ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କିଏ ହେବେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ମୁଖିଆ?

0
  • ଆଇପିଏସ୍‌ ଶିବିରରେ ହଲଚଲ୍‌, ସରକାରଙ୍କ ଉପରେ ସମସ୍ତଙ୍କ ନଜର
  • ପୁଲିସ ଆଧୁନିକୀକରଣ ଶାଖା, ପଶ୍ଚିମାଞ୍ଚଳ ରେଜଂ ପଦବି ବି ପୂରଣ ହୋଇପାରେ
  • ଯେ କୌଣସି ମୁହୂର୍ତରେ ବାହାରିପାରେ ନିର୍ଦେଶନାମା, ଆଖି ରଖିଛନ୍ତି ରାଜନୈତିକ ମହଲ

ଭୁବନେଶ୍ବର: ପୂର୍ବରୁ କ୍ରାଇମବ୍ରାଞ୍ଚ ମୁଖିଆ ପଦ ଖାଲି ପଡ଼ିଛି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡ଼ିଜି ଯଶୋବନ୍ତ ଜେଠଓ୍ବା ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଉଛନ୍ତି। ଏବେ ବରିଷ୍ଠ ଆଇପିଏସ୍‌ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ପରେ ଭିଜିଲାନ୍ସ ନିର୍ଦେଶକ ପଦବି ଖାଲିପଡ଼ିଗଲା। ରାଜ୍ୟ ସରକାରଙ୍କର ବାମ ଓ ଡାହାଣ ହାତ ବୋଲି କୁହାଯାଉଥିବା ପୁଲିସ ବିଭାଗର ଏହି ଦୁଇଟି ବଡ଼ ଓ୍ବିଙ୍ଗ୍ ଖାଲି ପଡ଼ିବା ପରେ ଖୁବ୍ ଶୀଘ୍ର ଆଇପିଏସ୍ ସ୍ତରରେ ଏକ ଅଦଳବଦଳ ସୂଚନା ଆସୁଛି। ସମ୍ଭବତଃ ଆସନ୍ତାକାଲି ପରେ ଯେ କୌଣସି ମୁହୂର୍ତରେ ସରକାର ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେବେ।

ରାଜ୍ୟ ସରକାରଙ୍କ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବି ସହିତ ପୁଲିସ ବିଭାଗରେ ଆଧୁନିକୀକରଣ ଶାଖା ଖାଲା ପଡ଼ିଛି। ପୁଲିସ ମୁଖ୍ୟାଳୟ ଦାୟିତ୍ବରେ ଥିବା ଏଡିଜି ଲଳିତ ଦାସ ଏବେ ଅତିରିକ୍ତ ଭାବେ ଏହି କାର୍ଯ୍ୟ ନିର୍ବାହ କରୁଛନ୍ତି। ସେହିଭଳି ପଶ୍ଚିମାଞ୍ଚଳ ରେଂଜରୁ କବିତା ଜଲାନ୍ କେନ୍ଦ୍ରୀୟ ଡେପୁଟେସନରୁ ଯିବା ପରେ ସେଠାରେ ଏବେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଦାୟିତ୍ବରେ ଅଛନ୍ତି। ଏଣୁ ଏସବୁକୁ ମଧ୍ୟ ଅଦଳବଦଳ ପ୍ରକ୍ରିୟାର ଅଂଶବିଶେଷ କରାଯାଇପାରେ।

କାହାକୁ ସରକାର ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ବସାଇବେ? ଏହାକୁ ନେଇ ପୁଲିସ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅତୀତର ନିଯୁକ୍ତି ପ୍ରକ୍ରିୟାକୁ ଦେଖିଲେ ରାଜ୍ୟ ସରକାରଙ୍କ ଏହି ଦୁଇ ବଡ଼ ପଦବି ଅତି ବିଶ୍ବସ୍ତ ଅଫିସରଙ୍କୁ ଦିଆଯିବାର ନଜିର ରହିଛି। ଏଣୁ ସରକାର ଏଥର କାହାକୁ ବିଶ୍ବାସକୁ ନେଉଛନ୍ତି, ତାହା ଦେଖିବା କଥା।

କିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ମତ ହେଉଛି, ଭିଜିଲାନ୍ସ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ବରିଷ୍ଠ ପୁଲିସ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ଦେବା ଉଚିତ୍। ସେହିଭଳି ଜେଠଓ୍ବାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ବ ଦେଇ ଆର୍‌ ପି କୋଚେଙ୍କ ଭଳି ଅଧିକାରୀଙ୍କୁ ଆଇନଶୃଙ୍ଖଳା ଦାୟିତ୍ବ ଦିଆଯାଇପାରିବ। ଏମିତି ବି ଏଡିଜି ପାହ୍ୟାରେ ଅନେକ ବରିଷ୍ଠ ପୁଲିସ ଅଧିକାରୀ ଅଛନ୍ତି। ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଦାବିଦାର ଥିଲେ ହେଁ, ନିକଟରେ ତାଙ୍କୁ ପୁଲିସ କମିସନର ପଦବିରୁ ସରକାର ଯେଉଁ ପରିସ୍ଥିତିରେ ବଦଳି କରିଛନ୍ତି, ତାଙ୍କୁ ଆଉ କୌଣସି ଅତି ବିଶ୍ବସନୀୟ ପଦବି ମିଳିବା ସମ୍ଭାବନା କ୍ଷୀଣ। ଏମିତିରେ ବି ଶ୍ରୀ ଷଡଙ୍ଗୀ ଗତ ଫେବ୍ରୁଆରି ମାସରୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଅନୁମତି ମାଗିଛନ୍ତି ଏବଂ କେନ୍ଦ୍ର ସରକାର ମଧ୍ୟ ତାଙ୍କୁ ନେବା ଲାଗି ନିଜ ଆଡୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଣୁ ସେ କେବେ ବି କେନ୍ଦ୍ରକୁ ଚାଲିଯାଇ ପାରନ୍ତି। ଏମାନଙ୍କ ବ୍ୟତୀତ ଏଡିଜି ପାହ୍ୟାରେ ଅରୁଣ ରାୟ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ବିନୟାନନ୍ଦ ଝା, ବିନୟତୋଷ ମିଶ୍ର, ସଂଜୀବ ପଣ୍ଡା, ସନ୍ତୋଷ ବାଲାଙ୍କ ଭଳି ବରିଷ୍ଠ ଅଧିକାରୀ ଅଛନ୍ତି। ଅରୁଣ ବୋଥ୍ରା ମଧ୍ୟ ଗତବର୍ଷ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇସାରିଛନ୍ତି। ଏଣୁ ସରକାରଙ୍କ ପାଖରେ ଅନେକ ବିକଳ୍ପ ରହିଛି।

ଆଗକୁ ପଞ୍ଚାୟତ ନିର୍ବାଚନ ଓ ଏହାର ପରେ ପରେ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନ କ୍ରମାନ୍ବୟରେ ହେବ। ଏଣୁ ପୁଲିସ ବିଭାଗର ଅଦଳବଦଳ ପ୍ରକ୍ରିୟା ଉପରେ ରାଜ୍ୟର ରାଜନୈତିକ ମହଲର ନଜର ରହିଛି। ବିଶେଷକରି ଲୋକାୟୁକ୍ତ ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଉପରେ ନିର୍ଭର କରୁଥିବା ପରିପ୍ରେକ୍ଷୀରେ ଏହି ପଦବିର ଗୁରୁତ୍ବ ଓ ଗରିମା ଯଥେଷ୍ଟ ବୃଦ୍ଧି ପାଇଛି।ଜଣେ ଅତି ନିର୍ବିବାଦୀୟ ବ୍ୟକ୍ତିଙ୍କୁ ଏଠାରେ ନିଯୁକ୍ତି ଦିଆଯିବା ଅପରିହାର୍ଯ୍ୟ। ଅନ୍ୟଥା ସରକାରଙ୍କ ପାଇଁ ଅକଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଶ୍ରୀ ପାଣିଗ୍ରାହୀ ଢେର୍ ଦିନ ଧରି ଏଠାରେ ଥିଲେ। ବହୁତ ବଡ଼ ବଡ଼ ମାମଲା ଏହି ସମୟରେ ହୋଇଛି। ଏପରିକି ଅଭୟ ପାଠକ ମାମଲା ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ହେଲେ ଭିଜିଲାନସ ବିଭାଗର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠିନାହିଁ। ଏସବୁ ଦୃଷ୍ଟିରୁ ଆସନ୍ତା ଆଇପିଏସ୍ ଅଦଳବଦଳ ସବୁଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

Leave A Reply

Your email address will not be published.