ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ

0
  • ୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣି
  • ଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡ
  • ଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ

ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି। ଏବର୍ଷ କିନ୍ତୁ ପାଣିପାଗ ସାଥ୍ ଦେଉନାହିଁ। ଆରମ୍ଭରୁ ଝଟ୍‌କା ଦେଲାଣି। ଚଳିତବର୍ଷ ଜୁନ ମାସରୁ ନିଅଣ୍ଟିଆ ବର୍ଷା ଚାଷୀ ମୁଣ୍ଡକୁ ଗୋଳମାଳ କରିଦେଲାଣି। ମାସର ଅଧା ଦିନ ପରେ ବର୍ଷା ଉଭାନ୍। ସ୍ଥିତି ଗମ୍ଭୀର ଆଡକୁ ଯାଉଛି, କାରଣ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ମଧ୍ୟ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ଏଣୁ ଚାଷକାମ ଆଗକୁ ଆହୁରି ଅଧିକ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ଜୁନ୍ ମାସର ପାଣିପାଗ ଚିତ୍ର ଦେଖି ଓୟୁଏଟିର ପୂର୍ବତନ କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ, ସୁରେନ୍ଦ୍ର ନାଥ ପଶୁପାଳକ ଏଭଳି ଚିତ୍ର ଆଙ୍କିଛନ୍ତି।

ଡ. ପଶୁପାଳକ କହିଛନ୍ତି, ଜୁନ ମାସରେ ସ୍ବାଭାବିକ ବର୍ଷା ୨୧୦.୭ ମିମି ହେବା କଥା। ଚଳିତ ଜୁନ୍ ମାସରେ କିନ୍ତୁ ୧୮୦.୫ ମିମି ବର୍ଷା ହୋଇଛି। ଅର୍ଥାତ୍ ଜୁନ୍ ମାସରେ ୧୫ ପ୍ରତିଶତ କମ୍ ବର୍ଷା ହୋଇଛି। ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେଥିମଧ୍ୟରୁ ୬ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଭଦ୍ରକ, ବୌଦ୍ଧ, କନ୍ଧମାଳ ଓ ରାୟଗଡାରେ ବର୍ଷାର ପରିମାଣ ୩୯ ପ୍ରତିଶତରୁ ଅଧିକ ନିଅଣ୍ଟିଆ ରହିଛି। ସେହିପରି ନୟାଗଡ, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର ଓ କଳାହାଣ୍ଡିରେ୧୯ରୁ ୩୯ ପ୍ରତିଶତ ବର୍ଷା ନିଅଣ୍ଟିଆ ହୋଇଛି।

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ

ବ୍ଲକସ୍ତରୀୟ ପରିସଂଖ୍ୟାନ ଦେଇ ଡ. ପଶୁପାଳକ କହିଛନ୍ତି ଯେ ୧୫୨ଟି ବ୍ଲକରେ ଜୁନ୍‌ରେ ସ୍ବାଭାବିକ ଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। ସେ ମଧ୍ୟରୁ ୩୪ଟି ବ୍ଲକରେ ୫୯ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଅର୍ଥାତ୍ ସେଠି ସମୁଦାୟ ବର୍ଷା ୮୬.୪ ମିମି ଠାରୁ ବି କମ୍। ଏଠି ଜଳସେଚନ ବିନା ଚାଷ କାମ ଅର୍ଥାତ୍ ବୁଣାବୁଣି ଆରମ୍ଭ କରିବା ଚାଷ ପାଇଁ ବିପଜ୍ଜନକ ହୋଇପାରେ। ସେଥିରେ ଗଞ୍ଜାମର ୮ଟି, ରାୟଗଡାର ୪ଟି, ଗଜପତିର ୩ଟି,ଭଦ୍ରକର ୩ଟି, କେନ୍ଦୁଝରର ୩ଟି, ମୟୂରଭଂଜର୩ଟି ବ୍ଲକ ଅନ୍ତର୍ଭୁ୍କ୍ତ। ୫୭ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହେଉଛି ୩୯ରୁ ୫୯ ପ୍ରତିଶତ। ଏଠି ମଧ୍ୟ ବୁଣାବୁଣି କରିବା କାଠିକର ପାଠ। ଯେଉଁ ଚାଷୀମାନେ ବୁଣାବୁଣି କରିଥିବେ, ସେଠାରେ ଗଜା ମରୁଡି ଆଶଙ୍କା ଅଧିକ ରହିଛି।

ବାକି ୬୧ଟି ବ୍ଲକରେ ବର୍ଷା ୧୨୮.୫ମିମିରୁ ୧୭୦.୭ ମିମି ହୋଇଛି, ଯାହାକି ୧୯ରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ। ଏଠି ଖାଲୁଆ ଜମିରେ ଧାନ ଫସଲ ବୁଣାବୁଣି ହୋଇପାରିବ। ହେଲେ ଢିପ ଜମିରେ ଫସଲ ବା ତଳି ବଞ୍ଚିବା ପାଇଁ ଜଳସେଚନର ଆବଶ୍ୟକ। ଯେହେତୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜମି ଢିପ, ସେଠି ଏହି ନିଅଣ୍ଟିଆ ବର୍ଷା ଖୁବ୍ ଅସୁବିଧା ସୃଷ୍ଟି କରିବା ସମ୍ଭାବନା ରହିଛି।

ସମୁଦାୟ ୧୫୨ଟି ନିଅଣ୍ଟିଆ ବ୍ଲକ ମଧ୍ୟରେ ରହିଛି ଗଞ୍ଜାମର ସମସ୍ତ ୨୨ଟି ବ୍ଲକ ଏବଂ ବୌଦ୍ଧର ସମସ୍ତ ୩ଟି ବ୍ଲକ। ସେହିପରି କନ୍ଧମାଳ, ଗଜପତି, ଭଦ୍ରକ ଓ ରାୟଗଡାର ସମସ୍ତ ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି। ଏହା ସହିତ ଅନୁଗୁଳର ୬ଟିରୁ ୫ଟି ବ୍ଲକ, ବଲାଙ୍ଗୀରର ୧୪ରୁ ୯ଟି ବ୍ଲକ, ବରଗଡର ୧୨ଟିରୁ ୫ଟି, ଢେଙ୍କାନାଳର ୮ରୁ ୪ଟି, କେନ୍ଦୁଝରର ୧୩ରୁ ୭ଟି, କଳାହାଣ୍ଡିର ୧୩ରୁ ୮ଟି ବ୍ଲକ ଏବଂ ମୟୂରଭଂଜର ୨୬ରୁ ୧୨ ବ୍ଲକରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି।

ଭଦ୍ରକ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ନିଅଣ୍ଟିଆ ଉପକୂଳ ଜିଲ୍ଲା ମଧ୍ୟରେ ଯାଜପୁରର ୫ରୁ ୪ଟି, ଖୋର୍ଧାର ୧୦ଟିରୁ ପାଞ୍ଚଟି, ପୁରୀର ୧୧ଟିରୁ ୪ବ୍ଲକରେ ମଧ୍ୟ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଉପକୂଳ ଜିଲ୍ଲାମାନଙ୍କରେ ମୁଖ୍ୟତଃ ମଧ୍ୟମ ଓ ଖାଲ ଜମି ଥିବାରୁ ବୁଣାବୁଣି ଓ ଧାନ ତଳି ପକାଇବାରେ ବିଶେଷ ଅସୁବିଧା ନାହିଁ। ଆକଳନ କରାଯାଉଛି ଯେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଲଘୁଚାପ ସୃଷ୍ଟି ହେବାର ସଙ୍କେତ ଏ ପର୍ଯ୍ୟନ୍ତ ମିଳୁନାହିଁ। ଫଳରେ ରାଜ୍ୟର ଅର୍ଧେକ ସ୍ଥାନରେ ଚାଷ କାମ ବିଳମ୍ବ ହେବ। ବିଳମ୍ବ ହେଲେ ମଧ୍ୟମ ଅବଧି ବା ସ୍ବଳ୍ପ ଅବଧି ଧାନ କିସମ ଚୟନ କରିବାକୁ ପଡିବ।

ଦକ୍ଷିଣ ଓଡ଼ିଶାରେ ହରଡ, କପା, ବାଦାମ ଆଦି ଫସଲ ଜୁଲାଇ ୧୫ ତାରିଖ ସୁଦ୍ଧା ନ ଲଗାଇଲେ ଅମଳ କମିଯିବାର ଭୟ ରହିଛି। ଏଣୁ ଏସବୁ ଫସଲ ନିର୍ଧାରିତ ସମୟ ସୀମାରେ ନ ଲଗାଇ ପାରିଲେ ମକା, ମୁଗ, ବିରି ଆଦି ଫସଲ ଲଗାଇବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.