ପ୍ରମୁଖ ଖବର

ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌
ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ
ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ
ରଥ ଉପରକୁ ମୋବାଇଲ ମନା; ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଅରବିନ୍ଦ ପାଢ଼ୀ
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ହେଲେ ସମୀର ଦେ
ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ

ଆଇଏଏସ୍, ଆଇପିଏସ୍ ବାବୁଙ୍କ ସ୍ଥିତି ଏବେ କଣ?

0

ଭୁବନେଶ୍ବର: ରାଜନୈତିକ ଲଢେଇରେ ପ୍ରଶାସନିକ ଅଧିକାରୀ ବା ବ୍ୟୁରୋକ୍ରାଟ୍ସଙ୍କ ସ୍ଥିତି ଅଧିକ ସମ୍ବେଦନଶୀଳ ହୋଇପଡ଼ୁଛି କି? ବ୍ୟୁରୋକ୍ରାଟ୍ସମାନେ ସମ୍ବିଧାନର ଲକ୍ଷ୍ମଣରେଖା ଡେଇଁ ରାଜନୈତିକ କାର୍ଯ୍ୟ ଭିତରକୁ ଧସେଇ ପଶୁଛନ୍ତି କି?

କୋଲକାତାର ପୂର୍ବତନ ମୁଖ୍ୟଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ପରେ ଏହି ପ୍ରସଙ୍ଗଟି ଏବେ ସମଗ୍ର ଭାରତବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବେଳହୁଁ ଯଦି କେନ୍ଦ୍ର-ରାଜ୍ୟ ସରକାରମାନେ ଏ ଦିଗରେ ସତର୍କ ନ ହେବେ, ପ୍ରଶାସନିକ ଅଧିକାରୀମାନେ ନ ହେଜିବେ, ଆଗକୁ ଯେ ଭୀଷଣ ପରିସ୍ଥିତି ସୃଷ୍ଟି ହେବ ଓ ଅଧିକରୁ ଅଧିକ ଘଟଣା ଏଭଳି ଘଟିବ, ଏଭଳି ପୂର୍ବାନୁମାନ କଲେଣି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ମହଲ। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ପଶ୍ଚିମବଙ୍ଗ ଘଟଣାଟି ଘଟିଲା, ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କେତେ କେତେ ପରିମାଣର ଦୋଷ ଅଛି, ସେ ନେଇ ବି ବିତର୍କ ଏବଂ ପୋଷ୍ଟମର୍ଟମ ଜାରି ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ କହିସାରିଛନ୍ତି ଯେ ସେ ଓ ତାଙ୍କ ମୁଖ୍ୟସଚିବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଦିନ ଯିବା ପାଇଁ ଅନୁମତି ଦେଇଥିଲେ। ପ୍ରଶ୍ନ ଉଠୁଛି, ଯଦି ପ୍ରଧାନମନ୍ତ୍ରୀ ଅନୁମତି ଦେଲେ, ପୁଣି କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଲେ? ମମତାଙ୍କ ସହିତ ମୁଖ୍ୟସଚିବ ରହିବା ନିଷ୍ପତ୍ତି ଠିକ୍ ଥିଲା ନା ସେହି ପରିସ୍ଥିତିରେ ସେ ମମତାଙ୍କୁ ଛାଡି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉପସ୍ଥିତ ରହିବା ଆଲାପନ୍‌ଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ହୋଇଥାନ୍ତା। ଆଲାପନ୍ କେଉଁଠି ଭୁଲ୍ କଲେ?

ପୂର୍ବତନ କ୍ୟାବିନେଟ୍ ସଚିବ କେ ଏମ୍ ଚନ୍ଦ୍ରଶେଖର ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭ ଲେଖି ନିଜ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଲାପନ୍‌ଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିଲେ ହେଁ, ଶୁଣିଛନ୍ତି ସେ ଜଣେ ପେଶାଦାର ଏବଂ ନିର୍ବିବାଦୀୟ ବ୍ୟକ୍ତି। ଉଭୟ ବାମଦଳର ସରକାର ଏବଂ ତୃଣମୂଳ କଂଗ୍ରେସ ସରକାରରେ ତାଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ପୁଣି ଚାରିଦିନ ପୂର୍ବରୁ ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଯେତେବେଳେ ତାଙ୍କର ଅବସର ସୀମାକୁ ତିନିମାସ ପାଇଁ ବୃଦ୍ଧି କଲେ, ସେବେେ ଏମିତି କଣ ହେଲା ଯେ ତାଙ୍କୁ କେନ୍ଦ୍ରକୁ ଫେରାଇ ଆଣିବା ଲାଗି ସରକାର ପୁଣି ଆଗ୍ରହୀ ହେଲେ, ତାହା ବୁଝପଡୁନି। ତାଙ୍କ ଦ୍ବାରା ଆଉ ତିନିମାସ ଭିତରେ କି ଉଲ୍ଲେଖନୀୟ କାମ କରାଇଥାନ୍ତେ? ଆହୁରି ଗୋଟିଏ ବଡ଼ କଥା ହେଲା, ତାଙ୍କୁ କେନ୍ଦ୍ରରେ ସଚିବ ପାହ୍ୟାକୁ କିଭଳି ଉନ୍ନୀତ କରାଗଲାନାହିଁ, ତାହା ଆହୁରି ବିସ୍ମୟକର। ସେ କେନ୍ଦ୍ରରେ ଆସି କେଉଁ ପଦବିରେ କାମ କରିଥାନ୍ତେ? ତାଙ୍କର ସମ୍ମାନ ବଢ଼ିଥାନ୍ତା ନା ଅସମ୍ମାନିତ ହୋଇଥାନ୍ତେ?

ପୂର୍ବତନ କ୍ୟାବିନେଟ୍ ସଚିବ ବି କେ ଚତୁର୍ବେଦୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ଆଲାପନ୍‌ଙ୍କ ପାଇଁ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ, ତାହା ଅଶୋଭନୀୟ ଏବଂ ଅନୁପଯୁକ୍ତ ବୋଲି କୁହାଯାଇପାରେ। ଏପରି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ସରକାର ରାଜ୍ୟ ସରକାରଙ୍କ ସହିତ ଏକାଧିକବାର ପରାମର୍ଶ କରିବେ ବୋଲି ଆଶା କରାଯାଏ। ଏହି ପରିପ୍ରେକ୍ଷୀରେ, କୌଣସି ପରାମର୍ଶ ହୋଇ ନ ଥିବା ଜଣାପଡିଛି। କେନ୍ଦ୍ରର ମତକୁ ପ୍ରାଧାନ୍ୟ ଦିଆଯିବ। କିନ୍ତୁ ପରାମର୍ଶ ନ କରି କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନ ନେବା ବି ଉଚିତ୍ ନୁହେଁ।

ଓଡ଼ିଶାର ବରିଷ୍ଠ ପ୍ରଶାସକମାନଙ୍କର କହିବା କଥା ହେଉଛି, କେନ୍ଦ୍ରୀୟ ଡେପୁଟେସନ ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହମତି ହେବା ନିହାତି ଆବଶ୍ୟକ।ଯେଉଁ ବ୍ୟକ୍ତି ଡେପୁଟେସନରେ ଯିବେ, ତାଙ୍କୁ ମଧ୍ୟ ଅସନ୍ତୁଷ୍ଟ କରାଯିବା ଉଚିତ୍ ନୁହେଁ ଅଥବା ତାଙ୍କର ସମ୍ମତି ବି ଲୋଡ଼ା। ଏହା ହେଉଛି ବୈଧାନିକ ଆବଶ୍ୟକତା। ନିୟମରେ ସ୍ପଷ୍ଟ ଲେଖାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ନ ହେଲେ, କେନ୍ଦ୍ର ସରକାରଙ୍କ କଥା ରହିବ। କିନ୍ତୁ ଏକ୍ଷେତ୍ରରେ ଏ ପରିସ୍ଥିତି ସୃଷ୍ଟି ହୋଇନାହିଁ। କାରଣ ମମତା ନିଜେ ବିସ୍ମୟ ପ୍ରକଟ କରିଛନ୍ତି ଯେ ତାଙ୍କୁ ଅଧିକାରୀଙ୍କୁ କେଉଁ ପରିସ୍ଥିତିରେ ବଦଳି କରାଗଲା?

କେନ୍ଦ୍ର-ରାଜ୍ୟ ସରକାର ବ୍ୟବସ୍ଥାର ସୀମାରେଖା ବାହାରେ ନିଜର ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ ପାଇଁ ଲଢ଼ିବେ, ତେବେ ପ୍ରଶାସନିକ ଅଧିକାରୀମାନେ ସର୍ବଦା ବା ଭୀଷଣ ଚାପଗ୍ରସ୍ତ ହୋଇ ରହିବେ। ଯାହା ଆଲାପନ୍‌ଙ୍କ କ୍ଷେତ୍ରରେ ହେଲା ଏବଂ ଚର୍ଚ୍ଚାରେ ଥାଉ କି ନ ଥାଉ ଏବେ ଏଭଳି ଅନେକ ଘଟଣା ଘଟୁଛି।

ଆଉ କିଛି ବିଶେଷଜ୍ଞଙ୍କ ମତ ହେଉଛି, ଆଇଏଏସ୍ ବା ଆଇପିଏସ୍‌ ଅଫିସର ନିର୍ବାଚିତ ସରକାରଙ୍କ ନିକଟରେ ଉତ୍ତରଦାୟୀ। ରାଜ୍ୟ ଶାସନ ଦିଗରେ ସରକାରଙ୍କ ରାଜନୈତିକ ଇଚ୍ଛାକୁ ସମ୍ବିଧାନ ଓ ବ୍ୟବସ୍ଥାର ଗଣ୍ଡି ଭିତରେ କାର୍ଯ୍ୟାନ୍ବୟନ କରିବା ସେମାନଙ୍କର ପ୍ରାଥମିକତା। କୌଣସି ପରିସ୍ଥିତିରେ ସେମାନେ ଏହି ସୀମାରେଖା ଅତିକ୍ରମ କରିବା ବାଞ୍ଛନୀୟ ନୁହେଁ।କିନ୍ତୁ ଉଭୟ ରାଜନୈତିକ ଓ ପ୍ରଶାସନିକ ଅଧିକାରୀମାନେ ଏହି ସୀମାରେଖା ଡେଇଁ ଅନେକ କାର୍ଯ୍ୟ କରୁଥିବା ଉଦାହରଣ ଏବେ ବଢ଼ିବାରେ ଲାଗିଛି। ଏକଥା ବି ସତ୍ୟ ଯେ ଅନେକ ପ୍ରଶାସନିକ ଅଧିକାରୀ ସିଧାସଳଖ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହିବା ଦ୍ବାରା ଭାରତବର୍ଷକୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି ଓ ଆମ ବ୍ୟବସ୍ଥାରେ କିଏ କଣ କରିବେ, କିଏ କେଉଁ ସୀମା ଭିତରେ ରହିବେ ଏସବୁ ମଧ୍ୟ ସମସ୍ତେ ଅତିକ୍ରମ କରିଯାଉଛନ୍ତି।

କେବଳ ଯେ ପଶ୍ଚିମବଙ୍ଗରେ ଏଭଳି ହେଉଛି ତା ନୁହେଁ, କିଛି କ୍ଷେତ୍ରରେ ଅଫିସରମାନେ ସୀମା ଭିତରେ ରହୁନଥିବା କାରଣରୁ ଓଡ଼ିଶା ବିଧାନସଭାରେ ବିଧାୟକମାନେ ବିଧାନସଭାର କାର୍ଯ୍ୟବିଧି ପରିଚାଳନା ନିୟମ ବା ରୁଲ୍-୪୭ ସଂପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ବାଚସ୍ପତିଙ୍କ ରୁଲିଂ ଦାବି କରୁଛନ୍ତି। ସମ୍ବିଧାନର ପ୍ରତ୍ୟେକ ସ୍ତମ୍ଭ ଯଦି ପରସ୍ପରର ସୀମା ଡେଇଁ ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରିବେ, ତେବେ ଭାରତର ଗଣତନ୍ତ୍ର ଭୁଶୁଡ଼ିବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହନ୍ତି।

Leave A Reply

Your email address will not be published.