ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କିଏ ଦାୟୀ? ମନ୍ତ୍ରୀ ନା ଆଇଏଏସ୍ ବାବୁ

0

ଭୁବନେଶ୍ବର: ଅମୁକ ଅଫିସର ଏୟା କଲେ, ସମୁକ ଅଫିସର ସେମିତି କରୁଛନ୍ତି। ଅମୁକ ଆଇଏଏସ୍ ରାଜ୍ୟ ଶାସନ କରୁଛନ୍ତି। ସମୁକ ଓଡ଼ିଶାକୁ ବିକ୍ରି କରିଦେଲେ।

ଗତ କିଛି ବର୍ଷ ଧରି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ଏଭଳି ବୟାନବାଜି, ଟୀକା ଟିପ୍ପଣୀ ଓଡ଼ିଶା ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଚମ୍ବିତ କଲାଣି। ଯେଉଁ ସରକାରକୁ ଲୋକେ ପାଞ୍ଚବର୍ଷ ପାଇଁ ନିର୍ବାଚିତ କରିଛନ୍ତି, ରାଜ୍ୟ ଶାସନର ଦାୟିତ୍ବ ଦେଇଛନ୍ତି, ସରକାର ଭାବେ ସେମାନେ ସମସ୍ତ କ୍ଷମତା ଉପଯୋଗ କରୁଛନ୍ତି, ସେମାନେ କଣ ଦୋଷମୁକ୍ତ? ତେବେ ସେମାନେ ପଦପଦବିରେ କାହିଁକି ରହିବେ? ରାଜ୍ୟ କ୍ୟାବିନେଟ୍ କାହିଁକି ବସିବ? କେଉଁ କାରଣ ପାଇଁ ମନ୍ତ୍ରୀ କରିଡର ରହିବ ଲୋକସେବା ଭବନ (ସଚିବାଳୟ)ରେ? କାହିଁକି ରାଜଭବନରେ ମନ୍ତ୍ରୀମାନେ ଶପଥ ନେବେ?

ଏଭଳି ମାଳ ମାଳ ପ୍ରଶ୍ନ ଏବେ ଏହି ମହଲକୁ ଆନ୍ଦୋଳିତ କରୁଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ବାଦ୍ ଦେଇ ବିରୋଧୀ ଓ ଶାସକ ଦଳର ସରକାରୀ ବାବୁମାନଙ୍କୁ ଆକ୍ରମଣ ବାସ୍ତବରେ ଗଣତନ୍ତ୍ରକୁ ମଜବୁତ ନା ଦୁର୍ବଳ କରୁଛି, ତାହା ବି ଏବେ ବଡ଼ ବିତର୍କର ବିଷୟ ହୋଲାଣି। ଏଇଥିପାଇଁ ଯେ ଏହା ଆଢୁଆଳରେ କିଛି ମନ୍ତ୍ରୀ ନିଜକୁ ଦୁର୍ବଳ ମନେ କରୁଛନ୍ତି। ଆଉ କିଛି କ୍ଷେତ୍ରରେ ଏହାର ମଉକା ନେଇ ସବୁ କ୍ଷମତାର ଦୁରୁପଯୋଗ କରିବାର ସାହସ କରୁଛନ୍ତି।

କରୋନା କାଳରେ ଯେତେବେଳେ ସମୁଦାୟ ପ୍ରଶାସନ କାର୍ଯ୍ୟରେ ଲାଗିଥିଲା, ସେବେ ରାଜ୍ୟ ଲୋକସେବା ଭବନରେ ହାତଗଣତି କିଛି ମନ୍ତ୍ରୀ କାର୍ଯ୍ୟ କଲେ। ଅନ୍ୟ ମନ୍ତ୍ରୀ ନା ଅଫିସ କଲେ ନା ବିଭାଗୀୟ ନିଷ୍ପତ୍ତି ପ୍ରକ୍ରିୟାରେ ନିଜକୁ ସାମିଲ କଲେ? କେତୋଟି ହାତଗଣତି ଉଦାହରଣ ଦେଲେ, ଓଡ଼ିଶାରେ ଏ କ୍ଷେତ୍ରରେ ଯେଉଁ ବଡ଼ ଧରଣର ଅସଙ୍ଗତି ପରିଲକ୍ଷିତ ହେଲାଣି, ତାହା ସ୍ପଷ୍ଟ ହୋଇଯିବ।

କୋଭିଡ୍ ସାମଗ୍ରୀ କିଣା କେଳେଙ୍କାରୀ ପ୍ରସଙ୍ଗରେ ରାଜନୈତିକ ଦଳ ଆଇଏଏସ୍ ଅଫିସର ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀକୁ ବିବାଦକୁ ଟାଣି ଲୋକାୟୁକ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚାଇଲେ। ଏହି ସ୍ତରରେ କେଳେଙ୍କାରୀ ହୋଇଥାଇପାରେ। ହେଲେ ଥରେ କ୍ଷମତାସଂପନ୍ନ ମନ୍ତ୍ରୀ କମିଟି ସେଥିରେ ମୋହର ମାରିବା ପରେ ସେମାନେ କିଭଳି ଦୋଷମୁକ୍ତ ହେଲେ? ମନ୍ତ୍ରୀ କମିଟିକୁ ସବୁ କିଣାଯାଇଥିବା ସାମଗ୍ରୀ ସଂପର୍କରେ ସମୀକ୍ଷା କରିବାକୁ କିଏ ମନା କରିଥିଲା? କିଏ ତାଙ୍କୁ କହିଥିଲା, ଅଫିସରଙ୍କ ଫାଇଲରେ ହଁ ରେ ହଁ ମିଶାଇବାକୁ। ସର୍ବୋପରି ଅଭିଯୋଗ କରିଥିବା ସଂଗଠନ ଏହି କମିଟିକୁ କ୍ଲିନ୍‌ଚିଟ୍ ଦେଇ କେବଳ ଅଫିସରଙ୍କୁ ଦୋଷୀ କରିପାରିବେ କେମିତି?

ପରୀ ମାମଲାରେ ଆହୁରି ଆଚମ୍ବିତ କଥା ଦେଖିବାକୁ ମିଳିଲା। ଏକଥା ସତ ଯେ ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାର ପ୍ରତିନିଧିତ୍ବ କରୁଥିବା ଅରୁଣ ସାହୁ (ଉଭୟ ବିଧାୟକ ଓ ଦାୟିତ୍ବ ସଂପନ୍ନ ମନ୍ତ୍ରୀ ଭାବେ) ଠିକଣା ଦାୟିତ୍ବ ନିର୍ବାହ କରିନାହାନ୍ତି। ତାଙ୍କର ସଂପୃକ୍ତି ଅଛି କି ନାହିଁ, ତାହା ତଦନ୍ତରୁ ଜଣାପଡିବ। କିନ୍ତୁ ସେ ଚାହିଁଥିଲେ ଏ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେଇପାରିଥାନ୍ତେ। ଯେଉଁ ପ୍ରସଙ୍ଗ କୁଟା ଖିଅରେ ଛିଡିଥାନ୍ତା ଆଜି ସେଥିପାଇଁ ସରକାର ବଦନାମ ହୋଇଛନ୍ତି ଓ କୁରାଢି ଦରକାର ପଡୁଛି।

ଆର ଦିଗଟି ବି କିଛି କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କର କଣ କିଛି ଉତ୍ତରଦାୟିତ୍ବ ନାହିଁ। କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ନୟାଗଡ଼ ଯଦୁପୁର ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଲେ ଓ ସରକାରଙ୍କୁ ବର୍ଷୁଛନ୍ତି। ଯେଉଁଦିନ ପରୀର ବାପା ମା’ ଆତ୍ମହୁତି ଉଦ୍ୟମ କରିଥିଲେ, ସେହିଦିନ ଘଟଣାସ୍ଥଳକୁ ନିଜ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ସରଜମିନ୍ ସ୍ଥିତି ଅନୁଧ୍ୟାନ କରିବା ଲାଗି ମନ୍ତ୍ରୀ ଟୁକୁନି ସାହୁଙ୍କୁ କିଏ ମନା କରିଥିଲା? କାହିଁକି ମନ୍ତ୍ରୀ ଯିବେନି? ଯଦି ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ଜଣେ ମହିଳା ମନ୍ତ୍ରୀ ସମ୍ବେଦନଶୀଳତା ପ୍ରକାଶ ନ କରନ୍ତି, ତେବେ ସେ ଆଉ କେଉଁ ଗୁରୁଦାୟିତ୍ବ ତୁଲାଇବେ? ଏଠି ସ୍ଥାନୀୟ ପୁଲିସ ଯେତିକି ଦୋଷୀ ଶିଶୁ ସୁରକ୍ଷା ଦାୟିତ୍ବରେ ଥିବା ସରକାରଙ୍କ ଅନ୍ୟ ସଂସ୍ଥାମାନେ ମଧ୍ୟ ତତୋଧିକ ଦାୟୀ।

କେବଳ ଏହି ଦୁଇଟି ଘଟଣା ନୁହେଁ, ସମବାୟ କେଳେଙ୍କାରୀ ଘଟଣାରେ ମନ୍ତ୍ରୀଙ୍କ ଭୂମିକା ଆହୁରି ବିସ୍ମୟକର। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଓ ବିଚକ୍ଷଣ ନେତା। କିନ୍ତୁ ସମବାୟ କେଳେଙ୍କାରୀ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଏବେ ରାଜ୍ୟ ଅନୁଭବ କରିପାରୁନାହିଁ। ମନ୍ତ୍ରୀ ନିଜେ ଏ ସଂକ୍ରାନ୍ତର ଅଧିକାରୀଙ୍କୁ ଡାକି ଶୂନ୍ୟ ସହନଶୀଳତା ନୀତି କାହିଁକି ଅବଲମ୍ବନ କରୁନାହାନ୍ତି ? ଯେଉଁ ଶାଖାରେ ତଳିଆ କର୍ମଚାରୀ ଦୋଷୀ,ସେହି ଶାଖାର ବଡ଼ ବାବୁ ଓ ତାଙ୍କ ଉପରେ ବସିଥିବା ହାକିମ, ନିର୍ବାଚିତ ସମବାୟ ବିତ୍ ତେବେ କାହାକୁ ଜଗିଥିଲେ? ଯଦି ସବୁ ତଳିଆ କର୍ମଚାରୀ ଦାୟୀ, ତେବେ ସମବାୟ ବିଭାଗର ବଡ଼ ବାବୁମାନେ କଣ ଉତ୍ତରଦାୟିତ୍ବ ମୁକ୍ତ?

କୌତୂହଳ କଥା, ଏସବୁ କ୍ଷେତ୍ରରେ ବିରୋଧୀ ରାଜନୈତିକ ଦଳର ଆକ୍ରମଣ କେବଳ ଛୋଟିଆ କର୍ମଚାରୀ, ସ୍ଥଳ ବିଶେଷରେ ଆଇଏଏସ୍ ବାବୁଙ୍କ କ୍ଷେତ୍ରରେ ସୀମିତ। ହେଲେ ଏହି ଆଇଏଏସ୍ ଅଫିସରଙ୍କ ସିସିଆର୍ ବା ଚରିତ୍ର ପଞ୍ଜିକା ତିଆରି କରୁଥିବା ନେତାମାନେ କଣ ତୁଳସୀ? ବ୍ୟବସ୍ଥାରେ କେଉଁମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ? ସରକାର ଯାହା ନିର୍ଦେଶ ଦେବେ, ଅଫିସରମାନେ କରିବାକୁ ବାଧ୍ୟ। ଯଦି ନ କରିବେ, ତେବେ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ। ଯଦି କରୁନାହାନ୍ତି, ତେବେ ମନ୍ତ୍ରୀମାନେ ସେଠି କଣ କରୁଛନ୍ତି ? ତାଙ୍କୁ କାହିଁକି ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଖର୍ଚ୍ଚ କରାଯାଇ ଗାଡି, ପିଅନ, ଚପରାସି ଯୋଗାଇ ଦିଆଯିବ? ସେମାନେ କଣ କେବଳ ଦସ୍ତଖତ ପାଇଁ ରହିଛନ୍ତି ? ଯଦି ସେମାନେ କୌଣସି ମତ ମନ୍ତବ୍ୟ ଦେବା ଲାଗି ସୁଯୋଗ ପାଉନାହାନ୍ତି, ସେ ପଦପଦବି ଛାଡୁନାହାନ୍ତି କାହିଁକି?ନିଜ ଆଡୁ ଇସ୍ତଫା ଦେଇ ଦୋଷମୁକ୍ତ ବୋଲି ଘୋଷଣା କରୁନାହାନ୍ତି କାହିକି ?

ଉଲ୍ଲେଖଥାଉକି, ଗଣତନ୍ତ୍ର ବ୍ୟବସ୍ଥାରେ ଉତ୍ତରଦାୟିତ୍ବ ନିର୍ବାଚିତ ସରକାର ଉପରେ ନ୍ୟସ୍ତ ରହିଛି। ବିଧାନସଭାକୁ ବିଶ୍ବାସକୁ ନେଇ ନିର୍ବାଚିତ ସରକାର ଅଫିସରଙ୍କ ମାଧ୍ୟମରେ ଶାସନ କରିବା କଥା। ହେଲେ ଓଡ଼ିଶା ବିରୋଧୀ ରାଜନୈତିକ ଦଳ ଓ ସରକାରୀ ଦଳର ନେତା ଅଫିସରଙ୍କ ଉପରକୁ ଉଠିପାରୁନାହାନ୍ତି ବୋଲି ସେହି ମାଳା ଜପୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।

Leave A Reply

Your email address will not be published.