ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

0
  • ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳ
  • ମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେ
  • ରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲା
  • ଧର୍ମେନ୍ଦ୍ର କହିଲେ ଆମର ମହାପ୍ରଭୁ ବଡ଼, ଏଣୁ ନେତାମାନଙ୍କର ବିଚାର ବି ବଡ଼ ହେବା ଦରକାର
  • ସ୍ଥାନୀୟ ନିର୍ବାଚନକୁ ଗୁରୁତ୍ବ ଦେଇ ଏବେଠାରୁ ରଣନୀତି ନିର୍ଧାରଣ କରିବାକୁ ପରାମର୍ଶ ଦେଲେ
  • ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ମନଗଢା ବିବୃତ୍ତି ବୋଲି କହିଲା ବିଜେଡି
  • ତାତ୍ସଲ୍ୟ କରି ବିଜେଡି କହିଲା ବିଜେପି ନେକା ଆତ୍ମଘୋଷିତ ବିଶେଷଜ୍ଞ; କେନ୍ଦ୍ର ନିଯୁକ୍ତି ଦେଉ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବେଳେ କେନ୍ଦ୍ର ସରକାର ହାତ ଖୋଲିକି ରାଜ୍ୟକୁ ସାହାଯ୍ୟ କରୁଥିବା ବେଳେ ରାଜ୍ୟ ମୁକାବିଲା କରିବାରେ ବିଫଳ। ଟେଷ୍ଟିଂ ହେଉ କି ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ କେଉଁଥିରେ ବି ରାଜ୍ୟ ସଫଳ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ସାମ୍ନାକୁ ଅଣାଯିବ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏଭଳି ପ୍ରସ୍ତାବ ପାରିତ ହୋଇଛି। ଏହା ସହିତ କେନ୍ଦ୍ର ସରକାର ଯେଉଁ ସହଯୋଗ ଦେଇଛନ୍ତି ସେଥିଲାଗି ଧନ୍ୟବାଦ ଦେଇଛନ୍ତି ନେତା। କେବଳ ସେତିକି ନୁହେଁ, ଆସନ୍ତା ୩ମାସ ପାଇଁ ରାଜ୍ୟ ବିଜେପି କେଉଁ ରାସ୍ତାରେ ଆଗକୁ ଯିବ, ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଆଜି ଏ ସଂପର୍କରେ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଜେଡି ଏହାର ତୁରନ୍ତ ପ୍ରତିଜବାବ ଦେଇଛି।

ଅନ୍ୟପକ୍ଷରେ ଭର୍ଚୁଆଲରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେବଳ ରାଜନୀତି କରିବା ନୁହେଁ, ବରଂ ରାଜନୈତିକ ଓ ସାମାଜିକ କର୍ମକର୍ତ୍ତା ଭାବେ ସାଢେ ଚାରିକୋଟି ଓଡ଼ିଆଙ୍କ ବିକାଶ କରିବା ଦାୟିତ୍ବ ବି ବିଜେପିର। ଆମର ମହାପ୍ରଭୁ ବଡ଼। ଏଣୁ ଆମର ବିଚାର ବି ବଡ ହେବା ଦରକାର। ଏଭଳି କଳ୍ପନାର ସହିତ ବିଜେପି ନେତାମାନଙ୍କୁ ଆଗକୁ ବଢ଼ିବାକୁ ହେବ। ଓଡ଼ିଶାର ପରିବର୍ତ୍ତନ ପାଇଁ ସମସ୍ତଙ୍କୁ ଗୁଣ୍ଡୁଚି ମୂଷା ଭଳି ଧୁଳି ଝାଡ଼ିବା କାମରେ ଲାଗିବା ଦରକାର। ରାଜ୍ୟବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବା ସହିତ ସେମାନଙ୍କ ହାତରେ ରୋଜଗାର ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ଯୋଡ଼ି ହେବା ସହିତ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ। ଏଥିପାଇଁ ଲକ୍ଷାଧିକ ସଂଖ୍ୟାରେ ସ୍ଥାନୀୟ ନେତାମାନେ ଯୋଡିହେବା ଲାଗି ସେ ଆହ୍ବାନ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଗତ ବିଧାନସଭା ଓ ଲୋକସଭା ମାନଙ୍କରେ ଦେଖାଯାଇଛି ଯେ ଲୋକଙ୍କର ବିଜେପି ପ୍ରତି ବିଶ୍ବାସ ବଢ଼ିଛି। ଆଗକୁ ସ୍ଥାନୀୟ ନିର୍ବାଚନରେ ଦଳ ଯେଭଳି ସଫଳତା ହାସଲ କରିବ, ସେ ନେଇ ଜୋର ଦେବାକୁ ପଡିବ। ଆଜିର ବୈଠକ ଆସନ୍ତା ଦିନ ପାଇଁ ରଣନୀତି ନିର୍ଧାରଣରେ ବଡ଼ ଭୂମିକା ରଖିବ। କାର୍ଯ୍ୟକର୍ତ୍ତାମାନେ ନିଜେ ନିଜେ ଆତ୍ମସମୀକ୍ଷା କରିବା ଦରକାର। କେବଳ ପଦପଦବିରେ ବସିବା ନୁହେଁ, ବରଂ ବଡ଼ ଲକ୍ଷ୍ୟ ନେଇ ଓଡ଼ିଶାର ପରିବର୍ତ୍ତନ କରିବାକୁ ହେବ।କେବଳ ବିଧାୟକ କି ସାଂସଦ ହେବା ପାଇଁ ନୁହେଁ, ବରଂ ଏକବିଂଶ ଶତାଦ୍ଦୀରେ ଓଡ଼ିଶାକୁ ପୃଥିବୀର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢି ତୋ​ଳିବା ଲାଗି ଆମର ବି ଦାୟିତ୍ବ ଅଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାରେ ବିରୋଧୀ ସହିପାରୁନାହାନ୍ତି। ଏହାର ମୁକାବିଲା ପ୍ରତି ଗାଁରେ ଓ ତୂଣମୂଳସ୍ତରରେ ହେବା ଉଚିତ୍। ପ୍ରଧାନମନ୍ତ୍ରୀଙ୍କର ଓଡ଼ିଆଙ୍କ ପ୍ରତି ଯେଉଁ ଭଲପାଇବା ଅଛି, ତାହାକୁ ଘରେ ଘରେ ପହଞ୍ଚାଇବା ଲାଗି ସେ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ।

ଅନ୍ଯପକ୍ଷରେ ବିଜେପି ପ୍ରସ୍ତାବ ପାରିତ କରି କହିଛି ଯେ ରାଜ୍ୟ ସରକାର ପ୍ରଥମ ଲହରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ଏହି ଲହରରେ ସେମିତି କିଛି କଲେ ନାହିଁ କିମ୍ବା ପୂର୍ବର ହିସାବ ଦେଲେ ନାହିଁ। କେନ୍ଦ୍ର ସରକାରଙ୍କ ଯୋଗୁ ୩୨ଟି ପ୍ଲାଣ୍ଟ ହେଇପାରିଛି। କେନ୍ଦ୍ର ଯୋଗାଇଥିବା ଆଇସିୟୁ, ଭେଣ୍ଟିଲେଟର ଏଠି ଖତ ଖାଉଛି। ସରକାର ଏକ୍‌ମୋ ମେସିନ ଲାଗାଇପାରିଲେନି। ଡାକ୍ତର ଅଭାବ, ଡାକ୍ତରଖାନା ଭିତ୍ତିଭୂମିର ସମାଧାନ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର।

ବିଜେପି ଆହୁରି କହିଛି ଯେ କେନ୍ଦ୍ର ସରକାରଙ୍କ ଯୋଗୁ ଟିକା ପ୍ରଦାନ କରାଯାଉଛି। ଅଥଚ ପୁସିଂ କାର୍ଡ, ବ୍ୟାନର ଲଗାଇ ସରକାର ଛୋଟ ପିଲାଙ୍କ ଭଳି ନିଜର ପ୍ରଚାର କରୁଛନ୍ତି। ଏହାକୁ ବିଜେପି ନିନ୍ଦା କରୁଛି। ସେହିଭଳି କୋଭିଡ ମୃତ୍ୟୁର ତଥ୍ୟ ଲୁଚାଉଥିବାରୁ ରାଜ୍ୟ ସରକାର ବିରୋଧରେ ଦଳ ନିନ୍ଦା ପ୍ରସ୍ତାବ ପାରିତ କରିଛି।

ଅନ୍ୟପକ୍ଷରେ ଆବାସ ଯୋଜନାରେ ଦଳୀୟ ଭିତ୍ତିରେ ଅଯୋଗ୍ୟଙ୍କୁ ତାଲିକାଭୁକ୍ତ କରି ଘର ଯୋଗାଇଦିଆଯାଇଛି ବୋଲି ଦଳ ଅଭିଯୋଗ ଆଣିଛି। ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତଙ୍କ ପାଇଁ ଆଠ ଲକ୍ଷରୁ ଅଧିକ ଆବାସ ଘର ଦେବାକୁ ଘୋଷଣା କରିଥିଲେ ସରକାର। କିନ୍ତୁ ଦୁର୍ଭାଗ୍ୟ ବିଷୟ ୯ଟି ଜିଲ୍ଲାରେ ଜଣେ ବି ହିତାଧିକାରୀଙ୍କୁ ଗୋଟିଏ ବି ଘର ଦେଲେନାହିଁ। ଏହାକୁ ବୈଠକରେ ବିଜେପି ନିନ୍ଦା କରିଛି। ମନରେଗା କାର୍ଯ୍ୟକ୍ରମରେ ମେସିନ ଲଗାଇ କାମ କରିବା ସହ ଜେଇ ମାନଙ୍କ ନାଁ ରେ କାର୍ଯ୍ୟାଦେଶ କରି ହେରାଫେରି କରାଯାଉଛି ବୋଲି ଦଳ ଅଭିଯୋଗ ଆଣିବା ସହିତ ପ୍ରବାସୀ ଶ୍ରମିକଙ୍କୁ ବଡ଼ ସ୍ୱପ୍ନ ଦେଖାଇ ସରକାର ଠକିଦେଲେ ବୋଲି କହିଛି। ଦେଢ଼ ବର୍ଷ ହେଇଗଲା ଗୋଟିଏ ବି ଜାଗାରେ ଦକ୍ଷତା ମାପ ହେଲାନାହିଁ କିମ୍ବା ନିଯୁକ୍ତି ପାଇଁ ବ୍ୟବସ୍ଥା କରାଗଲା ନାହିଁ।

ସେହିଭଳି ବିଦ୍ୟୁତ ବ୍ୟବସ୍ଥାକୁ ବେସରକାରୀ ଅନୁଷ୍ଠାନକୁ ଟେକି ଦିଆଯିବା ଘଟଣାର ପ୍ରତିବାଦ କରିବା ସହିତ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରିଛି। ଚାଷୀ ମାନଙ୍କ ସମସ୍ୟା ସମାଧାନ ନ ହେବା, ଏମ୍ଏ‌ସ୍‌ପି, ଟୋକନ, ମଣ୍ଡି ବ୍ୟବସ୍ଥା ସବୁ କିଛି ଚାଷୀ ବିରୋଧରେ ଯାଉଛି । ଏହି ପ୍ରସଙ୍ଗରେ ଆଗକୁ ବଡ ଧରଣର ଆନ୍ଦୋଳନ ପାଇଁ ବିଜେପି ବିଚାର କରୁଛି ବୋଲି ଦଳ ଆଜି ନିଷ୍ପତ୍ତି ଶୁଣାଇଛି।

ଓଡିଶା ସୀମାନ୍ତ ଜିଲ୍ଲାରେ ପଡୋଶୀ ରାଜ୍ୟ ଏକଚାଟିଆ ଶାସନ କରୁଥିବା ବେଳେ ଆସନ୍ତା ଦିନରେ ଏହାକୁ ପ୍ରସଙ୍ଗ କରିବାକୁ ଦଳ ପାଗ ଭିଡୁଛି। ବିଜେପି କହିଛି, ଓଡିଶା ରାଜ୍ୟ ସରକାର ପ୍ରଥମ ସରକାର ଯିଏ କି ନିଜ ସୀମା ସୁରକ୍ଷା ପାଇଁ କିଛି ପଦକ୍ଷେପ ନେବାକୁ ପଛାଉଛନ୍ତି। ପଡୋଶୀ ରାଜ୍ୟ ସହ କଥା ମଧ୍ୟ ହେଉନାହାନ୍ତି । ବଂଶଧାରାରେ ଆନ୍ଧ୍ର ୪ଟି ଡ୍ୟାମ କରୁଥିବା ବେଳେ ଓଡିଶା ଗୋଟେ ବି ବନ୍ଧ କରିପାରିଲାନି । ମହାନଦୀ ଟ୍ରିବ୍ୟୁନାଲ ପାଇଁ ୬ କୋଟି ଟଙ୍କା କେବଳ ଓକିଲଙ୍କ ବାବଦରେ ଖର୍ଚ୍ଚ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମହାନଦୀ ଭାଗ୍ୟ କଣ ହେବ ତାହା ସରକାରଙ୍କୁ ଜଣା ନାହିଁ । ଏକାମ୍ର ଫାର୍ମ, ଆଇ ଆଇ ଏମ ଟି ଜମି ଦୁର୍ନୀତି ଦେଖିଲେ ରାଜ୍ୟ ସରକାର ଜମି ମାଫିଆ ହେଲା ପରି ଲାଗୁଛି । ମାଷ୍ଟର କ୍ୟାଣ୍ଟିନ ଛକ ଘୋଡା ଆମର ଗର୍ବ । ତାକୁ ସ୍ଥାନାନ୍ତର କଲେ ବିଜେପି ସମସ୍ତ ଶକ୍ତି ଲଗାଇ ବିରୋଧ କରିବ ବୋଲି ଆଜି ଘୋଷଣା କରିଛି।

ଏଥିସହିତ କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି, କୋଭିଡ ମୁକାବିଲା ପାଇଁ ସାଧନ, କେନ୍ଦ୍ରୀୟ ସଂସ୍ଥା କୋଭିଡ ମୁକାବିଲା ପାଇଁ ଯୋଗାଇଥିବା ସାହାଯ୍ୟ ଓ ସହଯୋଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଐତିହାସିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି।

ବିଜେପିର ଲମ୍ବା ଅଭିଯୋଗ ଉପରେ ବିଜେଡି ବି ତୀବ୍ର ପ୍ରତିକ୍ରିୟା ରଖିଛି। ଦଳ କହିଛି, ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି। ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତ୍ତିମାନ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ।

ସେ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତ୍ତିମାନ ଦିଆଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି। ଗ୍ରାମୀଣ ଗୃହ ନିର୍ମାଣ, ଏମଏନ୍‍ଆରଇଜିଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାଁନ୍ତି।

ସେହିଭଳି ବିଜେପିର ବିବୃତ୍ତିରୁ ଏକଥା ବି ଜଣାପଡୁଛି ଯେ ଏହି ଦଳର ନେତାମାନେ କୋଭିଡ ଉପରେ ଜଣେ ଜଣେ ଆତ୍ମ ଘୋଷିତ ବିଶେଷଜ୍ଞ ପାଲଟି ଯାଇଛନ୍ତି। ତେଣୁ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ହୋଇପାରୁନଥିବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ ଆଦିରେ ସେମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ। ବାସ୍ତବରେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦାସ କହିଛନ୍ତି।

Leave A Reply

Your email address will not be published.