- ଆଉ କେତେ ଦିନ ପ୍ରଶାସକଙ୍କ ହାତରେ ରହିବ ମହାନଗର, ପୌରାଞ୍ଚଳ ଓ ସମବାୟ ସଂସ୍ଥା
- ମାଳ ମାଳ ପୁରସ୍କାର ଗୋଟାଉଛନ୍ତି, ଅଥଚ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରିଲେନି
- ପଞ୍ଚାୟତିରାଜ ବିଭାଗ ସ୍ଥିତି ମୁସ୍କିଲ୍, ପିିପିଲି ଉପନିର୍ବାଚନ ପ୍ରଚାର ବେଳେ ଆସିଲା ବଡ ସତ
- ସମବାୟ ମନ୍ତ୍ରୀ ଅତ୍ୟନ୍ତ ଦକ୍ଷ, କିନ୍ତୁ ମହାରାଷ୍ଟ୍ର ଭଳି ପାରଦର୍ଶିତା ପ୍ରଦର୍ଶନ କରିପାରିଲାନି ଓଡ଼ିଶା
ଭୁବନେଶ୍ବର: ୨୦୧୪ ମସିହା ଅଗଷ୍ଟ ୧୯ ତାରିଖରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ୧୯୯୪ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ଜି ମାଥିଭାଥନନ୍ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଦାୟିତ୍ବ ନେଇଥିଲେ। ପାଖାପାଖି ୭ବର୍ଷ ହେଲାଣି ସେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି। ସରକାର ତାଙ୍କୁ ବଦଳି କରିନାହାନ୍ତି ବରଂ ଭରସା କରିଛନ୍ତି। ସ୍ମାର୍ଟ ସିଟି ମିସନ, ଅମୃତ, ସ୍ବଚ୍ଛ ଭାରତ ମିସନ, ଆହାର, ଆଓ୍ବାସ, ହୃଦୟ, ସ୍ବଚ୍ଛ ସହର ଓଡ଼ିଶା ଭଳି ମାଳ ମାଳ ଯୋଜନା ଏବେ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଶ୍ରୀ ମାଥିଭାଥନନ୍ ଯେ ବିଫଳ ସେ କଥା ନୁହେଁ। ବରଂ କିଛି ବର୍ଷ ତଳେ ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରକଳ୍ପ ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ଏହାପରେ ନଗର ଉନ୍ନୟନ ବିଭାଗ ମାଳ ମାଳ ପୁରସ୍କାର ଗୋଟାଇଛି। କେବେ ମନ୍ତ୍ରୀ ଆଉ କେବେ ସଚିବ ଏ ଫଟୋ ଉଠାଇ ଗଣମାଧ୍ୟମକୁ ଦେଇଛନ୍ତି।
ହେଲେ ମହାନଗର, ପୌରସଂସ୍ଥା, ଏନଏସି ନିର୍ବାଚନ ହୋଇପାରୁନି କାହିଁକି? ସଂରକ୍ଷଣ ସଂପର୍କିତ ମାମଲାର ସ୍ପଷ୍ଟ ରୂପରେଖ ଆସି ସାରିବା ପରେ ବି ଅତ୍ୟନ୍ତ ଦକ୍ଷ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସଚିବ କାହିଁକି ପୌର ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କୁ ଭରସା ଦେଇପାରୁନାହାନ୍ତି? କାହିଁକି ସହରାଞ୍ଚଳ ଲୋକମାନଙ୍କ ଭିତରେ ସହରାଞ୍ଚଳ ବିକାଶକୁ ନେଇ ଏକ ଉଜ୍ଜ୍ବଳ ଚିତ୍ର ପରିପ୍ରକାଶ ହେଉନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। ବିନା ନେତୃତ୍ବରେ ପୌର ସଂସ୍ଥା ବର୍ଷାଧିକ ଧରି ରହିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବରଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦକ୍ଷତା ଉପରେ ଏବେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲାଗିଲାଣି।
ଭୁବନେଶ୍ବର ମହାନଗର ନିଗମ ସମେତ ରାଜ୍ୟର ପ୍ରାୟ ସବୁ ପୌରାଞ୍ଚଳ ଏବେ ପ୍ରଶାସକମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛି। ଏଇଥିପାଇଁ ଯେ ପୌର ନିର୍ବାଚନ ଠିକ୍ ସମୟରେ ଅନୁଷ୍ଠିତ ହୋଇପାରିଲା ନାହିଁ। ଯଦିଓ ସଂରକ୍ଷଣ ପ୍ରସଙ୍ଗକୁ ନେଇ କୋର୍ଟରେ ଥିବା ମାମଲା ବିଳମ୍ବିତ ନିର୍ବାଚନ ପଛରେ ଏକ ବଡ଼ କାରଣ ଥିଲା, କିନ୍ତୁ ଇତିମଧ୍ୟରେ ତାହାର ନିଷ୍କର୍ଶ ଆସିସାରିଲାଣି। ତଥାପି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟ ସରକାରଙ୍କୁ ବିଶ୍ବାସ ଦେଇପାରୁନାହିଁ। ହଜାର ହଜାର କୋଟି ଟଙ୍କା ପୌରାଞ୍ଚଳରେ ଖର୍ଚ୍ଚ ପରେ ବି ହାତଗଣତି କିଛି ପ୍ରକଳ୍ପ ଛାଡ଼ିଦେଲେ ବିଭାଗ ଅନ୍ୟ କୌଣସିଠାରେ ଆଖିଦୃଶିଆ ବିକାଶର ଚିତ୍ର ଆଙ୍କିପାରିନାହିଁ।
କେବଳ ନଗର ଉନ୍ନୟନ ବିଭାଗରେ ଏମିତି ହୋଇଛି ତା ନୁହେଁ, ପଞ୍ଚାୟତିରାଜ ବିଭାଗର ଚିତ୍ର ଆହୁରି ମୁସ୍କିଲ୍। ୨୦୧୩ ମସିହା ଜୁନ୍ ପହିଲା ଅର୍ଥାତ୍ ପ୍ରାୟ ୮ବର୍ଷ ତଳେ ଏହି ବିଭାଗର ଦାୟିତ୍ବ ନେଇଥିଲେ ୧୯୯୩ ବ୍ୟାଚ୍ ବରିଷ୍ଠ ଆଇଏଏସ ଦେଓରଂଜନ ସିଂହ। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ କାହାକୁ ଅଛପା ନାହିଁ। ଶାସକ ବିଜେଡି ଦଳର ପ୍ରଦର୍ଶନ କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ପଞ୍ଚାୟତମାନଙ୍କରେ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ବେଶ୍ ଆଖିଦୃଶିଆ ନଥିଲା। ତା ସତ୍ତ୍ବେ ଦେଓରଂଜନଙ୍କ ଉପରେ ରାଜ୍ୟ ସରକାର ଭରସା କରି ଅଛନ୍ତି। ଏବେ ବି ସେ ପଞ୍ଚାୟତ ବିଭାଗ ଦାୟିତ୍ବରେ। କୌତୂହଳର କଥା ହେଲା, ପିପିଲି ଉପନିର୍ବାଚନ ପ୍ରଚାର ବେଳେ ସରକାରଙ୍କ ବିରୋଧରେ ଲୋକେ ଯେଉଁ ବଡ଼ ଅଭିଯୋଗ ଆଣିଲେ, ତାହା ହେଲା ବାତ୍ୟା ଫନି ବାବଦରେ ମିଳିଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ। କୌଣସି ନିର୍ବାଚନରେ ସରକାରଙ୍କ ବିରୋଧରେ ଲୋକ ଆଗରୁ ଏଭଳି କେବେ ବି ଆଙ୍ଗୁଳି ଉଠାଇନଥିଲେ। ସିଧା ସିଧା ନେତୃତ୍ବଙକୁ ଜବାବ ଦେବା ଓଡ଼ିଶାର ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ଦେଖାଯାଇନଥିଲା। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ଆଧାରରେ ନିର୍ବାଚନ ହେବ ଓ ବିଜେଡିର ଦବଦବା ରହିଛି, ତଥାପି ଏହାକୁ ରାଜନୈତିକ ମହଲ ଏକ ବଡ଼ ସଙ୍କେତ ଭାବେ ଗ୍ରହଣ କରୁଛନ୍ତି। ପଞ୍ଚାୟତିରାଜ ବିଭାଗ ଏ କ୍ଷେତ୍ରରେ ନିଜକୁ ସମ୍ପୂ୍ର୍ଣ୍ଣ ଦୋଷମୁକ୍ତ କରିବା ବି କାଠିକର ପାଠ। ନଗର ଉନ୍ନୟନ ଭଳି ଏ ବିଭାଗର ଗୁରୁ ଦାୟିତ୍ବ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତରେ।
ସମ୍ଭବତଃ ଗତ କେଇ ଦଶନ୍ଧି ମଧ୍ୟରେ ଏମିତି କୌଣସି ମନ୍ତ୍ରୀଙ୍କ ଭାଗ୍ୟରେ ଜୁଟିନଥିବ, ଯିଏ ଉଭୟ ପଞ୍ଚାୟତିରାଜ ଓ ପୌର ସଂସ୍ଥାର ମୁଖିଆ ଭାବେ କାର୍ଯ୍ୟ କରିଥିବେ। ଅର୍ଥାତ୍ ରାଜ୍ୟ କ୍ୟାବିନେଟ୍ରେ ଶ୍ରୀ ଜେନା ସବୁଠାରୁ ବା ଅତ୍ୟନ୍ତ କ୍ଷମତାଶାଳୀ ମନ୍ତ୍ରୀ ବୋଲି କୁହାଯାଇପାରେ। ହେଲେ ମନ୍ତ୍ରୀଙ୍କ ପ୍ରଦର୍ଶନ ରାଜ୍ୟ ସରକାରଙ୍କ ପାଇଁ କେବେ ବି କେଉଁଠି ଆଶ୍ବସ୍ତି ଆଣିଲା ଭଳି ହୋଇନାହିଁ। ବରଂ ନିଜେ ମନ୍ତ୍ରୀ ଅନେକ ବାର ବିବାଦରେ ଛନ୍ଦି ହୋଇଛନ୍ତି ଓ ସରକାରଙ୍କୁ ତାର ପରିଣାମ ଭୋଗ କରିବାକୁ ପଡ଼ିଛି। ସେ ମାହାଙ୍ଗା ଡବଲ୍ ମର୍ଡର ଘଟଣା ହେଉ କିମ୍ବା ନିଜ ନିର୍ବାଚନମଣ୍ଡଳୀରେ ଆବାସ କେଳେଙ୍କାରୀ କୌଣସି କ୍ଷେତ୍ରରେ ସ୍ବଚ୍ଛତାକୁ ଆଗରେ ରଖି ମନ୍ତ୍ରୀ କାର୍ଯ୍ୟ କରିପାରିନାହାନ୍ତି। ଏପରିକି ଆଇନ ମନ୍ତ୍ରୀ ଭାବେ ପ୍ରତାପ ଜେନାଙ୍କ ପ୍ରଦର୍ଶନ ମଧ୍ୟ ଆଦୌ ଉଲ୍ଲେଖନୀୟ ହୋଇ ରହିବ ନାହିଁ। ଗତବର୍ଷ ଯେବେ ରାଜ୍ୟ ସରକାର ରଥଯାତ୍ରା ସମୟରେ ଅତ୍ୟନ୍ତ ଅସୁବିଧା ଜନକ ସ୍ଥିତିରେ ଥିଲେ ସେବେ ମନ୍ତ୍ରୀଙ୍କର କୌଣସି ଭୂମିକା ରାଜ୍ୟ ଦେଖିପାରିନଥିଲା। ଏପରି ପରିସ୍ଥିତିରେ ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ସୂଚାଇବ, ଉଭୟ ଦେଓରଂଜନ ଏବଂ ପ୍ରତାପ ଜେନାଙ୍କ ଯୋଡି ରାଜ୍ୟ ସରକାରଙ୍କ ଭରସା କେତେ ଦୂର ରଖିପାରିଛନ୍ତି।
ସମବାୟ ନିର୍ବାଚନ ସ୍ଛିତି ତା ଚାହିଁ ସାଂଘାତିକ ସ୍ଥିତିରେ ରହିଛି। ବିଜେଡିର ସମବାୟ ଓ୍ବିଙ୍ଗ୍ ଦାୟିତ୍ବ ସମ୍ଭାଳିଥିଲେ ଆଠଗଡ଼ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦାୟିତ୍ବରେ ବି ମନ୍ତ୍ରୀ ଅଛନ୍ତି। ହେଲେ ସମବାୟ ନିର୍ବାଚନ କରିବା ଲାଗି ସରକାରଙ୍କୁ ବିଶ୍ବାସ ଦେବାରେ ମନ୍ତ୍ରୀ କେଉଁଠି ନା କେଉଁଠି ଅସମର୍ଥ ହୋଇଛନ୍ତି। ପୌରାଞ୍ଚଳ ଭଳି ସବୁ ସମବାୟ ସଂସ୍ଥା ଏବେ ପ୍ରଶାସକଙ୍କ ନିୟନ୍ତ୍ରଣରେ ରହିଛି। ଫଳରେ ଏସବୁ ସଂସ୍ଥାର ମୂଳ ଉଦ୍ଦେଶ୍ୟ ପରାହତ ହୋଇଛି। ଏକଥା ନୁହେଁ ଯେ ରାଜ୍ୟ ସରକାର ସମବାୟ ବିଭାଗକୁ କମ୍ ଗୁରୁତ୍ବ ଦେଇଛନ୍ତି। ବରଂ ଆଜି ଦିନରେ ଋଣ ପ୍ରଦାନ ଠାରୁ ଆରମ୍ଭ କରି ପାକ୍ସ୍, ଲାମ୍ପସ୍ ଜରିଆରେ ଧାନ କିଣା ଆଦି ପ୍ରକ୍ରିୟା ପାଳନ କ୍ଷେତ୍ରରେ ଓଡ଼ିଶା ପ୍ରସ୍ତୁତି ଢେର୍ ଆଗରେ। କିନ୍ତୁ ମନ୍ତ୍ରୀ,ସଚିବଙ୍କର ପ୍ରଦର୍ଶନରେ ସେଭଳି କିଛି ପାରଦର୍ଶିତା ଦେଖାଯାଇନାହିଁ, ଯାହା ସମବାୟ ଆନ୍ଦୋଳନ କ୍ଷେତ୍ରରେ ମହାରାଷ୍ଟ୍ର ଆଦି ରାଜ୍ୟ ଭଳି ଯୁଗାନ୍ତକାରୀ ହେବ। ଓଲଟା ମନ୍ତ୍ରୀଙ୍କ ନିଜ ଅଞ୍ଚଳ ଆଠଗଡ଼ରେ ସମବାୟ ବିଭାଗରେ କେଳେଙ୍କାରୀ ଦାଣ୍ଡରେ ପଡ଼ି ହାଟରେ ଗଡିଛି ଏବଂ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
ଏସବୁ ମନ୍ତ୍ରୀ, ସଚିବଙ୍କର ସଫଳତା ନା ବିଫଳତା ବୋଲି କୁହାଯିବ?