ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ପାଗଳ କଲାଣି କ୍ଷମତା ନିଶା!

0
  • ରାଜନୀତିକୁ ଆଖେଇଥିବା ଆଶାୟୀ ନେତା, ଅଧିକାରୀ ଏବେ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଲେଣି
  • କିଏ ବିଧାୟକ, ସାଂସଦ ହେବା ରାସ୍ତା ଖୋଲୁନି ବୋଲି ଅସୁଖୀ, ଆଉ କିଏ ମନ୍ତ୍ରୀ ହୋଇନପାରିବାରୁ ଅସନ୍ତୁଷ୍ଟ
  • ମୁଖ୍ୟମନ୍ତ୍ରୀଙ୍କ ୫ଟି ଆହ୍ବାନକୁ ବାଟବଣା କରିଦିଆଯାଉଛି, ତୃଣମୂଳସ୍ତରରେ ସବୁ ଯୋଜନାର ଡଙ୍କ ମୋଡୁଛନ୍ତି
  • ଏବେଠାରୁ ସାବଧାନ୍ ନହେଲେ, ଆଗକୁ ଭୟାନକ ହେବ ସ୍ଥିତି, ସବୁ ରାଜନୈତିକ ଦଳ ବିଶ୍ବାସ ହରାଇପାରନ୍ତି
  • ଦାନୀ କର୍ଣ୍ଣଙ୍କ ଭଳି କାମ ବାଣ୍ଟୁଛନ୍ତି ଯନ୍ତ୍ରୀ, କାଗଜପତ୍ରରେ ଅନୁଧ୍ୟାନ କରି ବଦନାମ କରୁଛନ୍ତି ସରକାରଙ୍କୁ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏକ ବଡ଼ ଚିତ୍ର ସାମ୍ନାକୁ ଆସୁଛି। ଅନେକ ବୁଝିଗଲେଣି ଯେ ଅର୍ଥ ସର୍ବସ୍ବ ହୋଇଯାଇଛି ନିର୍ବାଚନ ରାଜନୀତି। ମୂଲ୍ୟବୋଧ, ଆଦର୍ଶ, ସମାଜସେବା ଏବେ ବହି ଓ ଭାଷଣର ଏକ ଅଂଶ ବିଶେଷ ମାତ୍ର। ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି ପଞ୍ଚାୟତରେ, ବିଧାନସଭା ପାଇଁ ଖର୍ଚ୍ଚ ହେଉଛି କୋଟିରେ। ଏଣୁ ଯେନତେନ ପ୍ରକାରେ କୋଟି କୋଟି ଟଙ୍କା ରୋଜଗାର କରିବା ଲାଗି ଦିନରାତି ଏକାକାର କରୁଛନ୍ତି ଯୁବ ନେତା। କେବଳ ସେତିକି ନୁହେଁ, ଯିଏ ରାଜନୀତିରେ ପାଦ ଥାପିଲା, ସିଏ ଚାହୁଁଛନ୍ତି ରାତିରାତି ବିଧାୟକ, ସାଂସଦ ହେବେ। ଯିଏ ବିଧାୟକ ହେଲେ, ପ୍ରଥମ ଥରରୁ ତାଙ୍କ ଆଖି ରଖିଲା ମନ୍ତ୍ରୀ ପଦ ଉପରେ।

ଓଡ଼ିଶାରେ ଏବେ ୧୪୭ ବିଧାନସଭା ଆସନ, ୨୧ ଲୋକସଭା ଓ ୧୦ ରାଜ୍ୟସଭା ଆସନ ରହିଛି। ସର୍ବାଧିକ ୨୧ଜଣଙ୍କୁ ମନ୍ତ୍ରୀ କରିପାରିବେ ମୁଖ୍ୟମନ୍ତ୍ରୀ। ଅର୍ଥାତ୍ ଏସବୁ କ୍ଷେତ୍ରରେ ସର୍ବାଧିକ ୨୦୦ ପାଖାପାଖି ନେତାଙ୍କୁ ଥଇଥାନ କରାଯାଇପାରେ। ଆଶାୟୀଙ୍କ ସଂଖ୍ୟା କିନ୍ତୁ ଏହାର ୫୦ଗୁଣରୁ ଅଧିକ। ଏହି ଚିତ୍ର ଏବେ ସବୁ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମୁଣ୍ଡକୁ ଗୋଳମାଳ କଲାଣି। ଯିଏ ବିଧାୟକ ହେଲେ ସେ ଅସନ୍ତୁଷ୍ଟ, ଯିଏ ଟିକେଟ୍ ପାଇଲେନି ସେମାନେ ବି। ବିରୋଧୀ ଦଳରେ ଯେଉଁ ଅବସ୍ଥା, ଶାସକ ଦଳରେ ସେ ସ୍ଥିତି ତିନିଗୁଣା ଅଧିକ। ଆଉ ଯେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମକୁ ବ୍ୟବହାର କରି ନିର୍ବାଚନରେ ସଫଳତା ମିଳିବ ବୋଲି ଗୋଟିଏ ଧାରଣା ସୃଷ୍ଟି ହୁଏ, ତେବେ ସେ କ୍ଷେତ୍ରରେ ପରିସ୍ଥିତି ଅତି ଉତ୍କଟ।

ଏଭଳି ତଥାକଥିତ ନେତାଙ୍କ ଚାପ ନେତୃତ୍ବ ଉପରେ କେତେ ଅଧିକ ପଡୁଛି, ତାର ଗୋଟିଏ ଉଦାହରଣ ନିଆଯାଇପାରେ। ନିକଟରେ ପ୍ରକାଶ ପାଇଥିବା ବିଜେଡି ପର୍ଯ୍ୟବେକ୍ଷକ ତାଲିକା ହେଉ କିମ୍ବା ମହିଳା ଶାଖା। ଅଥବା ବିଜେପି ଠାରୁ ଆରମ୍ଭ କରି କଂଗ୍ରେସ ସଂଗଠନର ତାଲିକା ଏ ସମସ୍ତେ ଗୋଟିଏ ପ୍ରକାରର ଦିଶୁଛନ୍ତି। ମାଳ ମାଳ ନେତାଙ୍କୁ ବିଭିନ୍ନ ପଦବି ସହିତ ଯୋଡି ଦିଆଯାଉଛି, କେବଳ ସନ୍ତୁଷ୍ଟ କରିବା ପାଇଁ। ଯଦିଓ ଦଳୀୟ ନେତୃତ୍ବ ସତ କଣ ଭଲଭାବେ ଜାଣନ୍ତି। ଏହାଦ୍ବାରା ଦଳ ସଂଗଠିତ ହେବା ବଦଳରେ ଉତ୍ତରଦାୟିତ୍ବ ଭାଗ ଭାଗ ହେବା କାରଣରୁ ତିନି ପ୍ରମୁଖ ରାଜନୈତିକ ଦଳର ସଂଗଠନରେ ମତାନ୍ତର ଏବଂ ମନାନ୍ତର ବଢିବାରେ ଲାଗିଛି। ପଦବି ପାଇଁ ହାଇଁ ପାଇଁ ହେଉଥିବା ଏହି ନେତାମାନେ କରୋନା ହେଉ କି ବାତ୍ୟା ବିପର୍ଯ୍ୟୟ, ମହାମାରୀ ହେଉ କି ସରକାରଙ୍କ ଡ୍ରପ୍ ଆଉଟ୍ ରୋକିବା ଲାଗି ପିଲାମାନଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ନେବା ଲାଗି କୌଣସି ଗୋଟିଏ ସ୍ଥାନରେ ଉଦ୍ୟମ କରିବା ଦେଖାଯାଏ ନାହିଁ।

ଏହି ପ୍ରସଙ୍ଗଟି ଏଇଥିପାଇଁ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି କାରଣ, ସଂପ୍ରତି ରାଜନୀତିରୁ ସେବା ଶଦ୍ଦଟି ଅପସରିଯାଇଛି। ଏକ ବଡ଼ ବିଲକ୍ଷଣ ହେଲା, ରାତାରାତି ନେତା ହେବା ଲାଗି ଚାହୁଁଥିବା ନେତାଙ୍କ ଆଚରଣ ଓ ଉଚ୍ଚାରଣ କାରଣରୁ ଦୁର୍ନୀତି ବହୁଗୁଣିତ ହେବାରେ ଲାଗିଲାଣି। ରାଜନୈତିକ ନେତାମାନେ ତୃଣମୂଳସ୍ତରରେ ଅଳ୍ପ କିଛି ଅସାଧୁ ପ୍ରଶାସନିକ ଅଧିକାରୀଙ୍କୁ ଆୟୁଧ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟବଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ବେଳକୁ ଏହି କ୍ଷମତାଲିପ୍‌ସୁ ଗୋଷ୍ଠୀ ତାର ଡଙ୍କ ମୋଡ଼ି ଦେଉଛନ୍ତି। ଖଣି, ବାଲି ଚୋରି ଠାରୁ ଆରମ୍ଭ କରି ଠିକାଦାରୀ କ୍ଷେତ୍ରରେ ଏସବୁ ନେତାଙ୍କ ପ୍ରବେଶ ଏବେ ସରକାରଙ୍କ ଭାବମୂର୍ତ୍ତିକୁ ଦଳଚକଟି ଦେଇସାରିଲେଣି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମତ ହେଉଛି, ଯେ କୌଣସି ଅସାଧୁ ଅଧିକାରୀଙ୍କ ସଂପର୍କରେ ଅଭିଯୋଗ ଆସୁଛି, ତା ସହିତ କୌଣସି ଜଣେ ରାଜନେତାଙ୍କ ନିବିଡ଼ତା ବି ସାମ୍ନାକୁ ଆସୁଛି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ମାତ୍ରେ ସଂପୃକ୍ତ ନେତା ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି ଓ କ୍ଷମତାରେ ଥିବା ନେତା, ବଡ଼ ବାବୁଙ୍କୁ ଧରି ଅସମ୍ଭବ ଚାପ ସୃଷ୍ଟି କରୁଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ପରେ ବି ୟନ୍ତ୍ରୀଙ୍କ ବଦଳି, ନିଯୁକ୍ତିରେ ସ୍ବଚ୍ଛତା ଆସିପାରିଲା ନାହିଁ। ଠିକାଦାରୀ କ୍ଷେତ୍ରରେ ଏ ଚିତ୍ର ଆହୁରି ସାଂଘାତିକ। ମୁହଁଚୁହାଁ ସଂପର୍କ ଆଧାରରେ ଯନ୍ତ୍ରୀ ଦାନୀ କର୍ଣ୍ଣଙ୍କ ଭଳି କାମ ବାଣ୍ଟିବା, ଅଧିକାରୀମାନେ କାର୍ଯ୍ୟସ୍ଥଳକୁ ନ ଦେଖି ଆଖିବୁଜା ଦସ୍ତଖତ ମାରିବା କାରଣରୁ ସରକାର ଏକ ବଡ଼ ବିପଦ ସାମ୍ନା କରିବାକୁ ଯାଉଛନ୍ତି। ଏହିମାନେ ଦୁର୍ନୀତି କରୁଥିଲେ ହେଁ, ଏହାର ପ୍ରଭାବ କିନ୍ତୁ ଶୀର୍ଷସ୍ତରରେ ପଡ଼ିବା ଆରମ୍ଭ କରିଛି। ଏ କ୍ଷେତ୍ରରେ ସଂପୃକ୍ତ ବିଭାଗମାନେ ସମ୍ପୂର୍ଣ୍ଣ ସ୍ବଚ୍ଛ ନୀତି ଅନୁପାଳନରେ ଏକପ୍ରକାର ବିଫଳ ହୋଇଛନ୍ତି।

ଓଡ଼ିଶାରେ ଏହି ପ୍ରସଙ୍ଗଟି ଏବେ ସବୁଠାରୁ ବଡ଼ ବିତର୍କର ବିଷୟ ହୋଇଛି। ରାଜନୀତି ନାଁରେ ସାଧାରଣ ସେବା କରିବାକୁ ଅଣ୍ଟା ଭିଡ଼ୁଥିବା ଲୋକଙ୍କୁ ନେଇ ସମସ୍ତଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି। ଅଳ୍ପ କିଛି ନେତା ସମାଜର ତୃଣମୂଳସ୍ତରରେ ସରକାରଙ୍କ ଯୋଜନାକୁ ପହଞ୍ଚାଉଛନ୍ତି ଓ ଗରିବ ଲୋକଙ୍କୁ ଉପରକୁ ଆଣିବା ଲାଗି ପ୍ରୟାସ ଚଳାଇଛନ୍ତି। କିନ୍ତୁ ବେଶୀ ନେତା ନିଜର ଭୋଟ ବ୍ୟାଙ୍କ ସୃଷ୍ଟି ଲାଗି ଯାବତୀୟ କେଳେଙ୍କାରୀ କରିବାକୁ ପଛାଉନାହାନ୍ତି। ହାତ ଗଣତି ଦୁଇ ଚାରିଟି ଉଦାହରଣ ନେଲେ, ଏକଥା ସ୍ପଷ୍ଟ ହୋଇଯିବ। ବେଶୀ ଦୂର ନଯାଇ ପୁରୀ ଜିଲ୍ଲାରେ ବାତ୍ୟା ଫନିର ପୁନରୁଦ୍ଧାରକୁ ଉଦାହରଣ ଭାବେ ନିଆଯାଉ। ରାଜନୈତିକ ନେତା ନିଜର କର୍ମୀଙ୍କୁ ଖୁସି କରିବା ଲାଗି ତାଲିକାରେ ଯାହାର ଘର ଭାଙ୍ଗିଛି ତା ନାମରେ ଲେଖିଲେ, ଯିଏ ଆଦୌ କ୍ଷତି ସହିନାହିଁ, ତାକୁ ବି ସାମିଲ କରିବାକୁ ପଛଘୁଞ୍ଚା ଦେଲେ ନାହିଁ। ପରିଣାମ ହେଲା, ଆଜି ବି ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ଲୋକମାନେ ସରକାରଙ୍କ ଯୋଜନାରେ ଘରଟିଏ ପାଇଲେ ନାହିଁ। ଫନିକୁ କିନ୍ତୁ ତିନିବର୍ଷ ହେଲାଣି। ସରକାର ପାଖାପାଖି ୩ହଜାର କୋଟି ଟଙ୍କା ଖର୍ଚ୍ଚ କରି ବଦନାମ ମୁଣ୍ଡାଇଲେ। ଟଙ୍କିକିଆ ଚାଉଳ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ ଆଦି ସବୁ କ୍ଷେତ୍ରରେ ଏଭଳି ସ୍ଥିତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି।

କେବଳ ରାଜ୍ୟସ୍ତରୀୟ ଆଶାୟୀ ନେତାଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତା ନୁହେଁ, ଯିଏ ଓ୍ବାର୍ଡ ମେମ୍ବର ପାଇଁ ଲଢ଼ିବାକୁ ଆଶାୟୀ ଅଛି, ସେ ବି ତା ବାଟରେ ନିଜର ଗୋଟିଏ ଅନୁଗତ ଗୋଷ୍ଠୀ ତିଆରି କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। କିଛି କ୍ଷେତ୍ରରେ ଦେଖାଯାଉଛି ଯେ ସରକାରୀ ଅଧିକାରୀଙ୍କର ବି କ୍ଷମତା ମୋହ ବଢ଼ିଯାଇଛି। ଏହି ସଂଖ୍ୟା ନଗଣ୍ୟ ହୋଇଥିଲେ ବି ସେମାନେ ଆଜିକାଲି ଚାକିରି ଅଧାରୁ ବା ଚାକିରି ପରେ ଶାସନ କ୍ଷମତାରେ ବସିବାକୁ ଆଗ୍ରହ କଲେଣି। ଏଣୁ ଯେଉଁ ରାଜନୈତିକ ଦଳ ସହିତ ସେମାନଙ୍କର ନିବିଡ଼ତା ରହିଛି, ପାରୁ ପର୍ଯ୍ୟନ୍ତ ସେମାନଙ୍କୁ ସୁହାଇବା ଭଳି କାର୍ଯ୍ୟ କରିବା ଲାଗି ଏହି ବର୍ଗ ଉଦ୍ୟମରତ ଅଛନ୍ତି।

ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ୫ଟି ଫର୍ମୁଲା କଥା କହିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସରକାରୀ ବ୍ୟବସ୍ଥାରେ ଥିବା ତଳିଆ କର୍ମଚାରୀ ସମସ୍ତେ ଏହାଦ୍ବାରା ଅନୁବନ୍ଧିତ। ହେଲେ ଏହି ସୂତ୍ରକୁ କେତେଜଣ ନିଷ୍ଠାର ସହିତ ପାଳନ କରୁଛନ୍ତି, ତାର ଅନୁଧ୍ୟାନ ଲାଗି କୌଣସି ବ୍ୟବସ୍ଥା ନାହିଁ। ସେପଟେ ରାଜନୀତିରେ ପାଦ ଥାପୁଥିବା ବ୍ୟକ୍ତି ବିଧାନସଭା ଭଳି ଗୋଟିଏ ପବିତ୍ର ସ୍ଥାନକୁ ନିର୍ବାଚିତ ହେବା ପାଇଁ କେଉଁ ସୂତ୍ର ଅନୁପାଳନ କରିବା ଉଚିତ୍, ସେ ନେଇ ମଧ୍ୟ ରାଜନୈତିକ ଦଳମାନେ କୌଣସି କାର୍ଯ୍ୟକ୍ରମ କରୁଥିବା ପରିଲକ୍ଷିତ ହେଉନାହିଁ।

ପରିଣାମ ହେଲା, ବିଧାନସଭାରେ ବିତର୍କ ଯେଭଳି ସ୍ବପ୍ନ ହୋଇଗଲାଣି, ଓଡ଼ିଶାର ଦୁର୍ନୀତି ମୂଳୋତ୍ପାଟନ ପ୍ରସଙ୍ଗଟି ବି ସେମିତି।

Leave A Reply

Your email address will not be published.