ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚାପରେ ପ୍ରତାପ; ମନ୍ତ୍ରୀ ପଦକୁ ବିପଦ!

0

ଭୁବନେଶ୍ବର: ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ଏବେ ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ଆସନଟି ବିଜେପି ହାତରେ ଥିବା ଦୃଷ୍ଟିରୁ ଦଳ ଯଦି ଏଠାରେ ନ ଜିତେ, ତେବେ ଆଗାମୀ ଓଡ଼ିଶା ଦଖଲ ଯୋଜନା ବାଧାପ୍ରାପ୍ତ ହେବ। ଏଣୁ ବିଜେପି, ସର୍ବୋପରି ଅଧିକ ଚାପରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଯଦି ଏହି ଆସନ ଜିତେ, ତେବେ ତାଙ୍କ ପତିଆରା ବଢିବ। ଅନ୍ୟଥା ରାମ ମାଧବଙ୍କ ଫର୍ମୁଲାରେ ପ୍ରତାପଙ୍କ ମନ୍ତ୍ରୀ ପଦ ପ୍ରତି ମଧ୍ୟ ବିପଦ ଆଶଙ୍କା ରହିଥିବା ରାଜନୈତିକ ମହଲ ହିସାବ କରୁଛନ୍ତି।

ବିଜେପି ନିର୍ବାଚନ ପାଇଁ ଯେଉଁ କମିଟି ଗଠନ କରିଛି, ସେଥିରେ ବାଲେଶ୍ବର ଦାୟିତ୍ବ ମୁଖ୍ୟତଃ ପ୍ରତାପଙ୍କ ହାତରେ ନ୍ୟସ୍ତ ରହିଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ବିଧାୟକ ଓ ପୂର୍ବତନ ବିଧାୟକ ତଥା ମନ୍ତ୍ରୀମାନେ ଦାୟିତ୍ବରେ ଅଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପ୍ରାର୍ଥୀ ଚୟନ କ୍ଷେତ୍ରରେ ଶ୍ରୀ ଷଡ଼ଙ୍ଗୀଙ୍କର ଏକ ବଡ଼ ଭୂମିକା ରହିବ। ଏଣୁ ଦଳ ଯଦି ନ ଜିତେ, ବାର୍ତା ଯିବ ଯେ ତାଙ୍କର ଓଡ଼ିଶାରେ ଆଉ ଲୋକପ୍ରିୟତା ନାହିଁ।

ନୂଆଦିଲ୍ଲୀର ରାଜନୈତିକ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପ୍ରତାପଙ୍କ ମନ୍ତ୍ରୀ ପଦ ଏବେ ବିପଦରେ ରହିଛି। ତାଙ୍କର ଭାଷଣ ନେଇ ସେ ଆରମ୍ଭରୁ ଚର୍ଚ୍ଚାରେ ଥିଲେ। ଏବେ କିନ୍ତୁ ସରକାରରେ ପ୍ରଦର୍ଶନ ବେଶ୍ ଆଖିଦୃଶିଆ ନାହିଁ। କେବଳ ସେତିକି ନୁହେଁ, ଯଦି ଓଡ଼ିଶାରେ ସେ ସ୍ବତନ୍ତ୍ର ପତିଆରା ସୃଷ୍ଟି ନ କରିପାରନ୍ତି, ତେବେ ତାଙ୍କ ମନ୍ତ୍ରୀ ପଦ ପରବର୍ତୀ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଚାଲିଯିବା କିଛି ବିଚିତ୍ର ନୁହେଁ।

ଏହି ସୂତ୍ରରୁ ଆହୁରି ଖବର ଆସୁଛି ଯେ ବିଜେପି କେନ୍ଦ୍ରୀୟ ନେତୃତ୍ବ ସାଂସଦ ସୁରେଶ ପୂଜାରୀ ଓ ଅପରାଜିତା ଷଡଙ୍ଗୀଙ୍କୁ ନେଇ ହିସାବ ନିକାସ କରୁଥିଲା। ଇତିମଧ୍ୟରେ ଅପରାଜିତାଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ଏଣୁ ପ୍ରତାପଙ୍କ ବଦଳରେ ସୁରେଶଙ୍କୁ ଦଳ ସାମ୍ନାକୁ ଆଣିବାକୁ ଚାହୁଁଛି। ଏମିତିରେ ବି ସେ ପୂର୍ବରୁ ରାଜ୍ୟ ସଭାପତି ଭାବେ ରହିସାରିଛନ୍ତି। କେବଳ ସେତିକି ନୁହେଁ, ବରଗଡ ଜିଲ୍ଲାର ସବୁ ବିଧାନସଭାରେ ବିଜେଡି ଜିତିଥିବା ବେଳେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ଓଡିଶା ସମେତ ଦେଶର ରାଜନୈତିକ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା। ମୁଖ୍ୟମନ୍ତ୍ରୀ ନିଜେ ଏହି ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ହେବା ସତ୍ତ୍ବେ ବିଜେଡି ଲୋକସଭା ନିର୍ବାଚନରେ ବିଜେପିକୁ ଅଟକାଇ ପାରିଲା ନାହିଁ। ଏଣୁ ନୂଆଦିଲ୍ଲୀ ଶ୍ରୀ ପୂଜାରୀଙ୍କୁ ଅତି ଗୁରୁତ୍ବ ଦେବାକୁ ଚାହୁଁଛି।

ଏମିତିରେ ବି ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀ କରାଗଲେ, ପଶ୍ଚିମ ଓଡ଼ିଶାକୁ ଦଳ ଗୁରୁତ୍ବ ଦେଉଛି ବୋଲି ବାର୍ତ୍ତା ଯିବ। ଦଳର ପୂର୍ବରୁ ସେଠାରେ ପତିଆରା ଥିଲା। ଏବେ ତାହାକୁ ପୁଣି ଥରେ ଫେରାଇ ଆଣିବା ଲାଗି ସୁରେଶଙ୍କୁ ସାମ୍ନାକୁ ଆଣିବା ଲାଗି ବିଚାର ଚାଲିଥିବା କୁହାଯାଉଛି।

ସମୁଦାୟ ରାଜନୈତିକ ଚିତ୍ରକୁ ନିରେଖି ଦେଖିଲେ, ଏବେ ପ୍ରତାପ ଷଡଙ୍ଗୀଙ୍କ ପାଇଁ ବାଲେଶ୍ବର ଆସନ ଅନେକ ଆହ୍ବାନ ରଖିଲାଣି। ସେ ମଦନମୋହନ ଦତ୍ତଙ୍କ ପୁଅକୁ ପ୍ରାର୍ଥୀ କରି ସହାନୁଭୂତି ଭିତ୍ତିରେ ନିର୍ବାଚନ ଜିତିବାକୁ ଚାହିଁବେ ନା ଦତ୍ତଙ୍କ ପରିବାରକୁ ଅନ୍ୟତ୍ର ଥଇଥାନ କରି ଐର ଖାରବେଳ ସ୍ବାଇଁଙ୍କୁ ରାଜ୍ୟ ରାଜନୀତିକୁ ଆଣି ବିଜେଡିକୁ ଚାପରେ ରଖିବା ଲାଗି ଆଗ୍ରହ ରଖିବେ, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.