- ସିନ୍ଧିଆଙ୍କ ପରେ ପାଇଲଟଙ୍କ ଗୋଟିଚାଳନା ନେଇ ଦେଶରେ କମ୍ପନ
- କିଏ ବିଜେପିକୁ ଦୋଷ ଦେଉଛନ୍ତି, ଆଉ କାହା ଆଙ୍ଗୁଠି ଯୁବନେତାଙ୍କୁ
- ନୀତି, ଆଦର୍ଶର ଜଳାଞ୍ଜଳି କଥା କହି ଅସଲ ଗଣିତକୁ ଦୂରେଇ ହେବନି
- ଯାହା ଇନ୍ଦିରା, ରାଜୀବ, ସୋନିଆ କଲେ, ରାହୁଲ ସେଥିରେ ବି ଫେଲ୍
ଭୁବନେଶ୍ବର: ପ୍ରଥମେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ତିନି ମାସ ଯାଇନି, ସଚିନ୍ ପାଇଲଟ୍ ଏବେ ଜାତୀୟ କଂଗ୍ରେସ ନେତୃତ୍ବକୁ ଅକଳରେ ପକାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ ସରକାର ହାତଛଡ଼ା ହେଲା ପରେ ଏବେ ରାଜସ୍ଥାନ ସରକାର ପ୍ରତି ସଙ୍କଟ ବଢିବାରେ ଲାଗିଛି।
ଉଭୟ ରାଜ୍ୟ ରାଜନୀତିରେ ହଟଚମଟ ପାଇଁ ଗୋଟିଏ ଗୋଷ୍ଠୀ କ୍ଷମତାଲିପସୁ ବିଜେପିକୁ ଆଖି ତରାଟି ଚାହୁଁଛନ୍ତି। ବିଜେପି ବେଦଖଳ କରି ରାତାରାତ ଶାସନଗାଦିରେ ବସିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟ ନୁହେଁ। କିନ୍ତୁ ପୂରା ଗ୍ରହଣ ବି କରାଯାଇପାରିବ ନାହିଁ। ସେହିଭଳି ଅନ୍ୟ ଗୋଟିଏ ଗୋଷ୍ଠୀ ଉଭୟ ସିନ୍ଧିଆ ଓ ପାଇଲଟଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ମଧ୍ୟ ଏହି ରୋଗର ଏକମାତ୍ର କାରଣ ନୁହେଁ।
ସମୁଦାୟ ଘଟଣାକୁ ନିରେଖି ଦେଖିଲେ,ଜଳ ଜଳ ଦିଶୁଛି ଯେ ଏହି ରୋଗଟି ପ୍ରତି ରାଜନୈତିକ ଦଳ ଓ ପ୍ରତି ରାଜ୍ୟକୁ ଅଳ୍ପ ବହୁତେ ଘାଣ୍ଟିଛି, ଘାଣ୍ଟୁଛି ଓ ଆଗକୁ ଆହୁରି ସଙ୍ଗିନ୍ ପରିସ୍ଥିତି ସୃଷ୍ଟି କରିବ। ଯେଉଁ ମୂଳ କଥାଟି ଏ କ୍ଷେତ୍ରରେ କୁହାଯାଉଛି, ତାହା ହେଲା, ରାଜନୀତିରେ ପିଢି ପରିବର୍ତନ। ଏଆଇସିସି ସୋନିଆ ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ସାମ୍ନାକୁ ଆଣିଲା। ହେଲେ ରାହୁଲ ନିଜ ସହଯୋଗୀ ଅର୍ଥାତ୍ ଯୁବ ଗୋଷ୍ଠୀକୁ ସାଙ୍ଗରେ ଧରି ଆସିବାରେ ସକ୍ଷମ ହୋଇପାରିଲେ ନାହିଁ।
ଯେଉଁ କଥାଟି ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ନଜରରେ ରଖି ଇନ୍ଦିରା ଗାନ୍ଧୀ କରିଥିଲେ (ନିଜସ୍ବ ଅନୁଗତ ସବୁ ରାଜ୍ୟରେ) , ରାଜୀବ ଗାନ୍ଧୀ ନିଜ ସହିତ ଅନେକ ସମକକ୍ଷ ରାଜନୈତିକ ଯୋଦ୍ଧାକୁ ଆଣିବାରେ ସକ୍ଷମ ହୋଇଥିଲେ ଓ ବର୍ତମାନର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବି ଅଳ୍ପବହୁତେ ନିଜର କୋଟେରି ସୃଷ୍ଟି କରି ଦଳକୁ ଆୟତ୍ତ କରିଥିଲେ, ସେଥିରେ ରାହୁଲ ବିଫଳ ହୋଇଛନ୍ତି।
ଏକଥା ନୁହେଁ ଯେ ସେ ଉଦ୍ୟମ କରିନାହାନ୍ତି। ସଚିନ୍ ପାଇଲଟଙ୍କୁ ରାହୁଲ ରାଜସ୍ଥାନ ଦାୟିତ୍ବ ଦେଇଥିଲେ ଓ ପାଇଲଟ୍ ସଫଳ ହୋଇଥିଲେ। କିନ୍ତୁ ଯେଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦବି ବହୁତ ଦୂର ବୋଲି ଚିତ୍ରିତ କରାଯାଇଥିଲା, ସେମିତି ଦଳର ଅତ୍ୟନ୍ତ କ୍ଷମତାଶାଳୀ ବରିଷ୍ଠ ଗୋଷ୍ଟୀ ରାହୁଲଙ୍କ ପ୍ରତି କାଳେ କୌଣସି ବିପଦ ହେବ ବୋଲି ଆଶଙ୍କା କରି ସଚିନ୍ ପାଇଲଟଙ୍କ ଭଳି ଯୁବ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ରାଜସ୍ଥାନରେ ଦୂରେଇ ଦେଇଥିଲେ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ବି ଏହି ଅନୁଗତ ନେତାମାନେ ବର୍ଷେ ଅନ୍ତରରେ ତାଙ୍କୁ ପୁଣି ଥରେ ଶୀର୍ଷ ଆସନରେ ବସାଇବାକୁ ପାଗ ଭିଡିଲେଣି। ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ରାହୁଲ ଗାନ୍ଧୀ ବିଫଳ ହେବା ପରେ ବି ଯଦି ତାଙ୍କୁ ଆଉଥରେ କ୍ଷମତା ଦେବା ପାଇଁ ନେତାମାନେ ଅଣ୍ଟା ଭିଡ଼ୁଛନ୍ତି, ସେଠି ଦଳର ଅନ୍ୟ ସଫଳ ଯୁବ ଗୋଷ୍ଠୀକୁ ସାମ୍ନାକୁ ଆଣିବା ଲାଗି ଶୀର୍ଷ ନେତୃତ୍ବ କୁନ୍ଥକୁନ୍ଥ କାହିଁକି। କାଳେ ଏହି ଯୁବ ନେତୃତ୍ବ ରାହୁଲଙ୍କ ପ୍ରତି କଣ୍ଟା ସାଜିବେ ସେଥିପାଇଁ ସିନ୍ଧିଆ, ପାଇଲଟ, ଆଗାଥା ସାଙ୍ଗମା କିମ୍ବା ମିଲିନ୍ଦ ଦେଓରା ପ୍ରମୁଖଙ୍କୁ ସାମ୍ନାକୁ ଆଣିବାକୁ ଦିଆଯାଉନି କି?
ଆଜି ବି କଂଗ୍ରେସରେ ଯୁବ ଗୋଷ୍ଠୀ ଅପେକ୍ଷା ଅହମ୍ମଦ ପଟେଲ୍, ଦିଗବିଜୟ ସିଂ, କମଳନାଥ ପ୍ରମୁଖଙ୍କ ଦବଦବା ରହିଛି। କଂଗ୍ରେସ ଶୀର୍ଷ ନେତୃତ୍ବ ଏବେ ଯୁବ ଗୋଷ୍ଠୀକୁ ସାମ୍ନାକୁ ଆଣି ବିଜେପି ସହିତ ମୁହାଁମୁହିଁ କଲେ ଯାଇ ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ହେଲେ ତାହା ଯେତେବେଳେ ସମ୍ଭବ ନୁହେଁ, ଯୁବ ଗୋଷ୍ଠୀ ଏଠାରୁ ଦୂରେଇବାରେ ବେଶୀ କିଛି ବିସ୍ମିତ ହେବାର ନାହିଁ। ଏମିତିରେ ବି ଆଉ ସେଭଳି ଆଦର୍ଶବାଦୀ ବା ନୀତିବାଦି ନେତାନାହାନ୍ତି, ଯିଏ କି ସବୁକିଛି ତ୍ୟାଗ କରି ରାଜନୀତି କରୁଛନ୍ତି ବା ମରିଯିବେ ପଛେ ଆଦର୍ଶକୁ ତ୍ୟାଗ କରିବେ ନାହିଁ।
ଆଜି କଂଗ୍ରେସରେ ଯେଉଁ ପରିସ୍ଥିତି ହୋଇଛି, ଆଗକୁ ଅଧିକାଂଶ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ସେହି ରୋଗରେ ସଂକ୍ରମିତ ହେବେ। ୧୦ବର୍ଷ ସମୟ ମିଳିଲା ବୋଲି ବିଜେପି ନେତୃତ୍ବ ଅଟଳ ବିହାରୀ ବାଜପେୟୀଙ୍କ ସ୍ଥାନରେ ସଫଳତାର ସହିତ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାକୁ ଆଣିପାରିଲେ। ମୁଲାୟମ ସିଂହ ଚତୁରତାର ସହିତ ପିଢ଼ୀ ପରିବର୍ତନ କରିବାରେ ସକ୍ଷମ ହେଲେ।
ଓଡ଼ିଶାରେ ଜନତାଦଳ ଭାଙ୍ଗିଲା ଓ ବିଜୁ ଜନତା ଦଳ ଗଠନ କରି ୩ ବର୍ଷ ମଧ୍ୟରେ ରାଜ୍ୟ ନେତାମାନେ ବିଜୁଙ୍କ ପରପିଢୀଙ୍କୁ କ୍ଷମତାକୁ ଆଣିବାରେ ସକ୍ଷମ ହେଲେ ଓ ରାଜନୀତିରେ ଅତ୍ୟନ୍ତ ଧୁରୀଣ ହୋଇଥିବା କାରଣରୁ ନବୀନ ବିଜୁ ଲିଗାସିକୁ ପ୍ରଥମ ଦିନରୁ ଯଥା ସମ୍ଭବ ଆୟତ୍ତରେ ରଖି ନିଜର ନେତା ବାଛିଲେ। ନିଜ ଠାରୁ ୨୦କୁ ୪୦ ବର୍ଷ ପର୍ଯ୍ୟନ୍ତ କମ୍ ବୟସ୍କ ଯୁବକଙ୍କୁ ସାମ୍ନାକୁ ଆଣି ନବୀନ ଏମିତି ଟିମ୍ ଗଠନ କଲେ ଯେ ଯୁବ ଗୋଷ୍ଠୀ ବିଜେପିକୁ ବି ତୁଚ୍ଚ ମନେକଲେ, ଯଦିଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଯୁବ ନେତା ଏହି ଦଳର ନେତୃତ୍ବ ନେଉଛନ୍ତି। ବରିଷ୍ଠଙ୍କୁ ଧରି ଏଭଳି ଗୋଟିଚାଳନା କଲେ ଯେ ଅନ୍ୟ ସମବୟସ୍କ ବରିଷ୍ଠମାନେ ପ୍ରତିପକ୍ଷ ଦଳ ଅପେକ୍ଷା ବିଜେଡି ସୁରକ୍ଷିତ ବୋଲି ଭାବିଲେ। ବୟସ୍କଙ୍କକୁ ନିଜ ଉତ୍ତରପିଢିକୁ ସୁଯୋଗ ଦେବା ଲାଗି ନବୀନ ଯେଉଁ ରଣନୀତି କରିଛନ୍ତି, ତାହା ଅନ୍ୟ ଦଳ ସହଜରେ ଆପଣାଇବା ମୁସ୍କିଲ। ପରିଣାମ ହେଲା, ଓଡ଼ିଶାରେ ବିଜେଡି ୨୦ବର୍ଷ ଧରି ଶାସନରେ ରହିଛି। ଏଇଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଚାଳନା ଆଜି ବି ଅନେକଙ୍କ ପାଇଁ ମୁସ୍କିଲ ହୋଇରହିଛି।
ହେଲେ ଯେଉଁ ଗଣିତରେ ନବୀନ ସଫଳ ହେଲେ, ଦଳର କିଛି ତୁଙ୍ଗ ନେତା ବି; ସେହି ଗଣିତରେ ବିଜେଡିର ଅନେକ ନେତା ନିଜ ଭାଗ୍ୟକୁ ସଙ୍କୁଚିତ କରିଛନ୍ତି। ସେମାନେ ଅତି ସହଜରେ ନିଜ ଆସନରେ ଉତ୍ତାରିଧିକାରୀ ବସାଇ କ୍ଷମତା ଦେବା ସ୍ବପ୍ନ ହୋଇରହିବ। ଆହୁରି ସ୍ପଷ୍ଟ ଭାବେ କହିଲେ, ଯେଉଁ କୌଶଳ କରି ଓଡ଼ିଶାରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, କଳ୍ପତରୁ ଦାସ, ଅନଙ୍ଗ ଉଦୟ ସିଂହଦେଓ, ବିଜୟଶ୍ରୀ ରାଉତରାୟ, ଡାକ୍ତର ଦାମୋଦର ରାଉତ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ ନିଜର ପରପିଢୀକୁ ରାଜନୀତିର ପ୍ରମୁଖ ଧାଡିରେ ସ୍ଥାନୀତ କରିପାରିଲେ, ସେ କଥା ମହେଶ୍ବର ମହାନ୍ତି, ପ୍ରଦୀପ ମହାରଥୀ, ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖଙ୍କ ଲାଗି ଆଉ ସହଜସାଧ୍ୟ ନୁହେଁ। ଏଣୁ ୨୦୨୪ ନିର୍ବାଚନରେ ବିଜେଡିକୁ ଅନେକ କଷ୍ଟ କରିବାକୁ ହେବ, ଏକଥା ଏବେଠାରୁ ସ୍ପଷ୍ଟ ହୋଇଗଲାଣି।
ସମାନ ପରିସ୍ଥିତି କଂଗ୍ରେସ ଓ ବିଜେପି ମଧ୍ୟ ରାଜ୍ୟ ରାଜନୀତିରେ ସାମ୍ନା କରିବେ। ବାରମ୍ବାର ବିଫଳ ହୋଇଥିବା କଂଗ୍ରେସ ନେତା କ୍ଷମତା ଛାଡୁନଥିବାରୁ ଯୁବ ଗୋଷ୍ଠୀ ଏ ଦଳକୁ ଆଦରି ନେଇପାରୁନାହାନ୍ତି। ଦଳ ବଢ଼ୁନି କି ବୟସ୍କମାନେ କଂଗ୍ରେସକୁ କ୍ଷମତାକୁ ଆଣିବା ସ୍ଥିତିରେ ନାହାନ୍ତି। ସମାନ ପରିସ୍ଥିତି ହୋଇଛି ବିଜେପିରେ। ଅନେକ ନେତା ସାମ୍ନାକୁ ଆସିଥିଲେ ହେଁ, ନେତୃତ୍ବ ମଧ୍ୟରେ ଅସହିଷ୍ଣଭାବ ଓ ଭୟ ବିଜେପିର ସମୃଦ୍ଧିକୁ ସଙ୍କୁଚିତ କରିଦେଉଛି।