ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

0
  • ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?
  • ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?
  • କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି?

ଭୁବନେଶ୍ବର: ସାଂସଦ, ମନ୍ତ୍ରୀ ଏବଂ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଏକ ଆହ୍ବାନ ଦେଇ କହିଥିଲେ ଯେ ସମସ୍ତେ ନିଜ ନିଜର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ଲୋକଙ୍କ ନିକଟରେ ରଖିବେ। କେନ୍ଦ୍ର ସରକାର ବି ରଖିବେ। ଏବର୍ଷ କିନ୍ତୁ କେନ୍ଦ୍ରର ଏଭଳି ରିପୋର୍ଟ ସାମ୍ନାକୁ ଆସିନାହିଁ। ଓଡ଼ିଶା ସରକାର ମଧ୍ୟ ରିପୋର୍ଟ କାର୍ଡ ପ୍ରଦର୍ଶନ କରି ଆସୁଛନ୍ତି। ଏଥର ବି ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ କୋଭିଡ୍ ପାଇଁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।

ଏ ସଂକ୍ରାନ୍ତରେ ଯେଉଁ ପ୍ରସଙ୍ଗଟି ଏବେ ଚର୍ଚ୍ଚାରେ ତାହା ହେଲା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଇତିମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ସେ କଣ କରିବାକୁ ଚାହିଁଛନ୍ତି, କେତେ ହାସଲ ହୋଇଛି, କେତେ ବାକି ରହିଛି, କିଭଳି ଢଙ୍ଗରେ ସେ ଉଦ୍ୟମ କରିଥିଲେ ଏସବୁ କଥା ଉପସ୍ଥାପନ କରିବା ଛଳରେ ଅପରାଜିତା ଏକଥା ବି ଜଣାଇଛନ୍ତି ଯେ ଚଳିତବର୍ଷ ଅର୍ଥାତ୍ ୨୦୨୧-୨୨ ବର୍ଷରେ ସେ ଆଉ ଟିକଏ ପ୍ରଭାବୀ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ।

ଅପରାଜିତାଙ୍କ ଏହି ରିପୋର୍ଟ କାର୍ଡ ନିର୍ବାଚନମଣ୍ଡଳୀରେ କେତେ ପ୍ରଭାବ ପକାଇଲା, ଲୋକଙ୍କ ମନକୁ ଛୁଇଁଲା କି ନାହିଁ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ହେଲେ ଏହା କିନ୍ତୁ ଓଡ଼ିଶାର ଅନ୍ୟ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଅକଳରେ ପକାଇ ଦେଇଛି। ଏବେ ଆଲୋଚନା ଆରମ୍ଭ ହୋଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କଣ କେବଳ ଅପରାଜିତାଙ୍କ ପାଇଁ ଥିଲା? ଅନ୍ୟମାନେ କାହିଁକି କେହି ପାଳନ କଲେନି? ସେମାନେ ନିଜ ନିର୍ବାଚନମଣ୍ଡଳୀ ପାଇଁ କଣ କରିଛନ୍ତି, ସେ ରିପୋର୍ଟ କାର୍ଡ କିଏ ଦେବ?

ବିଜେପି ରାଜନୀତିରେ ଅପରାଜିତା ଷଡ଼ଙ୍ଗୀ ନୂଆ। ଓଡ଼ିଶା ସରକାରଙ୍କ ଅଧିକାରୀ ଭାବେ ସେ ନିଜର ପରିଚିତି ଲାଭ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଧା ଆଇଏଏସ୍ ଚାକିରି ଛାଡ଼ି ଭୁବନେଶ୍ବର ନିର୍ବାଚନମଣ୍ଡଳୀକୁ ଓହ୍ଲାଇଲେ ଓ ମାତ୍ର କେଇ ମାସ ମଧ୍ୟରେ ଲୋକଙ୍କୁ ସେ ଏଭଳି ପ୍ରଭାବିତ କଲେ ଯେ ଜଣେ ବି ବିଜେପି ବିଧାୟକଙ୍କୁ ବାଛିନଥିବା ଭୋଟର ତାଙ୍କୁ ସାଂସଦ ଭାବେ ନିର୍ବାଚିତ କଲେ। ପରବର୍ତ୍ତୀ ସମୟରେ ତାଙ୍କର କାର୍ଯ୍ୟଶୈଳୀ ନିର୍ବାଚନ ମଣ୍ଡଳୀ ଅପେକ୍ଷା ବିଜେପି ପାଇଁ ବେଶୀ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏପରିକି ରାଜ୍ୟ ବିଜେପିରେ ଏକ ସମାନ୍ତରାଳ ପ୍ରଭାବ ରଖିବାରେ ସେ ସମର୍ଥ ହୋଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ନିଜର ଏକ ସ୍ବତନ୍ତ୍ର ଆଭିମୁଖ୍ୟ ରଖି ବିବାଦୀୟ ହୋଇଛନ୍ତି ସାଂସଦ।

ଏବେ ଏହି ବିବାଦ ବଢ଼ିଛି। କାରଣ ଗତ ନିର୍ବାଚନରେ ଓଡ଼ିଶାର ଭୋଟର ଅପରାଜିତାଙ୍କୁ ମିଶାଇ ଆଠ ସାଂସଦଙ୍କୁ ଲୋକସଭାକୁ ପଠାଇଥିଲେ। ବିଜେଡି ସହଯୋଗରେ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି। ଏବେ ଅପରାଜିତାଙ୍କ ରିପୋର୍ଟ କାର୍ଡ ଆସିବା ପରେ ସ୍ବାଭାବିକ ଭାବେ ଅନ୍ୟ ନିର୍ବାଚନମଣ୍ଡଳୀର ଭୋଟରମାନେ ଅପେକ୍ଷା କରୁଛନ୍ତି ଯେ ସେମାନଙ୍କ ସାଂସଦ ତାଙ୍କ ପାଇଁ କଣ କରିଛନ୍ତି। ମୟୂରଭଂଜରୁ ବିଶେଶ୍ବର ଟୁଡୁ ହୁଅନ୍ତୁ କି ବରଗଡରେ ସୁରେଶ ପୂଜାରୀ। ବାଲେଶ୍ବରର ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ଏମାନେ ଏଯାଏ ତାଙ୍କ ରିପୋର୍ଟ ପ୍ରଦର୍ଶନ କରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ପାଇଁ କଣ କରିଛନ୍ତି, କେନ୍ଦ୍ରରୁ କେତେ ପ୍ରକଳ୍ପ ଆଣିବାରେ ସମର୍ଥ ହୋଇଛନ୍ତି, ଏମଏସଏମଇରେ ରାଜ୍ୟକୁ ଆଉ ଗୋଟିଏ ସ୍ତରକୁ ନେବା କ୍ଷେତ୍ରରେ ତାଙ୍କର ଭୂମିକା କଣ, ଏସବୁ ଆଲୋଚନା ହେବା ଜରୁରୀ।

କେବଳ ସେତିକି ନୁହେଁ, ଗୋଟିଏ ରାଜ୍ୟରେ ଜଣେ ସାଂସଦ ଯଦି ପ୍ରଧାନମନ୍ତ୍ରୀଙ୍କର ନିର୍ଦେଶ ମାନୁଛନ୍ତି, ଅନ୍ୟ ସାଂସଦ କାହିଁକି ମାନିବେନି? ସାଂସଦ ଶ୍ରୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି ଯେତେବେଳେ ସେ ରାଜ୍ୟ ପାଇଁ କଣ କଲେ, ସେକଥା କହିବେ ନାହିଁ କାହିଁକି?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି, ଅପରାଜିତା ରାଜ୍ୟ ବିଜେପି ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ତାଙ୍କର ସ୍ବତନ୍ତ୍ରତା ତାଙ୍କ ପାଇଁ କେତେ ଲାଭ ଦାୟକ ହେଉଛି, ତାହା ଅଲଗା। ସାମଗ୍ରିକ ଭାବେ ରାଜ୍ୟ ବିଜେପି ପାଇଁ ଭୀଷଣ ଅଡ଼ୁଆ ବଢ଼ାଇ ଦେଲାଣି। ନିୟମିତ ବ୍ୟବଧାନରେ ନିର୍ବାଚନମଣ୍ଡଳୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିବା, ରାଜ୍ୟ ବିଜେପି ଶାଖା ଠାରୁ ସ୍ବତନ୍ତ୍ର ରହି ନିଜର ସମର୍ଥକଙ୍କୁ ଧରି ନିର୍ବାଚନମଣ୍ଡଳୀରେ ଘଣ୍ଟାଚକଟା କରିବା ଆଦି ଦେଖିବା ପରେ ବରଗଡ଼, ସମ୍ବଲପୁର ଆଦି ଅଞ୍ଚଳର ଭୋଟରମାନେ ସେମାନଙ୍କ ସାଂସଦ ନିର୍ବାଚନ ସଂପର୍କରେ ପ୍ରଶ୍ନ ଉଠାଇବାରେ ଅସ୍ବାଭାବିକତା କିଛି ନାହିଁ।

ସରଳ ଭାବେ କହିଲେ ଅପରାଜିତା ମଡେଲ୍ ଏବେ ରାଜ୍ୟ ବିଜେପି ନେତାଙ୍କ ମୁଖା ଖୋଲିଦେଇଛି, ଆଗକୁ ଏହା ଆଉ ଭୀଷଣ ରୂପ ଧାରଣ କରିପାରେ। ପୂର୍ବରୁ ପରୀ ପ୍ରସଙ୍ଗରେ ଯେବେ ରାଜ୍ୟ ବିଜେପି ନେତା ମାତିଥିଲେ, ସେବେ ଅପରାଜିତା ଏ ପ୍ରସଙ୍ଗରେ ସାମିଲ ହୋଇନଥିଲେ କି ଉଁ କି ଚୁଁ କିଛି କହିନଥିଲେ। ଏହି ପ୍ରସଙ୍ଗ ଉପରୁ ପରଦା ହଟିଲା। ଏଥିରେ ବିଜେପି କିନ୍ତୁ ବେଶୀ ବଦନାମ ହେଲା ଓ ଅପରାଜିତା ନିରବ ରହି ନିଜର ଅଭିଜ୍ଞତାର ପ୍ରମାଣ ଦେଲେ।

Leave A Reply

Your email address will not be published.