ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମୋଦୀଙ୍କୁ ରୋକିବାକୁ ଗୋଟି ଚଳାଉଛନ୍ତି ପିକେ

0

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏକ ବଡ଼ ରାଜନୈତିକ ଗୋଟିଚାଳନାର ଆଭାସ ମିଳୁଛି। ଗତ ସପ୍ତାହରେ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହିତ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଆଲୋଚନା କରିବା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ତାଙ୍ଗ ସଂଗଠନକୁ ବିସ୍ତାର କରିବା, ଗୁଜରାଟରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବା ସଂପର୍କରେ ଦିଲ୍ଲୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ମନ୍ତବ୍ୟ ଏସବୁର ଏହା ଅଂଶବିଶେଷ। ଅଣ ବିଜେପି-ଅଣ କଂଗ୍ରେସ ଦଳକୁ ଏକାଠି କରି ବିଜେପି ବିରୋଧରେ ଏକ ବଡ଼ ମୋର୍ଚ୍ଚା ଛିଡ଼ା କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି।

ମିଳୁଥିବା ସୂଚନା ଅନୁସାରେ, ଖୁବ ଶୀଘ୍ର ଶ୍ରୀ ପାଓ୍ବାର ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏହା ପରେ ଏହି କାର୍ଯ୍ୟକ୍ରମ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ।

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ସହିତ ୨୦୨୬ ଯାଏ ଚୁକ୍ତି କରିଛନ୍ତି। ପ୍ରଶାନ୍ତ କିଶୋର ପଛରେ ରହି ମମତାଙ୍କୁ ସହଯୋଗ କରିବେ ବୋଲି କୁହାଯାଉଛି। ଏହି ଅବସରରେ ମମତା ଏକଥା ବି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଅନ୍ୟ ରାଜ୍ୟକୁ ବିସ୍ତାର କରାଯିବ। ଅଭିଷେକ ବାନାର୍ଜୀଙ୍କୁ ସେ ଏହି ଗୁରୁ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ସୁଶ୍ରୀ ବାନାର୍ଜୀ କହିଥିଲେ ଯେ ମୋଦୀଙ୍କୁ କ୍ଷମତାରୁ ହଟାଇବା ପାଇଁ ସେ କାର୍ଯ୍ୟ କରିବେ। ଏସବୁକୁ ଦେଖି ଅନୁମାନ କରାଯାଉଛି ଯେ ପ୍ରଶାନ୍ତ କିଶୋର ପଛରେ ରହିବେ ଓ ଭାରତବର୍ଷରେ ମୋଦୀ ବିରୋଧୀ ଶକ୍ତି ଆଗକୁ ବଢ଼ିବ।

ଅନ୍ୟପକ୍ଷରେ କଂଗ୍ରେସ ଏବେ ଦ୍ବନ୍ଦ୍ବରେ ପଡ଼ିଛି। ପ୍ରଥମେ ପ୍ରଥମେ କଂଗ୍ରେସ ପ୍ରତିକ୍ରିୟା ଦେଇ ଏହାକୁ ମୋଦୀଙ୍କ ବି ଟିମ୍ ବୋଲି କହୁଥିଲା। ହେଲେ ମହାରାଷ୍ଟ୍ରରେ ଯେବେ ଜଣାପଡିଲା ଯେ ପ୍ରଶାନ୍ତ କିଶୋର ସ୍ଥାନୀୟ ସରକାରରେ ଅସ୍ଥିରତା ନ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି, ସେବେ କଂଗ୍ରେସ ବି ଚୁପ୍। ପ୍ରଶାନ୍ତ କହିଛନ୍ତି ଯେ ମହାରାଷ୍ଟ୍ରରେ ଯଦି ଶ୍ରୀ ପାଓ୍ବାର କେବେ ଶ୍ରୀ ଠାକ୍‌ରେ ସରକାର ପ୍ରତି ବିପଦ ସୃଷ୍ଟି କରନ୍ତି, ତେବେ ବିଜେପି ଉଦ୍ଧବଙ୍କୁ ନେଇ ସରକାର ଗଠନ ଲାଗି ବହୁତ କମ୍ ସମୟ ନେବ। ଉଦ୍ଧବ ଅଢେଇ ବର୍ଷ ପରେ ସରକାର ଛାଡ଼ିବା ନେଇ ପ୍ରଶ୍ନ ଉଠିଥିଲା।

ପ୍ରଶାନ୍ତ କିଶୋର ଇତିମଧ୍ୟରେ ଅଭିନେତା ଶାହାରୁଖ ଖାନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଶାହାରୁଖ ଓ ମମତାଙ୍କ ସମୀକରଣ ବେଶ୍ ଭଲ। ଏହା ପୂର୍ବରୁ ଭାରତୀୟ କିଷାନ୍ ୟୁନିୟନ୍ ନେତା ରାକେଶ ଟିକାୟତଙ୍କ ସହିତ ମମତା ବାନାର୍ଜୀ ବୈଠକ କରିଥିଲେ। ଏଥିରେ ଚାଷୀ ପ୍ରସଙ୍ଗକୁ ଜୋରଦାର କରିବା ଲାଗି ସହମତି ହୋଇଥିଲା ଓ ମମତା ନିଜେ ସବୁ ବିଜେପି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏଭଳି ଦାବି ରଖିଥିଲେ। ଏସବୁକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ଦେଶରେ ୨୦୨୪କୁ ଦୃଷ୍ଟିରେ ରଖି ଅଣବିଜେପି ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ ଲାଗି ଜୋରଦାର କସରତ ଆରମ୍ଭ ହୋଇଛି।

ଏଠାରେ ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସବୁଠାରୁ କଠିନ ପରିସ୍ଥିତିରେ ଗତି କରୁଛନ୍ତି। ମହାମାରୀ କୋଭିଡ୍ ପରିଚାଳନା ନେଇ ସମଗ୍ର ବିଶ୍ବର ଗଣମାଧ୍ୟମ ଯେବେ ତାଙ୍କୁ ଆଙ୍ଗୁଠି ଦେଖାଉଛି, ପଶ୍ଚିମବଙ୍ଗ ନିର୍ବାଚନ ପରେ ବିଭିନ୍ନ ରାଜ୍ୟ ବିଜେପି ଅନ୍ତଃକନ୍ଦଳ ତାଙ୍କ ପାଇଁ ସେତିକି ମହଙ୍ଗା ସାବ୍ୟସ୍ତ ହେଲାଣି। ସେ ପଶ୍ଚିମବଙ୍ଗ ହେଉ କି ଉତ୍ତରପ୍ରଦେଶ ଅବା ମଧ୍ୟପ୍ରଦେଶ ସବୁଠାରେ ଦଳରେ କେଁ ଦେଖାଦେଇଛି। କେନ୍ଦ୍ର ସରକାର ଟିକା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇ ମହାମାରୀ ଅପବାଦକୁ ପୋଛିବାକୁ ଚେଷ୍ଟା କରିଛନ୍ତି। ଠିକ୍ ସେହିଭଳି ଅନ୍ୟ ଏକ ରଣନୀତିରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରି ରାଜନୈତିକ ବାର୍ତ୍ତା ଦେବା ଲାଗି ସଜବାଜ ଚଳାଇଛନ୍ତି। ହେଲେ ଏସବୁ ତୃଣମୂଳସ୍ତରକୁ ଏଯାଏ ଯଥେଷ୍ଟ ପ୍ରଭାବିତ କରିପାରିନାହିଁ।

ଅନ୍ୟପକ୍ଷରେ କଂଗ୍ରେସର ଗତି ଦେଖି ଅନ୍ୟ ରାଜନୈିତିକ ଦଳ ନିଷ୍ପତ୍ତି ନେଇଗଲେଣି ଯେ ତାଙ୍କୁ ଦୂରେଇ ହିଁ ଆଗକୁ ବଢ଼ିବାକୁ ହେବ। କାରଣ ଧୀରେ ଧୀରେ କଂଗ୍ରେସ ଦେଶରେ ନିଷ୍ପ୍ରଭ ହେବାରେ ଲାଗିଲାଣି ଓ ଅନ୍ତଃକନ୍ଦଳ ଏତେ ବେଶୀ ଯେ ବିରୋଧୀ ଶକ୍ତିକୁ ପ୍ରତିହତ କରିବା ଲାଗି ତାଙ୍କର ସାହସ ନାହିଁ। ଏପରିକି କେନ୍ଦ୍ର ସରକାର ବିରୋଧରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ଛିଡା କରି କେନ୍ଦ୍ର ସରକାରଙ୍କ ଗତିରୋଧ କରିବାର ସାହସ ବି ସେମାନେ ହରାଇ ସାରିଲେଣି। ଏଣୁ ସବୁ ବିରୋଧୀ ରାଜନୈତିକ ତତ୍ତ୍ବ ଧୀରେ ଧୀରେ ହାତ ମିଳାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କ ସ୍ବାର୍ଥ ପାଇଁ ଏହା ଜରୁରୀ ବୋଲି ଉଭୟ ଟିଏମ୍‌ସି ଏବଂ ଏନ୍‌ସିପି ନେତା ଇତିମଧ୍ୟରେ ଗଣମାଧ୍ୟମକୁ କହିସାରିଲେଣି।

ରାଜନୈତିକ ମହଲର ମତ ହେଉଛି, ଉଭୟ ଶରଦ ପାଓ୍ବାର ଏବଂ ମମତା ବାନାର୍ଜୀ ଯେଉଁ କୌଶଳ ଆପଣାଉଛନ୍ତି ଏହାକୁ ତୃତୀୟ ସାମ୍ମୁଖ୍ୟ ବୋଲି କହିହେବ ନାହିଁ। କାରଣ ଏନ୍‌ସିପି ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଅଟେ। କଂଗ୍ରେସ ସହିତ ଟିଏମ୍‌ସି, ଏନ୍‌ସିପି ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ୍ ପରିଚାଳନା ସଂପର୍କରେ ନିକଟରେ ଚିଠି ଲେଖିଛନ୍ତି। ଏହା କିନ୍ତୁ ସୂଚାଉଛି ଯେ ମୋଦୀ ବିରୋଧୀ ବାତାବରଣକୁ ଧରି ଏମାନେ ଆଗକୁ ବଢ଼ିବେ। ଭବିଷ୍ୟତରେ ଏହା କୌଣସି ରାଜନୈତିକ ଘୂର୍ଣ୍ଣିବାତ୍ୟା ଯେ ସୃଷ୍ଟି କରିପାରେ।

ସମସ୍ତେ ଜାଣନ୍ତି ଯେ ଆମ୍‌ ଆଦମୀ ପାର୍ଟି, ବିଏସ୍‌ପି, ତେଲେଙ୍ଗାନା ରାଷ୍ର ସମିତି, ବିଜୁ ଜନତା ଦଳ, ଓ୍ବାଇଏସ୍ଆର୍‌ କଂଗ୍ରେସ ପାର୍ଟି ଅପେକ୍ଷା ମମତା ଓ ଶରଦ ଯାଦବ ଅଧିକ ବିଜେପି ବିରୋଧୀ ଶକ୍ତି ଭାବେ ଜଣାଶୁଣା। ଏମାନେ ଆଗକୁ ବଢ଼ିବା ପ୍ରକ୍ରିୟାରେ ଅନ୍ୟମାନେ ସମ୍ଭବତଃ ପରବର୍ତ୍ତୀ ସମୟରେ ସାମିଲ ହୋଇପାରନ୍ତି ବା ପରୋକ୍ଷ ସମର୍ଥନ ଦେଇପାରନ୍ତି।

ସ୍ମରଣଯୋଗ୍ୟ, ଉଭୟ ଶରଦ ଯାଦବ ଏବଂ ମମତା ୧୯୯୦ ଦଶକରେ କଂଗ୍ରେସ ଛାଡି ନୂଆ ରାଜନୈତିକ ଦଳ ଗଠନ କରିଥିଲେ ଓ ସଫ​ଳ ବି ହୋଇଥିଲେ।ଦ୍ୱିତୀୟରେ, ବାନାର୍ଜୀ ଏବଂ ଅଧିକ ପାୱାର, କଂଗ୍ରେସର ଅନେକ ନେତାଙ୍କ ସହିତ ବହୁତ ଭଲ ସମୀକରଣ ଅଛନ୍ତି। କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ଉପରେ ଏନସିପି ମୁଖ୍ୟ ନଜର ରଖିଥିବା ଜଣା ପଡିଛି। ଏଠାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଶାନ୍ତ କିଶୋର ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ନିର୍ବାଚନ ପାଇଁ ପରାମର୍ଶଦାତା ଭାବରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ କାର୍ଯ୍ୟ କରୁଛନ୍ତି।

ତେବେ ଏକଥା କେହି ଭୁଲିବା ଉଚିତ୍ ନୁହେଁ ଯେ ଭାରତବର୍ଷରେ କଂଗ୍ରେସର ପ୍ରଭାବ କମିବା ସତ୍ତ୍ବେ ୨୦୧୯ ନିର୍ବାଚନ ଫଳାଫଳ ସୂଚାଇଛି ଯେ କଂଗ୍ରେସ ୫୨ଟି ଆସନ ଜିତିଥିଲେ ହେଁ ୨୦୦ରୁ ଅଧିକ ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ୧୬୦୯ଟି ଆସନରେ କଂଗ୍ରେସ ବିଜେପିର ବିରୋଧୀ ଶକ୍ତି ଭାବେ ସିଧାସଳଖ ରହିଛି। ଏବେ ବି ଟିଏମ୍‌ସି ଠାରୁ ଢେର୍ ଅଧିକ ଶକ୍ତିଶାଳୀ ଏବଂ ଏନ୍‌ସିପି ଠାରୁ ବି।

ଏଣୁ ଏମିତି ବି ହୋଇପାରେ ଏମାନେ କଂଗ୍ରେସ ସହିତ ଭବିଷ୍ୟତରେ ହାତ ମିଳାଇପାରନ୍ତି ବା ଏକ ବଡ଼ ମୂଲଚାଲ କରିପାରନ୍ତି।

Leave A Reply

Your email address will not be published.