ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଜାଣନ୍ତୁ, କିଏ ପାଇବେ ପିପିଲି ଟିକେଟ୍

0
  • ଆସନ୍ତା ସପ୍ତାହରେ ଉପନିର୍ବାଚନ ତାରିଖ ଘୋଷଣା ସମ୍ଭାବନା
  • ଦେଶର ସମସ୍ତ ୧୯ଟି ଉପନିର୍ବାଚନ ତାରିଖ ଏକାଠି ଘୋଷଣା ହେବ
  • ବିଜେଡି, ବିଜେପି ଓ କଂଗ୍ରେସ ନେତୃତ୍ବ ପାଇଁ ଅଗ୍ନି ପରୀକ୍ଷା

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ତାରିଖ ଘୋଷଣା ହାେଇପାରେ। ନୂଆଦିଲ୍ଲୀ ସୂତ୍ରରୁ ଏହି ସୂଚନା ମିଳୁଛି। ଦେଶରେ ୧୯ଟି ସ୍ଥାନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଗୋଟିଏ ସମୟରେ ନିର୍ବାଚନ କରିବା ଲାଗି ନିର୍ବାଚନ କମିସନ ବିଚାର କରୁଛନ୍ତି। ଏମିତି ହେଲେ ଏପ୍ରିଲ ମାସରେ ଶେଷ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇପାରେ।

ଏପଟେ ପିପିଲି ଆସନରେ କିଏ ପ୍ରାର୍ଥୀ ହେବ, ତାକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ମହାରଥୀଙ୍କ ପରିବାରକୁ ବାଦ୍ ଦେଇ ଜଣେ ବରିଷ୍ଠ ପ୍ରଶାସିକାଙ୍କୁ ଏହି ନିର୍ବାଚନରେ ବିଜେଡି ସାମ୍ନାକୁ ଆଣିବ ବୋଲି ଗୋଟିଏ ମହଲ ଚର୍ଚ୍ଚା ଚଳାଇଛନ୍ତି। ବିଜେପି କ୍ୟାମ୍ପରେ ମଧ୍ୟ ଅନୁରୂପ ଆଲୋଚନା କ୍ରମଶଃ ବଢ଼ିବାକୁ ଲାଗିଛି।

ହେଲେ ବିଜେଡିର ଶୀର୍ଷ ମହଲରୁ ମିଳୁଥିବା ଖବର ମୁତାବକ, ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରର ଜଣକୁ ଟିକେଟ୍ ଦେବା ଲାଗି ହାଇକମାଣ୍ଡ ନବୀନ ପଟ୍ଟନାୟକ ସଙ୍କେତ ଦେଇଛନ୍ତି। ତେବେ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ୍ ମିଳିବ କି ପୁଅ ରୁଦ୍ର ମହାରଥୀ ଟିକେଟ୍ ପାଇବେ, ତାକୁ ନେଇ ଏବେ ବି ସଂଶୟ ଦୂର ହୋଇନାହିଁ। ବରଂ ଏହି ପ୍ରସଙ୍ଗଟି ଅଧିକ ଜଟିଳ ହେଉଛି, ଏଇଥିପାଇଁ ଯେ ବିଜୁ ଜନତା ଦଳର କର୍ମୀମାନେ ପରିବାରର କୌଣସି ଜଣେ ନେତାଙ୍କ ନାମ ଉପରେ ସହମତି ହୋଇପାରୁନାହାନ୍ତି। ପୁରୁଣା କର୍ମୀମାନେ ପ୍ରତିଭାଙ୍କ ସପକ୍ଷରେ ଥିବା ବେଳେ ଯୁବ ଗୋଷ୍ଠୀ ରୁଦ୍ରଙ୍କ ସପକ୍ଷରେ ମତ ରଖୁଛନ୍ତି।

ରାଜନୈତିକ ମହଲ ଏହି ପ୍ରସଙ୍ଗକୁ ଅତି ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି। ଏହି ମହଲର କହିବା କଥା ହେଉଛି, ଟିକେଟ୍ ଦିଆଯିବା ପୂର୍ବରୁ ଯଦି ବିବାଦ ନ ତୁଟେ, ତେବେ ନିର୍ବାଚନ ପ୍ରକ୍ରିୟାରେ ଏଥିପାଇଁ ଦଳକୁ ମୂଲ୍ୟ ଦେବାକୁ ପଡ଼ିପାରେ। ଯେ କୌଣସି ଗୋଷ୍ଠୀର କିଛି ଭୋଟର ବିଜେପି ଆଡ଼କୁ ଢଳିଯିବା ବିଚିତ୍ର ନୁହେଁ। ଦ୍ବିତୀୟତଃ ଏହି ନିର୍ବାଚନରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ଡେବ୍ୟୁ କରିବା ସମ୍ଭାବନା ରହିଛି। ମୌକା ଦେଖି ଛକା ମାରିବା ଲାଗି ଗୋଟିଏ ଗୋଷ୍ଠୀ ତାଙ୍କର ବିଜେଡିରେ ଯୋଗଦାନକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରୁଛନ୍ତି। ଯଦି ପ୍ରତିଭା ମହାରଥୀଙ୍କୁ ଟିକେଟ୍ ଦିଆଯାଏ ଓ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରୁଦ୍ର ଅପେକ୍ଷା କରନ୍ତି, ତେବେ ଏହା ହିଁ ସବୁଠାରୁ ବଡ଼ କୌଶଳ ହେବ। ଉଭୟ ରୁଦ୍ର ଓ ପ୍ରିୟବ୍ରତ ବିଜେଡିରେ ଏକକାଳୀନ କାର୍ଯ୍ୟ କରିପାରିବେ। ଅନ୍ୟଥା ପ୍ରିୟବ୍ରତ ମନଊଣା କରି ଅନ୍ୟ ଦଳକୁ ଆଖି ପକାଇଲେ, ତାହା ସମସ୍ୟା ଆଣିପାରେ।

ତୃତୀୟତଃ ରୁଦ୍ରଙ୍କର ପ୍ରାର୍ଥିତ୍ବରେ ଗୋଟିଏ ବାର୍ତ୍ତା ଯିବ ଯେ ବିଜେଡି ଆରମ୍ଭରୁ ଶ୍ରୀ ସାମନ୍ତରାୟଙ୍କ ରାସ୍ତାରେ ବାଧକ ସାଜୁଛି। ଏପରିସ୍ଥଳେ ପ୍ରତିଭାଙ୍କ ସମର୍ଥକ ଏବଂ ପ୍ରିୟବ୍ରତଙ୍କ ସମର୍ଥକ ଭିନ୍ନ କୌଶଳ ଅବଲମ୍ବନ କରିପାରନ୍ତି। ଏମିତିରେ ବି ଗତ ନିର୍ବାଚନରେ ଯୁଧିଷ୍ଠିରଙ୍କ ଭୋଟ ବିଜେଡିରେ ମିଶିବା ପରେ ମହାରଥୀଙ୍କ ଜିତିବା ସହଜ ହୋଇଥିଲା। ଏଣୁ ବିଜେଡି ଜିତିବାକୁ ହେଲେ ସେଠାରେ କଂଗ୍ରେସ ଭୋଟକୁ ଅଧିକ ସଂଖ୍ୟାରେ ନିଜ ଆଡକୁ ଟାଣିବାକୁ ହେବ।

ସବୁଠାରୁ ବଡ଼ କଥା ହେଉଛି, ବିଜେପି ଭୋଟ ଗତ ନିର୍ବାଚନ ସମୟରେ ଏଠାରେ ବଢ଼ିସାରିଛି। ଏମିତିରେ ବି ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପିର ପତିଆରା ଧୀରେ ଧୀରେ ବଢିବାରେ ଲାଗିଛି। ସେଥିରେ ପୁଣି ଦିବଂଗତ ବିଧାୟକଙ୍କ ପରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ବେଶୀ। ତାଙ୍କର ନିଜସ୍ବ ପତିଆରା ଓ ପ୍ରଭାବ ରହିଛି। ଏହା ଗତ ଦୁଇ ଉପନିର୍ବାଚନ (ବାଲେଶ୍ବର ଏବଂ ତିର୍ତ୍ତୋଲ) ତୁଳନାରେ ଗୋଟିଏ ନୂଆ କଥା। ବିଜେପି ଯଦି ଶ୍ରୀ ପଟ୍ଟନାୟକଙ୍କ ସହ ରହେ, ତେବେ ଭୋଟ ରାଜନୀତିର ଗଣିତ କିଛି ଓଲଟା ହେବା ବିଚିତ୍ର ନୁହେଁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହି ଉପନିର୍ବାଚନ ଯଥେଷ୍ଟ ଆହ୍ବାନ ରଖିବ। ଯଦି ପିପିଲିରେ ବିଜେଡି ଜିତେ, ତେବେ ତାଙ୍କ ପାରଦର୍ଶିତା କେବଳ ରାଜ୍ୟରେ ନୁହେଁ, ବରଂ କେନ୍ଦ୍ରରେ ମଧ୍ୟ ପ୍ରଭାବିତ ହୋଇପାରେ। ଏଇଥିପାଇଁ ଯେ ଧର୍ମେନ୍ଦ୍ର ସବୁ ନିର୍ବାଚନ ହାରିଲେ, କେନ୍ଦ୍ରୀୟ ନେତୃତ୍ବକୁ ବିଜେପିରେ ତାଙ୍କର ପ୍ରତିଷ୍ଠା ଓ ପତିଆରା ବିଷୟରେ ବୁଝାଇବା ଲାଗି ବିଶେଷ ଉଦାହରଣ ରହିବ ନାହିଁ। କାରଣ ସେ ସାମ୍ନାକୁ ଆସିବା ପରେ କୌଣସି ଗୋଟିଏ ବି ଉପନିର୍ବାଚନରେ ବିଜେପି ଜିତିପାରିନାହିଁ। ବିଜେପି କେନ୍ଦ୍ରୀୟ ନେତୃତ୍ବ ସବୁ ବଳ ଖଟାଇବା ପରେ ବି ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଲା। ଖୋଦ୍ ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା ଅମିତ ଶାହଙ୍କ ମିସନ ୧୨୦ ଦମ୍ଭୋକ୍ତି ପାଣି ଫୋଟକା ଭଳି ମିଳାଇଗଲା।

ଏମିତିରେ ବି ପୂର୍ବରୁ କେନ୍ଦ୍ରୀୟ ନେତୃତ୍ବ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଜ୍ୟ ରାଜନୀତିକୁ ଆଣିସାରିଛନ୍ତି। ଏଣୁ ଯେନତେନ ପ୍ରକାରେ ହେଉ ଧର୍ମେନ୍ଦ୍ରଙ୍କୁ ପିପିଲି ଆସନରେ ତାଙ୍କର ଅନୁଗତ ବୋଲି କୁହାଯାଉଥିବା ଶ୍ରୀ ପଟ୍ଟନାୟକଙ୍କୁ ଜିତାଇବାକୁ ହେବ। ଏହାର ସିଧାସଳଖ ପ୍ରଭାବ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଡ଼ିବ। ଗୋଟିଏ ଧାଡିରେ କହିବାକୁ ଗଲେ, ପିପିଲି ଉପନିର୍ବାଚନ ଧର୍ମେନ୍ଦ୍ରଙ୍କ ଓଡ଼ିଶା କ୍ୟାରିଅରରେ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ।

ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଇଁ ପିପିଲି ଉପନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ହେବ। ଦଳରେ ତାଙ୍କ ବିରୋଧରେ ଉଠିଥିବା ମତ ଏହା ପରେ ବହୁଗୁଣିତ ହୋଇପାରେ। ବିଶେଷକରି ଟିକେଟ୍ ଦେବା କ୍ଷେତ୍ରରେ ଶ୍ରୀ ପଟ୍ଟନାୟକ ଯଦି ବିବାଦକୁ ଆସନ୍ତି, ତେବେ ଏହା ତାଙ୍କୁ ଶେଷ ମୁହୂର୍ତରେ ଗୋଟିଏ ବଡ ଅପବାଦ ଭିତରେ ଛନ୍ଦି ଦେଇପାରେ। ସେଠାରୁ କଂଗ୍ରେସର ପୂର୍ଣ୍ଣ ସ୍ବାଇଁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଗୋଟିଏ ଗୋଷ୍ଠୀ ଖୋଲାଖୋଲି କହିଲେଣି। ଏମିତି ହେଲେ, ନିରଞ୍ଜନଙ୍କର କଂଗ୍ରେସରେ ବାକି ସମୟ ବିବାଦରେ ରହିବ। ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ, ନିଶିକାନ୍ତ ମିଶ୍ରଙ୍କ ଠାରୁ ଆରମ୍ଭକରି ଅନେକ ଟାଣୁଆ ନେତା ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଅଛନ୍ତି। ଏପରିକି ଦଳ ଏଠାରେ ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବି ଆଣି ପରୀକ୍ଷା ନିରୀକ୍ଷା କରିପାରେ। ଉଭୟ ଜଟଣୀ ଓ ପିପିଲିର ପ୍ରଭାବ ଥିବା କାରଣରୁ ସେ ଅନ୍ୟମାନଙ୍କ ତୁଳନାରେ ସେଠାରେ ବେଶୀ ପରିଚିତ।

ମୋଟାମୋଟି ଭାବେ ପିପିଲି ଉପନିର୍ବାଚନ ହିଁ ଓଡ଼ିଶା ରାଜନୀତିର କଡ଼ ଲେଉଟାଇବା ସମ୍ଭାବନା ଅଧିକ ରଖୁଛି। ଏଠାରେ ଯିଏ ଭୁଲ ଗୋଟି ଚାଳନା କରିବେ, ତାଙ୍କୁ ଆସନ୍ତା ଦିନରେ ବିଷମ ପରିସ୍ଥିତି ସାମ୍ନା କରିବାକୁ ପଡ଼ିବା ବିଚିତ୍ର ନୁହେଁ।

Leave A Reply

Your email address will not be published.