ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଧାୟକଙ୍କର ବଢିଲା, ସାଂସଦଙ୍କର କମିଲା

0
  • ସାଂସଦ ପାଣ୍ଠି ବନ୍ଦ ପରେ ନିର୍ବାଚନମଣ୍ଡଳୀରେ ଅଲୋଡ଼ା ହେବେ କି ସାଂସଦ
  • ବିଧାୟକଙ୍କ ପାଣ୍ଠି ୩କୋଟି ହୋଇଛି, ଏବେ ସବୁଠି ଲୋକେ ତାଙ୍କୁ ଖୋଜିବେ
  • ୨ବର୍ଷରେ ଓଡ଼ିଶା ହରାଇବ ୩୧୦ କୋଟି, ଏଅର୍ଥ ଭରଣା ନିଷ୍ପତ୍ତି ନୋହିଲା
  • ସାଂସଦ ପାଣ୍ଠି ବନ୍ଦ ନିଷ୍ପତ୍ତିରେ ବିଜେପିର କ୍ଷତି ଅଧିକ, ବିଜେଡିର କମ୍
  • ବିଧାୟକ ପାଣ୍ଠି ବନ୍ଦ ଲାଗି ଦାବି କରୁଥିଲା ବିଜେପି, ଶୁଣିଲାନି ବିଜେଡି
  • ଏବେ ପତିଆରା ପାଇଁ ସବୁଥିରେ ମୁଣ୍ଡ ପୂରାଇବେ ସାଂସଦ, ବିବାଦ ବଢି଼ବ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମପିଲାଡ୍) ଅର୍ଥକୁ ୨ ବର୍ଷପାଇଁ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଏବେ ସାଂସଦମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜ ନିଜ ନିର୍ବାଚନମଣ୍ଡଳୀରେ ସାଂସଦମାନଙ୍କ ପ୍ରାଧାନ୍ୟ ଏବେ ଯଥେଷ୍ଟ କମିଯିବାର ଆଶଙ୍କା ପ୍ରକାଶ ପାଇଛି। ଏମିତିରେ ବି ସାଂସଦମାନେ କମ୍ ଲୋଡ଼ା ପଡୁଥିଲେ।ଏବେ କିନ୍ତୁ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇପାରେ। ଏହାଦ୍ବାରା ଓଡ଼ିଶା ଭଳି ରାଜ୍ୟ ମଧ୍ୟ ଏକ ବଡ଼ ପରିମାଣର ଅର୍ଥ ହରାଇଛନ୍ତି।

ଜଣେ ଜଣେ ଲୋକସଭା ସାଂସଦଙ୍କୁ ନିଜ ଅଞ୍ଚଳର ବିକାଶ ପାଇଁ ବର୍ଷକୁ ୫କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ସେତିକି ମିଳୁଥିଲା। ଲୋକସଭା ସାଂସଦ କେବଳ ନିଜ ନିର୍ବାଚନମଣ୍ଡଳୀରେ କିନ୍ତୁ ରାଜ୍ୟସଭା ସାଂସଦ ଏକାଧିକ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ବ୍ୟବସ୍ଥା ଥିଲା। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ଥିତି ଓ ଆବଶ୍ୟକତା ଅନୁଭବ କରି ସେମାନେ କେବଳ ଜିଲ୍ଲାପାଳମାନଙ୍କୁ ଲେଖିଦେଲେ, ଏହି ପାଣ୍ଠି ଖର୍ଚ୍ଚ କରିବାର (କେଉଁ କେଉଁ ପ୍ରକଳ୍ପ ପାଇଁ ଅର୍ଥ ଦେଇପାରିବେ, ତାହା ଧାର୍ଯ୍ୟ ହୋଇଛି) ବାଟ ଫିଟିଯାଏ।

ସଂପ୍ରତି କେନ୍ଦ୍ର ସରକାର ଏହି ପାଣ୍ଠି ବନ୍ଦ କରିଦେବା ପରେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ସାଂସଦମାନଙ୍କୁ ଟଙ୍କାଟିଏ ନିଜ ଅଞ୍ଚଳର ଲୋକଙ୍କ ପୂରଣ ପାଇଁ ଦେବାର ସାମର୍ଥ୍ୟ ନାହିଁ। ଗାଁ ଗଣ୍ଡାରେ ଯେତେବେଳେ ଛୋଟ ମୋଟ ଉତ୍ସବ ହୁଏ, କୌଣସି ମେଳା ମହୋତ୍ସବ ହୁଏ ଅଥବା ବିପତ୍ତି ପଡେ ତା ଆଳରେ ଲୋକମାନେ ସାଂସଦମାନଙ୍କୁ ଅତିଥି ଭାବେ ଡାକି ସେମାନଙ୍କର ଦାବି ପତ୍ର ଧରାଇଥାନ୍ତି। କିଛି କ୍ଷେତ୍ରରେ ସାଂସଦ ସଭା ବା ଉତ୍ସବକୁ ଯିବା ପୂର୍ବରୁ ବା ମଞ୍ଚ ଉପରେ ଲୋକଙ୍କ ଦାବି ପୂରଣ କରି କରତାଳି ଗୋଟାଇବାର ନଜିର ବି ରହିଛି। ଏହା ଲୋକସଭା ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ପତିଆରା ବି ବଢାଇଥାଏ। ସେମାନଙ୍କ ପ୍ରତିନିଧି ବିଧାୟକ ଭଳି ଆଚରଣ କରିଥାନ୍ତି।

ଏବେ କିନ୍ତୁ କେନ୍ଦ୍ରର ନିଷ୍ପତ୍ତି ପରେ ଲୋକେ ଆଉ କାହିଁକି ସାଂସଦଙ୍କୁ ଖୋଜିବେ? ରାଜ୍ଯସଭା ସାଂସଦଙ୍କ କ୍ଷେତ୍ରରେ ତ ସ୍ଥିତି ଆହୁରି ସଙ୍ଗିନ୍।ଲୋକସଭା ସାଂସଦ ନିଜ ଅଞ୍ଚଳର ବହୁ ନିଷ୍ପତ୍ତି ସହିତ ଯୋଡି ହୋଇରହିଛନ୍ତି। ଏଣୁ ତାଙ୍କୁ ନେଇ ସେ ଅଞ୍ଚଳର ବିକାଶ ହେବ। ସେ କ୍ଷେତ୍ରରେ ତାଙ୍କୁ ଖୋଜା ପଡିପାରେ। ହେଲେ ରାଜ୍ୟସଭା ସାଂସଦଙ୍କ କ୍ଷେତ୍ରରେ ସେ ସୁଯୋଗ ବି ନାହିଁ। ଏହା କେଉଁଠି ନା କେଉଁଠି ବିଧାୟକମାନଙ୍କ ପତିଆରା ବଢାଇବାରେ ସାହାଯ୍ୟ କରିବ।

ଓଡ଼ିଶାରେ କ୍ବଚିତ୍ ଆସନରେ ଲୋକସଭା ସାଂସଦ-ବିଧାୟକଙ୍କ ମଧ୍ୟରେ ସମନ୍ବୟ ରହେ। ଗୋଟିଏ ଦଳର ହୋଇଥିଲେ ବି ଦୁଇଟି ଗୋଷ୍ଠା କରି ସେମାନେ ସବୁବେଳେ ମୁହାଁମୁହିଁ ହୋଇଥାନ୍ତି। ଏଥିପାଇଁ ସାଧାରଣ ନିର୍ବାଚନ ବେଳେ ଦଳକୁ ଏକ ବଡ଼ ସମସ୍ୟା ସାମ୍ନା କରିବାକୁ ପଡୁଥିଲା। କିଛି ସାଂସଦ ନିଜସ୍ବ ଏଜେନ୍ସି ବା କର୍ମୀଙ୍କ ପରାମର୍ଶ ଅନୁସାରେ ଅର୍ଥ ଦେଉଥିଲେ। ସେ କ୍ଷେତ୍ରରେ ବିଧାୟକମାନେ ବି ତାଙ୍କ କର୍ମୀଙ୍କ ପରାମର୍ଶକୁ ଗୁରୁତ୍ବ ଦେଉଥିଲେ। ବର୍ତମାନ ଏମଏଲଏ ଲାଡ୍ ବଳବତ୍ତର ରହିଛି। ଏଣୁ ସାଂସଦଙ୍କ ସହିତ ଥିବା ଗୋଷ୍ଠୀ ଉପେକ୍ଷିତ ହେବେ ବା ନିଷ୍ପତ୍ତି ବଦଳାଇ ବିଧାୟକଙ୍କ କଡ଼କୁ ଆଉଜିବାର ସମ୍ଭାବନା ରହିଛି। ଏଭଳିସ୍ଥଳେ ସାଂସଦ ନିଜ ପତିଆରା ବଢାଇବା ପାଇଁ ପ୍ରତି ବିକାଶ କାର୍ଯ୍ୟରେ ମୁଣ୍ଡ ପୂରାଇପାରନ୍ତି। ଏହା ଏକ ନୂଆ ବିବାଦ ଭାବେ ଛିଡ଼ା କରାଇବ ଓ ପୂର୍ବାପେକ୍ଷା ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିପାରେ।

ଏହା ଆହୁରି ଉତ୍କଟ ହେବାର କାରଣ ହେଉଛି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପାଣ୍ଠିକୁ ୩ କୋଟି ଟଙ୍କାକୁ ବଢାଇଛନ୍ତି। ତାହା ଚଳିତବର୍ଷ ଠାରୁ ଲାଗୁ ହୋଇଛି। ଏଥିପାଇଁ ବଜେଟରେ ୪୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରୁ ୨କୋଟି ସାଧାରଣ ବିକାଶ ଓ ୫୦ଲକ୍ଷ ଟଙ୍କା କଲେଜ ଆଦି ପାଇଁ ଖର୍ଚ୍ଚ କଥା ବିଧାୟକମାନଙ୍କୁ କୁହାଯାଇଛି। ଏଣୁ ବିଧାୟକମାନଙ୍କ ପତିଆରା ନିଜ ନିର୍ବାଚନମଣ୍ଡଳୀରେ ବଢିବ ହିଁ ବଢିବ।

ଓଡ଼ିଶା ବିଧାନସଭାରେ ଏବେ ଶାସକ (ବିଜେଡି) ଦଳର ୧୧୩ ଜଣ ବିଧାୟକ ଅଛନ୍ତି। ବିଜେପିର ୨୩ ଜଣ ଓ କଂଗ୍ରେସର ୯ ଜଣ ସଦସ୍ୟ। ବାକି ଜଣେ ବାମଦଳର ଓ ଅନ୍ୟ ଜଣେ ସ୍ବାଧୀନ। ହେଲେ ୨୧ ଲୋକସଭା ଆସନ ମଧ୍ୟରୁ ୮ଜଣ ବିଜେପି ସାଂସଦ ଅଛନ୍ତି ଓ ରାଜ୍ୟସଭାରେ ଦଳର ଜଣେ ଅଛନ୍ତି। ଲୋକସଭାରେ ଜଣେ ମାତ୍ର କଂଗ୍ରେସ ସାଂସଦ ଅଛନ୍ତି। ରାଜ୍ୟସଭାରେ କେହି ପ୍ରତିନିଧି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଦାବି କରିଥିଲା ଯେ ବିଧାୟକ ପାଣ୍ଠି ଅର୍ଥ ବି ବନ୍ଦ କରାଯାଉ। କାରଣ କେନ୍ଦ୍ର ପାଣ୍ଠି ବନ୍ଦ କରିବା ଓ ରାଜ୍ୟ ପାଣ୍ଠି ବଢାଇବା ନିଷ୍ପତ୍ତି ଦ୍ବାରା ବିଜେପି ବେଶୀ କ୍ଷତିରେ ପଡିବ। ଦଳର ସାଂସଦମାନଙ୍କ ନିଜ ନିଜ ଅଞ୍ଚଳରେ ପତିଆରା କମିବ। ଭୁବନେଶ୍ବର, ବରଗଡ଼ ଭଳି କ୍ଷେତ୍ରରେ ତ ସ୍ଥିତି ଆହୁରି ସଙ୍ଗୀନ। କାରଣ ଏସବୁ ଆସନରେ ଦଳର କେହି ବିଧାୟକ ନାହାନ୍ତି।ଏଣୁ ବିଜେଡି ରାଜନୈତିକ ନିଷ୍ପତ୍ତି କ୍ରମେ ଏଥିରେ କର୍ଣ୍ଣପାତ କରିନଥିଲା। ଅର୍ଥାତ୍ କେନ୍ଦ୍ରର ପାଣ୍ଠି ବନ୍ଦ ନିଷ୍ପତ୍ତିକୁ ଆଳ କରି ବିଜେପିର ଗତିରୋଧ କରିବା ଲାଗି ବାଟ ଖୋଲିଦେଇଛି ବିଜେଡି।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ଭଳି ରାଜ୍ୟ କ୍ଷେତ୍ରରେ ମୋଟ ଲୋକସଭା ଓ ରାଜ୍ୟସଭା ସାଂସଦ ମିଶି ୩୧। ଏମାନଙ୍କ ମାଧ୍ୟମରେ ବର୍ଷକୁ ୧୫୫କୋଟି ଟଙ୍କା ରାଜ୍ୟରେ ଖର୍ଚ୍ଚ ହୋଇଥାନ୍ତା। ଓଡ଼ିଶା ୨ବର୍ଷରେ ୩୧୦ କୋଟି ଟଙ୍କା ହରାଇଲା।କେବଳ ସେତିକି ନୁହେଁ, ଏହି ଅର୍ଥରେ ଯେଉଁ ସବୁ କାମ ହେଉଥିଲା, ଏବେ ତାହା କେଉଁଭଳି ପୂରଣ ହେବ? ତାର ବିକଳ୍ପ ସୂତ୍ର ନିର୍ଣ୍ଣୟ ହୋଇନାହିଁ। କେନ୍ଦ୍ର ଚୁପ୍ , ରାଜ୍ୟ ସରକାର ବି ମୁହଁ ଖୋଲିନାହାନ୍ତି।

Leave A Reply

Your email address will not be published.