ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍

ସ୍ବାମୀନାଥ୍‌ନ କମିଟି ରିପୋର୍ଟ ଲାଗୁ ଯାଏ ଲଢ଼ିବ ଓଡ଼ିଶା

0
  • ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
  • ନବୀନ କହିଲେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା
  • ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା
  • ‘କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତିର ନାଭିକେନ୍ଦ୍ର (Nucleus)। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ। ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଏମ୍‌ ଏସ୍ ସ୍ବାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହିଆସିଛି। କାଳିଆ ଯୋଜନା ଯୋଗୁଁ ରାଜ୍ଯର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି। ” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା।“ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି। ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇ ଥିଲା। ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି। ସେଥିପାଇଁ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ଯାକେଜ ଘୋଷଣା କରିଛନ୍ତି। ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟିକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ। ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତୀ ମେଲେକା କହିଥିଲେ, କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି। ସେହିପରି ସୁନ୍ଦରଗଡର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧000 ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ।

ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କୃଷି ବିଭାଗ କମିସନର ତଥା ସଚିବ ଏସ . କେ . ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିସନର ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ।

 
Leave A Reply

Your email address will not be published.