- ଅସିତ କୁମାର ତ୍ରିପାଠୀ ମୁଖ୍ୟସଚିବ ଥିବା ବେଳେ ପିଏମୟୁ ନିଯୁକ୍ତି ଉପରେ କଟକଣା ଲାଗିଥିଲା
- ତନାଘନା କରିଥିଲେ ଅର୍ଥବିଭାଗ, ସମୀକ୍ଷା ପାଇଁ ସବୁ ବିଭାଗକୁ ତଥ୍ୟ ମାଗିଥିଲେ ଅର୍ଥ ବିଭାଗ ସଚିବ
- ସୋମବାର ବୈଠକରେ ଯୋଜନ ଓ ସଂଯୋଜନ ବିଭାଗରେ ପିଏମ୍ୟୁ ଗଠନ ନେଇ ପୁଣି ହୋଇଛି ନିଷ୍ପତ୍ତି
- ପରାମର୍ଶଦାତା ଅଭାବ ଥିଲେ, ମ୍ୟାନେଜମେଣ୍ଟ ପିଲାଙ୍କୁ ନେଇ ସ୍ବତନ୍ତ୍ର କ୍ୟାଡର ଗଠନ କରାଯାଉନି କାହିଁକି?
- ସରକାରରେ ଗଳାବାଟ ଦେଇ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ସବୁ ତଥ୍ୟ ଦେବା ଠିକ୍ କି?
ଭୁବନେଶ୍ବର: ସରକାରରେ ମୁଖ୍ୟଶାସନ ସଚିବ ବଦଳିଲେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟତରିକା ବଦଳିଯାଉଛି। ଜଣେ ମୁଖ୍ୟଶାସନ ସଚିବ ଯେଉଁ ପ୍ରସଙ୍ଗ ଉପରେ ନା କରିଛନ୍ତି, ଆଉ ଜଣେ ମୁଖ୍ୟଶାସନ ସଚିବ ତାକୁ ହଁ ମାରୁଛନ୍ତି। ଏକଥା ଆମେ କହୁନାହୁଁ। ସରକାରଙ୍କ କିଛି କାର୍ଯ୍ୟକୁ ନିରେଖି ଦେଖିବା ପରେ ପ୍ରଶାସନିକ କରିଡରରେ ଏଭଳି ଚର୍ଚ୍ଚା ଜୋର ଧରିଲାଣି। ଗତକାଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପ୍ରସଙ୍ଗଟି ପୁଣି ଥରେ ତାଜା ହୋଇଉଠିଛି।
ନିତି ଆୟୋଗର ନିରନ୍ତର ବିକାଶ ସୂଚକାଙ୍କ (ଏସ୍ଡିଜି) ସଂକ୍ରାନ୍ତରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ମୁଖ୍ୟସଚିବ। ବ୍ୟାପକ ଆଲୋଚନା କରାଯିବା ପରେ ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଏସ୍ଡିଜିର ସମସ୍ତ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଯୋଜନ ଓ ସଂଯୋଜନ ବିଭାଗ ଅଧୀନରେ ଏକ ପୃଥକ୍ ପିଏମ୍ୟୁ ବା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଖୋଲିବେ। ଏହା ଏସ୍ଡିଜିର ଲକ୍ଷ୍ୟ ହାସଲ ଦିଗରେ ସମସ୍ତ କାର୍ଯ୍ୟର ଯୋଜନା ଏବଂ ରୂପରେଖ ସଂପର୍କରେ ଆଲୋକପାତ କରିବ।
ସୋମବାର ନିଆଯାଇଥିବା ଏହି ନିଷ୍ପତ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ପ୍ରଶାସକମାନଙ୍କୁ ବି ତାଜୁବ୍ କରିଛି। ପ୍ରଥମତଃ ପ୍ରଶାସନିକ ଅଧିକାରୀଙ୍କ ଏହି ନିଷ୍ପତ୍ତି ନୁଆ ନୁହେଁ। ପୂର୍ବରୁ ବିଭାଗମାନଙ୍କୁ ପରାମର୍ଶ ଦେବା ଲାଗି ଅଧିକାଂଶ ବିଭାଗରେ ପିଏମ୍ୟୁ ଖୋଲାଯାଇଥିଲା। ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମ୍ୟାନେଜମେଣ୍ଟ ପିଲାମାନଙ୍କୁ ଆଣି ଏଠାରେ ନିଯୁକ୍ତି ଦେଇଥିଲେ। ସରକାରୀ ବ୍ୟବସ୍ଥା ଭିତରେ ଆଉ ଗୋଚିଏ ଗଳାବାଟ ତିଆରି କରି ମ୍ୟାନେଜମେଣ୍ଟ ପିଲାମାନଙ୍କୁ ଲୋକସେବା ଭବନରେ ଗୁରୁ ଦାୟିତ୍ବ ଦିଆଯିବା ପଛରେ କି ଯୁକ୍ତି ରହିଛି, ତାହା ଏଯାଏ କେହି ରାଜ୍ୟବାସୀଙ୍କୁ ବୁଝାଇପାରିନାହାନ୍ତି।
ପ୍ରଶ୍ନ ଉଠୁଛି, ଯଦି ପିଏମ୍ୟୁ ସୃଷ୍ଟି କରାଯିବ, ତେବେ ରାଜ୍ୟ ସରକାର ନିକଟରେ ଓଏଏସ୍ କ୍ୟାଡର କାହିଁକି ପୁନର୍ଗଠନ କଲେ? ଏହାର କି ଆବଶ୍ୟକତା ଥିଲା? କାହିଁକି ପୁଣି ଶତାଧିକ ଓଏଏସ ପଦବି ସୃ୍ଷ୍ଟି ଲାଗି ଏକ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଲେ। ଯଦି ସରକାରରେ ପରାମର୍ଶଦାତାଙ୍କର ଅଭାବ ରହିଛି, ତେବେ ମ୍ୟାନେଜମେଣ୍ଟ ପିଲାମାନଙ୍କୁ ନେଇ ଏକ ସ୍ବତନ୍ତ୍ର କ୍ୟାଡର ଖୋଲିବାକୁ କିଏ ମନା କରିଛି? ଏମିତି ନ କରି ଶାସନର ସର୍ବୋଚ୍ଚସ୍ତରରେ ଥିବା ବରିଷ୍ଠ ପଦାଧିକାରୀମାନେ ଏଭଳି ପିଏମ୍ୟୁ ନିଯୁକ୍ତି ଦେଇ ସରକାରଙ୍କର ସବୁ ତଥ୍ୟ ସେମାନଙ୍କ ହାତରେ କେଉଁ ଭରସାରେ ଧରାଇ ଦେଉଛନ୍ତି? ସେମାନଙ୍କର ଶାସନ ବ୍ୟବସ୍ଥାରେ କି ଉତ୍ତରଦାୟିତ୍ବ ରହିଛି? ରାଜ୍ୟ ସରକାରରେ ମ୍ୟାନେଜମେଣ୍ଟ କରି ଆଇଏଏସ୍ ପାଇଥିବା ବାବୁମାନଙ୍କୁ ମୁଖ୍ୟସଚିବ ଏସବୁ କାର୍ଯ୍ୟରେ କାହିଁକି ଲଗାଉନାହାନ୍ତି? ମ୍ୟାନେଜେମଣ୍ଟ ସଂସ୍ଥାମାନଙ୍କରେ ଯୁବ ଆଇଏଏସ୍, ଓଏଏସ୍ ଅଫିସରଙ୍କୁ ପ୍ରଶିକ୍ଷଣ ଦେବାକୁ କାହିଁକି ପଦକ୍ଷେପ ନିଆଯାଉନାହିଁ? ଆଇଏଏସ୍ ବାବୁମାନେ ଏଭଳି ପିଏମୟୁ ଗଠନ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହି ନିଯୁକ୍ତିରେ ସ୍ବଚ୍ଛତା ରହୁଛି ତ? ଏମିତି ମାଳ ମାଳ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ସବୁଠାରୁ ବଡ଼ କଥା ହେଲା, ଗତ ଦୁଇ ବର୍ଷ ହେଲାଣି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିଜେ ରାଜ୍ୟ ବାର୍ଷିକ ବଜେଟ୍ ଉପସ୍ଥାପନ ବେଳେ ଏସ୍ଡିଜି ଉପରେ ଗୁରୁତ୍ବ ଦେଉଛନ୍ତି। ବଜେଟ୍ ପୁସ୍ତିକାରେ ସ୍ବତନ୍ତ୍ର ଭାବେ ଏହା ଲେଖାଯାଉଛି। ଏହାର ସଫଳ କ୍ରିୟାନ୍ବୟନକୁ ଗୁରୁତ୍ବ ନ ଦେଇ ପଏଣ୍ଟ ହାସଲ ପାଇଁ ସ୍ବତନ୍ତ୍ର ପିଏମ୍ୟୁ ଗଠନ କରିଦେଲେ ଓଡ଼ିଶା ବିକାଶ ସମ୍ଭବତଃ କାଗଜପତ୍ରରେ ଚିକ୍ ଚିକ୍ ମାରିପାରେ, ହେଲେ ଅସଲ ବିକାଶ ପାଇଁ ସରକାରଙ୍କୁ କେହି ଅପବାଦରୁ ମୁକାଳିପାରିବେ ନାହିଁ। ନିଜ ବଜେଟକୁ ଶତ ପ୍ରତିଶତ ଅନୁପାଳନ କରିବାରେ ବିଫଳ ହେଉଥିବା ପ୍ରଶାସନିକ ଅଧିକାରୀମାନେ କେବେ ଉତ୍ତରଦାୟିତ୍ବ ମୁଣ୍ଡାଇବେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କଲାଣି।
ଏଠାରେ ସ୍ମରଣଯୋଗ୍ୟ, ବିଭିନ୍ନ ବିଭାଗରେ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟ ୟୁନିଟ୍ ନାଁରେ ବାହାର ପରାମର୍ଶଦାତା (କନସଲ୍ଟାଣ୍ଟ୍) ନିଯୁକ୍ତି ଉପରେ ମୁଖ୍ୟଶାସନ କଟକଣା ଜାରି କରିଥିଲେ। ୨୦୧୯ ସେପ୍ଟେମ୍ବର ୧୨ ତାରିଖରେ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରାଯାଇଥିଲା। ୨୦୨୦ ମସିହା ଫେବ୍ରୁଆରି ମାସରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପୁଣି ଥରେ ସମସ୍ତ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି କରିଥିଲେ ଯେ ମୁଖ୍ୟସଚିବଙ୍କ ନିର୍ଦେଶନାମା କେତେଦୂର ପାଳନ ହୋଇଛି, ତାହାର ସମୀକ୍ଷା କରାଯିବ। ନିଜେ ମୁଖ୍ୟସଚିବ ଏ ସଂକ୍ରାନ୍ତରେ ଅବିକଳ ତଥ୍ୟ ଜାଣିବାକୁ ଆଗ୍ରହ କରିଛନ୍ତି ବୋଲି ଜଣାଇଥିଲେ। ଏଣୁ ୨୦୨୦ ଜାନୁଆରି ୩୧ ତାରିଖ ସୁଦ୍ଧା ବିଭାଗମାନେ ସେମାନଙ୍କ ନିଜ ବିଭାଗରେ କେତେ ଜଣ ପରାମର୍ଶଦାତା ନିଯୁକ୍ତି ଦେଇଥିଲେ, ସେମାନଙ୍କ ସହିତ କେବେଠାରୁ ଚୁକ୍ତି ବାତିଲ୍ ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଦେବାକୁ (ଫେବ୍ରୁଆରି ୨୦୨୦) ୨୦ ତାରିଖ ସୁଦ୍ଧା ତଥ୍ୟ ମାଗିଥିଲେ।
କୌତୂହଳର କଥା ହେଉଛି, ସେ ସମୟର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଅର୍ଥସଚିବ ବଦଳିନାହାନ୍ତି। ଆଜି ବି ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନା ଅର୍ଥ ବିଭାଗର ମୁଖିଆ ଅଛନ୍ତି। ହେଲେ ଗତବର୍ଷର କଟକଣା ଏବର୍ଷ ବଦଳିଗଲା? ସରକାର ନିଜ ନିଷ୍ପତ୍ତିକୁ ଏଭଳି ପରିବର୍ତ୍ତନ କଲେ କିଏ କାହିଁକି ତାଙ୍କ ନିର୍ଦେଶକୁ ଅତି ଜରୁରୀ ବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରିବ?
ଏମିତିରେ ବି ପୂର୍ବରୁ ସରକାର ଏ ପ୍ରସଙ୍ଗରେ ଅତ୍ୟନ୍ତ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ। କୁହାଯାଇଥିଲା ଯେ ଯେ ମୋଟା ଅଙ୍କର ପାରିଶ୍ରମିକ ଦେଇ ବିଭାଗମାନେ ଯେଭଳି ପିଏମୟୁରେ ଏକାଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି, ତାହା ଗ୍ରହଣୀୟ ନୁହେଁ। ଏ ସ୍ଥାନରେ ବିଭାଗର ବରିଷ୍ଠ ତଥା ଅଭିଜ୍ଞ ପଦାଧିକାରୀଙ୍କୁ ନିଯୁକ୍ତି ଦେବାକୁ ସେବେ ପରାମର୍ଶ ଦିଆଯାଇଥିଲା।