- କାହା ସ୍ବାର୍ଥରେ କାମ କରୁଛନ୍ତି ଏସ୍ଏମ୍ସି?
- କେତେ ଥର ସରକାରଙ୍କୁ ଦେଉଛନ୍ତି ରିପୋର୍ଟ?
- ସାମାଜିକ ଗଣମାଧ୍ୟମରେ ଚାଲିଛି ପ୍ରତିଯୋଗିତା
- ଉତ୍ତରଦାୟିତ୍ବ ନେବାକୁ କାହାର ଫୁରସତ୍ ନାହିଁ
ଭୁବନେଶ୍ବର: ବିନା ପରୀକ୍ଷାରେ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଫଳ ରେକର୍ଡ ଛୁଇଁଛି। ହେଲେ ଏହି ପରୀକ୍ଷା ଫଳକୁ ନେଇ ବିବାଦ ବି କିଛି କମ୍ ନାହିଁ। କିଛି ଜିଲ୍ଲାରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ତୁରନ୍ତ ଅସନ୍ତୁଷ୍ଟଙ୍କ ପାଇଁ ସାନି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ହେଲେ ଜଣେ ଘରୋଇ ବିଦ୍ୟାଳୟର ପିଲା ସାମାଜିକ ଗଣମାଧ୍ୟମରେ ସରକାରୀ ବିଦ୍ୟାଳୟର ପିଲା ଓ ପାଠପଢ଼ା ପ୍ରତି କରିଥିବା ଆକ୍ଷେପ ଏହି ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି।
‘ମୁଁ ବି ସରକାରୀ ସ୍କୁଲରେ ପଢ଼ିଛି’। ଏମିତି ଲେଖି ସାମାଜିକ ଗଣମାଧ୍ୟମରେ ଅନେକ ମେଧାବୀ, ଜ୍ଞାନୀ, ସଚେତନ ନାଗରିକ ପୋଷ୍ଟ କରୁଛନ୍ତି। ହେଲେ ଯେଉଁ ପ୍ରସଙ୍ଗଟି ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି, ତାହା ହେଲା, ଏମିତି କଣ ହୋଇଛି ଯେ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ, ଯୁବକ ଓ ଯୁବତୀ ଏବଂ ବରିଷ୍ଠଙ୍କୁ ସମାଜ ସାମ୍ନାରେ ସାର୍ଟିଫିକେଟ୍ ଦେବାକୁ ହେଉଛି? ସତରେ କଣ ସରକାରୀ ବିଦ୍ୟାଳୟରେ ପାଠ ପଢାଯାଉନାହିଁ? ଏମିତି ଗୋଟିଏ ଧାରଣା ସୃଷ୍ଟି ହେବା ପଛରେ କିଏ ଦାୟୀ? କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ପାଠପଢ଼ା ନେଇ ଏଭଳି ଏକ ତୁଳନାତ୍ମକ ଚିତ୍ର ଆସିଲା କେମିତି? ଶିକ୍ଷା ଅଧିକାର ଆଇନ ବାଟବଣା ହୋଇଯାଇନି ତ?
‘ଅସର’ ରିପୋର୍ଟ ପୂର୍ବରୁ ବୟାନ କରିସାରିଛି ଯେ ଆମର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍ଥିକି କିଭଳି ରହିଛି। ଯଦିଓ ପୂର୍ବାପେକ୍ଷା ଏହି ସ୍ଥିତିରେ ସୁଧାର ଆସୁଛି, ତଥାପି ଏହା ଆଦୌ ସନ୍ତୋଷଜନକ ନୁହେଁ।
ସରକାର ସମସ୍ତଙ୍କୁ ବହି, ଖାତା ଯୋଗାଉଛନ୍ତି। ହେଲେ କାହା ପାଖେ ପହଞ୍ଚୁଛି, ଆଉ କାହା ପାଖେ ପହଞ୍ଚୁନି। ମାଗଣା, ପୋଷାକ, ଯୋତା ଆଦି ସବୁକିଛି ବାବଦରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟର ପ୍ରକୋଷ୍ଠ ଆଉ ପୂର୍ବଭଳି ନାହିଁ। କ୍ବଚିତ୍ ବିଦ୍ୟାଳୟ ଥିବ, ଯାହାର ଘର କୋଠାଘର ହୋଇନଥିବ। ବିଭିନ୍ନ ବର୍ଗର ଶିକ୍ଷକମାନେ ବି ଅଛନ୍ତି। ଶିକ୍ଷକ ଅଭାବରେ ବି ସୁଧାର ଆସିଛି।
ସେପଟେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବି ଜାରି ରହିଛି। ଏସବୁ ତଦାରଖ କରିବା ପାଇଁ ପ୍ରତି ସ୍କୁଲ ଏସ୍ଏମ୍ସି ବା ବିଦ୍ୟାଳୟ ପରିଚାଳନା କମିଟି ଗଠନ କରୁଛନ୍ତି। ବିଦ୍ୟାଳୟରେ ପାଠ ପଢ଼ାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ପ୍ରମୁଖଙ୍କୁ ନେଇ ସରକାର ଏହି କମିଠି ଗଠନ କରିଛନ୍ତି। ଉଦ୍ଦେଶ୍ୟ ହେଲା, ରାଜ୍ୟ ସରକାରଙ୍କ ଅନୁଦାନ ଓ ଶିକ୍ଷା କ୍ଷେତ୍ରରେ ପ୍ରଚଳନ କରାଯାଉଥିବା ପଦ୍ଧତି ଅନୁସୃତ ହେଉଛି କି ନାହିଁ, ତାହା ଏମାନେ ଦେଖିବେ। ଏହାବ୍ୟତୀତ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ସଂପର୍କିତ ସବୁକିଛି ଅନୁଧ୍ୟାନ କରିବା ଦାୟିତ୍ବଟି ଏସ୍ଏମସିର। ଏହି କମିଟି କି କାମ କରୁଛି? ପିଲାମାନେ ପାଠ ପଢୁଛନ୍ତି କି ନାହିଁ, ଶିକ୍ଷକମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁଛନ୍ତି ନା ନାହିଁ, ରାଜ୍ୟ ସରକାରଙ୍କ ଶିକ୍ଷା ଯୋଜନାର ଶତ ପ୍ରତିଶତ ଅନୁପାଳନକୁ ନିଶ୍ଚିତ କରିବା ଦିଗରେ ଏମାନେ ଉଦ୍ୟମ କରିବା ଦିଗରେ ଏହି କମିଟି କେତେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି? ଏଥିରେ କାହା ବିଷୟରେ ଅଭିଯୋଗ ରହିଛି? ସରକାର କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି?
ବିଦ୍ୟାଳୟ ଶିକ୍ଷା ଦାନ କ୍ଷେତ୍ରରେ କେବଳ ଉଚ୍ଚ କୋଠା ବା ଚିକ୍ ଚିକ୍ ମଲାଟ ଥିବା ବହି ପ୍ରସ୍ତୁତ କରିଦେଲେ ହେବନାହିଁ। ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଯିବାର ଆବଶ୍ୟକତା ରଖାଯାଇଛି। କେବଳ ସେତିକି ନୁହେଁ, ପାଠପଢା ସହିତ ଶୃଙ୍ଖଳା, ସମୟାନୁବର୍ତ୍ତିତା, ସଂଯମତା ବିଦ୍ୟାଳୟ ପରିସରର ସବୁଠାରୁ ବଡ଼ ଉପାଦାନ, ଯାହା ଥରେ ପିଲାମାନଙ୍କ ଭିତରେ ବୁଣିଦେଲେ, ଜୀବନର ସବୁ କ୍ଷେତ୍ରରେ ଏହା ସଫଳତା ଆଡକୁ ଟାଣିନିଏ। ଏହା ପ୍ରତି ଛାତ୍ରକୁ ଜଣେ ଜଣେ ଚରିତ୍ରବାନ ନାଗରିକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରେ। ଶିକ୍ଷା ସହିତ ଏହା ଜୀବନରେ ଅତ୍ୟନ୍ତ ଗୁରୁତ୍ବ ରଖେ। ଏ କଥାଟି କିଏ ତଦାରଖ କରୁଛନ୍ତି?
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଯେଉଁମାନେ ସାମାଜିକ ଗଣମାଧ୍ୟମରେ ନିଜର ସଫଳତା ପାଇଁ ସରକାରୀ ବିଦ୍ୟାଳୟକୁ ଦାୟୀ କରୁଛନ୍ତି, ସେମାନେ ବର୍ଷକୁ ଦିନଟିଏ ଯଦି ନିଜେ ପାଠ ପଢୁଥିବା ବିଦ୍ୟାଳୟ କ୍ୟାମ୍ପସ୍ ବୁଲିଆସନ୍ତେ, ତେବେ ଏହାର ଚିତ୍ର ଓ ଚରିତ୍ର ବଦଳିଯାନ୍ତା। ସେମାନେ ପଢ଼ିଥିବା ବିଦ୍ୟାଳୟ ପ୍ରତି ତାଙ୍କର ବି କିଛି ଉତ୍ତରଦାୟିତ୍ବ କମ୍ ନାହିଁ। ରାଜ୍ୟ ସରକାର ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆର୍ଥିକ ଦୃଷ୍ଟିରୁ କେତେ କିଏ ସାହାଯ୍ୟ କଲା, ତାହା ଯେତିକି ଗୁରୁତ୍ବ ରଖେନି, ତା ଠାରୁ ଅଧିକ ଜରୁରୀ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ ଯେଭଳି ସାମାନ୍ୟତମ ଆଞ୍ଚ ନ ଆସେ। ତେବେ ଯାଇ ମଣିଷ ଗଢ଼ା ଏହି କାରଖାନାରୁ ଯେଉଁ ସବୁ ଛାତ୍ରଛାତ୍ରୀ ବାହାରିବେ, ନିଜ ମାଆମାଟି ପାଇଁ ସୁନାମ ଆଣିବେ, ତାହା ନୁହେଁ, ଜଗତଜିତା ବି ହେବେ।