ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପଶ୍ଚିମବଙ୍ଗରୁ ମାଡ଼ି ଆସୁଛି ଓଡ଼ିଶାକୁ ବିପଦ!

0
  • ଦୁର୍ବଳ ହେଉଛନ୍ତି ମମତା, ନିର୍ବାଚନ ଉପରେ ସମସ୍ତଙ୍କ ଆଖି
  • ବିଜେପି ଜିତିଲେ, ଦଳର ପରବର୍ତୀ ଟାର୍ଗେଟ୍ ଓଡ଼ିଶା ହେବ
  • ବିଜେଡି ପାଇଁ ଚିନ୍ତା ଓ ଚ୍ୟାଲେଞ୍ଜ ବଢିଲା, ରଣନୀତି ପାଇଁ କସରତ ଆରମ୍ଭ

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ସେତିକି ପ୍ରଚଣ୍ଡ ହେବାରେ ଲାଗିଛି। ନିଜର ସଂଗଠନ ବୃଦ୍ଧି ସହିତ ସମାନ୍ତରାଳ ଭାବେ ତୃଣମୂଳ କଂଗ୍ରେସ ବା ଟିଏମ୍‌ସି ଦୁର୍ବଳ କରିବା ଲାଗି ବିଜେପିର ଶୀର୍ଷ ନେତୃତ୍ବ କୌଣସି ସୁଯୋଗ ହାତଛଡ଼ା କରିବା ଅବସ୍ଥାରେ ନାହାନ୍ତି। ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଥିତି ଏବେ ଗମ୍ଭୀର ଆଡକୁ ଗତି କରିବା ଆରମ୍ଭ କଲାଣି। ଏହି ନିର୍ବାଚନ ପାଇଁ ଚାଲିଥିବା ସମର ସଜ୍ଜା ଓ ରଣନୀତିକୁ ଦେଖି ଏବେଠାରୁ ଯେ କେହି ବି ଅନୁମାନ ଲଗାଇପାରୁଛନ୍ତି – ଆଗକୁ ସ୍ଥିତି ଭୀଷଣ ହେବ।

ହେଲେ ଯେଉଁ ପ୍ରସଙ୍ଗକୁ ଆମେ ଏଠାରେ ଉପସ୍ଥାପନ କରିବାକୁ ଚାହୁଁଛୁ, ତାହା ଟିକେ ଭିନ୍ନ। (୧) ପଶ୍ଚିମବଙ୍ଗ ନିର୍ବାଚନୀ ଯୁଦ୍ଧ ପରବର୍ତୀ କମ୍ଫନ ଯଦି କେଉଁଠାରେ ଅଧିକ ଅନୁଭବ ହେବ, ତାହା ହେଉଛି ଓଡ଼ିଶା। (୨) ପଶ୍ଚିମବଙ୍ଗ ସରକାର ଗଠନ ସହିତ ମଧ୍ୟ ଓଡ଼ିଶା ରାଜନୀତିର ଭବିଷ୍ୟତ ଯୋଡି ହୋଇରହିଛି।  ଯଦି ବିଜେପି ପଶ୍ଚିମବଙ୍ଗ କରାୟତ କରେ, ତେବେ ଦଳର ପରବର୍ତୀ ଲକ୍ଷ୍ୟ  ହେବ ଓଡ଼ିଶାରେ ସରକାର ଗଠନ। (୩) ବିହାରରେ ନୀତିଶଙ୍କ ଜନତା ଦଳ ଦୁର୍ବଳ ହୋଇଗଲା ପରେ ଯଦି ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ଦୋହଲିଯିବ, ତେବେ ଆଞ୍ଚଳିକ ଦଳକୁ ନିଶେଷ କରିବା ଲାଗି ବିଜେପିର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆହୁରି ତେଜିୟାନ୍ ହେବ, ଯେଉଁଥିରେ ସବୁଠାରୁ ଅଧିକ କ୍ଷତି ବିଜେଡି ସହିପାରେ। (୪) କେବଳ ସେତିକି ନୁହେଁ, କଂଗ୍ରେସ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଥିବାରୁ ଯଦି ଆଞ୍ଚଳିକ ଦଳ ସ୍ଥିତି ଜାହିର କରିନପାରନ୍ତି, ତେବେ ୨୦୨୪ ବେଳକୁ ସବୁ ବିରୋଧୀ ଶକ୍ତି ମୋଦୀଙ୍କ ସାମ୍ନାରେ ନିଷ୍ପ୍ରଭ ବା ନିସ୍ତେଜ ପ୍ରାୟ ଅବସ୍ଥାରେ ରହିବା ବିଚିତ୍ର ନୁହେଁ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୭ରୁ ବିଜେପି ଓଡ଼ିଶାରେ ଜୋର ଲଗାଇଥିଲା। ଦଳ ସପକ୍ଷରେ ଏକ ବଡ଼ ଧରଣର ବାତାବରଣ ତିଆରି ହୋଇଥିଲେ ହେଁ ଦୁର୍ବଳ କଂଗ୍ରେସ ଓ ବିଜେପିର ଭୁଲ ରଣନୀତି କାରଣରୁ ବିଜେଡିର ଗତିରୋଧ କରାଯାଇପାରିଲା ନାହିଁ। ଉଭୟ ବିଜେଡି-ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ପାଖାପାଖି ୧୦ଲକ୍ଷକୁ ଖସି ଆସିଲା। ଏବେ କୋଭିଡ୍ କାରଣରୁ ନବୀନଙ୍କ ରାଜନୈତିକ ଗୋଟିଚାଳନା ଜବରଦସ୍ତ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଏହାର ଫାଇଦା ଲମ୍ବା ସମୟରେ ବିଜେପି ସହିତ ଯିବା ସମ୍ଭାବନା ଅଧିକ। କାରଣ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନ ସ୍ବପ୍ନ ଅଧାପନ୍ତରିଆ ରହିଗଲା।  ବିରୋଧୀ ଏହାକୁ ବଡ ପ୍ରସଙ୍ଗ କରିବେ, ଯାହା ସରକାର ବିରୋଧରେ ଥିବା ଅସନ୍ତୋଷକୁ ବହୁଗୁଣିତ କରିପାରେ। ସେହିଭଳି, କଂଗ୍ରେସ ମାତ୍ରାଧିକ ଦୁର୍ବଳ ସ୍ଥିତିକୁ ଚାଲିଯାଇଥିବାରୁ ଏହି ଭୋଟ ବ୍ୟାଙ୍କ ଧରି ଖେଳ କରିବାକୁ ବିଜେପି କିମ୍ବା ବିଜେଡି ଆଉ ସମର୍ଥ ହେବେ ନାହିଁ। ଯାହା ବିଜେଡି ପାଇଁ ବେଶୀ ଘାତକ ହେବ।

ଏପରି ପୃଷ୍ଠଭୂମିରେ ପଶ୍ଚିମବଙ୍ଗରେ ବିଜୟ ପରେ ଓଡ଼ିଶାରେ ବିଜେପିର ସାମର୍ଥ୍ୟ ବୃଦ୍ଧି ଲାଗି ନେତୃତ୍ବ ଯେ କୌଣସି ସ୍ତରକୁ ଯାଇପାରନ୍ତି। ଏପରିକି ବିଜେପି ନବୀନ ସରକାର ବିରୋଧରେ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ। ଅଟକିଥିବା ସିବିଆଇ ତଦନ୍ତ ପୁଣି ଆରମ୍ଭ ହୋଇପାରେ। ଏମିତି ହେଲେ, ଏହାକୁ ପ୍ରତିହତ କରିବା ବା ଦୃଢ ପ୍ରତିଜବାବ ଦେବା ବର୍ତମାନ ବିଜେଡି ପାଇଁ କଷ୍ଟସାଧ୍ୟ ହୋଇପାରେ।

ସାଂପ୍ରତିକ ରାଜନୀତିରେ ଯେଉଁ ଚିତ୍ରଟି ଅତ୍ୟନ୍ତ ସ୍ପଷ୍ଟ ଦିଶୁଛି, ତାହା ହେଲା, ବିଜେଡି ବିରୋଧୀଙ୍କ ବିରୋଧରେ ଅଧିକ ଶାଣିତ ହୋଇପାରୁନାହିଁ। ବରଂ ଆଭ୍ୟନ୍ତରୀଣ କନ୍ଦଳ ଯଥେଷ୍ଟ ବଢ଼ିଗଲାଭଳି ଏକ ଛବି ସମସ୍ତଙ୍କ ଅଗୋଚରରେ ସାମ୍ନାକୁ ଆସୁଛି। ନିଜର ଦଳ ବା ସରକାରର ସଫଳତା ବିଜେଡି ନେତାଙ୍କ ସ୍ବରରେ କମ୍ ଶୁଭୁଛି, ବେଶୀ ବିରୋଧୀଙ୍କ ରଣନୀତି ଉପରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ବିରୋଧରେ କୌଣସି ଗୋଟିଏ ବି ରାଜନୈତିକ ପ୍ରସଙ୍ଗ ଛିଡ଼ା କରି ବିଜେପିକୁ ପଛକୁ ଠେଲିବା ସ୍ଥିତିରେ କେହି ନାହାନ୍ତି। ଅନ୍ୟଥା ମାସେ ଧରି ୫ବର୍ଷର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ଧରି ବିଜେପି ସରକାରଙ୍କ ଛବିକୁ ପ୍ରତିଦିନ ମଳିନ କରିବାରେ ଲାଗିଛି,ଅଥଚ କେହି ଏ ସଂପର୍କରେ ଉଁ କି ଚୁଁ କୁହନ୍ତେନି? ଆହୁରି ଚିନ୍ତାର ବିଷୟ ହେଉଛି ଯେ ଏହି ମାମଲାର ନିଷ୍କର୍ଷ ଆସିବା ପୂର୍ବରୁ ବିଜେପିର ନେତାମାନେ ପାଣିକୁ ଏଭଳି ଗୋଳିଆ କରିଦେବାରେ ସକ୍ଷମ ହୋଇଛନ୍ତି, ଯାହାଦ୍ବାରା ଏସଆଇଟି ସତକୁ ଲୋକେ ମିଛ ବୋଲି ବିଶ୍ବାସ କରିବା ଆରମ୍ଭ କଲେଣି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ବିଜେଡି-ବିଜେପି ଏବେ ବୁଝାମଣାଭିତ୍ତିକ ରାଜନୀତି ଚଳାଇଛନ୍ତି ଏକଥା କାହାକୁ ଅଛପା ନାହିଁ। ଏହାଦ୍ବାରା ଉଭୟ ରାଜନୈତିକ ଦଳ କ୍ଷତି ସହୁଛନ୍ତି। ହେଲେ ଏଥିରେ ବିଜେପି ଅପେକ୍ଷା ବିଜେଡିର କ୍ଷତି ବି ଅଧିକ। ୧) ବିଜେପିର କ୍ଷତି ହେଉଛି, ବିରୋଧୀ ଦଳ ଭାବେ ଯେଭଳି ପ୍ରଭାବ ରଖିବା କଥା ସେଥିରେ ଦଳ ସମର୍ଥ ହେଲା ନାହିଁ। ଅର୍ଥାତ୍ ବିଜେଡି ବିରୋଧରେ ଯାଇ ଯେଉଁମାନେ ବିଜେପିକୁ ଭୋଟ ଦେଇଥିଲେ, ଦଳ ସେମାନଙ୍କୁ ନିରାଶ କରିଛି। ଏବେ ସେମାନଙ୍କର ଶତ ପ୍ରତିଶତ ସମର୍ଥନ ପାଇବା କଷ୍ଟକର ହୋଇପାରେ। ୨) ସେହିଭଳି ବିଜେଡି କେନ୍ଦ୍ର ସହିତ ସଲାକୁସ୍ତିରେ ରହି ଆଞ୍ଚଳିକ ପ୍ରସଙ୍ଗକୁ ଇତିମଧ୍ୟରେ ହାତଛଡ଼ା କରିଦେଇଛି। କୌଣସି ଗୋଟିଏ ସାଧାରଣ ଲୋକଙ୍କ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଆଦୌ ସ୍ପଷ୍ଟ ହୋଇପାରୁନାହିଁ। କର୍ମୀ ଧୀରେ ଧୀରେ ନିଷ୍କ୍ରିୟ ହେଉଛନ୍ତି। ବରଂ ଉପରୁ ଦଳ ଅଧିକରୁ ଅଧିକ ଓଜନିଆ ହେଉଥିବା ବେଳେ ତୃଣମୂଳସ୍ତରରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି।

ଏଠାରେ ଉଲ୍ଲେଖଥାଉକି, ବିଜେଡି ଶୁକ୍ରବାର ଠାରୁ ନୂଆ ସଂଗଠନକୁ ନେଇ ଆଗକୁ ବଢିବାକୁ ଯୋଜନା କରିଛି। ନୂଆ ରଣନୀତି ପ୍ରସ୍ତୁତ କରାଯିବ। ଦଳର ଯୁବ, ଛାତ୍ର, ମୂଳ ସଂଗଠନ ସବୁଥିରେ ଯୋଶ୍ ବୃଦ୍ଧି ଲାଗି ଢେର୍ କସରତ କରାଯାଇଛି। ଦେଖିବାର କଥା, ନୂଆ ବର୍ଷରେ କି ନୂଆ ବାର୍ତା ଓ ରଣକୌଶଳ ସହିତ ଦଳ ବିରୋଧୀଙ୍କୁ ମୁକାବିଲା କରୁଛି ।

Leave A Reply

Your email address will not be published.