ପ୍ରମୁଖ ଖବର

ଭୁବନେଶ୍ବର: ତଳସରା ବିଧାୟକ ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ
ନୂଆ ଆୟକର ବ୍ୟବସ୍ଥାରେ ବଦଳିଲା ଛାଡସୀମା, ପୁରୁଣା ବ୍ୟବସ୍ଥାରେ ଅପରିବର୍ତ୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି
୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା: ଶସ୍ତା ହେବ ସୁନା, ରୂପା, କ୍ୟାନ୍ସର ଔଷଧ, ମୋବାଇଲ
ଏଥର ବଜେଟ୍ ରେ ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର

ମହାପ୍ରଭୁଙ୍କ ପାଇଁ ବିଜୁ ବାବୁ ଯେବେ ଅଣ୍ଟା ଭିଡିଥିଲେ

0

ଭୁବନେଶ୍ବର: ସେଦିନ ଥିଲା ୧୯୯୨ ମସିହା ଅଗଷ୍ଟ ୧୩ ତାରିଖ। ଶ୍ରୀମନ୍ଦିର ଗର୍ଭଗୃହର କାନୁସରୁ ପ୍ରାୟ ଏକ ଟନ୍ ଓଜନ ବିଶିଷ୍ଟ ଦୁଇଖଣ୍ଡ ପଥର ରତ୍ନ ସିଂହାସନ ସାମ୍ନା ତଳ ପୋଖରିଆରେ ଖସି ପଡିଲା। କଥା ସାଙ୍ଗେ ସାଙ୍ଗେ ରାଷ୍ଟ୍ର ହୋଇଗଲା ଓ ସମଗ୍ର ଓଡ଼ିଶାରେ ଆଲୋଡନ ସୃଷ୍ଟି ହୋଇଗଲା। ବିଶ୍ବଦରବାରରେ ବି କମ୍ପିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରରୁ ପଥର ଖସିବା ପ୍ରସଙ୍ଗ।

କାରଣ ୧୯୮୫ ମସିହା ଅଗଷ୍ଟ ୧୪ ତାରିଖରୁ ଏ ସମୟ ଅର୍ଥାତ୍ ପ୍ରାୟ ୭ବର୍ଷ ମଧ୍ୟରେ ଅନେକବାର ଶ୍ରୀମନ୍ଦିରରେ ଅଘଟଣ ଘଟିଥିଲା। ୧୯୮୫ରେ ଶ୍ରୀମନ୍ଦିର ଦକ୍ଷିଣି ଘର ଉପରେ ଏକ ଚୂନ ଅତଡ଼ା ଖସି ପଡିଥିଲା। ୧୯୮୮ରେ ଜଗମାେହନ ମୁଦୁଲି ଦ୍ହାର ବଡ଼ ଖୁଣ୍ଟ ଫରକୁ ଚୂନ ପଥର ଖସିଥିଲା। ୧୯୯୦ ମସିହାରେ ଭୋଗମଣ୍ଡପରୁ ଖସିଥିଲା ଚୂନ ଅତଡ଼ା। ୧୯୯୦ ମସିହାରେ ଶ୍ରୀମନ୍ଦିର ପଶ୍ଚିମ ଅଁଳାଶ୍ରୀରୁ ପ୍ରାୟ ପାଞ୍ଚ ଟନ୍ ଓଜନର ବଡ଼ ପଥର ଖସିବା ପରେ ସାରା ଭାରତରେ ଆଲୋଡନ ଖେଳିଗଲା। ୧୯୯୧ ମସିହାରେ ବିଜୁ ବାବୁ ଶ୍ରୀମନ୍ଦିର ମରାମତି କାମ ନିଜେ ତଦାରଖ କଲେ। ୧୯୯୧ ଫେବ୍ରୁଆରି ମାସରେ କେନ୍ଦ୍ର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଅଁଳାଶ୍ରୀ ବେଢାରେ ନୂଆ ପଥର ଲଗାଇଲେ।

ଏସବୁକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଗର୍ଭଗୃହରୁ ପଥର ଖସିବା ପ୍ରସଙ୍ଗକୁ ଲୋକେ ଗମ୍ଭୀରତାର ସହିତ ନେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ତା ପରଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗକୁ ଜରୁରୀ ବାର୍ତା ଦେଇ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଜଣାଇଲେ। ୨୪ ଘଣ୍ଟା ଭିତରେ ଆସିଥିଲେ ପ୍ରତ୍ନତତ୍ତ୍ବ ବିଶେଷଜ୍ଞ। ୧୯ ତାରିଖରେ ସେମାନେ ରିପୋର୍ଟ ଦେବା ପରେ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନିଜେ ନେତୃତ୍ବ ନେଇ ସେବାୟତଙ୍କ ସହିତ ଆଲୋଚନା କଲେ। ଏକ ବଡ଼ ନିଷ୍ପତ୍ତି ହେଲା। ସେ ସମୟରେ ଆଇନ ମନ୍ତ୍ରୀ ଥାନ୍ତି ନରସିଂହ ମିଶ୍ର। ତତ୍କାଳୀନ ମନ୍ତ୍ରୀ ବିଜୟ ମହାପାତ୍ର, ନଳିନୀ ମହାନ୍ତି, ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଣ୍ଟା ଭିଡିଲେ। ସେପ୍ଟେମ୍ବର ୨୯ ତାରିଖ ଦିନ ବିଜୁ ବାବୁ ନିଜେ ସାଧାରଣ ଲୋକଙ୍କ ଭିତରକୁ ଆସିଲେ। ପୁରୀ ପୌର ସଦନରେ ଏକ ବୈଠକ ଡକାଗଲା। ଶ୍ରୀମନ୍ଦିର ଗର୍ଭଗୃହର ମରାମତି ଓ ସଂରକ୍ଷଣ ସଂପର୍କିତ ଏହି ଖୋଲା ଅଧିବେଶନ ଯିଏ ଦେଖିଥିବ, ସିଏ ନେତୃତ୍ବ ଭିତରେ ଥିବା ପ୍ରବଳ ଇଚ୍ଛାଶକ୍ତି, ଦାମ୍ଭିକତାର ପ୍ରମାଣ ପାଇଥିବ। ନେତା-ସାଧାରଣ ଲୋକଙ୍କ ଭିତରେ କେମିତି ନିଜକୁ ଜଣେ କରିଦେଇପାରେ, ବିଜୁ ବାବୁଙ୍କ ବକ୍ତବ୍ୟ ଓ ତାଙ୍କ ହଁରେ ସମସ୍ତଙ୍କ ହଁ ….ଏକ ଉଦାହରଣ ମାତ୍ର।

ଏପଟେ ବିଜୁ ବାବୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍କ କମିଟି ଗଠନ କରାଗଲା। ଗଜପତି ମହାରାଜା ନଭେମ୍ବର ୨୧ ତାରିଖରେ ସାମ୍ବାଦିକ ସମ୍ମିଳନୀ କଲେ ଓ ଶେଷରେ ଅଦିନରେ ମହାପ୍ରଭୁଙ୍କୁ ରତ୍ନସିଂହାସନ ଛାଡିବାକୁ ପଡିଲା। ଅସ୍ଥାୟୀ ରତ୍ନ ସିଂହାସନ ତିଆରି ହେଲା ଓ ନଭେମ୍ବର ୨୯ ତାରିଖ ଦିନ ଦଇତାପତିମାନେ ମହାପ୍ରଭୁଙ୍କୁ ଏହି ଅସ୍ଥାୟୀ ସିଂହାସନକୁ ବିଜେ କରାଇଥିଲେ। ୧୯୯୩ ମସିହା ଏପ୍ରିଲ ୧୩ ତାରିଖ ଦିନ ପୁରୀ ନିର୍ମାଣ ନିବାସ ଠାରେ ବିଜୁ ବାବୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମୁଦାୟ ସ୍ଥିତି ସମୀକ୍ଷା କଲେ। ଜୁନ ୨ ତାରିଖରେ ସେହିଠାରେ ହିଁ କୁହାଗଲା ଯେ ମହାପ୍ରଭୁଙ୍କ ଗର୍ଭୃହର ମରାମତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଯାଇ ପ୍ରଥମେ ଗର୍ଭଗୃହ ପରିଦର୍ଶନ କରିଥିଲେ। ଆଉ ପରେ ୧୯୯୩ ମସିହା ଜୁନ୍ ୪ ତାରିଖରେ ବିଳମ୍ବିତ ରାତ୍ରିରେ ଶ୍ରୀଜିଉମାନେ ସ୍ନାନମଣ୍ଡପରୁ ଅଣସର ଘରକୁ ଗଲେ ଏବଂ ରଥଯାତ୍ରା ପରେ ଅର୍ଥାତ୍ ଦୀର୍ଘ ୭ମାସ ୭ଦିନର ବ୍ୟବଧାନ ପରେ ମହାପ୍ରଭୁ ଗର୍ଭଗୃହକୁ ଫେରିଲେ।

ସେଦିନ ଓଡ଼ିଶାର ପ୍ରତି ପ୍ରାଣର ନିଶ୍ବାସ, ବିଶ୍ବାସ ବୋଲି କୁହାଯାଉଥିବା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରତି ବିପଦ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁଭଳି ଭାବେ ସାଧାରଣ ଲୋକଙ୍କୁ ବିଶ୍ବାସକୁ ନେଇଥିଲେ, ତାହା ସବୁଦିନ ଓଡ଼ିଶାରେ ଉଦାହରଣ ହୋଇ ରହିବ। ଆଜି କରୋନା ଭଳି ଏକ ମାରାତ୍ମକ ଭୁତାଣୁ ପ୍ରତି ଲୋକଙ୍କ ନିଶ୍ବାସ ଓ ବିଶ୍ବାସକୁ ବିପଦକୁ ଟାଣି ନେଇଯାଇଛି। ପ୍ରତ୍ୟକ୍ଷ ଭାବେ ଲୋକଙ୍କ ନିକଟକୁ ନ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଅନୁରୂପ ଢଙ୍ଗରେ ସମସ୍ତ ଭିତରେ ଭରସା ଦେବା ଲାଗି ଗୋଟିଏ ପରେ ଗୋଟିଏ ବାର୍ତା ଜାରି କରି ଚାଲିଛନ୍ତି। କେତେବେଳେ ହାଡଫୁଟି ଓ ମା’ ମାନଙ୍କ କାହାଣୀ, ଆଉ କେବେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ମଧ୍ୟରେ ବ୍ୟବସ୍ଥା ପ୍ରତି ବିଶ୍ବାସ ବଢାଇବା ଲାଗି ଆହ୍ବାନ ଦେଇ ଚାଲିଛନ୍ତି ନବୀନ ଓ ତାଙ୍କ ଟିମ୍।

ଫରକ ଏତିକି, ସେତେବେଳେ ବିଜୁ ବାବୁଙ୍କ ସହିତ ଦକ୍ଷ ରାଜନେତା ଥିଲେ, କମ୍ ଅଫିସର ଥିଲେ। ଏବେ କିନ୍ତୁ ନବୀନଙ୍କ କାମକୁ ବାବୁମାନେ ଅତି ଦାୟିତ୍ବସଂପନ୍ନ ଢଙ୍ଗରେ ଆଗକୁ ନେଉଛନ୍ତି, ନେତାମାନେ ତାଙ୍କ ସହିତ ପାଦ ମିଳାଇପାରୁନାହାନ୍ତି।

Leave A Reply

Your email address will not be published.