ଆଜି ସନ୍ଧ୍ୟାରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଭାରତର ରାଜନୀତିରେ ଆଲୋଚନା ପର୍ଯ୍ୟାଲୋଚନା ଜାରି
ନୂଆଦିଲ୍ଲୀ: ପୂର୍ବାନୁମାନ ଅନୁସାରେ, ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନଙ୍କ ନାମ ତାଲିକା ଘୋଷଣା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। କେଉଁ ନେତା ପ୍ରଧାନମନ୍ତ୍ରୀଙ୍କ ବିଶ୍ବାସ ଜିଣିପାରିଛନ୍ତି, ଆଉ କିଏ ହରାଇଛନ୍ତି? କିଏ ଏବେ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ; ଆଉ କାହାକୁ ପୁରସ୍କାର ଦିଆଯିବ ଏସବୁ ଫଇସଲା କରି ମୋଦୀ ମନ୍ତ୍ରିମଣ୍ଡଳ ରୂପରେଖ ଚୂଡ଼ାନ୍ତ କରିଛନ୍ତି। ପଛୁଆ ବର୍ଗ, ଦଳିତ, ବଞ୍ଚିତଙ୍କୁ ଏଥିରେ ବିଶେଷ ଧ୍ୟାନ ଦିଆଯାଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଗତ ରାତିରେ କେନ୍ଦ୍ର ସରକାର ନୂଆ କରି ଗଠନ କରିଥିବା ସମବାୟ ମନ୍ତ୍ରାଳୟରେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ବି ନିଯୁକ୍ତି ମିଳିପାରେ। ଦେଶରେ ସମବାୟ ଆନ୍ଦୋଳକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହି ମନ୍ତ୍ରାଳୟ ଜରିଆରେ ସମବାୟ ସମିତି ପାଇଁ ଇଜ୍ ଅଫ୍ ଡୁଇଂ ବିଜିନେସ୍ ପ୍ରକ୍ରିୟା ସହଜ ହେବ ଓ ରାଜ୍ୟର ସମବାୟ ବିକାଶ ପ୍ରକ୍ରିୟାରେ କେନ୍ଦ୍ରର ଭାଗୀଦାର ରହିବ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, କିଛି ନେତାଙ୍କୁ ଦିଲ୍ଲୀ ଡକାଯାଇ ସାରିଲେଣି। ମୋଦୀଙ୍କ କ୍ଯାବିନେଟରେ ଅଧିକରୁ ଅଧିକ ଯୁବକ, ମହିଳା, ପିଏଚଡି, ଏମବିଏ, ସ୍ନାତକୋତ୍ତର ଏବଂ ବୃତ୍ତିଗତ ଶିକ୍ଷାଧାରୀ ବର୍ଗର ନେତାଙ୍କୁ ସାମିଲ କରାଯିବ। ପଛୁଆ ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ମିଳିବ। ମୋଟାମୋଟି ଭାବେ ୨୦୨୪ ସାଧାରଣ ନିର୍ବାଚନ ଓ ଆସନ୍ତା ବର୍ଷ ହେବାକୁ ଯାଉଥିବା ପାଞ୍ଚଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଉଛି। ଏହି ତାଲିକା ପ୍ରସ୍ତୁତି ବେଳେ ଆସନ୍ତା ସାଧାରଣ ନିର୍ବାଚନ ଲାଗି ଯେଉଁ ସବୁ ରାଜ୍ୟକୁ ଦଳ ଅଧିକ ଗୁରୁତ୍ବ ଦେବ, ସେ ସଂକ୍ରାନ୍ତରେ ମଧ୍ୟ ମୋଦୀ ଠାରିବେ।
ଦିଲ୍ଲୀରେ ପହଞ୍ଚି ସାରିଥିବା କେତେକ ସମ୍ଭାବ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ, ଏଲଜେପିର ପାଶୁପତି ପାରସ, ନାରାୟଣ ରାଣେ ଏବଂ ବରୁଣ ଗାନ୍ଧୀ ଅଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀ ଆସିବା ପୂର୍ବରୁ ମହାକାଳ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମଧ୍ୟପ୍ରଦେଶରେ ବିଜେପି ହାତରେ କ୍ଷମତା ଧରାଇଥିବା ସିନ୍ଧିଆଙ୍କୁ ବିଜେପି ପୁରସ୍କାର ଦେବ। ସେହିଭଳି ଆସାମରେ ହିମନ୍ତ ବିଶ୍ବଶର୍ମାଙ୍କ ପାଇଁ ସର୍ବାନନ୍ଦ ସୋନଓ୍ବାଲ ଯେଉଁ ତ୍ୟାଗ କଲେ, ଦଳ ତାହାର ପ୍ରତିଦାନ ହେବ। ବିହାର ନିର୍ବାଚନରେ ଚିରାଗ ପାଶଓ୍ବାନଙ୍କ ଭୂମିକା ବିଜେପିର ସ୍ଥିତିକୁ ଅତି ଗମ୍ଭୀର କରିଥିଲା। ଜେଡିୟୁ ବିରୋଧରେ ଲଢିବାକୁ ଯାଇ ଏଲଜେପି ଚିରାଗ ଅନେକ କ୍ଷତି କରିଥିଲେ। ପରିଣାମ ହେଲା ପାଶୁପତି ଏମିତି ଗୋଟିଚାଳନା କଲେ ଯେ ଚିରାଗଙ୍କ ରାଜନୈତିକ କ୍ୟାରିଅର ରୁନ୍ଧି ହୋଇଗଲା। ତାଙ୍କୁ ଏହାର ପ୍ରତିଦାନ ଅବଶ୍ୟ ମିଳିବ। ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଟେଲିଫୋନ୍ ଯାଇଥିଲା। ମହାରାଷ୍ଟ୍ର ରାଜନୀତି ଦୃଷ୍ଟିରୁ ରାଣେ ଓ ଉତ୍ତରପ୍ରଦେଶ ନିର୍ବାଚନ କାରଣରୁ ବରୁଣଙ୍କୁ ମୋଦୀ କ୍ୟାବିନେଟକୁ ଆଣିବାକୁ ଚାହିଁଛନ୍ତି। ଜେଡିୟୁର ସୁଶୀଲ ମୋଦୀ ମଧ୍ୟ ଦିଲ୍ଲୀ ସରକାରର ଅଂଶ ହେବା ସମ୍ଭାବନା ଅଧିକ।
ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କର୍ଣ୍ଣାଟକର ରାଜ୍ୟପାଳ ଭାବରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟଙ୍କୁ ନିଯୁକ୍ତି ଦିଆଯାଇଛି। ଏହାଦ୍ବାରା ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଛି। ୨୦୨୪ ଏପ୍ରିଲ ଯାଏ ତାଙ୍କର କାର୍ଯ୍ୟକାଳ ଥିଲା। ଏହା ସୂଚାଉଛି ଯେ ଏମିତି ଜଣେ ନେତାଙ୍କୁ ମୋଦୀ କ୍ୟାବିନେଟକୁ ଆଣିବାକୁ ଚାହୁଁଛନ୍ତି, ଯିଏ ଉଭୟ ଗୃହର ସଦସ୍ୟ ନୁହଁନ୍ତି। ଗେହଲଟଙ୍କୁ ଅବଶିଷ୍ଟ କାର୍ଯ୍ୟକାଳରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବେ। ଏହି ତାଲିକା ପାଇଁ ଦୁଇଜଣ ବଡ଼ ଦାବିଦାର ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ରାଜନୀତି ଦୃଷ୍ଟିରୁ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଜିତିନ ପ୍ରସାଦଙ୍କୁ ମୋଦୀ ମନ୍ତ୍ରୀ ପଦ ଦେଇପାରନ୍ତି। କାରଣ ଉତ୍ତରପ୍ରଦେଶ ନିର୍ବାଚନରେ ଜିତିନଙ୍କୁ ବ୍ରାହ୍ମଣ କାର୍ଡ ଭାବେ ଦଳ ବ୍ୟବହାର କରି ଏହି ବର୍ଗର ଅସନ୍ତୋଷକୁ ଚାପି ଦେଇପାରେ। ନ ହେଲେ ଅନ୍ୟ ଜଣେ ନେତା ଦିନେଶ ତ୍ରିବେଦୀ, ଯିଏ ତୃଣମୂଳ କଂଗ୍ରେସରୁ ବିଜେପିକୁ ଆସିଥିଲେ। ମୁକୁଲ ରାୟ ଓ ତାଙ୍କ ଘନିଷ୍ଠ ବିଜେପିରୁ ମୁହଁ ଫେରାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଫେରିଯିବା ପରେ ଏବେ ତ୍ରିବେଦୀଙ୍କୁ ବିଜେପିରେ ରଖିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତାଙ୍କୁ ଅଟକାଇ ଦିଦିଙ୍କ ବିରୋଧରେ ଗୋଟି କରିବା ଲାଗି ଯୋଜନା କରାଯାଇଥାଇପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ୨୦୧୬ରେ ୩ରୁ ୭୭ ଆସନ ପର୍ଯ୍ୟନ୍ତ ବିଜେପିକୁ ଟାଣିନେବାରେ ଯେଉଁ ବିଜେପି ନେତାମାନଙ୍କର ହାତ ଅଛି, ସେମାନଙ୍କୁ ମନ୍ତ୍ରୀ ପଦ ମିଳିପାରେ।
କେବଳ ଏତିକି ନୁହେଁ, ଇତିମଧ୍ୟରେ ମନ୍ତ୍ରୀ ଆଶାୟୀ ଅନେକ ନେତା ଦିଲ୍ଲୀରେ ଆସି କ୍ୟାମ୍ପ କଲେଣି। ସେମାନଙ୍କ ମଧ୍ୟରେ ଦିଲ୍ଲୀରେ ଅନୁପ୍ରିୟାଆ ପଟେଲ (ଅପନା ଦଳ), ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ରାମଶଙ୍କର କ୍ୟାଥେରିଆ, ଲାଲାନ ସିଂ ଏବଂ ରାହୁଲ କାସୱାନ ପ୍ରମୁଖ ଅଛନ୍ତି। ଜେଡିୟୁ ସହିତ ବିଜେପିର କଥାବାର୍ତ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି।
ଓଡ଼ିଶା ଦୃଷ୍ଟିରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ଅନେକ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବେ ମୋଦୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ଧର୍ମେନ୍ଦ୍ର କ୍ୟାବିନେଟରେ ପୂର୍ବଭଳି ରହିବେ। ସେହିଭଳି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ଆଉ କିଛି ସମୟ ଦେଇପାରନ୍ତି ବୋଲି କୁହାଯାଉଛି। ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁଙ୍କ ପାଇଁ ଗୋଟିଏ ଗୋଷ୍ଠୀ ଲବି କରିଛନ୍ତି , କିନ୍ତୁ ଏହା କେତେ ସଫଳ ହେବ, ସେ ନେଇ ପ୍ରଶ୍ନବାଚୀ ରହିଛି। ତେବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ତଥା ପୂର୍ବତନ ଓଡ଼ିଶା କ୍ୟାଡର ଆଇଏଏସ୍ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ପଦ ପାଇବା ଏକପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି।
୮୧ ଜଣ ସଦସ୍ୟ ରହିଥିବା କେନ୍ଦ୍ର କ୍ୟାବିନେଟରେ ବର୍ତ୍ତମାନ ୫୩ ଜଣ ମନ୍ତ୍ରୀ ଅଛନ୍ତି। ୯ଜଣ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି। ଏହାର ଅର୍ଥ ୨୮ ମନ୍ତ୍ରୀ ଯୋଗ କରାଯାଇପାରିବ। ହେଲେ ପ୍ରଧାନମନ୍ତ୍ରୀ ୨୦ ପାଖାପାଖି ନେତାଙ୍କୁ ସାମିଲ କରିବା ଲାଗି ମନସ୍ଥିର କରିଥିବା କୁହାଯାଉଛି।