ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ନବୀନଙ୍କ ପାଇଁ ଲଢୁଛନ୍ତି ଗାଁ ମହିଳା

0

କରୋନା ମୁକାବିଲାରେ ମିସନ ଶକ୍ତି ପାଲଟିଛି ଓଡିଶା ଶକ୍ତି
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଲାଗିଛନ୍ତି ୬ଲକ୍ଷ ଏସଏଚ୍‍ଜିର ୭୦ଲକ୍ଷ ମହିଳା

ଭୁବନେଶ୍ୱର: କରୋନା ମୁକାବିଲାରେ ମିସନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିସନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଗ୍ରଭାଗରେ ଅଛନ୍ତି । ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ୬ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ୭୦ଲକ୍ଷ ମହିଳା ସଦସ୍ୟା ଏହି ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ମିସନ ଶକ୍ତିର କମିସନର ତଥା ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ ତତ୍ୱାବଧାନରେ ଗାଁ ଠୁ ସହର ପର୍ଯ୍ୟନ୍ତ ତଳ ସ୍ତରର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି ଏସ୍‍ଏଚ୍‍ଜି ସଦସ୍ୟା ।


ମାର୍ଚ୍ଚ ମାସ ପ୍ରାରମ୍ଭରୁ କରୋନା ମୁକାବିଲା ଲାଗି ପ୍ରସ୍ତୁତ ସଚେତନତା ପୋଷ୍ଟର ଗୁଡିକ ୭୦ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀ ଗୁଡିକୁ ସଚେତନ କରୁଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା ବିଶେଷକରି ମହିଳାଙ୍କ ମଧ୍ୟରେ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟିରେ ସହାୟକ ହୋଇଛି । କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବଣ୍ଟନ ହୋଇଛି । କରୋନା ସମ୍ପ୍ରସାରଣ ଉପରେ ଲଗାମ ଲଗାଇବାପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳ ଲୋକେ ଘର ଭିତରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ଶପଥ କରାଇଛନ୍ତି । ଏ କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ପ୍ରାରମ୍ଭରେ ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସହାୟିକ ଗୋଷ୍ଠୀ ଓ ସଂଘ ଗୁଡିକର ପୂର୍ବରୁ ସ୍କୁଲ ପୋଷାକ ସିଲେଇରେ ଅଭିଜ୍ଞତା ଥିଲା ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପାଖାପାଖି ୪୦୦ ଏସ୍‍ଏଚ୍‍ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି ଯାହାକି ଏ ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି । ଏସ୍‍ଏଚ୍‍ଜି ଗୁଡିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତୀତ ବ୍ୟାଙ୍କ୍‍, ପୁଲିସ୍‍ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ଲକ୍ଷ ମାସ୍କ ଖରିଦ କରିଛନ୍ତି । ସେମାନେ ଏହାକୁ ମାତ୍ର ୧୫ରୁ ୨୦ ଟଙ୍କା ଦରରେ ଖରିଦ କରିଛନ୍ତି । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ଲୋକଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି ।

ଯେତେବେଳେ ଲକ୍‍ ଡାଉନ୍‍ ଘୋଷଣା ହେଲା ସେତେବେଳେ ଲୋକଙ୍କ ନିକଟରେ ରାସନ ଓ ପନିପରିବା ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ଥିବାବେଳେ ଏସ୍‍ଏଚ୍‍ଜି ଗୁଡିକ ଏହି ଆବଶ୍ୟକତା ପୂରଣ କରିଥିଲେ । ପାଖପାଖି ୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ, ପନିପରିବା ଏବଂ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି । କଟକ, କେନ୍ଦ୍ରାପଡା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଲୋକଙ୍କ ଘରେ ନେଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି ।
ଲକ୍‍ ଡାଉନ୍‍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ । ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ୱ ଏସ୍‍ଏଚ୍‍ଜିକୁ ଦେଇଛନ୍ତି । ଆଜି ସୁଦ୍ଧା ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‍ ଯୋଗାଯାଇଥିବାବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ ଟି ମିଲ୍‍ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକୁ ଏସ୍‍ଏଚ୍‍ଜିମାନେ ସୁରୁଖରୁରେ ତୁଲାଉଥିବାବେଳେ ପ୍ରତିଦିନ ରୋଷେଇ ହେଉଥିବା ସ୍ଥାନ ସଂଖ୍ୟା ବଢିବାରେ ଲାଗିଛି ।

ଏହାଛଡା ମିସନ ଶକ୍ତି ଋଣ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ଲାଗି ଚଳିତ ବର୍ଷ ୨୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ବ୍ଲକ ସ୍ତରରେ ଥିବା ମହାସଂଘ ଗୁଡିକ ନିକଟରେ ୨୫ଲକ୍ଷ ଟଙ୍କାର କର୍ପସ ପାଣ୍ଠି ରହିଛି । ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ଆବଶ୍ୟକ ପଡିଲେ ଅତି କମ୍‍ ସୁଧରେ ଏହି ପାଣ୍ଠିରୁ ଅର୍ଥ ଯୋଗାଯାଉଛି । ସଂଖ୍ୟାଧିକ ସ୍ୱୟଂ ସହାୟିକ ଗୋଷ୍ଠୀ ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି ।
୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ମିସନ ଶକ୍ତି ଗଠନ ହୋଇଥିବାବେଳେ ଏହା ଅଧିନରେ ଥିବା ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ଲକ୍ଷ ମହିଳା ସଦସ୍ୟା ଯେକୌଣସି ବିପର୍ଯ୍ୟୟ ଓ ଜରୁରୀ ସମୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବେ ପୁଣି ଥରେ ମିସନ ଶକ୍ତିର ସଦସ୍ୟାମାନେ ସରକାର ଓ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ତଳ ସ୍ତରରେ ସହଯୋଗୀ ଭାବେ ସେବା ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.