ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

ମୋଦୀଙ୍କୁ ଦୁଇଟି ବଡ଼ ସାହାଯ୍ୟ ମାଗିଲେ ନବୀନ

0

ଭୁବନେଶ୍ବର; ବାତ୍ୟା କ୍ଷୟକ୍ଷତି ପୁନର୍ଗଠନ ବା ପୁନରୁଦ୍ଧାର ବାବଦରେ ଆମର ଟଙ୍କାଟିଏ ଦରକାର ନାହିଁ। କିନ୍ତୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସୁରକ୍ଷିତ ରଖିବା ପାଇଁ ଆମର ଦୀର୍ଘମିଆଦୀ ଦୁଇଟି ଯୋଜନା ବାବଦରେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାନ୍ତୁ। ବାତ୍ୟା ‘ୟାସ୍’ କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ଓଡ଼ିଶା ଏଭଳି ଦାବି ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂପର୍କରେ ନିଜ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିଥିଲେ। ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ଯଦିଓ ୪୮୦ କିଲୋମିଟର ବେଳାଭୂମି ଅଛି, କିନ୍ତୁ ୧୬୦୦ କିଲୋମିଟର ଦୀର୍ଘ ଲୁଣା ଘେରିବନ୍ଧ ରହିଛି। ନିୟମିତ ବ୍ୟବଧାନରେ ଆସୁଥିବା ବାତ୍ୟା ଓ ଅତି ଉଚ୍ଚରେ ମାଡ଼ି ଆସୁଥିବା ସାମୁଦ୍ରିକ ଜୁଆର ବିପଦ ବଢାଇ ଦେଲେଣି। ପାଖାପାଖି ୪୫୦ କିଲୋମିଟର ଲୁଣାବନ୍ଧ ସ୍ଥିତି ଅତି ସମ୍ବେଦନଶୀଳ ସ୍ଥାନରେ ରହିଛି। ଯଦିଓ ବିପର୍ଯ୍ୟୟ ବେଳେ ସେସବୁ ଅଞ୍ଚଳରେ ୭ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଆକଳନ କରାଯାଉଛି, ଲୁଣାବନ୍ଧର ଉଚ୍ଚତା କିନ୍ତୁ ଦୁଇରୁ ଅଢେଇ ଫୁଟ ରହିଛି। ଏଣୁ ଏହି ବିଶାଳ ବନ୍ଧ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଦରକାର, ଓଡ଼ିଶା ସରକାର ବି ଅର୍ଥ ଖର୍ଚ୍ଚ କରିବେ।

ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପ୍ରସ୍ତାବ ରଖି କହିଥିଲେ ଯେ ବାରମ୍ବାର ବିପର୍ଯ୍ୟୟ କାରଣରୁ ବିଦ୍ୟୁତ କ୍ଷେତ୍ରଟି ସବୁଠାରୁ ବଡ କ୍ଷତିର ସମ୍ମୁଖୀନ ହେଉଛି। ଏ ବ୍ୟବସ୍ଥାର ଉନ୍ନତିକରଣ ଦରକାର। ନୂଆ ବୈଷୟିକ ବ୍ୟବସ୍ଥା ସହିତ ମାଟିତଳେ କେବୁଲ୍ ବିଛାଯିବା ଏହାର ଏକମାତ୍ର ସମାଧାନର ବାଟ। ଏଣୁ କେନ୍ଦ୍ର ସରକାର ଏ ବାବଦରେ ଓଡ଼ିଶାକୁ ସହାୟତା ଦେବାର ବେଳ ଆସିଛି। ପ୍ରଧାନମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ଓ ଏ ବାବଦରେ ଅର୍ଥ ଦିଅନ୍ତୁ।

ଆଜି ବିମାନବନ୍ଦରରେ ବୈଠକ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପରେ ଏକ ୮ମିନିଟ୍‌ର ଭିଡିଓ ଚିତ୍ର ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ ବାତ୍ୟା ମୁକାବିଲା ଠାରୁ ଆରମ୍ଭ କରି କ୍ଷୟକ୍ଷତିର ଚିତ୍ର ରଖିଥିଲେ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା । ସେହିଭଳି ବାତ୍ୟା କ୍ଷୟକ୍ଷତି ସଂପର୍କରେ ମଧ୍ୟ ଏକ ବିଶଦ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତି ପାଇଁ କୌଣସି ସହାୟତା ମାଗିନଥିଲେ ମୁଖ୍ୟମନ୍ତ୍ରୀ। ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିିବ ବୋଲି କୁହାଯାଇଥିଲା।

ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଯଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜି ଅଭୟ, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ପଶ୍ଚିମବଙ୍ଗ ଯିବେ।

Leave A Reply

Your email address will not be published.