ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

କୋଭିଡ୍ ମୃତ୍ୟୁ ନେଇ ଆସିଲା ସରକାରଙ୍କ ସ୍ପଷ୍ଟୀକରଣ

0
  • ଘୋଷଣା କରାଯାଉଥିବା ମୃତ୍ୟୁ ରିୟଲ ଟାଇମ୍ ତଥ୍ୟ ଉପରେ ନୁହେଁ: ସିବିକେ
  • ସରକାର କୌଣସି କୋଭିଡ୍ ମୃତ୍ୟୁ ଜନିତ ତଥ୍ୟ ଲୁଚାଇନାହାନ୍ତି କହିଲେ ଡିଏମ୍‌ଇଟି
  • ହେଲେ ଅଣ କୋଭିଡ୍ ମୃତ୍ୟୁ ରିପୋର୍ଟ ନ ଦେବା ଫଳରେ ଲୋକଙ୍କ ସନ୍ଦେହ ବଢ଼ିଲା
  • ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ନେଇ ସବୁଠି ପ୍ରଶଂସା ଗୋଟାଇଛନ୍ତି ସରକାର
  • ମାଗଣାରେ ଚିକିତ୍ସା କରାଯାଇଛି, ଅନ୍ୟ ରାଜ୍ୟ ଭଳି ଅକ୍ସିଜେନ୍ ସମସ୍ୟା ହୋଇନାହିଁ
  • ଅନାଥଙ୍କ ପାଇଁ ଆଶୀର୍ବାଦ ଯୋଜନା କରିଛନ୍ତି ନବୀନ, ସାମାନ୍ୟ ହେଳା ମହଙ୍ଗା ପଡ଼ିପାରେ

ଭୁବନେଶ୍ବର: କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଯେତିକି, ରାଜନୈତିକ ପାଣିପାଗ ଗରମ ସେତିକି। ଠିକ୍ ଏମିତି ସମୟରେ ଆଜି ଡିଏମ୍‌ଇଟି ତଥା ରାଜ୍ୟର ବରିଷ୍ଠ ଚିକିତ୍ସା ବିଜ୍ଞାନୀ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ପ୍ରତିଦିନ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି ତାହା ରିୟଲ ଟାଇମ୍ ବା ବର୍ତ୍ତମାନ ସମୟର ନୁହେଁ। ଏକଥା ବି ନୁହେଁ, ଏହି ସଂଖ୍ୟା କୌଣସି ନିର୍ଦିଷ୍ଟ ଦିନର। ବରିଷ୍ଠ ବିଭିନ୍ନ ସମୟରେ ଯେଉଁମାନେ କୋଭିଡ୍‌ରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଇଛି, ସେମାନଙ୍କ ରିପୋର୍ଟକୁ ସରକାରୀସ୍ତରରେ ଅଡିଟ୍ କରାଯିବା ପରେ ଏହି ସଂଖ୍ୟା ଦିଆଯାଉଛି।

ତିନିଟି ପର୍ଯ୍ୟାୟ ଅଡିଟ୍ କରାଯାଉଛି। ଏଥିରେ ଦେଖାଯାଉଛି, ମୃତ୍ୟୁ କୋଭିଡ୍‌ରେ ହୋଇଛି କି ନାହିଁ? କୋଭିଡ୍ ଭଲ ହୋଇଯିବା ପରେ ସେ ସଂକ୍ରାନ୍ତ ପରବର୍ତ୍ତୀ ଜଟିଳତାରୁ ମୃତ୍ୟୁ ହୋଇଛି କି ? କିମ୍ବା ଅନ୍ୟ କୌଣସି ଜଟିଳ ରୋଗରେ ଥିବା ଆକ୍ରାନ୍ତ ଥିବା ବ୍ୟକ୍ତି ହଠାତ୍ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ହେଲା? ଏସବୁକୁ ତନ୍ନ ତନ୍ନ କରି ଦେଖାଯାଉଛି। ସଂପୃକ୍ତ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତ ସମସ୍ତ ପ୍ରେସକ୍ରିପସନ୍ ଆଦିକୁ ବି ଯାଞ୍ଚ କରାଯାଉଛି। ତା ପରେ ମୃତ୍ୟୁ ସଂକ୍ରାନ୍ତରେ ସରକାର ଘୋଷଣା କରୁଛନ୍ତି।

ଡାକ୍ତର ମହାନ୍ତି କହିଛନ୍ତି, ସରକାର କୋଭିଡ୍ ମୃତ୍ୟୁକୁ ଲୁଚାଇ ନାହାନ୍ତି। ଏଥିରେ ଲୁଚାଇବା ବା ନ ଲୁଚାଇବାର କିଛି ବି କାରଣ ନାହିଁ। କରୋନା ସଂକ୍ରମଣ ଯେବେ ଶୀର୍ଷ ଛୁଇଁଥିଲା, ସେବେ ରୋଗୀଙ୍କ ସେବାରେ ଡାକ୍ତରମାନେ ବ୍ୟସ୍ତ ଥିଲେ। ଏବେ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ସଂପ୍ରତି ରାଜ୍ୟରେ କୋଭିଡ୍ ସଂକ୍ରାନ୍ତ ଯେତେ ମୃତ୍ୟୁ ଅଭିଯୋଗ ଆସିଛି, ତାହାକୁ ଅଡିଟ୍ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଏବେ କଟକ, ଭୁବନେଶ୍ବରରେ ବି ସଂକ୍ରମଣ ପୂର୍ବାପେକ୍ଷା କମିଛି, ଯଦିଓ ଅନ୍ୟ ଜିଲ୍ଲା ତୁଳନାରେ ଏହା ଅଧିକ ରହିଛି। ସରକାର ଟେଷ୍ଟିଂ, ଟ୍ରେସିଂ ଓ ସର୍ଭିଲାନ୍ସକୁ ବଢ଼ାଇଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କର କହିବା କଥା ହେଉଛି, ସମସ୍ତେ ଏକଥା ଭୁଲିଯାଇଛନ୍ତି ଯେ କୋଭିଡ୍ ମୃତ୍ୟୁକୁ ନେଇ ପ୍ରଥମ କେଇମାସ ସଂଶୟ ପ୍ରକାଶ ପାଇଥିଲା। ମେଡିକାଲ କର୍ତୃପକ୍ଷ ଯେବେ ଶବକୁ କୋଭିଡ୍ ଗାଇଡ୍‌ଲାଇନରେ ପୋଡ଼ିବାକୁ ଚାହୁଁଥିଲେ, ସେବେ ପରିବାର ଲୋକ ଏହାର ବିରୋଧ କରିଥିଲେ। କେଉଁଟି କୋଭିଡ୍ ଜନିତ ମୃତ୍ୟୁ, କେଉଁଟି ନୁହେଁ ଏ ନେଇ ସେବେ ତର୍କ ଉଠିଥିଲା। ଦେଶ ସାମ୍ନାରେ ଏକ ବଡ଼ ପ୍ରସଙ୍ଗବି ଆସିଲା ଯେ କୋଭିଡ୍ ପରବର୍ତ୍ତୀ ଡାଟା ବେସ୍ ଦରକାର, ଯେଉଁଥିରେ ଏ ସଂକ୍ରାନ୍ତ ଜଟିଳତାର ପ୍ରଭାବ ଆଦି ସଂପର୍କରେ ଗବେଷଣା କରାଯାଇପାରିବ। ଏଣୁ ସାରା ଭାରତବର୍ଷରେ କୋଭିଡ୍ ମୃତ୍ୟୁର ଅଡିଟ୍ କରାଯାଉଛି, ଓଡ଼ିଶାରେ ବି। ଏଣୁ ଅଡିଟ ନେଇ ଆଚମ୍ବିତ ହେବାର କିଛି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞମାନେ ଦାବି କରିଛନ୍ତି।

ହେଲେ ଲୋକଙ୍କ ସନ୍ଦେହ ବଢ଼ିବା ପଛର ଅସଲ କାରଣ ହେଲା, ସ୍ବାସ୍ଥ୍ୟ ବିଭାଗ କେବଳ କୋଭିଡ୍ ମୃତ୍ୟୁ ତଥ୍ୟ ଘୋଷଣା କରୁଛନ୍ତି। ବାକି କେଉଁ କାଟେଗୋରିରେ କେତେ ରୋଗୀଙ୍କ ପ୍ରାଣ ଯାଇଛି ବା ଅଣକୋଭିଡ୍ ମୃତ୍ୟୁ ସଂଖ୍ୟା କେତେ ସେ ତଥ୍ୟ ବିଭାଗ ଦେଉନାହିଁ। ଯେହେତୁ ଏହି ତଥ୍ୟକୁ ହଠାତ୍ କରୋନା ଅଧାରେ ଅଟକାଇ ଦିଆଗଲା, ସାଧାରଣରେ କୋଭିଡ୍ ମୃତ୍ୟୁକୁ ନେଇ ସଂଶୟ ବଢ଼ିଲା। କାରଣ ମଶାଣିରେ କୋଭିଡ୍ ନିୟମରେ ଯେଉଁ ସଂଖ୍ୟାରେ ମୃତକଙ୍କର ଅନ୍ତ୍ୟେଷ୍ଟି କରାଯାଇଛି, ତାହା ଯେ କୌଣସି ଲୋକଙ୍କୁ ବିଚଳିଚ କରିବ। ଏଣୁ ଏହି ସଂଖ୍ୟା ଦେଖିବା ପରେ ରାଜ୍ୟବାସୀ ପ୍ରତିକ୍ରିୟା ଶୀଳ ହେବାରେ ଅସ୍ବାଭାବିକତା କିଛି ନାହିଁ।

ଆହୁରି ବଡ଼ କଥା ହେଲା, ସାରା ଦେଶ ସାମ୍ନାରେ ଓଡ଼ିଶାରେ କୋଭିଡ୍ ପରିଚାଳନା ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଅକ୍ସିଜେନ୍ ଯୋଗାଣ ଠାରୁ ଆରମ୍ଭ କରି ମାଗଣା ଚିକିତ୍ସା ଯାଏ ଅନେକ ଭଲ କାମ ହୋଇଛି। ସାରା ଭାରତବର୍ଷରେ ଅନେକ ରାଜ୍ୟର ସାମଗ୍ରିକ ମୃତ୍ୟୁ ସଂଖ୍ୟା ଓଡ଼ିଶା ଠାରୁ ଢେର୍ ଅଧିକ। କେବଳ ସେତିକି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତୃତ୍ବ ଦିବସରେ ‘ଆଶୀର୍ବାଦ’ ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କର ବି ଯୋଜନା ରହିଛି। ଯେଉଁମାନେ ନିରାଶ୍ରୟ ହୋଇଗଲେ, ସେମାନଙ୍କ ପାଇଁ ଏହି ଯୋଜନା ସଂଜୀବନୀ ଭଳି। ସରକାରୀସ୍ତରରେ କୋଭିଡ୍ ରିପୋର୍ଟ ଯଦି ଏପଟ ସେପଟ ହୋଇଯିବ, ତେବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାରୁ ବଞ୍ଚିତ ହେବେ ଓ ସବୁଦିନ ପାଇଁ ଦୁର୍ଦଶା ଭିତରକୁ ଠେଲି ହୋଇଯିବାର ଭୟ ରହିଛି। ଏଣୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଏ ଦିଗଟିକୁ ମଧ୍ୟ ଅତି ଗୁରୁତ୍ବର ସହିତ ବିଚାର କରିବାର ସମୟ ଆସିଛି।

ଏଠାରେ ଉଲ୍ଲେଖଥାଉକି, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନକୁ ବିରୋଧୀ ବି ମାନିବେ। କୋଭିଡ୍ ଏମିତି ଏକ ବିପର୍ଯ୍ୟୟ ଯିଏ ଦୁଇଟି ପର୍ଯ୍ୟାୟରେ ଲୋକଙ୍କୁ କଷଣ ଭିତରକୁ ଠେଲି ଦେବା ପରେ ଏବେ ତୃତୀୟ ଥର ଆସିବାକୁ ଚେଷ୍ଟା କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କର ମତ ହେଉଛି, ଏଭଳି ବିପର୍ଯ୍ୟୟର ପ୍ରଭାବ ଢେର୍ କେଇ ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ। ଯଦି ଏହା ସତ୍ୟ, ତେବେ କ୍ଷତିର ପରିମାଣ ମଧ୍ୟ ସେତିକି ଭୟଙ୍କର ଭାବେ ପଡ଼ିବ। ଏଭଳିସ୍ଥଳେ ତୃଣମୂଳସ୍ତରରେ ଯଦି ଗୋଟିଏ କୋଭିଡ୍ ଜନିତ ମୃତ୍ୟୁକୁ ଅଣକୋଭିଡ୍ କରିଦିଆଯାଏ ବା କାହା ଅଲକ୍ଷ୍ୟରେ ଖସିଯାଏ, ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତ ଗଲେ, ତାଙ୍କ ପରିବାର ନିରାଶ୍ରୟ ହୋଇଥିଲେ ସବୁଦିନ ପାଇଁ ତାଙ୍କ ଜୀବନ ଦୁଃଖର ପାହାଡ ଭିତରେ ଚାପି ହୋଇଯିବ। ଏକଥାକୁ କେହି ହାଲୁକା ଭାବେ ନେବା ଉଚିତ୍ ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ବୁଧବାର କୋଭିଡ୍ ସମୀକ୍ଷା ଜାରି ରଖିଛନ୍ତି। ଅନ୍ତତଃ ରାଜ୍ୟରେ ଅଣକୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା କେତେ ସେହି ତଥ୍ୟ ଯଦି ସ୍ବାସ୍ଥ୍ୟ ବିଭାଗ ଏହି ବୈଠକରେ ସାମ୍ନାକୁ ଆଣିଦେବ, ତେବେ କୋଭିଡ୍ ମୃତ୍ୟୁ ଭଳି ଅତି ଭୀଷଣ ଯନ୍ତ୍ରଣାଦାୟକ ଘଟଣା ସଂପର୍କରେ ବାରମ୍ବାର ମତ ଉଠିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲ ମତ ରଖୁଛନ୍ତି।

Leave A Reply

Your email address will not be published.