ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବବିଙ୍କୁ ନେଇ ନୂଆ ଟ୍ରେଣ୍ଡ୍ ସେଟ୍ କଲେ ନବୀନ

0

ଭୁବନେଶ୍ବର: ବାତ୍ୟା ‘ୟାସ୍’ ରାଜ୍ୟରେ ଅନେକ କ୍ଷତ ଛାଡ଼ିଯାଇଛି। ଲୋକେ ନାହିଁନଥିବା ଦୁର୍ଦଶା ଭିତରେ ଅଛନ୍ତି। ହେଲେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ବା ରାଜ୍ୟ ପ୍ରଥମ ଥର ପାଇଁ ଦେଖିଲା, ତାହା ହେଲା, ବିଜେଡି ସଂଗଠନ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ବାତ୍ୟା ମୁକାବିଲା କଲା। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ସ୍ଥାନୀୟ ବିଧାୟକ, ମନ୍ତ୍ରୀଙ୍କୁ ନେଇ ଏମିତି ତନାଘନା କଲେ ଯେ ତୃଣମୂଳସ୍ତର ପର୍ଯ୍ୟନ୍ତ କର୍ମୀମାନେ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଅଳ୍ପ କେଇ ଘଣ୍ଟା ମଧ୍ୟରେ ପାଖାପାଖି ୭ଲକ୍ଷ ଲୋକଙ୍କୁ ଅତି ସହଜରେ ସ୍ଥାନାନ୍ତରଣ କରାଯାଇପାରିଲା। କେବଳ ସେତିକି ନୁହେଁ, ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସମସ୍ତେ ଦିନ ରାତି ଏକ କରିବା ଦ୍ବାରା ବାତ୍ୟା ମୁକାବିଲା ପ୍ରଶାସନ ବୋଝକୁ କିଛି ପରିମାଣରେ ହାଲ୍‌କା କଲା।

ସରକାର ଓ ରାଜନୈତିକ ଦଳ ଯେବେ ଏକାଠି ଯାନ୍ତି, ସବୁସ୍ତରରେ କ୍ରିୟାଶିଳତା କିଭଳି ବହୁଗୁଣିତ ହୋଇଯାଏ, ତାହାର ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣାଟି କିନ୍ତୁ ୧୯୯୯ ମହାବାତ୍ୟା ଚିତ୍ର ସଂପର୍କରେ ଆଉଥରେ ରାଜନୈତିକ ମହଲକୁ ସ୍ମରଣ କରାଇ ଦେଇଛି।

ମହାବାତ୍ୟା ସମୟରେ କଂଗ୍ରେସ ସରକାର ଶାସନରେ ଥିଲା। ସେବେ ମହାବାତ୍ୟା ମୁକାବିଲାରେ ରାଜ୍ୟ ସରକାର ସଫଳ ହୋଇପାରିଲେ ନାହିଁ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଭୂମିକା କଂଗ୍ରେସ ବିରୋଧରେ ଏକ ବଡ଼ ମତ ତିଆରି କରିଦେଲା। ରାଜ୍ୟ କଂଗ୍ରେସ ନେତାମନେ ମଧ୍ୟ ସେଭଳି ଆଚରଣ ପ୍ରଦର୍ଶନ କଲେ ନାହିଁ, ଯାହା ଦ୍ବାରା ସେମାନଙ୍କ ସରକାର ନିନ୍ଦିତ ହେବାରୁ ବଞ୍ଚିଯିବ। ଗିରିଧରଙ୍କୁ କ୍ଷମତା ହରାଇବାକୁ ପଡ଼ିଲା। ଏଭଳି ଅନେକ ଭୁଲର ଫଳ ଏବେ ଯାଏ କଂଗ୍ରେସ ସାମ୍ନା କରୁଛି ବା ଲୋକେ କଂଗ୍ରେସକୁ ଗ୍ରହଣ ନ କରିବା ପଛର ଏସବୁ ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଇପାରେ।

ମହାବାତ୍ୟା ଭଳି ବିପର୍ଯ୍ୟୟରୁ ସରକାରକୁ ଆସିଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗଟିକୁ ଆରମ୍ଭରୁ ଅତ୍ୟନ୍ତ ଗୁରୁତ୍ବ ଦେଇଛନ୍ତି। ଆଜି ଦିନରେ ବିପର୍ଯ୍ୟୟ ମୁକାବିଲାରେ ଭାରତ ଏକ ନମ୍ବର ଏକଥା ବିଶ୍ବସ୍ତରୀୟ ସଂସ୍ଥାମାନେ ମଧ୍ୟ ସ୍ବୀକାର କରୁଛନ୍ତି। ଫାଇଲିନ, ହୁଡ୍‌ହୁଡ୍ ହେଉ କି ତିତିଲି, ଏହାଠାରୁ ଆରମ୍ଭ କରି ଫନି, ଅମ୍ଫାନ୍ ,ୟାସ୍ ପର୍ଯ୍ୟନ୍ତ ସବୁ ବିପର୍ଯ୍ୟୟରେ ପ୍ରଦର୍ଶନ କେଉଁଠି ନା କେଉଁଠି ନବୀନଙ୍କୁ ଶ୍ରେୟ ଦେଇଚାଲିଛି। କିନ୍ତୁ ରାଜନୈତିକ ଶକ୍ତିକୁ କେଚେ ସକାରାତ୍ମକ ଦିଗରେ ଲଗାଯାଇପାରେ, ଏବେ ନବୀନ ତାଙ୍କ ପଞ୍ଚମ ପାଳିରେ ତାର ଏକାଧିକ ଉଦାହରଣ ରଖିଲେଣି। ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସେବାକୁ ତ୍ବରାନ୍ବିତ କରିଥିବା ବିଜେଡି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବି ଗୋଟିଏ ଅସ୍ତ୍ର ଭଳି ବ୍ୟବହାର ହୋଇପାରେ, ଏକଥା ସବୁ ପ୍ରମୁଖ ରାଜନୈତିକ ଦଳ ସାମ୍ନାରେ ନବୀନ ରଖିବାରେ ସମର୍ଥ ହୋଇଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବାତ୍ୟାର ୧୩୦ କିଲୋମିଟର ବେଗକୁ ଚ୍ୟାଲେଞ୍ଜ ଦେଇ ୧୩୦ ଘଣ୍ଟାର ଯେଉଁ କସରତ କଲେ, ତାହା ଏବେ ଦୁଇଟି ଦୃଷ୍ଟି କୋଣରୁ ବିଜେଡି ପାଇଁ ଲାଭଦାୟକ ହେଲା।

ପ୍ରଥମତ, ଯାହା ସମସ୍ତେ ଆଲୋଚନା କରୁଛନ୍ତି- ବାତ୍ୟା ମୁକାବିଲାରେ ସଫଳତା କଥା କହିଲା ବେଳେ ବିଜେଡି ସେଥିରେ କିଛି ଭାଗ ବସାଇବ। କିନ୍ତୁ ଦ୍ବିତୀୟ କାରଣଟି ତାହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଗୋଟିଏ କଥା ବାରମ୍ବାର କୁହାଯାଏ ରାଜଦ୍ବାରେ, ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ। ଅର୍ଥାତ୍ ମଣିଷର ବିପଦ ସମୟରେ ଯିଏ ତା ପାଖରେ ଠିଆ ହୁଏ, ସିଏ ହେଉଛି ଶ୍ରେଷ୍ଠ ବନ୍ଧୁ। ବିଜେଡି ନେତାମାନେ ଏବେ କରୋନା କାଳରେ, ବାତ୍ୟା ମାଡ଼ ବେଳେ ଯେଉଁ ଭଳି ଭାବେ ସାମ୍ନାକୁ ଆସି ଲୋକଙ୍କ ପାଖରେ ଉଭା ହେଲେ, ତାହା ବିଜେଡିର ଲୋକପ୍ରିୟତାକୁ ଆଉ କିଛି ବାଟ ଟାଣିନେବାରେ ସମର୍ଥ ହୋଇଛି ଏବଂ ଲୋକେ ଏକଥା ଅବଶ୍ୟ ମନେ ରଖିବେ।

ଏଠାରେ ଉଲ୍ଲେଖଥାଉକି, ‘ତାଉ-ତେ’ ବାତ୍ୟା ବେଳେ ମହାରାଷ୍ଟ୍ରରେ ଶିବସେନାର ଏତେ ବଡ଼ ସଂଗଠନ ଥାଇ ତାହାକୁ ବିପର୍ଯ୍ୟୟ ମୁକାବିଲା ପ୍ରକ୍ରିୟାରେ ସାମିଲ କରାଯାଇପାରିଲା ନାହିଁ କି ଗୁଜରାଟରେ ବିଜେପି ଏଭଳି କୌଶଳକୁ ଶତ ପ୍ରତିଶତ ଆପଣାଇ ପାରୁନାହିଁ। ନିକଟରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏତେ ବଡ଼ ସଂଖ୍ୟାରେ ସରକାରକୁ ଆସିଥିଲେ ହେଁ, ଦଳର କ୍ୟାଡର କିନ୍ତୁ ମମତା ବାନାର୍ଜୀ ବା ଦିଦି ସାମ୍ନା କରିଥିବା ବିପର୍ଯ୍ୟୟ କଷ୍ଟକୁ ଲାଘବ କରିବାରେ ସହାୟକ ହୋଇପାରିନାହାନ୍ତି। ଏକଥା କିନ୍ତୁ ସତ ଯେ ମମତା ନିଜେ ରାତିସାରା ଅନିଦ୍ରା ରହି ପରିସ୍ଥିତି ଉପରେ ଲକ୍ଷ୍ୟ ରଖିଥିଲେ।

ହେଲେ କ୍ଷମତା ବିକେନ୍ଦ୍ରୀକରଣ, କିଭଳି ଟିମ୍ ସ୍ପିରିଟ୍‌କୁ ବହୁଗୁଣିତ କରେ, ବାତ୍ୟା ୟାସ୍ ମୁକାବିଲା କ୍ଷେତ୍ରରେ ନବୀନ ଏକଥା ଦେଶ ସାମ୍ନାରେ ରଖିଲେ। ଉଭୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଏବଂ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା (କୋଭିଡ୍ ମେଡିକାଲରୁ ଉଠି ସିଧା ଯାଇଥିଲେ ଲୋକସେବା ଭବନ ଓ କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ) ଙ୍କ ଟିମ୍ ଏବଂ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତୃତ୍ବ ନେଇ ନବୀନଙ୍କ ବିପର୍ଯ୍ୟୟ ମୁକାବିଲା କୌଶଳକୁ ସଫଳ କରାଇଲେ।

ଏଠାରେ ଉଲ୍ଲେଖଥାଉକି, ”ପ୍ରତିଟି ଜୀବନ ମୂଲ୍ୟବାନ” ବୋଲି ସତର୍କ କରାଇ ନବୀନ ଅଫିସର ଏବଂ ଦଳୀୟ ନେତାଙ୍କୁ ବାତ୍ୟା ମୁକାବିଲା କରିବାର ମନ୍ତ୍ର ଫୁଙ୍କିଥିଲେ। ଦୁଇ ତିନିଟି ମୃତ୍ୟୁ ଘଟଣାକୁ ଛାଡ଼ିଦେଲେ, ଏତେ ବଡ଼ ବିପର୍ଯ୍ୟୟରେ ଓ଼ଡ଼ିଶା ଆଉ କୌଣସି ଅଘଟଣ ସାମ୍ନା କରିନାହିଁ, ଏପରିକି ସମୁଦ୍ର କିଲୋମିଟର କିଲୋମିଟର ସ୍ଥଳଭାଗକୁ ମାଡ଼ିଆସିବା ପରେ ବି।

Leave A Reply

Your email address will not be published.