ ପବନର ବେଗ କ୍ଷେତ୍ରର କେନ୍ଦ୍ରସ୍ଥଳରେ ୬୩କିମି କିମ୍ବା ଏହାଠାରୁ ଅଧିକ ରହେ ଏହାକୁ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଏ। ପରେ ପବନର ଗତି ବୃଦ୍ଧି ପାଇବା ସହ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇ ସିଭିଅର ସାଇକ୍ଲୋନ୍ ( ଘଣ୍ଟା ପ୍ରତି ୮୮-୧୧୭କିମି ), ଭେରି ସିଭିଆର୍ ସାଇକ୍ଲୋନ (୧୧୮-୧୬୫), ଏକ୍ସଟ୍ରିମ୍ ସିଭିଅର ସାଇକ୍ଲୋନ୍ (୧୬୬-୨୨୦) ଓ ଶେଷରେ ସୁପର ସାଇକ୍ଲୋନ (୨୨୦+)ର ରୂପ ନେଇଥାଏ।

ସମୁଦ୍ରରେ ଥିବା ଯାଏ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇଥାଏ। କିନ୍ତୁ ଥରେ ସ୍ଥଳ ଭାଗ ଛୁଇଁଗଲେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଥଏ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, କ୍ଷତି କାରକ ପବନ ସହିତ ସମୁଦ୍ରରୁ ଜୁଆର ଆସୁଥାଏ । ଜଳବାୟୁ ପରିବର୍ତ୍ତନ, ବିଶ୍ଵ ତାପମାତ୍ରା ବୃଦ୍ଧି ଯୋଗୁଁ ବାତ୍ୟା ର ପରିମାଣ କେବଳ ଯେ ବଢୁନାହି ଏହା ସହିତ ବାତ୍ୟା ଗୁଡ଼ିକର ତୀବ୍ରତା, କ୍ଷତି କାରକ ଶକ୍ତି ମଧ୍ୟ ବଢ଼ି ବଢ଼ିଚାଲିଛି।

Leave A Reply

Your email address will not be published.