ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ମୋଦୀଙ୍କ ନଜରରେ କିଏ?

0
  • ତାଲିକା ଚୂଡ଼ାନ୍ତ, ଯେ କୌଣସି ମୁହୁର୍ତ୍ତରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ
  • ପରିବର୍ତ୍ତନ ହୋଇନପାରନ୍ତି ଗୃହ, ପ୍ରତିରକ୍ଷା, ଅର୍ଥ, କର୍ପୋରେଟ୍ ବ୍ୟାପାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ
  • ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ହେବେ, ହେଲେ ଓଡ଼ିଶା କୋଟାରୁ ନୁହେଁ/ ବୈଜୟନ୍ତଙ୍କ ମନ୍ତ୍ରୀ ପଦ ପାଇଁ ରାଜ୍ୟସଭା କଣ୍ଟା

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ସଂସଦ ଅଧିବେଶନ ବସିପାରେ। ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ହେଁ, ଏ ସଂକ୍ରାନ୍ତରେ କଳ୍ପନାଜଳ୍ପନା ଜାରି ରହିଛି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବିଜେପି ଶୀର୍ଷ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏଇ ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ନେବା ଆରମ୍ଭ କରିଛନ୍ତି। ଯଦିଓ ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଆସନ୍ତା ସଂସଦ ଅଧିବେଶନରେ ବିରୋଧୀ ଦଳକୁ ଦୃଢ଼ ଭାବେ ମୁକାବିଲା ଲାଗି ପରାମର୍ଶ ଦେଇଛନ୍ତି ଓ କୋଭିଡ୍‌ ଟିକାକରଣ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ବ ଦେଇ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ସଙ୍କେତ ଦେଇଛନ୍ତି, ଏହା ସତ୍ତ୍ବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳୁଛି।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହିତ ଏକାଧିକ ବାର ଆଲୋଚନା କରିସାରିଲେଣି। ସେହିଭଳି କିଛି ମନ୍ତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ଡାକି ମୋଦୀ ଆଲୋଚନା କରିଥିବା ଖବର ଆସୁଛି। ବିଜେପି ସାଧାରଣ ସଂପାଦକ (ସଂଗଠନ) ବି ଏଲ୍ ସନ୍ତୋଷ ବି ଆଲୋଚନା କରିଛନ୍ତି। ଅର୍ଥାତ୍ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ, ସେ ନେଇ ଆପାତତଃ ଏକ ରିପୋର୍ଟ ପ୍ରସ୍ତୁତ ହୋଇସାରିଲାଣି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଗୃହ, ପ୍ରତିରକ୍ଷା, ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ଏବଂ ବୈଦେଶିକ ବ୍ୟାପାର ପରି ଶୀର୍ଷ ମନ୍ତ୍ରଣାଳୟ, ଯାହା ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ର ଅଂଶବିଶେଷ, ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ଆପାତତଃ ନାହିଁ। ସେହିଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କିଛି ମନ୍ତ୍ରୀଙ୍କ ବିଭାଗ ବି ଅପରିବର୍ତ୍ତିତ ରହିପାରେ।

ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ପଦ ପାଇଁ ବଡ଼ ଦାବିଦାର ଅଛନ୍ତି। ହେଲେ ଓଡ଼ିଶା ରାଜନୀତି ପରିପ୍ରେକ୍ଷୀରେ ନୁହେଁ, ବରଂ ରାଜସ୍ଥାନ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ବୈଷ୍ଣବଙ୍କୁ ମନ୍ତ୍ରୀ କରାଯାଉଛି। ଏଭଳି ପରିସ୍ଥିତିରେ ଯଦି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପରିବର୍ତ୍ତନ ହୁଅନ୍ତି, ତେବେ ଓଡ଼ିଶା ସଂପର୍କରେ ପ୍ରଧାନମନ୍ତ୍ରୀ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ହିଁ ସୂଚାଇବ ବିଜେପି ଓଡ଼ିଶା ସମୀକରଣ କେଉଁ ରାସ୍ତାରେ ଯିବ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେ ହେଁ, ତାଙ୍କୁ ବର୍ତ୍ତମାନ ରାଜ୍ୟସଭାକୁ ଆଣିବା କଷ୍ଟସାଧ୍ୟ ବୋଲି ଆଉ ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି। ଏମିତିରେ ବି ଆସାମରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ରାଜ୍ୟସଭାକୁ ନିଶ୍ଚିତ ଭାବେ ଆସିବେ। ଆସାମରେ ବିଜେପି ଦ୍ବିତୀୟ ଥର ସରକାର ଗଠନ କରିଥିଲେ ହେଁ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସର୍ବାନନ୍ଦ ଯେଉଁ ତ୍ୟାଗ କରିଛନ୍ତି, ତାହାର ମୂଲ୍ୟ ତାଙ୍କୁ ମିଳିବ। ଇତିମଧ୍ୟରେ ସର୍ବାନନ୍ଦ ନୂଆଦିଲ୍ଲୀରେ ମୋଦୀ ଓ ଶାହଙ୍କୁ ଭେଟି ଆଲୋଚନା କରିସାରିଛନ୍ତି। ରାଜ୍ୟ ଶାସନ ଠାରୁ ସର୍ବାନନ୍ଦଙ୍କୁ ଦୂରେଇ ରଖିବା ଗୁରୁତ୍ବପୂର୍ଣ୍ଣ। ଏଣୁ ସେ କେନ୍ଦ୍ରମନ୍ତ୍ରୀ ହେବା ଆପାତତଃ ନିଶ୍ଚିତ। ତାଙ୍କୁ ଆସାମ ବୋଡୋ ଲ୍ୟାଣ୍ଡ ପିପୁଲ୍‌ସ ଫ୍ରଣ୍ଟର ବିଶ୍ବଜିତ ଦୈମାରିଙ୍କ ସ୍ଥାନରେ ରାଜ୍ୟସଭାକୁ ନିଆଯିବ ବୋଲି ଆଲୋଚନା ହୋଇଛି।

ସେହିଭଳି ସୂତ୍ର ଅନୁସାରେ, ଲୋକଜନ ଶକ୍ତି ପାର୍ଟି ରାମ ବିଳାଶ ପାଶଓ୍ବାନଙ୍କ ମୃତ୍ୟୁ, ଶିରୋମଣି ଅକାଳୀ ଦଳ ଓ ଶିବ ସେନା ଏନଡିଏ ସରକାରରୁ ଦୂରେଇ ଯିବା ପରେ ମନ୍ତ୍ରିମଣ୍ଡଳରେ ଅନେକ ପଦବି ଖାଲିପଡିଛି। କିଛି ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ସେହିଭଳି ଆସନ୍ତାବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ଆଦିର ନିର୍ବାଚନ ଅଛି। ଏଣୁ ଏସବୁ ରାଜ୍ୟରୁ ଅଧିକ ନେତାଙ୍କୁ ମନ୍ତ୍ରିମଣ୍ଡଳକୁ ଅଣାଯିବ। ସହଯୋଗୀ ଆପ୍‌ନା ଦଳ ନେତ୍ରୀ ଅନୁପ୍ରିୟା ପଟେଲ୍‌ଙ୍କୁ ମନ୍ତ୍ରୀ ପଦ ମିଳିପାରେ। ବରୁଣ ଗାନ୍ଧୀଙ୍କୁ ମନ୍ତ୍ରୀ କରାଯିବା ସମ୍ଭାବନା ବି କିଛି କମ୍ ନାହିଁ।

୨୦୨୦ରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି କ୍ରମେ ବିଜେପିରେ ଯୋଗଦେଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଖାସ୍ ଏହି କାରଣରୁ ସେଠାରେ ସରକାରରେ ବଡ଼ ପରିବର୍ତ୍ତନ ହୋଇଥିଲା ଓ ବିଜେପି କ୍ଷମତାକୁ ଫେରିଥିଲା। ଏଣୁ ପୁରସ୍କାର ସ୍ବରୂପ ଶ୍ରୀ ସିନ୍ଧିଆଙ୍କୁ ମନ୍ତ୍ରୀ ପଦ ମିଳିବ। ସେହିଭଳି ବିହାର ସମୀକରଣ ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଶୀଲ ମୋଦୀଙ୍କୁ ଦେଖିବାକୁ ମିଳିପାରେ। ୨୦୧୯ କ୍ୟାବିନେଟ୍‌ରେ ସାମିଲ ହୋଇନଥିଲା ନୀତିଶଙ୍କ ଜେଡିୟୁ। କିନ୍ତୁ ଗତବର୍ଷ ଏନ୍‌ଡିଏକୁ ଜେଡିୟୁ ଫେରିଥିଲା ଓ ରାଜ୍ୟରେ ମିଳିତ ସରକାର ଏବେ ରହିଛି। ଏଣୁ ମନ୍ତ୍ରିମଣ୍ଡଳରେ ଜେଡିୟୁର ବରିଷ୍ଠ ନେତା ଆରସିପି ସିଂ ଏବଂ ରାଜୀବ ରଂଜନ ସିଂ ମନ୍ତ୍ରୀ ହୋଇପାରନ୍ତି। ବିହାର ରାଜନୀତିର ଅନ୍ୟ ଏକ ଅଂଶ ଲୋକ ଜନଶକ୍ତି ପାର୍ଟିରେ ଇତିମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ରାମ ବିଳାଶ ପାଶଓ୍ବାନଙ୍କ ପୁଅ ଚିରାଗଙ୍କୁ ହଟାଇ ହାଜିପୁର ସାଂସଦ ପଶୁପତି କୁମାର ପରାସ ସଂସଦୀୟ ଦଳ ନେତା ହୋଇଛନ୍ତି। ସେମାନେ ଇତିମଧ୍ୟରେ ବାଚସ୍ପତି ଓର୍ମା ବିର୍ଲାଙ୍କୁ ଭେଟି ତାଙ୍କର ପରିବର୍ତ୍ତିତ ନିଷ୍ପତ୍ତି ସଂକ୍ରାନ୍ତରେ ଜଣାଇ ସାରିଲେଣି। ଯେହେତୁ ଏବେ ବି ଏଲ୍‌ଜେପି ଏନ୍‌ଡିଏର ଅଂଶୀଦାର ହୋଇ ରହିଛି, ଏଣୁ ମୋଦୀ ରାମ ବିଳାଶଙ୍କ ସ୍ଥାନରେ ତାଙ୍କ ଦଳରୁ କାହାକୁ ଜଣକୁ ମନ୍ତ୍ରୀ କରିପାରନ୍ତି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ରାଜନୀତି ବିଜେପି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଦଳ କ୍ଷମତାକୁ ଆସିପାରିନଥିଲେ ମଧ୍ୟ ୭୭ ଆସନ ଦଖଲ କରିଛି। ୨୦୨୪ରେ ଦଳକୁ ସେଠାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ କମାଇବାକୁ ହେଲେ ଏକାଧିକ ନେତାଙ୍କୁ ମନ୍ତ୍ରୀ ପଦ ଦେବାକୁ ହେବ। ଏହାକୁ ବିଜେପି ଶୀର୍ଷ ନେତୃତ୍ବ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। କର୍ଣ୍ଣାଟକର ଜଣେ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ଏଡ଼ାଇ ଦେଇ ହେବନାହିଁ। ସମ୍ପ୍ରତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ) ର ରାମଦାସ ଆଠୱାଲେ ମନ୍ତ୍ରୀ ପରିଷଦର ଏକମାତ୍ର ଅଣ-ବିଜେପି ସଦସ୍ୟ ଅଛନ୍ତି।

ଏଠାରେ ଉଲ୍ଲେଖଥାଉକି, ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ଥର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥିଲେ। ହେଲେ ୨୦୧୯ କାର୍ଯ୍ୟାରମ୍ଭ କରିବା ପରେ ପ୍ରଥମ ଦୁଇବର୍ଷ ସେ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦେଇଛନ୍ତି। ଏବେ ମନ୍ତ୍ରୀମାନଙ୍କର ପ୍ରଦର୍ଶନର ପୋଷ୍ଟମର୍ଟମ ଚାଲିଛି।

Leave A Reply

Your email address will not be published.