ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓଡ଼ିଶା ହେବ ‘ଇସ୍ପାତ ରାଜଧାନୀ’

0

ପାରାଦ୍ୱୀପରେ ଜେଏସଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟ

ପାରାଦ୍ବୀପ: ପାରାଦ୍ୱୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ବୃହତ୍ ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ଢିଙ୍କିଆରେ ଆୟୋଜିତ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଦେଶର ‘ଇସ୍ପାତ ରାଜଧାନୀ’ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆଜିଠାରୁ ଏହି ବୃହତ୍ ପ୍ରକଳ୍ପର ବ୍ଲାଷ୍ଟ ଫର୍ଣ୍ଣେସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପରେ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହି ଅତ୍ୟାଧୁନିକ କାରଖାନାରେ ବାର୍ଷିକ ପ୍ରାୟ ୨୪ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କ୍ଷମତା ରହିବ। ଏହା ସହିତ ୧୨ ନିୟୁତ ଟନ୍‌ କ୍ଷମତାର ସିମେଣ୍ଟ କାରଖାନା, ୯୦୦ ମେଗାୱାଟର କ୍ୟାପ୍ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ପୂର୍ବ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ପୂର୍ବ ଗତିରେ କାମ ଚାଲିଥାନ୍ତା ହେଲେ ପ୍ରକଳ୍ପର ନିର୍ମାଣ ୨୦୨୮ରେ ଆରମ୍ଭ ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ୨୦୨୮ ସୁଦ୍ଧା ଏଠାରୁ ଇସ୍ପାତ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଦାବି କରିଛନ୍ତି। ସେ ଆହୁରି ସୂଚନା ଦେଇଥିଲେ ଯେ, ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଖୁବଶୀଘ୍ର ନୂତନ ଇସ୍ପାତ କାରଖାନା ସ୍ଥାପନ ହେବ। ପାରାଦ୍ୱୀପରେ Indian Oil Corporationର ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ପରେ ଏବେ କ୍ରୁଜ୍ ଟର୍ମିନାଲ୍ ଏବଂ ମେଗା ଜାହାଜ ନିର୍ମାଣ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି।

କେନ୍ଦ୍ର ସରକାରଙ୍କ ୫ ହଜାର କୋଟି ଟଙ୍କା ଅନୁଦାନରେ ପାରାଦ୍ୱୀପ-କଟକ ଅର୍ଥନୈତିକ କରିଡର (ବିସିପିପିଇଆର)ନିର୍ମାଣ ହେବ ଏବଂ ପାରାଦ୍ୱୀପ ଏହାର ମୁଖ୍ୟ କେନ୍ଦ୍ର ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦ୍ୱୀପ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ଅମରେନ୍ଦ୍ର ଦାସ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଏବଂ ସଜ୍ଜନ ଜିନ୍ଦଲଙ୍କ ସହ ଜେଏସଡବ୍ଲ୍ୟୁ ଗ୍ରୁପର ଅନ୍ୟାନ୍ୟ ଶୀର୍ଷ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.