- ସବୁ ଦଳର ତୁଙ୍ଗ ନେତା ନିରବ, ପ୍ରଶଂସା ଦିଆନିଆରେ ବ୍ୟସ୍ତ ରାଜ୍ୟ-କେନ୍ଦ୍ର ସରକାର
- ବିରୋଧୀ କାହା ପାଖରେ ଉତ୍ତରଦାୟୀ, ରାଜ୍ୟ ସରକାର ନା ଲୋକଙ୍କପାଖରେ
- କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ରାଜ୍ୟ ସବୁକଥାରେ ନିରବ ରହିବେ କାହିଁକି?
- କଂଗ୍ରେସ ହାରୁଛି ବୋଲି ଲୋକଙ୍କ ସୁଖ ଦୁଃଖରେ ନ ରହେ, ତେବେ ଜିତିଲେ କଣ କରିବେ?
- ବିରୋଧୀ ଦାୟିତ୍ବ ନ ତୁଲାଇଲେ, ଶାସନରେ ନେତା ଓ ବାବୁ ନ ସହିଲେ କେବଳ ବିପର୍ଯ୍ୟୟ
ଭୁବନେଶ୍ବର: ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ସରକାରଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ। ବହୁତ ବଡ଼ ବଡ଼ ଦାର୍ଶନିକ କହିଛନ୍ତି, ସମାଲୋଚନା ସାବୁନ ଭଳି। ଏହା ବ୍ୟକ୍ତିକୁ ନିର୍ମଳ ରଖିବାରେ ସାହାଯ୍ୟ କରେ। ବିନା ସମାଲୋଚନା ଓ ବିରୋଧୀରେ ଯେ କୌଣସି ସଫଳ ବ୍ୟକ୍ତି ଅହଂକାରୀ, ଆତ୍ମଗର୍ବୀ, ସ୍ବେଚ୍ଛାଚାରୀ ହେବାର ନଜିର ପୁରାଣ ଇତିହାସରେ ଅନେକ ସ୍ଥାନରେ କୁହାଯାଇଛି।
କରୋନା ସହିତ ଦେଶ ଲଢେଇ ଜାରି ରଖିଥିବା ବେଳେ ଏଭଳି କଥା କି ମୂଲ୍ୟ ରଖେ? ଯେ କୌଣସି ପାଠକଙ୍କ ମନକୁ ଏମିତି ଭାବନା ଆସୁଥିବ। ହେଲେ ରାଜନୈତିକ ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ,ବିଜ୍ଞ ବ୍ୟକ୍ତି ଅର୍ଥାତ୍ ବୁଦ୍ଧିଜୀବୀ ଏହି ପ୍ରସଙ୍ଗ ଉପରେ ଘମାଘୋଟ ଆଲୋଚନା ଚଳାଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ କିଏ କେଉଁଠି ତ୍ରୁଟି କରୁଛି, ଜୀବନ ଜୀବିକାକୁ ନେଇ ସମଗ୍ର ମାନବ ସମାଜ ଏବେ ଲଢେଇ ଜାରି ରଖିଥିବା ବେଳେ ସେଥିରେ ସୁଧାର ଆଣିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ସେ କ୍ଷେତ୍ରରେ ଆଉ କଣ କରାଯାଇପାରିବ? ସର୍ବୋପରି କାହାକୁ ଅଧିକ ଗୁରୁତ୍ବ ଦିଆଯିବା ଦରକାର, ଆଉ କାହାକୁ କମ୍ ଏବଂ କଣ ନିହାତି ଆବଶ୍ୟକ ଏବଂ ଆଉ କିଛି କଥା ବିଳମ୍ବରେ କଲେ ଅସୁବିଧା ନାହିଁ,ଏତିକି ଯଦି କୁହାନଯିବ, ତେବେ ଗଣତନ୍ତ୍ରର ସଂଜ୍ଞା ବଦଳାଇବାକୁ ପଡିବ। ସେସବୁ ରାଜନୈତିକ ବ୍ୟକ୍ତି ସମାଜର ହିତ ପାଇଁ କମ୍, ବରଂ ନିଜ ସ୍ବାର୍ଥ ପାଇଁ ଅଧିକ ଯତ୍ନଶୀଳ ବୋଲି ବୁଝିବାକୁ ହେବ ବୋଲି ଏମାନଙ୍କର ମତ।
ସଂପ୍ରତି କରୋନା ମୁକାବିଲା ବେଳେ ରାଜ୍ୟର ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିଙ୍କ ଆଚରଣ ଓ ଉଚ୍ଚାରଣ ଅନେକ ସଙ୍କେତ ଦେଲାଣି। ପ୍ରଦେଶ କଂଗ୍ରେସ ସଭାପତି, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଗଣମାଧ୍ୟମରେ ପ୍ରତିଦିନ କିଛି ନା କିଛି ବାର୍ତା ଦେଉଛନ୍ତି। ଏମାନଙ୍କୁ ବାଦ୍ ଦେଇ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି (ଭାଲୁ) ଓ ବିଜେପି ନେତା ଶାରଦା ପ୍ରଧାନ (ବୁଲୁ) କେବଳ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ଅନ୍ୟମାନଙ୍କ ମୁହଁରେ ତୁଣ୍ଡି କାହିଁକି? କେତେବେଳେ ଆଉ କହିବେ? ଓଡ଼ିଶାରେ ଲୋକମାନେ କ୍ଷୁଦାରେ ଡହଳବିକଳ ହୋଇ ପ୍ରାଣ ହରାଇଲେ ଏମାନଙ୍କ ମୁହଁ ଫିଟିବ? କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଓଡ଼ିଶାର ଗରିବ ଖଟିଖିଆ ନ ପାଇଲେ, ଏମାନଙ୍କର କର୍ତବ୍ୟ କିଛି ନାହିଁ? ସର୍ବୋପରି ରାଜ୍ୟସରକାର ଯେତେ ସବୁ ଭଲ ପଦକ୍ଷେପ ନେଇଛନ୍ତି, (୧୦୦୦ ଟଙ୍କାର ସ୍ବତନ୍ତ୍ର ସହାୟତା ଠାରୁ ଆରମ୍ଭ କରି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରଯାଏ) ତାହାକୁ ଯଦି କିଛି ସ୍ବାର୍ଥନ୍ବେଷୀ ବ୍ୟକ୍ତି ବାଟବଣା କରିବାକୁ ଚେଷ୍ଟା କରନ୍ତି,ତାଙ୍କୁ ଧରିବାନି? ସର୍ବୋପରି ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ଫନି ସହାୟତା ପ୍ରଦାନ ପର୍ଯ୍ୟନ୍ତ ଯେତେ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିଛନ୍ତି,ତାହା ଯଦି ଉପଯୁକ୍ତ ଲୋକଙ୍କ ପାଖରେ ନ ପହଞ୍ଚେ, ଏବେ ନିରବ ବା ପ୍ରଶଂସା କରୁଥିବା ନେତା ଉତ୍ତରଦାୟୀ ହେବେନି?
ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। କେନ୍ଦ୍ର-ରାଜ୍ୟର ଘନିଷ୍ଠତା ଭିତରେ ସମାଲୋଚନା ଯେ ରହିବ ନାହିଁ, ଏକଥା ଯଦି ସର୍ତ ଥାଏ, ତେବେ ଏହି ସଂପର୍କ ରାଜ୍ୟବାସୀଙ୍କ ବିରୋଧରେ ଯାଉଛି ବୋଲି କୁହାଯିବ। କେନ୍ଦ୍ର-ରାଜ୍ୟ ସଂପର୍କ ଭିତରେ ଯଦି ସକାରାତ୍ମକ ଆଲୋଚନା ଲାଗି କୌଣସି ସୁଯୋଗ ନାହିଁ,ତେବେ ଏ ସଂପର୍କ ତୁଟିଯିବାରେ ରାଜ୍ୟର ଲାଭ ଅଧିକ। ବିରୋଧୀ କଂଗ୍ରେସ ଦଳର ନେତାମାନେ ଯଦି ଭୋଟ ପାଉନାହାନ୍ତି ବା ନିର୍ବାଚନ ବାରମ୍ବାର ହାରୁଛନ୍ତି ବୋଲି ସବୁ ଭୁଲ କାମକୁ ପ୍ରଶୟ ଦିଅନ୍ତି, ତେବେ ସେମାନେ କ୍ଷମତାକୁ ଏବେ କଣ କେବେ ବି ଆସିବାର ଆବଶ୍ୟକତା ନାହିଁ। ଏଭଳି ମତ ଏବେ ଗାଁ ଗଣ୍ଡାରୁ ଉଠିଲାଣି।
ନିର୍ବାଚନ ପରବର୍ତୀ ପରିସ୍ଥିତିରେ କେନ୍ଦ୍ର-ରାଜ୍ୟ ସଂପର୍କରେ ଅନେକ ସୁଧାର ଆସିଛି। କେନ୍ଦ୍ର ସରକାର ଓଡ଼ିଶାକୁ ସହାୟତାର ହାତ ବଢାଇଛନ୍ତି। ରାଜ୍ୟ ସରକାର ବି କିଛି କମ୍ ସହଯୋଗ କରିନାହାନ୍ତି। ହେଲେ ଏମିତି ହେଲା ବୋଲି କୌଣସି ଭୁଲ କଥାରେ ଉଭୟ ସରକାରରେ ଥିବା ରାଜନୈତିକ ଦଳ ନିରବ ରହିବେ, ଏହା କେଉଁ ବହିର ପାଠ? କେନ୍ଦ୍ର ସରକାରଙ୍କ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ପ୍ରଶଂସା କରିଛନ୍ତି। ଏହାର କାର୍ଯ୍ୟାନ୍ବୟନ ଦିଗରେ ରାଜ୍ୟସରକାରଙ୍କୁ କେତେ ସହଯୋଗ କରାଯାଇପାରିବ, ସେ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିବା ପରିବର୍ତେ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନବୀନଙ୍କ ଟ୍ବିଟ୍ ପାଇଁ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଇଏ କି ରାଜନୀତି?
ସେହିଭଳି ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ ଯେଉଁମାନେ ବାଧକ ସାଜିଛନ୍ତି,ତାଙ୍କ ସଂପର୍କରେ ରାଜ୍ୟ ବିଜେପି ଓ କଂଗ୍ରେସର ତୁଙ୍ଗ ନେତା ଯଦି ନିରବ ରହନ୍ତି, ଏଭଳି ବ୍ୟକ୍ତିଙ୍କ ହାତରେ ସେ ଦଳ ଓ ଭବିଷ୍ୟତରେ ରାଜ୍ୟ କେତେ ସୁରକ୍ଷିତ ତାହା ଏକ ବଡ଼ ବିତର୍କର ଅବକାଶ ଜୁଟାଏ। ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ ବର୍ଷ ବର୍ଷ ଧରି କର୍ମଚାରୀ ମାସକ ଦରମା ପାଇପାରୁନଥିଲେ ଓ ଓଭରଡ୍ରାଫ୍ଟ ଏକ ନିୟମିତ ପ୍ରସଙ୍ଗ ଥିଲା, ଏବେ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟର ବଜେଟ୍ ଆକାର ବଢିଛି ଓ ବିକାଶ ଆଡକୁ ମାଡୁଛି। ଏହାକୁ ଅଳ୍ପ କିଛି କ୍ଷେତ୍ରର ଲୋକ ପୁଣି ଥରେ ବିଗାଡିଦେବେ ଓ ରାଜ୍ୟକୁ ବିପଜ୍ଜନକ ସ୍ଥିତିକୁ ଟାଣିନେବେ ଏବଂ ସମସ୍ତେ ନିରବ ରହିବେ, ଏହା କେଉଁ ରାଜନୀତି?
ଏବେ ବେଳ ଆସିଛି, ରାଜନେତାମାନେ ସକାରାତ୍ମକ ଆଲୋଚନା ଲାଗି ବାଟ ଖୋଲନ୍ତୁ। ସରକାର ନିଜ ଦଳର ନେତାଙ୍କୁ ଆଲୋଚନା ପରିସରକୁ ଆଣନ୍ତୁ ଓ ବିରୋଧୀ ଦଳର ନେତାଙ୍କୁ ବି। ବିରୋଧୀ ଦଳର ସମାଲୋଚନାକୁ ସ୍ବାଗତ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଗଣମାଧ୍ୟମର ଖବରକୁ ଏକ ଉତ୍ତମ ଦୃଷ୍ଟିକୋଣରେ ଗ୍ରହଣ କରି ବ୍ୟବସ୍ଥା ସଜାଡିବା ଲାଗି ଯତ୍ନବାନ ହେବା ସେତିକି ଅପରିହାର୍ଯ୍ୟ। ସେହିଭଳି ବିରୋଧୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାର ଅବକାଶ ନାହିଁ ବା ଏକ ସମାଧାନର ରାସ୍ତା ନୁହେଁ। କିନ୍ତୁ ଗଣମାଧ୍ୟମରେ ସକାରାତ୍ମକ ଦୃଷ୍ଟିକୋଣରେ ଆଲୋଚନା ବା ବିତର୍କ ପାଇଁ କ୍ଷେତ୍ର ପ୍ରସ୍ତୁତି କରିବା ବିରୋଧୀଙ୍କ ରାଜନୈତିକ ଫାଇଦା ଅପେକ୍ଷା ସରକାରଙ୍କ ପାଇଁ ବେଶୀ ଗୁରୁତ୍ବପୂର୍ଣ୍ଣ। ଏକଥା କଣ କହିବାକୁ ପଡିବ? ପରସ୍ପରକୁ ଯଦି ନେତା, ବାବୁ ଶୁଣିବାର ବା ସହିବାର ଶକ୍ତି ନ ରଖିବେ, ତେବେ ଆଗକୁ ଏହା ବିପଜ୍ଜନକ ସ୍ଥିତିକୁ ଟାଣିନେବ। ସେତେବେଳେ ଲୋକଙ୍କ ବିଶ୍ବାସ ହରାଇବେ ଓ ସବୁଦିନ ପାଇଁ ତେଜ୍ୟ ବା ନିନ୍ଦିତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।