ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ହଠାତ୍ କେନ୍ଦ୍ରାପଡ଼ା ରାଜନୀତିରେ ଏମିତି କଣ ହେଇଗଲା?

0
  • ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା କେନ୍ଦ୍ରାପଡ଼ା
  • କେନ୍ଦ୍ରାପଡ଼ାକୁ ମନ୍ତ୍ରୀପଡା ବୋଲି କହୁଥିଲା ସାରା ରାଜ୍ୟ
  • ବିଜୁ ବାବୁଙ୍କ ଅନ୍ତେ ରାଜନୀତିରେ ଶିରି ହଜିଗଲା କି କେନ୍ଦ୍ରାପଡ଼ାର
  • ଯିଏ ଯେବେ ସାଂସଦ ହେଲେ, ବିବାଦ, ବିପଦ ପାଦ ଛାଡୁନି
  • ୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଅବଗଣନା

ଭୁବନେଶ୍ବର:ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା ଲୋକସଭା ଆସନକୁ ପ୍ରତିନିଧିତ୍ବ କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଲୋକସଭାର ବାଚସ୍ପତି ବି ହୋଇଥିଲେ ତତ୍କାଳୀନ କେନ୍ଦ୍ରାପଡ଼ା ସାଂସଦ ରବି ରାୟ। ଗୋଟିଏ ସମୟରେ କେନ୍ଦ୍ରାପଡ଼ାକୁ ମନ୍ତ୍ରୀ ପଡ଼ା ବୋଲି ମଧ୍ୟ କୁହାଯାଉଥିଲା। ବିଜୟ ମହାପାତ୍ର, ନଳିନୀ ମହାନ୍ତି, ବେଦ ପ୍ରକାଶ ଅଗ୍ରଓ୍ବାଲ, ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କର ଦବ୍‌ଦବା ଥିଲା ରାଜ୍ୟ ରାଜନୀତିରେ। ରାଜ୍ୟର ଅଧିକାଂଶ ବଡ଼ ନିଷ୍ପତ୍ତି ପଛରେ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ନେତା। ସମ୍ଭବତଃ ଏଇଥିପାଇଁ ବୋଧହୁଏ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ଦୃଷ୍ଟିରୁ ଆଜି ବି ସମ୍ବେଦନଶୀଳ ଏବଂ ଚର୍ଚ୍ଚାରେ।

ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକୁ ନିରେଖି ଦେଖିଲେ, ଏକଥା ବି ସହଜରେ ବୁଝାପଡ଼ିଯାଉଛି ଯେ ସେଠାରେ ନେତା ଯେତିକି, ବିବାଦ ବି ସେତିକି। କାହାକୁ କେହି କମ୍ ନୁହଁନ୍ତି। ଯଦି ଲକ୍ଷ୍ୟ କରାଯାଏ, ଯେଉଁ ବିଜୁ ବାବୁଙ୍କ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟ ରାଜନୀତିରେ ଏକଦା କମ୍ପନ ସୃଷ୍ଟି କରୁଥିଲା, ତାଙ୍କରି ଅନ୍ତେ ସେହି ଜିଲ୍ଲାର ନେତାଙ୍କ ରାଜନୈତିକ ଭାଗ୍ୟରେ ବି ଗ୍ରହଣ ଲାଗିଛି। ଏକଥା ବି ଅସତ୍ୟ ନୁହେଁ, ୧୯୯୭ ଏପ୍ରିଲରେ ବିଜୁ ବାବୁଙ୍କ ଦେହାନ୍ତ ପରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଯିଏ ଯେବେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ତାଙ୍କ ରାଜନୈତିକ ଜୀବନରେ ସମୃଦ୍ଧି କମ୍ ଆସିଛି ବରଂ ବିବାଦ ତାଙ୍କୁ ଆକ୍ତାମାକ୍ତା କରିଦେଇଛି। ଆଉ ଗୋଟିଏ ବଡ଼ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ତାହା ହେଲା, କେନ୍ଦ୍ରାପଡା ସାଂସଦଙ୍କୁ ଦିଲ୍ଲୀରେ ଆଉ ଗୁରୁତ୍ବ ମି​ଳିନି।

ବର୍ତ୍ତମାନର ସ୍ଥିତି ହେଲା,ଅଣ କଂଗ୍ରେସ ରାଜନୀତିର ଗଡ଼ ଏହି ଲୋକସଭା ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିଥିବା ବିଜେଡି ଗେହ୍ଲାପୁଅ ସାଂସଦ ଅନୁଭବ ମହାନ୍ତି ଏବେ ତାଙ୍କ ଦଳ ପାଇଁ ଅଲୋଡା ହୋଇଯାଇଛନ୍ତି। ତାଙ୍କୁ ନେଇ ଜିଲ୍ଲା ରାଜନୀତିରେ ଉଷ୍ମତା ବା ଚର୍ଚ୍ଚା ନାହିଁ। ବରଂ ୨୦୨୪ରେ ଏହି ଆସନରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ତିନିବର୍ଷ ଆଗରୁ ଅବଗଣନା, ଚର୍ଚ୍ଚା, ଆଲୋଚନା ଜୋର ଧରିଲାଣି।

ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ଜଣାପଡୁଛି ଯେ ୧୯୫୨ରେ ପ୍ରଥମ ଓ ଶେଷ ଥର ପାଇଁ କଂଗ୍ରେସ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟ ଲାଭ କରିଥିଲା। ସେବେ ନିତ୍ୟାନନ୍ଦ କାନୁ୍ନ୍‌ଗୋ ପ୍ରତିିନିଧିତ୍ବ କରୁଥିଲେ ଏହି ନିର୍ବାଚନମଣ୍ଡଳୀକୁ। ୧୯୫୭, ୧୯୬୨ ଓ ୧୯୬୭ ତିନି ତିନି ଥର ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଲୋକସଭାକୁ ଯାଇଥିଲେ ସୁରେନ୍ଦ୍ର ନାଥ ଦ୍ବିବେଦୀ। ସେ ସମୟରେ ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ ନିତ୍ୟାନନ୍ଦଙ୍କ ଭଳି ଥିଲା। ୧୯୭୧ରେ ଯେବେ ସୁରେନ୍ଦ୍ର ମହାନ୍ତି ଏଠାରୁ ଲୋକସଭାକୁ ନିର୍ବାଚିତ ହେଲେ, ସେବେ ମଧ୍ୟ ତାଙ୍କର ରାଜ୍ୟ ରାଜନୀତିରେ ପତିଆରା କିଛି କମ୍ ନ ଥିଲା।

୧୯୭୭, ୧୯୮୦ ଓ ୧୯୮୪ରେ ତିନି ତିନି ଥର କେନ୍ଦ୍ରାପଡ଼ାରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ ବିଜୁ ବାବୁ। ଏ ସମୟରେ ଦିଲ୍ଲୀ ରାଜନୀତିରେ ବିଜୁଙ୍କ ପ୍ରଭାବର ଅନେକ ଉଦାହରଣ ରହିଛି। ଆଉ ଯେବେ ୧୯୮୯ରେ ରବି ରାୟ କେନ୍ଦ୍ରାପଡାରୁ ଲୋକସଭାକୁ ଗଲେ, ସେବେ ତାଙ୍କୁ ବାଚସ୍ପତି ପଦ ମିଳିଥିଲା। ୧୯୯୧ରେ ବି ସେ ପୁନଃ ନିର୍ବାଚିତ ହୋଇଥିଲେ ଏହି ଆସନରୁ। ୧୯୯୬ରେ ବିଜୁ ବାବୁ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହେଲେ। ଶ୍ରୀକାନ୍ତ ଜେନା ଲଢ଼ିଥିଲେ କେନ୍ଦ୍ରାପଡ଼ାରୁ। ଦେବ ଗୌଡା ସରକାରରେ ଶ୍ରୀକାନ୍ତ ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ବିଭାଗ ବିଭାଗ ପାଇଥିଲେ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ଦିନ ବିଜୁ ବାବୁଙ୍କ ବିୟୋଗ ପରେ ଏହି ଜିଲ୍ଲାର ପ୍ରଭାବ ଧୀରେ ଧୀରେ ନିଷ୍ପ୍ରଭ ହୋଇଛି। ନିଜେ ଶ୍ରୀକାନ୍ତ ଜେନା ଦଳ ଓ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରି ବାଲେଶ୍ବର ଯାଇଥିଲେ। ଜିତିଲେ ବି। ଏକଦା କ୍ୟାବିନେଟ୍ ମନ୍ତ୍ରୀ ଥିବା ଏହି ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବି ମିଳିଲା। ଆଉ ଏବେ କଂଗ୍ରେସ ବି ତାଙ୍କୁ ଦଳରୁ ତଡି ଦେଇଛି।

ଏକଥା ସତ ଯେ ଏବେ ବି ବିଜୁ ବାବୁଙ୍କ ନାମରେ ହୋଇଥିବା ଦଳ (ବିଜେଡି)କୁ ଲୋକେ ନିର୍ବାଚିତ କରି ଆସୁଛନ୍ତି। ଆଜି ମଧ୍ୟ କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ବଡ଼ ପ୍ରଭାବ ରହିଛି। ଗତ ଲୋକସଭା ନିର୍ବାଚନ ଏହାର ପ୍ରମାଣ। ବିଧାନସଭା ନିର୍ବାଚନ, ଉପନିର୍ବାଚନ ସବୁଥିରେ ବିଜେଡି ଜିତାପଟ ଲାଭ କରୁଛି। ବିଜୁ ବାବୁଙ୍କ ପ୍ରମୁଖ ଅନୁଗତ ରାଜ୍ୟସ୍ତରୀୟ ନେତା ଆଉ ବିଜେଡିରେ ନାହାନ୍ତି, ତାହା ସତ୍ତ୍ବେ ବି ଏ ସଫଳତା ହାସଲ କରିଚାଲିଛି ନବୀନଙ୍କ ଦଳ। ହେଲେ ସମାନ୍ତରାଳ ଭାବେ ବିଜେଡି ଜନ୍ମ ଠାରୁ କେନ୍ଦ୍ରାପଡା ସାଂସଦ ଆସନଟି କିନ୍ତୁ ବିବାଦ ଭିତରେ ବଞ୍ଚିଛି।

୧୯୯୮ ଓ ୧୯୯୯ ମସିହାରେ କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରଭାତ କୁମାର ସାମନ୍ତରାୟ। ବିଜୟଙ୍କ ଅନୁଗତ ବୋଲି କୁହାଯାଉଥିବା ପ୍ରଭାତ ସାମନ୍ତରାୟଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ନବୀନ ଗୋଟିଏ ସମୟରେ ଦଳରୁ ନିଲମ୍ବିତ କରିଥିଲେ ଓ ପରେ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାରବି ହୋଇଥିଲା। ଶେଷରେ ପୁଅର ଏକ ଆପରାଧିକ କାର୍ଯ୍ୟ ପ୍ରଭାତଙ୍କ ରାଜନୀତି ଭାଗ୍ୟରେ ସବୁଦିନ ପାଇଁ ଡୋରି ବାନ୍ଧିଦେଲା। ସେ ସକ୍ରିୟ ରାଜନୀତିରୁ ଦୂରେଇଗଲେ, ୨୦୦୪ ମସିହାରେ। କଂଗ୍ରେସରୁ ଏକାଧିକ ବାର ପରାଜୟ ବରଣ କରିଥିବା ଅର୍ଚ୍ଚନା ନାୟକ ବିଜେଡିର ଯୋଗଦେଲେ ଓ ୨୦୦୪ରେ ସାଂସଦ ହେଲେ। ଏହି ପାଞ୍ଚବର୍ଷ ତାଙ୍କୁ ଏଭଳି ଅଶ୍ବସ୍ତିକର ହେଲା ଯେ ୨୦୦୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଲାନି, ସେ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଲେ। ସେବେଠାରୁ ଅତି ଟାଣୁଆ ନେତ୍ରୀ ଭାବେ ଜଣାଶୁଣା ଅର୍ଚ୍ଚନା ନାୟକଙ୍କୁ ଆଉ ସଫଳତା ମିଳିନି।

ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଚେକ୍ ଦେବା ଲାଗି ସେବେ ରାଜ୍ୟସଭାରୁ ଲୋକସଭାକୁ ଅଣାଯାଇଥିଲା ବୈଜୟନ୍ତ ପଣ୍ଡାଙ୍କୁ। ସେ ୨୦୦୯ ଓ ୨୦୧୪ରେ ଦୁଇ ଦୁଇ ଥର ବିଜେଡି ଟିକେଟ୍‌ରେ ଏଠାରୁ ଜିତିଲେ। ଦିଲ୍ଲୀରେ ତାଙ୍କୁ ସେ ସମୟରେ ସେଭଳି ସଫଳତା ମିଳିଲାନି। ପ୍ୟାରୀଙ୍କ ଅବର୍ତ୍ତମାନରେ ଲୋକସଭା ସଂସଦୀୟ ଦଳର ନେତା ଭଳି ପଦରେ ନବୀନଙ୍କୁ ତାଙ୍କୁ ବସାଇବାକୁ ଭରସା କରିପାରିଲେନି। ବରଂ ଦ୍ବିତୀୟ ଇଂନିସରେ ତାଙ୍କୁ ନେଇ ବିଜେଡି ଭିତରେ ସ୍ଥିତି ଏମିତି ହେଲା ଯେ ବିଜେଡି-ବୈଜୟନ୍ତ ସବୁ ଦିନ ସବୁ ସମୟରେ ମୁହାଁମୁହିଁ ହୋଇ ରହିଲେ। ଦଳ ତାଙ୍କୁ ତଡିଦେଲା। ସେ ବିଜେପି ସଂଗଠନରେ ଆଗଧାଡିରେ ନିଜକୁ ସ୍ଥାନୀତ କରିଲେ ସତ, ଓଡ଼ିଶା ରାଜନୀତିରେ କିନ୍ତୁ ତାଙ୍କ ପ୍ରଭାବ ରହିଲାନି। ୨୦୧୯ରେ କେନ୍ଦ୍ରାପଡ଼ା ତାଙ୍କୁ ପ୍ରତ୍ୟାଖ୍ୟନ କଲା।

ସବୁଠାରୁ କୌତୂହଳ କଥା ହେଲା, ଚଳଚିତ୍ର ତାରକା ଅନୁଭବ ମହାନ୍ତି ରାତାରାତି ବିଜେଡିକୁ ଆସି ରାଜ୍ୟସଭା ଆସନ ହାତେଇଥିଲେ। ଦଳ ତାଙ୍କୁ କେନ୍ଦ୍ରାପଡାକୁ ଆଣି ସାଂସଦ ଭାବେ ଲୋକସଭା ପଠାଇଲା। ଦମ୍‌ଦାର ଡାଇଲଗ୍‌ ମାରି ସାରା ରାଜ୍ୟକୁ ଉଚ୍ଛନ୍ନ କଲେ। ଦିଲ୍ଲୀରେ ସମାନ୍ୟ ସରକାରୀ କ୍ବାର୍ଟର୍ସ ପାଇଁ ବୈଜୟନ୍ତଙ୍କ ସହିତ ତାଙ୍କର ମୁହାଁମୁହିଁ ହେଲା। ବୈଜୟନ୍ତଙ୍କ ସହିତ ସେ ଯେଭଳି ମୁହଁ ଲଢାଇଲେ, କେନ୍ଦ୍ରାପଡ଼ାର ସ୍ବାର୍ଥ ପାଇଁ ଦିଲ୍ଲୀ ରାଜନୀତିରେ କମ୍ପନ ସୃଷ୍ଟି କରିବା ଭଳି ସ୍ଥିତି ସେ ଏଯାଏ ସୃଷ୍ଟି କରିପାରିନାହାନ୍ତି। ଆଗଧାଡିର ନାୟିକା ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ତାଙ୍କର ମତାନ୍ତର, ପରେ ମନାନ୍ତର ଏବେ ତାଙ୍କ ରାଜନୈତିକ ଜୀବନକୁ କଣ୍ଟକିତ କରିଦେଇଛି। ବିଜେଡି ଦଳରେ ଥିଲେ ବି ବିଜେଡି କୋଳରେ ନାହାନ୍ତି ଆଉ ଅନୁଭବ। ଜିଲ୍ଲା ବା ରାଜ୍ୟସ୍ତରୀୟ ସଭା ସମିିତିରେ ଅନୁଭବଙ୍କୁ ନେଇ ବିଜେଡି ବସାଇବାକୁ କି ସାଙ୍ଗରେ ନେଇ ବୁଲିବାକୁ ଚାହୁଁନି। ଉପନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରେ ତାଙ୍କ ନାମ ରହୁନି। ସବୁଠାରୁ ବଡ଼ କଥା ହେଲା, ସାଂସଦଙ୍କ ବାପାଙ୍କ ଜାଲିଆତି ଉପରେ ତଦନ୍ତ ଆରମ୍ଭ କରିଛନ୍ତି ବିଜେଡି ସରକାର।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, କେନ୍ଦ୍ରାପଡ଼ା ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା। ଶାସନ କଳକୁ ପୂରା ନିୟନ୍ତ୍ରଣ କରୁଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜୁ ବାବୁ ଆଗରେ ଥିଲେ। ତତ୍କାଳୀନ ଜନତା ଦଳ ନେତାମାନେ ବିରୋଧୀ ଦଳରେ ଥାନ୍ତୁ କି ସରକାରରେ, ସେମାନଙ୍କ ପ୍ରଭାବ, ପତିଆରା ସେମିତି ଥିଲା। କୌଣସି ବି କାରଣରୁ ହେଉ, ବିଜୟଙ୍କ ଟିକେଟ୍ ବିଜେଡି କାଟିଦେବା ପରେ ଜିଲ୍ଲା ଅଙ୍କ ଗୋଳମାଳ ହୋଇଯାଇଛି। ଏକଥା ସତ ଯେ ବିଜୟ ଆଉ ଉଧେଇ ପାରିଲେ ନାହିଁ, କିନ୍ତୁ ଏକଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିିଁ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବ ରାଜ୍ୟ ରାଜନୀତିରେ କମିଗଲା। ଜିଲ୍ଲା ବିକାଶରେ କେତେ କାହାର ଭାଗ ଅଛି, ତାହା ଅଲଗା କଥା। କିନ୍ତୁ ବିଜୟ ପତିଆରା ସମସ୍ତଙ୍କ ଠାରୁ ଅଧିକ ଥିଲା।

ଆଜି ଦିନରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବଙ୍କ ଭଳି ଟାଣୁଆ ନେତା ବିଜେଡିରେ ଅଛନ୍ତି। ଉଭୟ ସରକାରରେ ମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କ ବିନା ମନ୍ତ୍ରିମଣ୍ଡଳ ଯଦି ଗଠନ କରାଯାଇପାରିଲା, ତେବେ ଏହା କଣ ସୂଚାଉଛି?

ଏପରି ଏକ ପୃଷ୍ଠଭୂମିରେ ୨୦୨୪ରେ କେନ୍ଦ୍ରାପଡ଼ାରୁ ଦଳ ଯାହାକୁ ବି ସାଂସଦ ପ୍ରାର୍ଥୀ ଭାବେ ଛିଡା କରିବ, ସେ ବିଜେଡିକୁ ନୂଆ ଦିଶା ଦେବେ କି? ଦୁଇ ଦଶନ୍ଧିର ଏ ପରମ୍ପରା ଭାଙ୍ଗି କେନ୍ଦ୍ରାପଡ଼ାର ପ୍ରଭାବ ବଢ଼ାଇବେ କି? ନା ଏମିତି ବିପଦ ଜାଲରେ ଛନ୍ଦି ହୋଇପଡ଼ିବେ ଏଭଳି ଅନେକ ପ୍ରଶ୍ନ ଉପରେ ତର୍ଜମା ଚାଲିଛି।

Leave A Reply

Your email address will not be published.