ନୂଆଦିଲ୍ଲୀ: କେବଳ ବରିଷ୍ଠ ନେତା କଣ ମନ୍ତ୍ରୀ ହେବାକୁ ଯୋଗ୍ୟ? ଏକାଧିକ ଥର ଜିତିଥିଲେ ଯାଇ ଜଣେ ମନ୍ତ୍ରୀ ହୋଇପାରିବ? ନବାଗତଙ୍କ ପାଇଁ କଣ ମନ୍ତ୍ରୀ ପଦ ମନା? ବୟସ ଗୋଟିଏ ମାପକାଠି କି?
ରାଜ୍ୟ ହେଉ କି କେନ୍ଦ୍ର, ଯେବେ ମନ୍ତ୍ରିମଣ୍ଡଳ ଗଠନ ହୁଏ, ସେବେ ଏଭଳି କିଛି ପ୍ରଶ୍ନ ନେତାଙ୍କ ମନରେ ସୃଷ୍ଟି ହୁଏ ଓ ପୁଣି ପରେ ମିଳାଇଯାଏ। କିଛି କ୍ଷେତ୍ରରେ ସରକାର ବିରୋଧରେ ଅସନ୍ତୋଷର ମଞ୍ଜି ଏମିତି ହିଁ ବୁଣିଦିଆଯାଏ, ଯାହା ପରବର୍ତ୍ତୀ ସମୟରେ ଗଛ ଉଠି ବିଶାଳ ସମସ୍ୟାରେ ସରକାରକୁ ଛନ୍ଦି ଦିଅନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହି ଧାରା ଭାଙ୍ଗି ଦେଇଛନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ କଥା ଦେଖାଯାଉଛି ଯେ ୪୦ ବର୍ଷରୁ କମ୍ ବୟସ୍କ ୨ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଆଉ ୬୦ ବର୍ଷରୁ କମ୍ ବୟସ୍କ ନେତାଙ୍କ ସଂଖ୍ୟା ଏବେ ଦୁଇଗୁଣା ହୋଇଯାଇଛି। ଏମିତି ଯେ ୫୦ବର୍ଷରୁ କମ୍ ୧୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ପୂର୍ବରୁ ଏହି ସଂଖ୍ୟା ୬ ଥିଲା। ସମୁଦାୟ ୩୬ ଜଣ ମନ୍ତ୍ରୀ ଏବେ ମୋଦୀଙ୍କ ସହିତ ସାମିଲ ହେଲେ, ଯେଉଁମାନଙ୍କ ବୟସ ୬୦ ଛୁଇଁନାହିଁ।
ମୋଦୀଙ୍କର ଏଭଳି ରଣକୌଶଳ ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ଉଦ୍ଦିଷ୍ଟ। ବିଦାୟୀ ମନ୍ତ୍ରୀ ପରିଷଦର ହାରାହାରି ବୟସ ୬୧ ବର୍ଷ ହୋଇଥିଲା ବେଳେ ଚଳିତ ମନ୍ତ୍ରୀ ପରିଷଦର ହାରାହାରି ବୟସ ୫୮କୁ ଖସିଆସିଛି।
ସାତଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିଧାନସଭା ହେବ। ଆସନ୍ତାବର୍ଷ ହେବାକୁ ଥିବା ଏହି ବିଧାନସଭା ନିର୍ବାଚନକୁ ନଜରରେ ରଖି ଏହି କାର୍ଯ୍ୟ କରାଯାଇଛି। ହର୍ଷ ଭରଦାନଙ୍କ ଠାରୁ ଆରମ୍ଭ କରି ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ଡି ଭି ସଦାନନ୍ଦ ଗୌଡ, ଥାଓ୍ବରଚାନ୍ଦ ଗେହଲଟ, ସନ୍ତୋଷ ଗଙ୍ଗଵାର,ଏସ୍ ଏସ୍ ଧୋତ୍ରେ, ରତନ ଲାଲ କଟାରିଆ ପ୍ରମୁଖ ୬୦ବର୍ଷରୁ ଅଧିକ ବୟସ୍କ ନେତା। ସେହିଭଳି ଅନୁରାଗ ଠାକୁର, ଜି କିଷାନ ରେଡ୍ଡି, କିରେନ୍ ରିଜିଜୁ, ମାନସୁଖ ମାଣ୍ଡଭିଆ ହେଉଛନ୍ତି କମ୍ ବୟସ୍କ ନେତା, ଯାହା ଉପରେ ମୋଦୀ ଭରସା ରଖିଛନ୍ତି।