ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନେତା ବଦଳିଲେ, ତଥାପି ପୁରୁଣା ରୋଗ ଛାଡୁନି

0

ଭୁବନେଶ୍ବର: କରୋନା କାଳରେ ଲୋକେ ଜୀବନ-ଜୀବିକା ସହିତ ସଂଘର୍ଷ ଜାରି ରଖିଥିବା ବେଳେ ଲୋକପ୍ରତିନିଧିଙ୍କ ଆଚରଣ ଏବଂ ଉଚ୍ଚାରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଲୋକଙ୍କୁ ସାହାଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବା କିମ୍ବା ସେମାନଙ୍କ ବିପଦରେ ଠିଆ ହୋଇ ତାଙ୍କର ବନ୍ଧୁ ପାଲଟିବା ପରିବର୍ତ୍ତେ ଶନିବାର ପାଳଲହଡାରେ କୋଭିଡ୍ କେୟାର କେନ୍ଦ୍ର କରାଯିବାର ଶ୍ରେୟ କିଏ ନେବ, ତାକୁ ନେଇ ବିଜେଡି ନେତା ରାସ୍ତାକୁ ଓହ୍ଲାଇ ଆସିଲେଣି। ପାଳଲହଡାରେ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ଏବଂ ଉଭୟଙ୍କର ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଘଟଣାକୁ ଏବେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟ ହୋଇଛି। ବିଜେଡିର ଶୀର୍ଷ ମହଲ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ଢେଙ୍କାନାଳ ସଂସଦୀୟ କ୍ଷେତ୍ରକୁ ପୁରୁଣା ରୋଗ ଛାଡୁନି। ପୂର୍ବରୁ ତଥାଗତ ସତପଥୀ ସାଂସଦ ଥିବା ବେଳେ ଏମିତି ହେଉଥିଲା, ଏବେ ସ୍ଥିତି ଆହୁରି ଜଟିଳ। ହେଲେ ଚିନ୍ତାର ବିଷୟ ହେଉଛି, ବିଜେପି ଶିବିରରେ ସାଂଗଠନିକ ସକ୍ରିୟତା ବୃଦ୍ଧି ପାଇଥିବା ବେଳେ ବିଜେଡି ନେତାଙ୍କ ଅନ୍ତଃକନ୍ଦଳ ଆଗକୁ ମହଙ୍ଗା ପଡ଼ିପାରେ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୪୦ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ କେୟାର କେନ୍ଦ୍ର ଉଦ୍‌ଘାଟନ ବିଜେଡିର ଅନ୍ତଃକନ୍ଦଳକୁ ତେଜିଦେଇଛି। ସାଂସଦ ମହେଶ ସାହୁ ସେଠାରେ ପହଞ୍ଚିବା ବେଳକୁ ବିଧାୟକ ମୁକେଶ ପାଳ ଫିତା କାଟି ଦେଇଥିଲେ। ଏହାକୁ ନେଇ ଶ୍ରୀ ସାହୁ ରାଗିଯିବା ପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଧାୟକ ଅଭିଯୋଗ କରିଛନ୍ତି ଯେ ସାଂସଦଙ୍କର ସ୍ଥାନୀୟ ଅଞ୍ଚଳ ବିକାଶରେ କିଛି ବି ଭୂମିକା ନାହିଁ, ସେ ବିଜେପି ଆଡକୁ ମୁହାଁଇଛନ୍ତି। ସାଂସଦ କହିଛନ୍ତି ସେ ମୁକେଶ ଦୁଇବର୍ଷ ତଳେ ବିଜେପି ଛାଡ଼ି ଆସିଛନ୍ତି, ହେଲେ ସେ ୧୨ବର୍ଷ ହେଲା ବିଜେଡିରେ ଅଛନ୍ତି। ଅସଲ ବିଜେଡି କିଏ, ତାକୁ ନେଇ ରାଜନୀତି।

ଖବର ନେବାରେ ଜଣାପଡ଼ିଛି ଯେ ସମୁଦାୟ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବିଜେଡି ଦୁଇଭାଗ ହୋଇଯାଇଛି। ସାଂସଦଙ୍କର କୌଣସି ବିଧାୟକଙ୍କ ସହିତ ଭଲ ସଂପର୍କ ଆଉ ନାହିଁ। ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଠାରୁ ଆରମ୍ଭ କରି ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସହିତ ସାଂସଦଙ୍କର ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଢେଙ୍କାନାଳ ଜିଲ୍ଲାରେ ସ୍ଥିତି ତା ଚାହିଁ ଖରାପ।

ଢେଙ୍କାନାଳ ଜିଲ୍ଲା ଭାଗ ହେବା ପରେ ଏମିତିରେ ଉଭୟ ଜିଲ୍ଲା ମଧ୍ୟରେ ସଂପର୍କ ଏତେ ଖାସ୍ ନାହିଁ। ପୂର୍ବରୁ ଢେଙ୍କାନାଳ ଜିଲ୍ଲାରୁ ନେତାମାନେ ସାଂସଦ ହେଉଥିଲେ। ବିଜେଡିରୁ ତଥାଗତ ସତପଥୀ ବାରମ୍ବାର ସେଠାରୁ ନିର୍ବାଚିତ ହୋଇଛନ୍ତି। ଏଥର ପ୍ରଥମ ଥର ପାଇଁ ବିଜେଡି ଅନୁଗୁଳରୁ ଶ୍ରୀ ସାହୁଙ୍କୁ ଆଣି ପ୍ରାର୍ଥୀ କରିଥିଲା। ପାଳଲହଡାରେ ବିଜେଡି ଜିତିଲା ଏବଂ ସଂସଦୀୟ କ୍ଷେତ୍ରରେ ବି। କିନ୍ତୁ ଶ୍ରୀ ସାହୁଙ୍କ ପ୍ରତି ଢେଙ୍କାନାଳରେ ସେଭଳି ଆନ୍ତରିକତା ନାହିଁ କିମ୍ବା ସେ ନିର୍ବାଚିତ ହେବା ପରେ ବି ଏହି ଜିଲ୍ଲାକୁ ଯେଭଳି ଗୁରୁତ୍ବ ଦେଇ ଲୋକଙ୍କ ମନ ଜିଣିନେବା କଥା ତାହା କରିପାରିନାହାନ୍ତି। ଏସବୁ କାରଣରୁ ଏବେ ସାଂସଦ-ବିଧାୟକମାନଙ୍କ ଭିତରେ କଳି ବିଜେପିକୁ ସୁହାଇଛି।

ଅତି ନିର୍ଭରଯୋଗ୍ୟ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ଇଙ୍ଗିତରେ ଉଭୟ ଜିଲ୍ଲାରେ ବିଜେପି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଓ ସଂଗଠନ ସଜଡା ଆରମ୍ଭ ହୋଇଛି। କୌଣସି ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନ ନେଇ ବୁଥ୍‌ସ୍ତରରୁ ଦଳକୁ ସଜାଡିବା ଲାଗି ବିଜେପି ଚାହିଁଛି। ଆଗକୁ ଯଦି ସ୍ଥିତି ଅନୁକୂଳ ହୁଏ, ସମ୍ଭବତଃ ଧର୍ମେନ୍ଦ୍ର ପୁଣି ଥରେ ଅବିଭକ୍ତ ଢେଙ୍କାନାଳ ରାଜନୀତିରେ ସିଧାସଳଖ ସାମିଲ ହୋଇପାରନ୍ତି। ଏଥିପାଇଁ ସେ ବିଧାନସଭା କ୍ଷେତ୍ର ବି ପ୍ରସ୍ତୁତ କରୁଛନ୍ତି ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ଏପରିସ୍ଥଳେ ବିଜେଡି ନେତାମାନେ ଯଦି ଅନ୍ତଃକନ୍ଦଳରେ ମାତିବେ ତେବେ ବିଜେପି ରାସ୍ତା ସୁଗମ ହେବ ହିଁ ହେବ।

Leave A Reply

Your email address will not be published.