- ରୀତାଙ୍କ ପାଇଁ ବିପଦ ବଢୁଛି, ସୁଶାନ୍ତ ନାମକୁ ନେଇ ଜୋର ଧରୁଛି ଚର୍ଚ୍ଚା
- ରୀତାଙ୍କ ବଡ଼ ପୁଅ ସୁମିତ କୋଣଠେସା, ଏବେ ମଇଦାନରେ ବୁଲୁଛନ୍ତି ସୌରଭ
- ନବୀନଙ୍କ ପ୍ୟାକେଜ୍ ଧରି ଜୋରଦାର କସରତ ଚଳାଇଛି ବିଜେଡି
- ବିଜେପି ଶିବିରରେ ଫାଟ ସୃଷ୍ଟି କରି ବିଜେଡି ଆଗକୁ ବଢ଼ିବା ଅସମ୍ଭବ ନୁହେଁ
ଭୁବନେଶ୍ବର: ୨୦୨୪ରେ ବହୁ ଚର୍ଚ୍ଚିତ ବିଜେପୁର ନିର୍ବାଚନମଣ୍ଡଳୀ ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଦେବ। ଏବେଠାରୁ ଏହାର ଆଭାସ ମିଳିଲାଣି। ବିଧାୟିକା ରୀତା ସାହୁଙ୍କୁ ଛାଡ଼ି ବିଜେଡି ନୂଆ ନେତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଧୀରେ ଧୀରେ ଉଜ୍ଜଳ ହେବାରେ ଲାଗିଛି। ଏପରିକି ରୀତାଙ୍କ ପରିବାର (ଦୁଇ ପୁଅ)କୁ ଛାଡ଼ି ବିଜେଡି ଅନ୍ୟ ନେତାଙ୍କୁ ଆପଣାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ରୀତା ସାହୁଙ୍କ ପରିବାର ଏହାର ଆଭାସ ପାଇବା ପରେ ପରିସ୍ଥିତିରେ ସୁଧାର ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ହେଲେ ଜିଲ୍ଲା ରାଜନୀତିରେ କିନ୍ତୁ ଏହି ନିର୍ବାଚନମଣ୍ଡଳୀ ପାଇଁ ଜଣେ ସୁଶାନ୍ତ ନାମକୁ ନେଇ ଚର୍ଚ୍ଚା ଧୀରେ ଧୀରେ ଜୋର ଧରୁଛି। ଏଯାଏ ସ୍ପଷ୍ଟ ହୋଇନାହିଁ, ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରି ଏହି ଆସନର ମଙ୍ଗ ଧରିବେ କି ସୁଶାନ୍ତ ମିଶ୍ରଙ୍କ ଉପରେ ବିଜେଡି ନଜର ରହିଛି।ସୁଶାନ୍ତ ମିଶ୍ର ଏବେ ବି ବିଜେପିରେ ଅଛନ୍ତି ଓଦଳୀୟ ପଦବିରେ ଅଛନ୍ତି। କିନ୍ତୁ ଭଟଲିରେ ତାଙ୍କ ରାଜନୈତିକ କ୍ୟାରିଅର ସଙ୍କଟରେ। ଈରାଶିଷ ଆଚାର୍ଯ୍ୟ ସାମ୍ନାକୁ ଆସିବା ପରେ ସେ ଚାପି ହୋଇଯାଇଛନ୍ତି।
ତିନି ତିନି ଥର କଂଗ୍ରେସରୁ ବିଧାୟକ ହୋଇଥିବା ସୁବଳ ସାହୁଙ୍କ ବିୟୋଗ ପରେ ବରଗଡ ଜିଲ୍ଲା ବିଜେପୁର ସମଗ୍ର ଓଡ଼ିଶାରେ ଚର୍ଚ୍ଚାକୁ ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହାଇ ଭୋଲଟେଜ୍ ଉପନିର୍ବାଚନ ହୋଇଥିଲା ବିଜେପୁରରେ। ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ବିଜେପୁର ରାଜନୀତିର ପଟ୍ଟ ପରିବର୍ତ୍ତନ ବି ହୋଇଥିଲା। କଂଗ୍ରେସ ପରିବାର ଛାଡି ରୀତା ଆସିଥିଲେ ବିଜେଡିକୁ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ପାଇଁ ବିଜେପୁରରେ ମଙ୍ଗ ଧରିଥିଲେ। ଏ କଥା ବି କହିଥିଲେ, ସେ ନିଜେ ଏହି ନିର୍ବାଚନମଣ୍ଡଳୀ ଦାୟିତ୍ବ ବୁଝିବେ। ଶେଷରେ ଭୋଟର ଭରସା କଲେ ଓ ବିଜେଡି ଜିତିଲା।
୨୦୧୯ରେ ଆଶା କରାଯାଉଥିଲା ଦଶମାସ ପାଇଁ ବିଧାୟିକା ଥିବା ରୀତା ନିରାଶ ହେବେ। ହେଲେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ରାଜନୀତିକୁ କବ୍ଜାକୁ ଆଣିବା ଲାଗି ଏକ ବଡ଼ କାର୍ଡ ଖେଳିଲେ। ନିଜେ ହିଞ୍ଜିଳି ସହିତ ବିଜେପୁରରୁ ବି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜୟ ଲାଭ ବି କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ଏହି ଆସନରେ ଉପନିର୍ବାଚନ ହେଲା ଓ ରୀତା ସାହୁ ସେଠାରୁ ପୁଣି ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ଜିତିଲେ। ସଂପ୍ରତି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ, ଶହ ଶହ କୋଟି ଟଙ୍କାର ପ୍ୟାକେଜ୍ କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜେ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରତ୍ୟେକ୍ଷ ଭାବେ ଏହି ନିର୍ବାଚନମଣ୍ଡଳୀର ଭଲ ମନ୍ଦ ବୁଝୁଛନ୍ତି।
ହେଲେ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି ଯେ ନିର୍ବାଚନ ପୂର୍ବରୁ ସକ୍ରିୟ ଥିବା ସୁବଳଙ୍କ ବଡ଼ ପୁଅ ସୁମିତ ସାହୁ ଏବେ ଆଉ ବିଧାୟିକା ରୀତାଙ୍କ ସହିତ ବୁଲୁନାହାନ୍ତି। ବରଂ ତାଙ୍କ ସ୍ଥାନରେ ସାନପୁଅ ସୌରଭ ଏବେ ମାଆଙ୍କ ସହିତ ବୁଝୁଛନ୍ତି ନିର୍ବାଚନମଣ୍ଡଳୀ କାର୍ଯ୍ୟ। ଚର୍ଚ୍ଚା ହେଉଥିଲା, ରୀତାଙ୍କ ପରେ ସୁମିତ ହିଁ ନିର୍ବାଚନମଣ୍ଡଳୀ ରାଜନୀତିକୁ ଓହ୍ଲାଇବେ। ହେଲେ ଏହା ବାସ୍ତବତାର ରୂପ ନେବା ପୂର୍ବରୁ ସେ ନିରବ ରହି ପୁଣି ଥରେ ବ୍ୟବସାୟକୁ ଫେରିଯିବା ଘଟଣା ସମସ୍ତଙ୍କୁ ବିସ୍ମିତ କରୁଛି। ଅନ୍ୟପକ୍ଷରେ ସୌରଭ ଏବେ ସକ୍ରିୟ ଅଛନ୍ତି। ଏହା ପାରିବାରିକ ନିଷ୍ପତ୍ତି କି ବିଜେଡିରୁ କିଛି ସଙ୍କେତ ଯାଇଛି, ତାହା ଅସ୍ପଷ୍ଟ ରହିଛି।
ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ରୀତାଙ୍କ ପରିବାରକୁ ଧରି ବିଜେଡି ଆଗକୁ ଯିବା ସମ୍ଭାବନା ଧୀରେ ଧୀରେ କମି କମି ଯାଉଛି। ସୁମିତ ବା ସୌରଭଙ୍କୁ ଦଳ ଏଠାରେ ଗୁରୁତ୍ବ ଦେବା ପରିବର୍ତ୍ତେ କଂଗ୍ରେସରୁ ଆଣି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ସଂଗଠନରେ ଲଗାଇଲାଣି। ଏବେ ସୁଶାନ୍ତ ସିଂହ ସମୁଦାୟ ନିର୍ବାଚନମଣ୍ଡଳୀର ଦେଖାଶୁଣା କରୁଛନ୍ତି। ଏକଥା ବି ଅସମ୍ଭବ ହୋଇନପାରେ, ନିଜେ ସୁଶାନ୍ତ ଏହି ଆସନରୁ ୨୦୨୪ରେ ଲଢ଼ିପାରନ୍ତି। ଏମିତିରେ ବି ସୁଶାନ୍ତଙ୍କ ଭାଇ ସୁବ୍ରତ ଏବେ ଭଟଲି ନିର୍ବାଚନମଣ୍ଡଳୀରେ ବେଶ୍ ସକ୍ରିୟ ଅଛନ୍ତି। ଦୁଇ ଭାଇ ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ନିଜର ଦବ୍ଦବା ରଖିଛନ୍ତି। କିନ୍ତୁ ସୁବ୍ରତଙ୍କ ଲୋକପ୍ରିୟତା ଟିକେ ବିଜେଡିକୁ ସୁହାଇ ନପାରେ। ଏପରିସ୍ଥଳେ ବିଜେପିରୁ ସୁଶାନ୍ତଙ୍କୁ ଆଣି ସୁଶାନ୍ତ ସିଂହ ଭଟଲି ଦାୟିତ୍ବ ଦେଇପାରନ୍ତି ଓ ନିଜେ ବିଜେପୁର ଚାଲିଆସିପାରନ୍ତି। କିମ୍ବା ସୁଶାନ୍ତଙ୍କ ସହଯୋଗରେ ନିଜ ଆସନକୁ ଭଟଲିରେ ସୁରକ୍ଷିତ କରିବା ପରେ ତାଙ୍କୁ ବିଜେଡି ଶକ୍ତିରେ ବିଜେପୁରରୁ ଜିତାଇବା ଲାଗି ଦଳ ଚାହିଁପାରେ। ସୁଶାନ୍ତ ମିଶ୍ରଙ୍କର ଭଟଲି ସୋହେଲାରେ ବଡ଼ ଭୋଟ ବ୍ୟାଙ୍କ ଅଛି। ଏହା ତାଙ୍କର ସଂପତ୍ତି। ଶ୍ରୀ ମିଶ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ନିଜର ଶକ୍ତି ଦେଖାଇ ସାରିଛନ୍ତି। ଏଣୁ ଅନ୍ୟ ଦଳ ତାଙ୍କ ଉପରେ ନଜର ରଖିବା ସ୍ବାଭାବିକ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜେପୁରରେ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଏବେ ସେଠାରେ ନିଷ୍ପ୍ରଭ ହୋଇଯାଇଛନ୍ତି। ଏସବୁକୁ ନେଇ ଖୁବ୍ ଶୀଘ୍ର ବିଜେପୁର ପୁଣି ଥରେ ଚର୍ଚ୍ଚାକୁ ଆସିବ ବୋଲି ସୂଚନା ମିଳୁଛି।