ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଆଗକୁ ମହଙ୍ଗା ହେବ ବିଦ୍ୟୁତ

0
  • ସାଂଘାତିକ ଚାପରେ ବିଦ୍ୟୁତ କ୍ଷେତ୍ର, ଚିନ୍ତା ପ୍ରକଟ କଲେଣି କେନ୍ଦ୍ର ସରକାର
  • ବିଶ୍ବରେ ଭାରତର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ସବୁଠୁ ଅଧିକ
  • କୃଷି କ୍ଷେତ୍ରରେ ମାଗଣା ଓ ବିନା ମିଟରରେ ବିଦ୍ୟୁତ ଜାଳିବା ବଡ଼ କାରଣ
  • ୩ବର୍ଷ ମଧ୍ୟରେ ପ୍ରି-ପେଡ୍ ମିଟର ଲଗାଇବା ପାଇଁ ସବୁ ରାଜ୍ୟ ଉପରେ ଚାପ
  • ନିୟମିତ ବ୍ୟବଧାନରେ ବିଦ୍ୟୁତ ଦେୟ ନ ବଢିଲେ ବିପଜ୍ଜନକ ସ୍ଥିତି ହୋଇପାରେ

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷରେ ବିଦ୍ୟୁତ ଦର କଣ ହେବ, ସେ ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଶୁଣାଣି କରୁଛନ୍ତି। ଆସନ୍ତା ମାର୍ଚ୍ଚ ୨୦ରୁ ୨୩ ତାରିଖ ମଧ୍ୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ତାଙ୍କ ନିର୍ଦେଶାନାମା ଜାରି କରିବେ, ଯାହା ଏପ୍ରିଲ ପହିଲାରୁ ଲାଗୁ ହେବ। ବାସ୍ତବରେ ଆୟୋଗ ଏ ସଂକ୍ରାନ୍ତରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ, ଏକ ବଡ଼ ଖବର ସାମ୍ନାକୁ ଆସୁଛି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଭାରତର ଶକ୍ତି କ୍ଷେତ୍ର ପ୍ରତି ସାଂଘାତିକ ବିପଦ ମାଡି଼ ଆସୁଛି। କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଓ ବିନା ମିଟରରେ ବିଦ୍ୟୁତ ଜାଳୁଥିବା ଉପଭୋକ୍ତାଙ୍କ ଲାଗି ଶକ୍ତି କ୍ଷେତ୍ର ପାଇଁ ଚ୍ୟାଲେଞ୍ଜ ବଢିଗଲାଣି। କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଦେବା କାରଣରୁ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ କଂପାନିମାନେ ଧୀରେ ଧୀରେ ରୁଗଣ ହେବା ଆରମ୍ଭ କଲେଣି। ସେପଟେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିର ପରିମାଣ ୨୧.୪%ରେ ପହଞ୍ଚିଛି, ଯାହା ବିଶ୍ବରେ ସବୁଠାରୁ ଅଧିକ।

କଥା କେବଳ ସେତିକିରେ ଅଟକିନି, କୃଷି କ୍ଷେତ୍ରକୁ ମାଗଣା ବିଜୁଳି କାରଣରୁ, ସେ କ୍ଷେତ୍ରରେ ମିଟର ବ୍ୟବହାର ହେଉନଥିବା ଦେଖାଯାଉଛି। ଏଣୁ ଚାଷୀ କେବଳ କୃଷି କ୍ଷେତ୍ର ନୁହେଁ, ନିତ୍ୟ ବ୍ୟବହାର୍ଯ୍ୟ ଠାରୁ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥାତ୍ ମନଇଚ୍ଛା ବିଦ୍ୟୁତ ବ୍ୟବହାର କରୁଛନ୍ତି। ସେପଟେ ରାଜ୍ୟ ସରକାରମାନଙ୍କର ଏଭଳି ରାଜନୈତିକ ଲୋକପ୍ରିୟତା ହାସଲ ନୀତି ବା ନିଷ୍ପତ୍ତି କାରଣରୁ ବିଦ୍ୟୁତ ବଣ୍ଟନ କଂପାନିମାନେ ଏ କ୍ଷେତ୍ରରେ ପରିବହନ ଓ ବଣ୍ଟନ ଜନିତ କ୍ଷତି ଭରଣା କରିବା ଲାଗି ମଧ୍ୟ ନାରାଜ।

୨୦୦୩ ମସିହା ଇଲେକ୍ଟ୍ରିସିଟି ଆକ୍ଟ ଅନୁଯାୟୀ, ଯଦି କୌଣସି ସରକାର ବିଦ୍ୟୁତ କ୍ଷେତ୍ରରେ ରିହାତି ଘୋଷଣା କରନ୍ତି ବା ମାଗଣା ଦେବାକୁ କହନ୍ତି, ତେବେ ସେ ବାବଦ ଅର୍ଥ ଆଗତୁରା ସଂପୃକ୍ତ ବଣ୍ଟନ କଂପାନିଙ୍କୁ ଦେବାକୁ ପଡିବ। ହେଲେ ଏହାକୁ କୌଣସି ରାଜ୍ୟ ମାନୁଥିବା ନଜିର ନାହିଁ। ବିଦ୍ୟୁତ ରାଜ୍ୟ ବିଷୟ ହୋଇଥିବାରୁ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ମଧ୍ୟ ପ୍ରତ୍ୟକ୍ଷ ହସ୍ତକ୍ଷେପର କୌଣସି ସୁଯୋଗ ନାହିଁ।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ବିଦ୍ୟୁତ ବଣ୍ଟନକଂପାନିମାନଙ୍କର ଦେବାଳିଆ ପଣ, ଏବେ ଦୁଇଟି କ୍ଷେତ୍ରକୁ ସିଧାସଳଖ କ୍ଷତି ପହଞ୍ଚାଉଛି। ପ୍ରଥମତଃ, ବଣ୍ଟନ କଂପାନିମାନେ ବିଦ୍ୟୁତ ଉତ୍ପାଦକାରୀ କଂପାନିଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ଦେଇପାରୁନାହାନ୍ତି। ଅନ୍ୟପଟରେ ଠିକଣା ସମୟରେ ପ୍ରାପ୍ୟ ମିଳୁନଥିବା କାରଣରୁ ବିଦ୍ୟୁତ ଉତ୍ପାଦନକାରୀ କଂପାନିମାନେ ଚାପରେ ପଡୁଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟ ଭଲ ରହୁନାହିଁ। ଏଣୁ ଏହାର ସିଧାସଳଖ ପ୍ରଭାବ ସଂପୃକ୍ତ କଂପାନିକୁ ଋଣ ଦେଇଥିବା ବ୍ୟାଙ୍କ ଉପରେ ମଧ୍ୟ ପଡୁଛି। ଯାହା ଆଉ ଏକ ବିପଜ୍ଜନକ ଦିଗ ବୋଲି କୁହାଯାଇପାରେ।

ଏଭଳି ଏକ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏବେ ବିଦ୍ୟୁତ ନିୟାମକ ଆୟୋଗଙ୍କ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଦେଲେଣି। ନିୟମିତ ବ୍ୟବଧାନରେ ବିଦ୍ୟୁତ ଦର ସଂଶୋଧନ କରିବା ଲାଗି କେନ୍ଦ୍ର ସରକାର ସୂଚାଇଛନ୍ତି। କିଛି ରାଜ୍ୟ ଭୋଟ ବ୍ୟାଙ୍କ ରାଜନୀତିକୁ ନଜରରେ ରଖି କିଛି ବର୍ଷ ଧରି ବିଦ୍ୟୁତ ଦର ବୃଦ୍ଧି କରୁନାହାନ୍ତି। ଏପରିକି ମୁଦ୍ରାସ୍ଫୀତିକୁ ନଜର ରଖି ମଧ୍ୟ ଏ କ୍ଷେତ୍ରରେ ସୁଧାର ପାଇଁ ଉଦ୍ୟମ କରୁନଥିବା କାରଣରୁ ଶକ୍ତି କ୍ଷେତ୍ରଟି ଭୀଷଣ କ୍ଷତିଗ୍ରସ୍ତ ସ୍ଥିତି ଆଡକୁ ଟାଣି ହୋଇଯାଉଛି।

କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଆଉ ଟିକିଏ କଠୋର ନୀତି ଆପଣାଇବାକୁ ଯାଇ ଗତ ବଜେଟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବଣ୍ଟନ ଜନିତ କ୍ଷତି କମାଇବାକୁ ହେବ। ଏଣୁ ରାଜ୍ୟମାନେ ପାରମ୍ପରିକ ମିଟର ପରିବର୍ତନ କରି ଆସନ୍ତା ୩ ବର୍ଷମଧ୍ୟରେ ପ୍ରି ପେଡ୍ ମିଟର ଲଗାଇବା ଦରକାର। ଅଟଳ ବଣ୍ଟନ ବ୍ୟବସ୍ଥା ଉନ୍ନତୀକରଣ ଯୋଜନା ନାମରେ କେନ୍ଦ୍ର ସରକାର ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ବଣ୍ଟନ ଜନିତ କ୍ଷତି ୧୨ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି। ଯେଉଁ ସବୁ ରାଜ୍ୟ ବଣ୍ଟନ କଂପାନିଙ୍କୁ ପ୍ରାପ୍ୟ ଦେବାରେ ଅକ୍ଷମ, କେନ୍ଦ୍ର ସରକାର ସେମାନଙ୍କୁ ୧୨ଟି କିସ୍ତିରେ କିଛି ପରିମାଣରେ ଅର୍ଥ ରାଶି ପ୍ରଦାନ କରିବା ବିଷୟରେ ମଧ୍ୟ ଗମ୍ଭୀରତାର ସହିତ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.