ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡ଼େ ଗଲେ?

0
  • ଦରଦାମ ସ୍ଥିତି ତିରୋଟ ଅବସ୍ଥାରେ ରହିଛି, ଆନ୍ଦୋଳନକୁ ଓହ୍ଲାଉନହାନ୍ତି ମହିଳା
  • ସଭାପତି ଚୟନର ଦୀର୍ଘ ଦିନ ପରେ ବି ଗଠନ ହୋଇପାରୁନି ରାଜ୍ୟ କମିଟି
  • ଜିଲ୍ଲାସ୍ତରରେ ଅସନ୍ତୋଷ ଦାନା ବାନ୍ଧିଲେଣି, ସଭାନେତ୍ରୀ ଚୟନ ନୋହିଲା
  • ଯୁବ ଓ ଛାତ୍ର ସକ୍ରିୟ ଥିବା ବେଳେ ମହିଳା ଶାଖା ନିରବ ନେଇ ପ୍ରଶ୍ନ ଉଠିଲାଣି

ଭୁବନେଶ୍ବର: ଡିସେମ୍ବର ମାସ ଶେଷ ସପ୍ତାହରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ସବୁଠାରୁ ବିଳମ୍ବରେ ବିଜେଡି ମହିଳା ଶାଖା ସଭାନେତ୍ରୀ ନିଯୁକ୍ତି ଦିଆଯିବା ଘଟଣା ସେ ସମୟରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅସୁଖୀ ରହିବା ଏହି ବିଳମ୍ବ ପଛର କାରଣ ବୋଲି ମଧ୍ୟ ବିଜେଡି ଭିତରେ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ପ୍ରଶ୍ନ ଉଠୁଛି, ସ୍ନେହାଙ୍ଗିନୀ ଛୁରିଆ କୁଆଡେ ଗଲେ? କରୋନା କାଳରେ ଯେବେ ମୁଖ୍ୟମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର ଅବଦାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି, ସେବେ ବିଜେଡି ମହିଳା ଶାଖା କି ଦାୟିତ୍ବ ନିଭାଉଛି? କାହିଁକି ସ୍ନେହାଙ୍ଗିନୀ ରାଜ୍ୟ କମିଟି ଏଯାଏ ଗଠନ କରିପାରୁନାହାନ୍ତି? ଜିଲ୍ଲା ମହିଳା ସଭାନେତ୍ରୀ ଆଉ କେବେ ନିଯୁକ୍ତି ପାଇବେ?

ଏସବୁକୁ ନେଇ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ମହିଳା ନେତ୍ରୀମାନେ ଅସନ୍ତୋଷ ପ୍ରକାଶ କଲେଣି। ଆଜି ଦିନରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ବେଶ୍ ସଜାଗ ରହିଛି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡି ହେଉଛନ୍ତି। ହେଲେ ମହିଳା ନେତ୍ରୀମାନେ ଦଳରେ ଯେମିତି କୋଣଠେସା ହୋଇଗଲେଣି। ସେମାନଙ୍କୁ ନେଇ ନା କୌଣସି କାର୍ଯ୍ୟକ୍ରମ ହେଉଛି ନା ଜିଲ୍ଲାସ୍ତରରେ ସେମାନେ ଏକାଠି ହୋଇପାରୁଛନ୍ତି। ବିଜେଡି ମହିଳା ଶାଖାର ଏ ଦୁଃସ୍ଥିତି ଦଳର ଅଧିକାଂଶ ତୁଙ୍ଗ ନେତାଙ୍କୁ ବି ଚିନ୍ତାରେ ପକାଇଛି।

ଡିଜେଲ, ପେଟ୍ରୋଲ ଏବଂ ଇନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ବିଜେଡି ସହିତ ମହିଳା ଜନତା ଦଳ ସମାନ୍ତରାଳ ଲଢ଼େଇ କରୁଥିଲା। କେବେ ରୋଷେଇ ଗ୍ୟାସ୍ ଟାଙ୍କି ଧରି ମହିଳା ନେତ୍ରୀମାନେ ଦର ବୃଦ୍ଧି ବିରୋଧରେ ଲଢ଼ାଇ କରିଛନ୍ତି ତ ଆଉ କେବେ ରାଜଭବନ ରାଜରାସ୍ତାରେ ଧାରଣା ଦେଇ ହାଣ୍ଡିଶାଳରେ ଥିବା ମହିଳାମାନଙ୍କୁ ଦରବୃଦ୍ଧି ସଂପର୍କରେ ସଚେତନ କରାଇ ସେମାନଙ୍କ ସହାନୁଭୂତି ସାଉଁଟିଛନ୍ତି। ଏବେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ହାଣ୍ଡିଶାଳ ଉପରେ ଭୀଷଣ ମାଡ଼ ପଡ଼ିଛି। ଦରଦାମ ନିୟନ୍ତ୍ରଣ ବାହାରକୁ ଗଲାଣି। ହେଲେ ମହିଳା ଶାଖା କିନ୍ତୁ ଏତେ ବଡ଼ ପ୍ରସଙ୍ଗରୁ ଦୂରେଇ ରହିଛି।

ସ୍ନେହାଙ୍ଗିନୀ କଣ କରୁଛନ୍ତି, କାହିଁକି ସଭାନେତ୍ରୀ ହେବା ପରେ ବି ସକ୍ରିୟ ନାହାନ୍ତି, ସେ ସଂକ୍ରାନ୍ତରେ ଦଳର ଶୀର୍ଷସ୍ତରରେ ଥିବା ମହିଳା ନେତ୍ରୀମାନେ ମଧ୍ୟ ମୁହଁ ଖୋଲିବାକୁ ନାରାଜ। କେଉଁଠି ନା କେଉଁଠି ବାରି ହେଉଛି, ସ୍ନେହାଙ୍ଗିନୀଙ୍କୁ ନେଇ ଦଳରେ ଗୋଟିଏ ଗୋଷ୍ଠୀ ଆଦୌ ଖୁସିନାହାନ୍ତି। ଏପରିକି ରାଜ୍ୟ କମିଟି ଗଠନ ହୋଇନପାରିବା, ସର୍ବୋପରି ଜିଲ୍ଲା ସଭାପତି ଚୟନ କରଯାଇନପାରିବା ଘଟଣା ପଛରେ ବି ଏହି ଗୋଷ୍ଠୀର ହାତ ଥିବା କୁହାଯାଉଛି। ସେମାନେ ହିଁ ସଂଘଠିତ ଭାବେ ବିରୋଧ କରୁଛନ୍ତି।

ବିଜୁ ଜନତା ଦଳ ଗଠନ ହେବା ପରଠାରୁ ଗୋଟିଏ ଶକ୍ତ ବାର୍ତ୍ତା ତୃଣମୂଳ ପର୍ଯ୍ୟନ୍ତ ଯାଇଛି,।ତାହା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହା ଚୂଡାନ୍ତ। ଏହା ଉପରେ କୌଣସି ପ୍ରତିବାଦ କରାଯାଇନି। ଯଦି ବା କେହି କେବେ କେହି ମୁହଁ ଖୋଲିଥିବେ, ପରେ ସେଥିରୁ ଓହରିଯାଇଛନ୍ତି। ବିଜେଡିରେ ଏବେ ଏମିତି କଣ ହେଇଛି ଯେ ନବୀନଙ୍କ ନିଷ୍ପତ୍ତି ପରେ ଏହାର ଶତପ୍ରତିଶତ କାର୍ଯ୍ୟାନ୍ବୟନ ହୋଇପାରୁନାହିଁ? ନବୀନଙ୍କ ନିଷ୍ପତ୍ତିର ବାଟ ଓଗାଳିବା ଲାଗି ଦଳରେ ଥୋକାଏ ଚିନ୍ତା କରୁଛନ୍ତି କି?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବିଜୁ ଜନତା ଦଳରେ ଯେଉଁମାନେ ବର୍ଷ ବର୍ଷ ଧରି ଯୁବ ଛାତ୍ର ସଂଗଠନ ଧରି ରଖିଥିଲେ, ସେମାନେ ଇତିମଧ୍ୟରେ ଏ ଦାୟିତ୍ବ ନୂଆ ପିଢ଼ିକୁ ହସ୍ତାନ୍ତର କରିସାରିଛନ୍ତି। ବାସ୍ତବରେ ଏସବୁ ନେତାମାନେ ରାଜ୍ୟ ସଂଗଠନର ପୁରଭାଗରେ ରହି ଅଧିକରୁ ଅଧିକ ସକ୍ରିୟତାର ସହିତ କାର୍ଯ୍ୟ କରୁଥିଲେ। ବିଜେଡି ମହିଳା ଶାଖାରେ ବି ପରିବର୍ତ୍ତନ କରିବା ଅପରିହାର୍ଯ୍ୟ ଥିଲା। ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଢେର୍ ଦିନ ଯାଏ ରାଜ୍ୟ ଶାଖା ସମ୍ଭାଳିଥିଲେ। ମିନତୀ ବେହେରା ବି କିଛି ଦିନ ପର୍ଯ୍ୟନ୍ତ ସଭାନେତ୍ରୀ ଥିଲେ। ଦୁଇ ଜଣ ଯାକ ଉପକୂଳକୁ ପ୍ରତିନିଧି୍ତ୍ବ କରୁଥିଲେ। ଏବେ ବିଜେଡି ଯୁବ ଓ ଛାତ୍ର ଉଭୟ ସଂଗଠନର ମୁଖିଆ ଉପକୂଳ ଅଞ୍ଚଳ ହୋଇଥିବା ପରିପ୍ରେକ୍ଷୀରେ ହାଇକମାଣ୍ଡ ମହିଳା ସଭାନେତ୍ରୀ ଦାୟିତ୍ବ ପଶ୍ଚିମ ଓଡ଼ିଶାକୁ ଦେଇ କିଛି ଭୁଲ୍ କରିନାହାନ୍ତି। ଏମିତିରେ ବି ସ୍ନେହାଙ୍ଗିନୀ ଦକ୍ଷ ଏବଂ ଉଚ୍ଚଶିକ୍ଷିତ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରିଛନ୍ତି।

ଦ୍ବିତୀୟ କଥା ହେଲା, କେବଳ ଯୁବ ଓ ଛାତ୍ରରେ ନୂଆ ନେତା ସୃଷ୍ଟି ହୋଇଛନ୍ତି ତା ନୁହେଁ, ମହିଳା ଶାଖାରେ ବି ଆଜି ଦିନରେ ଅନେକ ନୁଆ ମୁହଁ ଦେଖିବାକୁ ମିଳୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ସେବେ ୫୦ ପ୍ରତିଶତ ନୂଆ ମହିଳା ନେତ୍ରୀ ତୃଣମୂଳସ୍ତରରେ ବ୍ୟବସ୍ଥା ସମ୍ଭାଳିବାର ଦାୟିତ୍ବ ନେବା ଲାଗି ସାମ୍ନାକୁ ଆସିବେ। ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ସାମ୍ନାରେ ଏକ ବଡ଼ ବିତର୍କ ପାଇଁ ରାସ୍ତା ଖୋଲିଛନ୍ତି। ତାହା ହେଉଛି, ସଂସଦ ଓ ବିଧାନସଭା ମାନଙ୍କରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା। ଏପରିସ୍ଥଳେ ଯଦି ମହିଳା ଶାଖା ଦୁର୍ବଳ ହୁଏ, ତେବେ ଦଳ ମହିଳା କାର୍ଡକୁ ଧରି ଆଗକୁ ଯିବ କେମିତି?

Leave A Reply

Your email address will not be published.